Categories
ଆଜିର ଖବର

ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ଦିନ  ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି।  ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। କିଛି ଦିନ ପୂର୍ବରୁ ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ) ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ କହିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନ

ନିର୍ବାଚନ କମିଶନ ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବ ତ୍ରିପୁରାରେ ଏପ୍ରିଲ୍‌ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ୍‌ ୨୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କମିଶନ।ଗୁରୁତର ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଏହି ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି। ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଦୁଇଟି ଆସନରେ ନିର୍ବାଚନକୁ ବନ୍ଦ ରଖାଯାଇଛି ବୋଲି ମଙ୍ଗଳବାର ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀରାମ ତରଣୀକାନ୍ତି ସୂଚନା ଦେଇଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରସ୍ଥିତି ସଠିକ୍‌ ନାହିଁ ବୋଲି ସହକାରୀ ଡିଜିପି ରାଜୀବ ସିଂ ସୂଚନା ଦେବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଡିଜିପି ଏକେ ଶୁକ୍ଲା ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ କରିବା ସହିତ ୨୩ ତାରିଖରେ ନିର୍ବାଚନ ପରିଚାଳନା କରିବେ। ତ୍ରିପୁରା କଂଗ୍ରେସ ସଭାପତି ପ୍ରଦ୍ୟୋତ ଦେବ ବର୍ମନ୍‌ କହିଛନ୍ତି ନିର୍ବାଚନ କମିଶନ ସଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରାରେ କିଛି ସ୍ଥାନରେ ହିଂସା ହୋଇଥିବାରୁ ଏଠାରେ ମଧ୍ୟ ପୁନଃ ନିର୍ବାଚନ କରାଯିବା ଉଚିତ୍‌ ବୋଲି ବର୍ମନ୍‌ କହିଛନ୍ତି।

Categories
ବିଶେଷ ଖବର ମତାମତ

ମହିଳା ଭୋଟର ହିଁ ଅନେକାଂଶରେ ନିର୍ଣ୍ଣାୟକ, ହେଲେ ଆଜି ମଧ୍ୟ ରାଜନୈତିକ କ୍ଷମତା ପୁରୁଷଙ୍କ କବ୍‌ଜାରେ !!

