Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂସଦରେ ଆସିବାକୁ ଥିବା ଦିଲ୍ଲୀ ସେବା ଆଇନ ବିଲ୍ ପ୍ରସଙ୍ଗରେ ବିଜେଡି କଣ କରିବ ?

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଦିଲ୍ଲୀ ସେବା ଆଇନ ଉପରେ ଓଡ଼ିଶାର ବିଜୁ ଜନତା ଦଳ ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେବ ବୋଲି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ସେବା ନିୟନ୍ତ୍ରଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ବିଲ୍ ଉପରେ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଦଳ ଭିତରେ ଆଭ୍ୟନ୍ତରୀଣ ଆଲୋଚନାକୁ ମିଡ଼ିଆ ସମ୍ମୁଖରେ ଆଲୋକପାତ କରାଯାଇପାରିବ ନାହିଁ। ଉପଯୁକ୍ତ ସମୟରେ ଦଳ ଏ ନେଇ ନିଷ୍ପତ୍ତି ନେବ।

ପ୍ରଥମେ ବିଲ୍ ଆଗତ ହେଉ

ପ୍ରଥମେ ଏହି ବିଲ୍ ସଂସଦରେ ଆଗତ କରାଯାଉ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆମ ଦଳର ସଭାପତି ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ରର ଅଧ୍ୟାଦେଶ ଆଇନରେ ପରିଣତ ହେବ

ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ରେ କେନ୍ଦ୍ରଦ୍ୱାରା ମେ ମାସରେ ଜାରି କରାଯାଇଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ଚାହୁଁଛନ୍ତି, ଯେଉଁଥିରେ ଦିଲ୍ଲୀ ବିଧାନସଭାର ଆଇନଗତ କ୍ଷମତାରୁ କେତେକ ସେବାକୁ ବାଦ୍ ଦିଆଯାଇଛି। ଦିଲ୍ଲୀରେ ସେବା ନିୟନ୍ତ୍ରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଏହି ଅଧ୍ୟାଦେଶ ଅଣାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଜି ନାଁ ରେ ରାଜ୍ୟବାସୀଙ୍କୁ ଦିନବେଳା ଲଣ୍ଠନ ନ ଦେଖାନ୍ତୁ କେନ୍ଦ୍ର ସରକାର; ବିଜେଡି

ଭୁବନେଶ୍ୱର : ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ। କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏ ଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ। ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାରସର୍ବସ୍ୱ ହୋଇ ନଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଓଡ଼ିଶାର ସମସ୍ତ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟରନେଟ୍ ସେବା ତୁରନ୍ତ ଯୋଗାଇ ଦେବାକୁ ବିଜୁ ଜନତା ଦଳ ଦାବି କରିଛି।

ଆଜି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉତଥାପନ କରି କହିଲେ ଯେ ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଗତ ୨୦୨୨ ଜୁଲାଇ ମାସରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହା ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି ।

ଏପରିକି ଦେଶର ସର୍ବାଧିକ ପଛୁଆ ଅଞ୍ଚଳ ଭାବେ ବିବେଚିତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶା ଠାରୁ ଅଧିକ ୭୮% ଏବଂ ଜାମ୍ମୁ-କାଶ୍ମୀରରେ ୮୦% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଓଡ଼ିଶାର ୬୨୭୮ ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରୁନାହିଁ । ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏଯାଏଁ ମାତ୍ର ୪୮୮ଟି ଟାୱାର ମଞ୍ଜୁର ହୋଇଛି।

ମୁଖ୍ୟତଃ ଆଦିବାସୀ ବର୍ଗର ଲୋକେ ରହୁଥିବା ନକ୍ସଲ ପ୍ରବଣ ଇଲାକାରେ ଟାୱାର ନଥିବାରୁ ଲୋକେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପାରୁନାହିଁ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ୫-ଟି ଆଜି ପ୍ରଶାସନର ଏକ ଆଦର୍ଶ ମଡ଼େଲ ଭାବରେ ଆଦୃତ ହୋଇଛି। ସେଥିରେ ଏକ ସ୍ତମ୍ଭ ହେଉଛି ଟେକ୍ନୋଲୋଜି। ତେଣୁ ଟେକ୍ନୋଲୋଜିକୁ ଗ୍ରହଣ କରି ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା ମୂଳ ଲକ୍ଷ୍ୟ ହେବା ଉଚିତ୍। ମାତ୍ର ଟେଲିକମ୍ ଓ ଇଣ୍ଟରନେଟ୍ ସେବା କ୍ଷେତ୍ରରେ ସବୁଠାରୁ ଅବହେଳିତ ରହିଆସିଥିବା ଓଡ଼ିଶାରେ ଟେକ୍ନୋଲୋଜିର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ।

ଏବେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ମିଳୁଥିବା ଟେଲି ସେବା ମଧ୍ୟ ଅତ୍ୟନ୍ତ ଦୁର୍ବଳ। ନେଟୱାର୍କ ନଥିବାରୁ କୋଭିଡ୍ ସମୟରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ଏବଂ ନେଟୱାର୍କ ପାଇବା ଲାଗି ପାହାଡ଼ ଓ ଗଛ ଉପରକୁ ଚଢୁଥିଲେ, ତାହା ସମସ୍ତେ ଜାଣିଛନ୍ତି।

ଏହି ପରିପ୍ରେକ୍ଷୀରେ କେବଳ ଦୁଇଟି ସହରରେ ୫-ଜି ସେବା ଆରମ୍ଭ କରିଦେଲେ ଓଡ଼ିଶା ଏଥିରୁ ଲାଭବାନ ହୋଇପାରିବ ନାହିଁ। ଯେଉଁ ଓଡ଼ିଶାରେ ଆଜି ବି ଏତେ ସଂଖ୍ୟକ ଗାଁରେ ଲୋକେ ୨-ଜି ଓ ୩-ଜି ସେବା ପାଇପାରୁ ନାହାନ୍ତି, ସେଠାରେ ୫-ଜି ସେବା ପହଞ୍ଚାଯିବ କିପରି ? ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଆନ୍ତରିକତା ଥିବା ଭଳି ଜଣାପଡୁ ନାହିଁ।

ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ, ସାଧାରଣ ଜନତା ଏବଂ ସାମଗ୍ରୀକ ଭାବେ ରାଜ୍ୟବାସୀ ଟେଲିକମ୍ ଓ ଇଣ୍ଟରନେଟ୍ କ୍ଷେତ୍ରରେ ଏହାଠାରୁ ଅଧିକ ଉତ୍ତମ ସେବା ପାଇବାକୁ ହକଦାର। ତେଣୁ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଏଭଳି ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।