Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ପଦୋନ୍ନତି: ନର୍ସିଙ୍ଗ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନୂଆ ଦାୟିତ୍ଵ

ଖୋର୍ଦ୍ଧା: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇ ଜଣ ସିଡ଼ିଏମଓ ଙ୍କ ପଦୋନ୍ନତି ନିର୍ଦ୍ଦେଶନାମା ଜାରି ହୋଇଛି। ତନ୍ମଧ୍ୟରୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକ ଅନ୍ୟତମ ଅଟନ୍ତି। ଡା ନାୟକଙ୍କ ଓଡ଼ିଶା ନର୍ସିଙ୍ଗ ବିଭାଗର ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଛି।

ଡ଼ିସେମ୍ବର ୨୦୨୧ ରେ ଡା ନାୟକ ଖୋର୍ଦ୍ଧା ସିଡ଼ିଏମଓ ଭାବେ ଯୋଗଦେବାପରେ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୃତଗତିରେ ସୁଧାର ଆସିଛି। ବିଶେଷତଃ ଜିଲ୍ଲାର ଏକାଧିକ ମେଡିକାଲରେ ଡାକ୍ତରଙ୍କ ଅଭାବ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସରକାରଙ୍କ ସହ ଯୋଗସୁତ୍ର ରକ୍ଷାକରି ଏହାକୁ ଦୂର କରିବାରେ ଡା ନାୟକ ସଫଳ ହୋଇପାରିଛନ୍ତି।

ସାଧାରଣତଃ ଦେଖିବାକୁ ଗଲେ ସିଡ଼ିଏମଓ ଡା ନାୟକଙ୍କ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଏକାଧିକ ସଫଳତା ପାଇଛି। ରାଜ୍ୟ ଓ ଜାତୀୟ ସ୍ତରରେ ଖୋର୍ଦ୍ଧା ଜିଲ୍ଲା ପୁରସ୍କୃତ ମଧ୍ୟ ହୋଇଛି। ବିଭିନ୍ନ ସିଏଚସି ରେ ଅଚାନକ ପରିଦର୍ଶନ ହେଉ ଅବା ଜନ ଅଭିଯୋଗ ଶୁଣାଣି ହେଉ ସବୁ କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି ସିଡ଼ିଏମଓ ଡା ନାୟକ।

୨୦୦୮ ମସିହାରୁ ନିର୍ମାଣ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ପ୍ରାଚୀର ଡା ନାୟକଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇପାରିଛି। ଅନୁରୁପ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କେନ୍ଦ୍ର ସରକାରଙ୍କ ‘ଲକ୍ଷ’ ଉପକ୍ରମରେ ସାମିଲ କରିବା ସହ ରୋଗୀଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇବା ପାଇଁ ସିଡ଼ିଏମଓ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଜିଲ୍ଲାର ପ୍ରତିଟି ସିଏଚସି କୁ ସୁଦୃଢ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଆଣିବାରେ ସିଡ଼ିଏମଓ ଡା ନାୟକ ସଫଳ ହୋଇପାରିଛନ୍ତି। ତାଙ୍କର ପଦୋନ୍ନତିକୁ ନେଇ ଜିଲ୍ଲାବାସି ଖୁସିଥିବା ବେଳେ ତାଙ୍କର ଉତ୍ତରୋତର ଉନ୍ନତି କାମନା କରିଛନ୍ତି।