ସାଗରିକା

ନାରୀ ଜୀବନର ପ୍ରତିଟି ପାହାଚରେ ନିଜକୁ ପ୍ରମାଣିତ କରି ଆସିଛି। ହାଣ୍ଡିଶାଳରୁ ଆରମ୍ଭ କରି ରାଜନୀତିର ପଶାପାଲିରେ ବାଜିମାତ୍‌ କରିଛି। ସାଧାରଣ ରୋଷେଇ ଘରରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରାଉଛି। ଠିକ୍‌ ସେହିପରି ଆଜିର ନିର୍ବାଚନରେ ମହିଳା ଭୋଟର୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାବେଳେ ସମ୍ପ୍ରତି ରାଜନୈତିକ କ୍ଷମତା କିନ୍ତୁ ପୁରୁଷଙ୍କ କବ୍‌ଜାରେ ରହିଛି। ଦକ୍ଷିଣ ଭାରତ ଏବଂ ଉତ୍ତର ପୂର୍ବରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକା ଭୋଟ ଦେଇ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀବନର ପ୍ରତିଟି ପାହାଚରେ ଭାରତୀୟ ମହିଳାମାନେ ଉଚ୍ଚ ପଦବୀରେ ଆସୀନ ହୋଇଛନ୍ତି। ସ୍ଵତନ୍ତ୍ର ଲକ୍ଷ୍ୟ ସାଧନ ଅନୁସାରେ ଉତ୍ତରପ୍ରଦେଶରେ ୧୯୬୩ରୁ ୧୯୬୭ ଯାଏଁ ସୁଚେତା କୃପାଳିନୀଙ୍କ ଠାରୁ ନେଇ ୨୦୧୪ରେ ଗୁଜୁରାଟର ଆନନ୍ଦି ବେନ ପଟେଲ ଓ ଆଜିର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ଭାରତ ବର୍ଷରେ ୧୫ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ସୁଷମା ସ୍ଵରାଜ ଏବଂ ନିର୍ମଳା ସିତାରମଣଙ୍କ ଭଳି ନାରୀ ନେତ୍ରୀମାନେ ଆଜିର ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀ ଭାବେ ରହି ଆସିଛନ୍ତି। ତେବେ ପ୍ରଥମ ରକ୍ଷାମନ୍ତ୍ରୀ ଓ ବର୍ହିବ୍ୟାପାର ମନ୍ତ୍ରୀ ଭାବେ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଏହି ସ୍ଥାନ ଅଳଙ୍କୃତ କରିଥିଲେ। ସେହିପରି ଓଡ଼ିଶାର ରାଜନୀତିରେ ମଧ୍ୟ ମହିଳା ନେତ୍ରୀଙ୍କର କମ୍‌ ପ୍ରଭାବ ନାହିଁ। ମାଳତୀ ଚୌଧୁରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମେସ୍ତ ନିଜ ନେତୃତ୍ବର ପରାକାଷ୍ଠା ଦେଖାଇଛନ୍ତି। ସମ୍ପ୍ରତି ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳମାନେ ମହିଳା ପ୍ରାର୍ଥୀଙ୍କ ଉପରେ ଜୋର୍‌ ଦେଇଛନ୍ତି। କିନ୍ତୁ ପ୍ରକୃତ ନିର୍ବାଚନୀ ଶକ୍ତିକୁ ଦେଖିବାକୁ ଗଲେ ନିର୍ବାଚନରେ ସାଧାରଣତଃ ପୁରୁଷଙ୍କ ଦବଦବା ରହିଆସିଛି। ମୋଟ ଉପରେ ସେଠାରେ ୪୬,୭୦୦୪୮୬୧ ପୁରୁଷ ଭୋଟରଙ୍କ ତୁଳନାରେ ୪୩,୧୬୮୯୭୨୫ ମହିଳା ଭୋଟର ରହିଛନ୍ତି। କିନ୍ତୁ ନିର୍ବାଚନୀ ତଥ୍ୟ କହୁଛି ଆନ୍ଧ୍ରପ୍ରଦେଶ ଏବଂ ମିଜୋରାମ ଭଳି ଅଧ ଡଜନରୁ ଅଧିକ ରାଜ୍ୟ ଅଛନ୍ତି ଯେଉଁଠାରେ ପୁରୁଷ ଭୋଟର ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି। ତେଣୁ ସଂଖ୍ୟା ଗରିଷ୍ଠତା ରେ ମହିଳା ସଶକ୍ତିକରଣ ଯାହା ଦକ୍ଷିଣାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ରେ ସରକାର ଗଠନ ରେ ମହିଳା ମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ପୁଡୁଚେରି, ଗୋଆ, ମଣିପୁର ଏବଂ ମିଜୋରାମରେ ମହିଳାମାନେ ତାଙ୍କ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶରେ ମଧ୍ୟ ୧୮,୩୨୪୫୮୮ ପୁରୁଷ ଭୋଟର ତୁଳନା ରେ ୧୮,୬୦୪୭୪୨ ମହିଳା ଭୋଟର ରହିଛନ୍ତି । ଅନ୍ୟ ଏକ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ ରେ ମହିଳା ମାନେ ଭୋଟର ତାଲିକା ରେ ପୁରୁଷ ମାନଙ୍କୁ ପଛରେ ପକାଇ ଦେଇଛନ୍ତି। ତଥ୍ୟ ଅନୁଯାୟୀ କେରଳ ରେ ୧,୨୨୯,୭୪୩ ପୁରୁଷ ଭୋଟର ତୁଳନାରେ ୧୩,୧୧୧,୧୮୯ ଜଣ ମହିଳା ଭୋଟର ରହିଛନ୍ତି।

ସେହିପରି ତାମିଲନାଡୁରେ ସଂଖ୍ୟା ରେ ମହିଳା ମାନେ ତାଙ୍କ ପ୍ରତିପକ୍ଷ ଠାରୁ ଆଗରେ ରହି ଆସିଛନ୍ତି। ସେଠାରେ ୨୯,୮୬୦,୭୬୫ ଜଣ ମହିଳା ଭୋଟର ଅଛନ୍ତି ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୨୯,୨୫୬,୯୬୦। ତାମିଲନାଡୁ ର ପଡୋଶୀ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ମଧ୍ୟ ଏହି ସୂଚୀ ରେ ସାମିଲ ଯେଉଠି ୫୦୬,୩୨୦ ଜଣ ମହିଳା ଭୋଟର ତୁଳନାରେ ୪୫୩,୧୫୩ ଜଣ ପୁରୁଷ ଭୋଟର ରହିଛନ୍ତି।

