Categories
ଆଜିର ଖବର ଖେଳ

ରଣଜୀ କ୍ବାର୍ଟର ଫାଇନାଲ୍‌ରେ ମଜୁମଦାରଙ୍କ ଶତକ : ବେଙ୍ଗଲ 308/6

ସମୀକ୍ଷା ବ୍ୟୁରୋ
କଟକ : ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍‌ ମୁକାବିଲା ଆରମ୍ଭ ହୋଇଥିବା ବେଳେ କଟକର ଡ୍ରିମ୍ସରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି ଓଡିଶା ଏବଂ ବେଙ୍ଗଲ । ପ୍ରଥମ ଦିନରେ ବେଙ୍ଗଲର ଅନୁସ୍ତୂପ ମଜୁମଦାର ଅପରାଜିତ ଶତକ ହାସଲ କରିଥିବା ବେଳେ ବେଙ୍ଗଲ 6 ଓ୍ବିକେଟ୍‌ ହରାଇ 308 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦୁଇ ସେସନ୍‌ ସୁଦ୍ଧା ବେଙ୍ଗଲ 145 ରନ୍‌ରେ 6ଟି ଓ୍ବିକେଟ ହରାଇଥିବା ବେଳେ ଶାହବାଜ ଅହମଦ (82)ଙ୍କ ସହିତ ଅବିଭାଜିତ 163 ରନ୍‌ର ଭାଗିଦାରୀ କରିଥିଲେ । ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲା ଓଡିଶା । 4 ପେସ୍‌ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଥିବା ଓଡିଶା ବୋଲରଙ୍କୁ ପ୍ରାରମ୍ଭିକ ସପଳତା ମଧ୍ୟ ମିଳିଥିଲା । ମାତ୍ର ମଜୁମଦାର 194ଟି ବଲ୍‌ର ସମ୍ମୁଖୀନ ହୋଇ 20ଟି ଚୌକା ସହାୟତାରେ 134 ରନ୍‌ ସଂଗ୍ରହ କରିଥିବା ବେଳେ ଶାହବାଜ ଅହମଦ 154 ବଲ୍‌ର ସମ୍ମୁଖୀନ ହୋଇ 13ଟି ଚୌକା ସହାୟତାରେ 82 ରନ୍‌ରେ ଅପରାଜିତ ରହିଛନ୍ତି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ସିଂ ଚୌହାନ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍‌ କରିଥିଲେ । ବସନ୍ତ ପ୍ରଧାନ ଏବଂ ଦେବବ୍ରତ ପ୍ରଧାନ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।