Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ ରୋଗ ହେଲେ ଆପଣ କେମିତି ଜାଣିବେ, କଣ କହୁଛନ୍ତି ଏମସ୍ ନୂଆଦିଲ୍ଲୀ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ (ଫିମ୍ପି) ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ମ୍ୟୁକୋରମାଇକୋସିସକୁ ବ୍ଲାକ୍ ଫଙ୍ଗସ୍ କହିବା ଉଚିତ ନୁହେଁ

ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍ । କାରଣ ଏଭଳି ନାମରେ ନାମିତ କରାଗଲେ ଲୋକମାନଙ୍କ ମନରେ ଏହା ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଛି । “ଚିକି୍ତ୍ସା ଶାସ୍ତ୍ରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଫାମିଲିର ରୋଗ । ଯେହେତୁ ମ୍ୟୁକୋରମାଇକୋସିସ୍ କଲଚର୍ ବେଳେ ହ୍ୱାଇଟ୍ ଫଙ୍ଗାଲ୍ କଲୋନୀରେ କଳା କଳା ଚିହ୍ନସବୁ ଦୃଶ୍ୟ ହେଉଛି ଏଥି ସହିତ ବ୍ଲାକ୍ ଫଙ୍ଗସ୍ ନାମକୁ ଯୋଡ଼ି ଦିଆଯାଇଛି ।

ସାଧାରଣତଃ, ଅନେକ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ଯଥା, କ୍ୟାନଡ଼ିଡ଼ା, ଆସ୍ପେରଜିଲୋସିସ୍, କ୍ରପ୍ଟୋକୋକସ୍, ହିଷ୍ଟୋପ୍ଲାସ୍ମୋସିସ୍ ଏବଂ କୋସିଡ଼ିଓ ଆଇଡ଼ୋମାଇକୋସିସ୍ ରହିଛି। ମ୍ୟୁକୋର ମାଇକୋସିସ୍, କ୍ୟାନଡିଡା ଏବଂ ଆସ୍ପେରଜିଲୋସିସ୍ ଭଳି ଫଙ୍ଗାଲ୍ ସଂକ୍ରମଣ କମ୍ ରୋଗପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଠାରେ ଦେଖାଯାଇଥାଏ।

ସଂକ୍ରମଣର ସ୍ୱଭାବ, ଲକ୍ଷଣ ଓ ଚିକିତ୍ସା

ଏଭଳି ସଂକ୍ରମଣର ମାତ୍ରା ବୃଦ୍ଧି ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଲେ, ‘କ୍ୟାନଡିଡା ଫଙ୍ଗାଲ୍ ସଂକ୍ରମଣରେ ମୁହଁରେ, ପାଟି ଭିତର କ୍ୟାଭିଟିରେ ଓ ଜିଭରେ ଧଳା ଧଳା ପ୍ୟାଚ୍ ଦେଖାଯାଇଥାଏ । ଏହା ମଧ୍ୟ ଗୁପ୍ତାଙ୍ଗକୁ ସଂକ୍ରମିତ କରିପାରେ ଏବଂ ରକ୍ତକୁ ସୁଦ୍ଧା ଏହା ସଂକ୍ରମିତ କରିଥାଏ ।

ସେପରି ସ୍ଥଳେ ଏହା ଗୁରୁତର ଆକାର ଧାରଣ କରିଥାଏ। ଆସ୍ପେରଜିଲୋସିସ୍ ଯାହାକି ଏତେ ସାଧାରଣ ଭାବେ ପରିଲକ୍ଷିତ ହୁଏନାହିଁ, ତାହା ଫୁସଫୁସକୁ ସଂକ୍ରମିତ କରିଥାଏ ଏବଂ ତାହା ଫୁସଫୁସରେ କ୍ୟାଭିଟ (କଣା) ସୃଷ୍ଟି କରିଥାଏ । କୋଭିଡ଼ ୧୯ କ୍ଷେତ୍ରରେ ଯାହା ପରିଲକ୍ଷିତ ହେଉଛି ତାହା ଅଧିକତର ମ୍ୟୁକୋରମାଇକୋସିସ୍ କ୍ୱଚିତ୍ କ୍ଷେତ୍ରରେ ଆସ୍ପେରଜିଲୋସିସ୍ ଦେଖାଯାଉଛି ଏବଂ କିଛି ଲୋକଙ୍କ ଠାରେ କ୍ୟାନଡିଡା ପରିଲକ୍ଷିତ ହେଉଛି ।”

ହାଇ ରିସ୍କ ରୋଗୀ ଯେଉଁମାନେ କି ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ସେମାନଙ୍କ ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଛନ୍ତି ଯେ, ‘ମ୍ୟୁକୋରମାଇକୋସିସ୍ରେ ପୀଡ଼ିତ ୯୦% – ୯୫% ରୋଗୀ ମଧୁମେହ ରୋଗୀ କିମ୍ବା ସେମାନେ ଷ୍ଟେରଏଡ଼ ନେଉଛନ୍ତି। ଯେଉଁ ଲୋକମାନେ ମଧୁମେହରେ ପୀଡ଼ିତ ନୁହନ୍ତି କିମ୍ବା ଷ୍ଟେରଏଡ଼୍ ନେଉନାହାନ୍ତି ସେମାନଙ୍କ ଠାରେ କ୍ୱଚିତ୍ ଏହା ଦେଖାଯାଇଥାଏ ।”

ଡାକ୍ତର ଗୁଲେରିଆ ଆହୁରି କହିଛନ୍ତି ଯେ ଯେଉଁ ରୋଗୀମାନେ ହାଇ ରିସ୍କ ବର୍ଗରେ ଅଛନ୍ତି, ଅର୍ଥାତ୍ ଯେଉଁମାନଙ୍କ ଠାରେ ମଧୁମେହ ମାତ୍ରା ଅନିୟନ୍ତ୍ରିତ ଏବଂ ଯେଉଁମାନେ ଷ୍ଟେରଏଡ଼ ନେଉଛନ୍ତି ଓ କୋଭିଡ଼ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରେ ଯଦି ନିମ୍ନଲିଖିତ ଲକ୍ଷଣ ଦେଖାଯାଉଥାଏ ତେବେ ସେମାନେ ତାହା ଡାକ୍ତରମାନଙ୍କ ନଜରକୁ ତୁରନ୍ତ ଆଣିବା ଉଚିତ ।

“ମ୍ୟୁକୋରମାଇକୋସିସ୍ ପାଇଁ କେତେକ ଚେତାବନୀ ସଂକେତ ହେଲା ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା, ନାକରେ ମଇଳା ଜମିବା କିମ୍ବା ସେଥିରୁ ରକ୍ତ ପଡ଼ିବା, ଆଖି ପତା ତଳ ଫୁଲିବା, ମୁହଁର ସମ୍ବେଦନଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଲେ ଏବଂ ସେମାନେ ହାଇ ରିସ୍କଯୁକ୍ତ ରୋଗୀ ହୋଇଥିଲେ କିମ୍ବା ସେମାନେ ଯଦି ଷ୍ଟେରଏଡ଼ ନେଉଥାନ୍ତି, ତେବେ ସେମାନେ ତାହା ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ ଯଦ୍ୱାରା ଯଥାଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇପାରିବ ।”