ପର୍ଯ୍ୟଟକଙ୍କ ସ୍ଵର୍ଗ ଗୋଆରେ ମଧ୍ୟ ସମାନ ଅବସ୍ଥା। ସେଠାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ଅଧିକା ଅଛନ୍ତି। ସେଠାରେ ୫୭୫,୧୩୫ ଜଣ ମହିଳା ଭୋଟର ଥିବା ବେଳେ ୫୫୧,୫୯୭ ଜଣ ପୁରୁଷ ଭୋଟର ରହିଛନ୍ତି।

ଦକ୍ଷିଣରେ ଥିବା ଦୁଇ ଉତ୍ତର ପୂର୍ବ ରାଜ୍ୟ ମଣିପୁର ଓ ମିଜୋରାମରେ  ମହିଳାଙ୍କ ଭୋଟ ଜରୁରୀ ହୋଇ ପଡେ। ସେଠାରେ ମହିଳାମାନେ ତାଙ୍କ ଭୋଟ ଦ୍ଵାରା ରାଜନୈତିକ ସମୀକରଣ ବଦଳାଇ ପାରିବାର ଯଥେଷ୍ଟ ଶକ୍ତି ରଖନ୍ତି। ମହିଳାଙ୍କ ସଂଖ୍ୟା ମଣିପୁର ରେ ୯୯୦,୯୬୦ ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୯୩୯,୯୨୬ ରହିଛି ଏବଂ ମିଜୋରାମ ରେ ମହିଳା ଭୋଟରଙ୍କ ସଂଖ୍ୟା ୪୦୨,୪୦୮ ଜଣ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୩୮୧,୯୯୧ ରହିଛି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ମିଜୋରାମ କୁ ଏକ ପୁରୁଷ କୈନ୍ଦ୍ରିକ ସମାଜ ଭାବେ ଗଣା ଯାଏ।

ମେଘାଳୟରେ ସାମାଜିକ ଭାବରେ ମହିଳାମାନେ ଉତ୍ତରାଧିକାରୀ ସୂତ୍ର ରେ ଏବଂ ପାରମ୍ପରିକ ବିବାହ ପ୍ରଥା ରେ  ଅଧିକା ଶକ୍ତି ଭୋଗ କରୁଥିବା ମହିଳା ଭୋଟର ଙ୍କ  ସଂଖ୍ୟା ୯୩୯,୯୨୬  ଜଣ ପୁରୁଷଙ୍କ ତୁଳନା ରେ ୯୫୬,୧୩୬ ଜଣ ରହିଛି । ସମ୍ପ୍ରତି ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପୁରୁଷଙ୍କଠାରୁ ମହିଳାମାନେ ଅଧିକ ପରିମାଣରେ ମତଦାନ ଦେଇଥିବାର ଲକ୍ଷ୍ୟ କରାଯାଇଛି।

Categories
ବିଶେଷ ଖବର

କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ

କେଦାର ମିଶ୍ର

କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ନାରାୟଣ ସିଂ ୫୦.୨୮% ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସେଠାରୁ ମାତ୍ର ୧୨.୯୫% ଭୋଟ ପାଇଥିଲେ। ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ୬୧.୫୪% ଭୋଟ ପାଇଥିଲେ। ଏହି ଉପ ନିର୍ବାଚନରେ ଯଦିଓ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କ ଭୋଟ ପ୍ରତିଶତ ୧୦.୦୭% ବଢିଥିଲା, ସମାନୁପାତରେ ବିଜେଡ଼ିର ଭୋଟ ପ୍ରତିଶତ ମଧ୍ୟ ୧୧.୩୩% ବଢିଥିଲା।

କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ଆସନ ଯଥା ଭଞ୍ଜନଗର, ଘୁମୁସର ଉଦୟଗିରି, ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ ଓ ଦଶପଲ୍ଲା ବିଧାନସଭା ଭିତରୁ କେବଳ ଜି.ଉଦୟଗିରିକୁ ବାଦ ଦେଲେ ବାକି ସବୁଠି ବିଜେଡି ବିଧାୟକ ଜିତିଥିଲେ। କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଗତଥର ଏକମାତ୍ର କଂଗ୍ରେସ ବିଧାୟକ ଭାବରେ ଏଠାରୁ ଜିତିଥିଲେ ମଧ୍ୟ କଂଗ୍ରେସ ଏଥର ତାଙ୍କୁ ଟିକଟ ଦେଇନାହିଁ। ଏଥର ନିର୍ବାଚନରେ କନ୍ଧମାଳର ସମୀକରଣ ବହୁ ବିଚିତ୍ର। ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ କନ୍ଧମାଳ ବାହାର ଲୋକ ହୋଇଥିବା ବେଳେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟଙ୍କ ସେତେ ବେଶୀ ପ୍ରଭାବ ନାହିଁ। ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦାନ କରିଥିବା ପୂର୍ବତନ ବାଲେଶ୍ଵର ସାଂସଦ ଐର ଖାରବେଳ ସ୍ଵାଇଁଙ୍କୁ ବିଜେପି ଏଠାରେ ଥଇଥାନ କରିଛି। କନ୍ଧମାଳ ସହିତ ଦୂର ଦୂର ପର୍ୟନ୍ତ ଖାରବେଳଙ୍କର କୌଣସି ସମ୍ପର୍କ ନଥିବା ବେଳେ ସ୍ଥାନୀୟ ବିଜେପି ସଙ୍ଗଠନରେ ମଧ୍ୟ ତାଙ୍କୁ ନେଇ ସଙ୍କଟ ରହିଛି।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟ ରାଜନୀତିରେ ନବାଗତ ଓ ତାଙ୍କର ପ୍ରଭାବ କେବଳ ବାଲିଗୁଡା ଅଞ୍ଚଳରେ ସୀମିତ। ଏ ପ୍ରକାର ଶୂନ୍ୟସ୍ଥାନ ଭିତରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଗତସିଂପୁର ଜିଲ୍ଲାର ଲୋକ ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନ “କିସ’ ଜରିଆରେ ତାଙ୍କର ବିଶେଷ ପରିଚୟ ରହିଛି। କନ୍ଧମାଳର ପ୍ରାୟ ସବୁ ଗାଁ ରୁ କିଛି କିଛି ପିଲା “କିସ’ ରେ ପାଠ ପଢୁଛନ୍ତି ଓ ଏହା ହିଁ ଅଚ୍ୟୁତଙ୍କୁ କନ୍ଧମାଳରେ ଏକ ସହଜ ପରିଚିତି ଦେଇଛି। ବାକି ଦୁଇ ପ୍ରତିପକ୍ଷ ଦଳର ଲୋକ ଏଠାରେ ପ୍ରାୟ ଅପରିଚିତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କର କନ୍ଧମାଳ ଜିଲ୍ଲାରେ ଖାସ ପରିଚୟ ରହିଛି। ଯାହା ବାଲିଗୁଡାର ସେ ବିଜେପି କର୍ମୀ କହୁଥିଲେ, କିଛି କଂଗ୍ରେସ କର୍ମୀଙ୍କ ମତ ମଧ୍ୟ ସେୟା। ଶ୍ରୀ ସାମନ୍ତ କନ୍ଧମାଳରେ ଏକ ପ୍ରକାର ସର୍ବଦଳୀୟ ପ୍ରାର୍ଥୀ ହୋଇପଡିଛନ୍ତି। ପ୍ରାଥମିକ ଭାବରେ ଶ୍ରୀ ସାମନ୍ତଙ୍କୁ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଯେଉଁ ହିଚକିଚ ଥିଲା, ତାହା ଏବେ ଆଉ ନାହିଁ। ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶ୍ରୀ ସାମନ୍ତଙ୍କୁ ଏକପ୍ରକାର ବୋନସ ବୋଲି କୁହାଯାଇପାରେ।

