Categories
ଆଜିର ଖବର ଜାତୀୟ ଖବର

ସଂଶୋଧନ ପରେ କୁକୁର ଫଟୋ ସହିତ ମିଳିଲା ଭୋଟର କାର୍ଡ

ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳେ ବେଳେ ଭୋଟର କାର୍ଡରେ ନାମ ବା ଘରର ଠିକଣା ଭୁଲ୍‌ ରହିଥାଏ ମାତ୍ର ମୁର୍ଶିଦାବାଦରେ ଜଣେ ବ୍ୟକ୍ତିଙ୍କ ଫଟୋ ଜାଗାରେ ଆଉ ଏକ ଫଟୋ ରହିଛି । ତେବେ ଏହା କୌଣସି ମଣିଷର ଫଟୋ ନୁହେଁ ବରଂ ଏକ କୁକୁରର ଫଟୋ । ଉଲ୍ଲେଖଯୋଗ୍ୟ ଯେ, ମୁର୍ଶିବାଦର ଜନୈକ ବ୍ୟକ୍ତି ନିଜ ଭୋଟର କାର୍ଡ ସଂଶୋଧନ କରିବା ପାଇଁ ଆବେଦନ କରିଥିଲେ । ସଂଶୋଧିତ ଭୋଟର କାର୍ଡ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସ୍ଥାନରେ ଗୋଟିଏ କୁକୁରର ଫଟୋ ରହିଥିବା ଦେଖିବାକୁ ମିଳିଥିଲା ।

ଘଟଣାଟି ଏହିପରି ମୁର୍ଶିଦାବାଦର ରାମନଗର ଗ୍ରାମର ସୁନୀଲ କର୍ମକାର ନିଜର ଭୋଟର କାର୍ଡରେ ସଂଶୋଧନ ପାଇଁ ଆବେଦନ କରିଥିଲେ । ଏପରିକି ଦୁଲାଲ ସ୍ମୃତି ସ୍କୁଲର ଶିକ୍ଷକ ଏବଂ ବିଡିଓ କାର୍ଡରେ ଫଟୋକୁ ନଦେଖି ତରବରିଆ ଭାବରେ ଦସ୍ତଖତ କରି କାର୍ଡ ଦେଇଥିଲେ । ଏହି ଘଟଣା ପରେ ନିର୍ବାଚନ କମିଶନ, ବିଡିଓ ଏବଂ ସ୍କୁଲ ଶିକ୍ଷକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ କର୍ମକାର ସୂଚନା ଦେଇଛନ୍ତି । ତେବେ ଫଟୋରେ ସଂଶୋଧନ କରାଯାଇଛି ଏବଂ ସଂଶୋଧିତ କାର୍ଡ ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ବୋଲି ବିଡିଓ ପ୍ରକାଶ କରିଛନ୍ତି । (ଏଜେନ୍ସି)