ମୁମ୍ବାଇ : ଲଭ ଜେହାଦକୁ ନେଇ ବିବାଦରେ ଫସିଛନ୍ତି : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ସାକ୍ଷାତ ସମୟରେ ଲଭ୍ ଜେହାଦ୍ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶରେ ଲଭ ଜେହାଦ ମାମଲା ବୃଦ୍ଧି ପାଉଛି ଏବଂ ଏହା ଦ୍ୱାରା ମହିଳାଙ୍କ ଉପରେ ମଧ୍ୟ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ଶର୍ମା କହିଥିଲେ। ଏହି ପ୍ରସଙ୍ଗରେ କୋଶ୍ୟାରୀଙ୍କ ସହିତ ଆଲୋଚନା ପରେ ଟ୍ୱିଟ କରି ସୂଚନା ଦେଇଥିଲେ ରେଖା ଶର୍ମା । ତେବେ ଟ୍ୱିଟ୍ଟରରେ ରେଖାଙ୍କୁ ବିରୋଧ କରାଯାଇଥିଲା । ଏପରିକି ସ୍ୟାକ ରେଖା ଶର୍ମା ହାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିଥିଲା ।
ଏପରିକି ଅନେକ ବ୍ୟବହାରକାରୀ ରେଖାଙ୍କ ବିରୋଧରେ ମାମଲା ଦାୟର କରିବାର ଧମକ ଦେଇଥିଲେ । କଂଗ୍ରେସ ନେତା ଦିଗ୍ବିଜୟ ସିଂହ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଦିଗ୍ବିଜୟ ଟୁଇଟ୍ କରି କହିଛନ୍ତି ଯେ, କ’ଣ ଜାତୀୟ ମହିଳା କମିଶନ ଲଭ୍ ଜିହାଦ୍କୁ ପରିଭାଷିତ କରିବେ ? ଯଦି ଆପଣ ଏହା କରିନପାରିବେ, ତେବେ ଆପଣ ଆଇନ ପରାମର୍ଶଦାତାଙ୍କୁ ପରିଭାଷିତ କରିବାପାଇଁ କହିବେ ? ଅଥବା ଆପଣ ମୋଦି ସରକାରରେ ରହିଥିବା ମୁଖତାର ଅବ୍ବାସ ନକ୍ଭୀ ଜୀଙ୍କୁ ‘ଲଭ୍ ଜିହାଦ’କୁ ପରିଭାଷିତ କରିବା ପାଇଁ କହିପାରିବେ ।’
Would NCW kindly please define “Love Jihad”? If you can’t, then would you please ask your Legal Advisor to define? Or you can also ask Mukhtar Abbas Naqvi ji Central Minister in Modi Govt to define “Love Jihad”. https://t.co/myJWIiVU5h
— digvijaya singh (@digvijaya_28) October 21, 2020
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅଳଙ୍କାର ବ୍ରାଣ୍ଡ ତନିସ୍କର ଏକ ବିଜ୍ଞାପନରେ ଲଭ ଜିହାଦକୁ ପ୍ରୋତ୍ସାହିତ କରାଯିବାର ଅଭିଯୋଗ ଆସିବା ପରେ ବିଜ୍ଞାପନଟିକୁ ହଟାଯାଇଥିଲା । (ଏଜେନ୍ସି)