ତେବେ ବିଜେଡି ଓ ଶ୍ରୀ ସାମନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ବୌଦ ଜିଲ୍ଲାରେ ରହିଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଲୋକଙ୍କ ରୋଷର ଶିକାର ହେଉଥିବାବେଳେ ବୌଦ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ପ୍ରତି ଲୋକ ସମର୍ଥନ ଢେର କମିଛି। ଉଭୟ ଆସନରେ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ପରିସ୍ଥିତି କୁ ଆହୁରି ଜଟିଳ କରିଛନ୍ତି। ଦଶପଲ୍ଲା ଆସନରେ ମଧ୍ୟ ବିଜେଡି ଅସନ୍ତୋଷର ସାମ୍ନା କରୁଛି। ଏହି ସବୁ ଆସନକୁ ଜିଣିବା ଏଥର ବିଜେଡି ଲାଗି ସବୁଠୁ କଷ୍ଟକର ହୋଇପଡିବ। କଣ୍ଟାମାଳ ଆସନ ବିଜେଡି ର ହାତଛଡା ହେବା ଏକପ୍ରକାର ସୁନିଶ୍ଚିତ ମନେ ହେଉଥିବାବେଳେ ପ୍ରଦୀପ ଅମାତଙ୍କୁ ବୌଦରେ ଜିଣିବା ଲାଗି ପ୍ରଚୁର ସଂଘର୍ଷ କରିବାକୁ ପଡିବ। ଏଠାରେ ସିପିଆଇ ର ପ୍ରାର୍ଥୀ ଅବକାଶ ସାହୁଙ୍କର ହରଭଙ୍ଗା ଅଞ୍ଚଳରେ ଯଥେଷ୍ଟ ଭଲ ସଂଗଠନ ରହିଛି। ସେ ବିଜେଡି ଭୋଟ ବିଭାଜିତ କରି ପାରନ୍ତି। ତେବେ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ୟା ଓ ସଙ୍କଟର କୌଣସି ପ୍ରଭାବ ଅଚ୍ୟୁତ ସାମନ୍ତଙ୍କ ଉପରେ ପଡୁନାହିଁ। ବିଜେଡ଼ିର ଯେଉଁ ଅଳ୍ପ କେତେଜଣ ସାଂସଦ ପ୍ରାର୍ଥୀଙ୍କ ବିଜୟ ସବୁଠୁ ସହଜ ବୋଲି କୁହାଯାଇପାରେ, ସେଥିରେ ଅଚ୍ୟୁତ ସାମନ୍ତଙ୍କ ନାମ ଏକ ନମ୍ବରରେ ଆସିବ।

Categories
ବିଶେଷ ଖବର ମତାମତ

ଆସ୍କା ରେ ପରୀ ମାଁ ଓ ସାଧାରଣ ମଣିଷର ଅସାଧାରଣ ନିର୍ବାଚନ , ବିଜେଡି ଲାଗି ସବୁଠୁ ସହଜ ରଣକ୍ଷେତ୍ର

କେଦାର ମିଶ୍ର

ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ ନିର୍ବାଚନ ଶାସକ ବିଜେଡି ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ଥିଲା। କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ବିଜେଡି କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ବିଧାନସଭା ପାଇଁ ବିଜେଡି ଭଲ ଫଳାଫଳ କରିଥିବାବେଳେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ିକୁ ନାକେଦମ ହେବାକୁ ପଡିଛି। କୋରାପୁଟ ଆସନରେ ମଧ୍ୟ ବିଜେପିର ଅଭ୍ୟୁଦୟ ଅପ୍ରତ୍ୟାଶ୍ୟିତ ବୋଲି କୁହାଯାଇପାରେ। ତେବେ ଦ୍ଵିତୀୟ ପର୍ୟାୟରେ ଆସ୍କା ଓ କନ୍ଧମାଳ ଆସନ ବିଜେଡି ପାଇଁ ସବୁଠୁ ସହଜ ଆସନ ମନେ ହେଉଛି। ପାରମ୍ପରିକ ଭାବରେ ଆସ୍କା ବିଜୁ ଜନତା ଦଳର ଗଡ ରହି ଆସିଛି। ତେବେ ଏଥର ମିଶନ ଶକ୍ତିରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ସାଧାରଣ ଭୋଟର ଉତ୍ସାହ ର ସହିତ ନେଇଥିବାବେଳେ ବିଜେଡି କର୍ମୀ ମହଲରେ ଏହାକୁ ନେଇ କିଛିଟା ଭିନ୍ନମତ ରହିଥିଲା।

