Categories
ଆଜିର ଖବର ଜାତୀୟ ଖବର

ଗୃହ ମନ୍ତ୍ରଣାଳୟର କଡା କାର୍ଯ୍ୟାନୁଷ୍ଠାନ, ଦିଲ୍ଲୀ ବିଧାନସଭା ସଚିବଙ୍କୁ କଲା ନିଲମ୍ବିତ, ଜାଣନ୍ତୁ କ’ଣ ରହିଛି ମାମଲା?

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦିଲ୍ଲୀରେ ବଡ ପଦକ୍ଷେପ ନେଇଛି। ଏଠାରେ ରାଣୀ ଝାଂଶୀ ଫ୍ଲାଏ ଓଭର ସହ ଜଡିତ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ରାଜ କୁମାରଙ୍କୁ ଗୃହ ମନ୍ତ୍ରଣାଳୟ ନିଲମ୍ବିତ କରିଛି। ଏହି ମାମଲାରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ ସର୍ଭିସ ଅଧିକାରୀ ରାଜ କୁମାର ଗୃହମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପୁରୁଣା ମାମଲାରେ ନିଲମ୍ବନ ଉପରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ।

ଏହି ସମୟରେ ରାଜ କୁମାର କହିଛନ୍ତି ଯେ, ମୋର ନିଲମ୍ବନ ସମ୍ପର୍କରେ ମୁଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଇଛି। ଏହା ଏକ ପୁରୁଣା ମାମଲା ଏବଂ ମୋତେ ମୋ ପକ୍ଷ ଉପସ୍ଥାପନ କରିବାକୁ କୌଣସି ସୁଯୋଗ ଦିଆଯାଇନଥିଲା, ତେଣୁ ମୋର ଆଉ କିଛି କହିବାର ନାହିଁ। ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ ୧୬ ତାରିଖରେ ଦିଆଯାଇଥିବା ଆଦେଶ ଅନୁଯାୟୀ ରାଜ କୁମାରଙ୍କ ବିରୋଧରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ବାସଭବନରେ କେଜ୍ରିୱାଲଙ୍କୁ ଜେରା କରୁଛି ଇଡି: ସୁପ୍ରିମକୋର୍ଟରେ ପହଞ୍ଚିଲା AAP 

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ନହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟରେ ଖାରଜ କରାଯାଇଛି। ଏହାର କିଛି ସମୟ ପରେ ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଟିମ୍ ସର୍ଚ୍ଚ ୱାରେଣ୍ଟ ସହିତ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ୧୨ ଜଣ ଇଡି ଅଧିକାରୀ ସିଏମ ହାଉସରେ ପହଞ୍ଚିଛନ୍ତି। ଘରେ ତଲାସୀ ପରେ କେଜ୍ରିୱାଲଙ୍କୁ ଜେରା କରାଯାଉଛି। PMLA ଆକ୍ଟର ଧାରା ୫୦ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଉଛି। ଇଡି ସୂତ୍ର ଅନୁଯାୟୀ କେଜ୍ରିୱାଲଙ୍କୁ ଆଜି ଗିରଫ କରାଯାଇପାରେ। ଇଡି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଫୋନ୍ ଜବତ କରିଛନ୍ତି।

ଦିଲ୍ଲୀର ଅବକାରୀ ନୀତି ମାମଲାରେ ଏପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଇଡି ୯ ଟି ସମନ ପଠାଇଛି, କିନ୍ତୁ ସେ ଥରେ ମଧ୍ୟ ଇଡିରେ ହାଜର ହୋଇନାହାଁନ୍ତି। କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ୯ମ ଡାକରାକୁ ଚ୍ୟାଲେଞ୍ଜ କରି ଗିରଫଦାରୀରୁ ସୁରକ୍ଷା ମାଗିଥିଲେ। ଯାହା ଖାରଜ କରାଯାଇଥିଲା। ଯାହା ପରେ ଇଡି CM ଙ୍କ ଘରେ ପହଞ୍ଚିଛି।

ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଲିଗାଲ ଟିମ ଇଡିଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତୁରନ୍ତ ଶୁଣାଣି ପାଇଁ ଏହି ମାମଲାର ତୁରନ୍ତ ତାଲିକାଭୁକ୍ତ କରିବାକୁ ଦଳ ଦାବି କରିଛି। କେଜ୍ରିୱାଲଙ୍କୁ କୋର୍ଟରେ କଂଗ୍ରେସ ନେତା ତଥା ଜଣାଶୁଣା ଓକିଲ ଅଭିଷେକ ମନୁ ସିଂଭି ପ୍ରତିନିଧିତ୍ୱ କରୁଛନ୍ତି। କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ସହିତ ଯୋଗାଯୋଗ କରୁଛନ୍ତି। ପ୍ରଧାନ ବିଚାରପତିଙ୍କୁ ଏହି ମାମଲା ସମ୍ପର୍କରେ ସୂଚନା ଦେବାକୁ ଆଇନଜୀବୀ ଦଳ ଦାବି କରିଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ବାସଭବନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉତ୍ତର ପ୍ରଦେଶର ଡିଜିପି ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଏହି ସମୟରେ, ଗ୍ରେଟର କୈଳାଶର ବିଧାୟକ ତଥା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ, “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭିତରେ କାହାକୁ ଅନୁମତି ଦିଆଯାଉ ନାହିଁ। ଏଥିରୁ ଜଣାପଡିଛି ଯେ, ଚଢାଉ ଚାଲିଛି। କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।