ଆସ୍କାରେ ତ୍ରିମୁଖୀ ପ୍ରତିଯୋଗିତା ରହିଛି। କଂଗ୍ରେସ ସମର୍ଥନରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ବିଜେପି ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀ ଓ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଗତ ୬ ଟି ଯାକ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ଜିତି ଆସୁଛି। ୨୦୧୪ ରେ ଆସ୍କାର ୭ ଟି ଯାକ ଆସନ ଯଥା- ପୋଲସରା, ହିଂଜିଳି, ଆସ୍କା, କବିସୂର୍ୟ ନଗର, ଖଲ୍ଲିକୋଟ, ସୋରୋଡା ଓ ସାନ ଖେମଣ୍ଡିରେ ବିଜେଡି ବିଜୟ ଲାଭ କରିଥିଲା। ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ୫,୪୧,୪୭୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ ୨,୨୯,୪୭୬ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଥିଲା ୩ ଲକ୍ଷ ୧୧ ହଜାରରୁ ଅଧିକ। ଏହି ଆସନରେ ବିଜେପିକୁ ମାତ୍ର ୬୭,୩୬୧ ଖଣ୍ଡ ଭୋଟ ମିଳିଥିଲା। ତେବେ ଚଳିତ ନିର୍ବାଚନରେ ସମୀକରଣ ପୂରାପୂରି ଅଲଗା। ବହୁ ବର୍ଷ ପରେ ଏଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏକ ପ୍ରମୁଖ ଦାବୀଦାର ଭାବରେ ଛିଡା ହୋଇଛନ୍ତି। ଏକଦା ଆସ୍କା କମ୍ୟୁନିଷ୍ଟ ପାର୍ଟିର ଅଭେଦ୍ୟ ଦୁର୍ଗ ଥିଲା। ତେବେ ବ୍ୟାପକ ସଂଗଠନ ସତ୍ତ୍ୱେ ଏହି ଆସନରୁ ମାତ୍ର ଥରେ ସିପିଆଇ ପ୍ରାର୍ଥୀ ଦ୍ଵିତିକୃଷ୍ଣ ପଣ୍ଡା ୧୯୭୧ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଏଥର ନିର୍ବାଚନରେ ହଠାତ ବିଜେପି ଆସ୍କା ଲୋକସଭା ଆସନରେ ଟିକେ ଅଧିକ ଶକ୍ତିଶାଳୀ ଲାଗୁଛି। ବିଜେଡ଼ିର ପୂର୍ବତନ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀ ଏଥର ବିଜେପି ଟିକଟରେ ଲଢୁଥିବାରୁ ତାଙ୍କ ପ୍ରତି ସହରୀ ମଧ୍ୟବିତ୍ତ ଭୋଟରଙ୍କ ଆଗ୍ରହ ବଢିଛି। ଯଦିଓ ଆସ୍କାରେ ବିଜେପିର ସଂଗଠନ ଅତ୍ୟନ୍ତ ଦୁର୍ବଳ, ତଥାପି ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଭାବରୁ ଅନୀତା କିଛି ଅଧିକ ଭୋଟ ପାଇପାରନ୍ତି। ହିଂଜିଳି ର ଶେରଗଡ, ସାନ ଖେମଣ୍ଡି ବିଧାନସଭା କ୍ଷେତ୍ରରୁ କମ୍ୟୁନିଷ୍ଟ ପ୍ରାର୍ଥୀ ଅଧିକ ଭୋଟ ପାଇପାରନ୍ତି। ତେବେ ହିଂଜିଳି, କବିସୂର୍ୟ ନଗର, ସୋରୋଡା, ଖଲ୍ଲିକୋଟ ଇତ୍ୟାଦି କ୍ଷେତ୍ରରେ ବିଜେଡ଼ିର ପ୍ରଚଣ୍ଡ ପ୍ରଭାବ ରହିଛି। ଏଥର କବିସୂର୍ୟ ନଗର ଆସନରୁ ଭି.ସୁଜ୍ଞାନୀ କୁମାରୀ ଦେଓ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉଭୟ ଖଲ୍ଲିକୋଟ ଓ କବିସୂର୍ୟ ନଗର ଆସନରେ ତାଙ୍କ ନାଁର ପ୍ରଭାବ ରହିଛି।

ସବୁଠୁ ବଡ କଥା ହେଉଛି ଆସ୍କା ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ। ପ୍ରଥମ ଥର ଲାଗି ନବୀନ ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢୁଥିଲେ ମଧ୍ୟ, ଆସ୍କାରେ ଆଜି ମଧ୍ୟ ନବୀନଙ୍କର ବିକଳ୍ପ କଥା ଲୋକେ ଚିନ୍ତା କରୁନାହାନ୍ତି। ଆସ୍କାର ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କୁ ନେଇ ପ୍ରାଥମିକ ଭାବରେ ଯେଉଁ ପ୍ରଶ୍ନବାଚୀ ଉଠୁଥିଲା, ଏବେ ସେଟା ମିଳେଇଗଲାଣି। ନିଜର ଭାଷଣ ଓ କଥାବାର୍ତ୍ତାରେ ପ୍ରମିଳା ନିଜର ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ତେବେ ବିଧାନସଭାରେ ଏଥର ବିଜେଡି ପାଇଁ ଆସ୍କା ଓ ସାନ ଖେମଣ୍ଡି ଆସନ ଜିଣିବା ସହଜ ହୋଇ ନପାରେ। ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କ ପ୍ରତି ବିଜେଡି କର୍ମୀଙ୍କ ଅସନ୍ତୋଷ ରହିଥିବା ବେଳେ ଖେମଣ୍ଡି ରେ କଂଗ୍ରେସ ପ୍ରତି ଲୋକ ସମର୍ଥନ ବାରି ହୋଇ ପଡୁଛି। ବିଜେଡି ଆସ୍କାର ସାତୋଟି ଯାକ ଆସନ ଏଥର ଜିଣିବା ସମ୍ଭବ ହୋଇନପାରେ।

ଆସ୍କା ଆସନ ଜିଣିବା ବିଜେଡି ଲାଗି ସବୁଠୁ ସହଜ କଥା ହୁଏତ ହୋଇପାରେ। କିନ୍ତୁ ଏଠାରେ ବିଜେପିର ଅଭ୍ୟୁଦୟ ଉଭୟ ବିଜେଡି ଓ କମ୍ୟୁନିଷ୍ଟମାନଙ୍କୁ ଚିନ୍ତିତ କରିବା ଉଚିତ। ଏକଦା ପ୍ରଗତିବାଦୀ ଆଂଦୋଳନର ମୁଖ୍ୟ ଆଧାର ଥିବା ଆସ୍କାରେ ଗୈରିକ ସମ୍ଭାବନା ସୃଷ୍ଟି ହେବା, ନିହାତି ଆଶ୍ଚର୍ୟଜନକ।

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୩୯୮ ପ୍ରାର୍ଥୀ

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଥିବା ବେଳେ ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ। ପ୍ରାର୍ଥୀଙ୍କ ମଧ୍ୟରୁ ୩୧୧ ଜଣ ପୁରୁଷ ଥିବା ବେଳେ ୩୪ ଜଣ ମହିଳା ଓ ୩ ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ୧୦ ହଜାର ୭୯୨ଟି ବୁଥ କରାଯାଇଥିବା ବେଳେ ମୋଟ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ଭୋଟ ଦେବେ। ଭୋଟରଙ୍କ ମଧ୍ୟରେ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ରହିଥିବା ବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟର ତାଲିକାରେ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

Categories
ଆଜିର ଖବର

ମେ ୧୮ରେ ଅଷ୍ଟ୍ରେଲିଆରେ ନିର୍ବାଚନ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ ଗୁରୁବାର ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆସନ୍ତା ମେ ୧୮ରେ ହେବ ବୋଲି  ସେ ଘୋଷଣା କରିଛନ୍ତି। ମୋରିସନଙ୍କ ପାଇଁ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥବ୍ୟବସ୍ଥା ପ୍ରମୁଖ ପ୍ରସଙ୍ଗ ହେବ। ମୋରିସନ ନିର୍ବାଚନ ତାରିଖ ଘୋଷଣା କରି କହିଥିଲେ ଯେ ଏବେଠାରୁ ପ୍ରଚାର ଅଧିକାରୀଙ୍କ କାର୍ଯ୍ୟ ଆରମ୍ଭ ହେଲା। ଏହି ନିର୍ବାଚନରେ ଜିତିଲେ ସ୍କଟ୍‍ ମୋରିସନ୍‍ ତୃତୀୟ ଥର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିବେ। ଯଦି ମୋରିସନ୍‌ ନିର୍ବାଚିତ ହେବାରେ ବିଫଳ ହୁଅନ୍ତି ତେବେ ଶ୍ରମିକ ନେତା ବିଲ୍‌ ସର୍ଟେନ୍‌ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବେ। ୨୦୧୮ରେ ଅଷ୍ଟ୍ରେଲିଆର ଅର୍ଥ ମନ୍ତ୍ରୀ ଥିବା ସ୍କଟ୍‍ ମୋରିସନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ସେ ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେଇଥିଲେ। ଏହି ନିର୍ବାଚନ ଅଷ୍ଟ୍ରେଲିଆର ଅର୍ଥନୈତିକ ଅଭିବୃଦ୍ଧିକୁ ଆାଗାମୀ ତିନି ବର୍ଷ ନୁହେଁ ବରଂ ଏକ ଦଶନ୍ଧି ପାଇଁ ନିୟନ୍ତ୍ରଣ କରିବ ବୋଲି ମୋରିସନ୍‌ ପ୍ରକାଶ କରିଥିଲେ। ଗତଥରର ଅଷ୍ଟ୍ରେଲିଆ ନିର୍ବାଚନରେ ୯୫ ପ୍ରତିଶତ ଲୋକ ଭୋଟ ଦେଇଥିଲେ ଯାହାକି ଏକ ରେକର୍ଡ।

Categories
ବିଶେଷ ଖବର

ରାଜ୍ୟରେ ଆଗାମୀ ସରକାର କିଏ ଗଢିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ସେ ସଙ୍କେତ ସ୍ପଷ୍ଟ ହୋଇଯିବ

କେଦାର ମିଶ୍ର

ସପ୍ତଦଶ ଲୋକସଭା ପାଇଁ ଓ ଷୋଡଶ ଓଡିଶା ବିଧାନସଭା ଲାଗି ପ୍ରଥମ ପର୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ ଟି ବିଧାନସଭା ଲାଗି ଆଜି ହେଉଥିବା ଭୋଟଗ୍ରହଣ ରାଜ୍ୟର ଭବିଷ୍ୟତ ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ରଖିବ। ୧୪୭ ବିଧାନସଭା ଲାଗି ଚାରୋଟି ପର୍ୟାୟରେ ହେବାକୁଥିବା ଏହି ନିର୍ବାଚନରେ ପ୍ରଥମ ୨୮ ଟି ବିଧାନସଭା ନିର୍ବାଚନର ରାଜନୈତିକ ଗୁରୁତ୍ଵ ଭିନ୍ନ ପ୍ରକାରର। ୨୦୧୪ ସାଧାରଣ ନିର୍ବାଚନରେ ଏହି ଚାରୋଟି ଯାକ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୮ ଟି ବିଧାନସଭା କ୍ଷେତ୍ରରୁ ୧୯ ଟିରେ ବିଜେଡି, ୭ ଟିରେ କଂଗ୍ରେସ ଓ ୨ ଟିରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲେ। ବ୍ରହ୍ମପୁର ଲୋକସଭା ଆସନର ବ୍ରହ୍ମପୁର, ଗୋପାଳପୁର, ଦିଗପହଂଡି, ଚିକିଟି, ମୋହନା ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଜେଡି ଜିଣିଥିବା ବେଳେ ପାରଳାଖେମଣ୍ଡି ଆସନରୁ କଂଗ୍ରେସ ବିଜୟ ଲାଭ କରିଥିଲା। କୋରାପୁଟ ଲୋକସଭା କ୍ଷେତ୍ରରୁ ଗୁଣୁପୁର, ବିଷମ କଟକ, ରାୟଗଡା ଓ ପଟ୍ଟାଙ୍ଗୀ ଆସନରୁ ବିଜେଡି, ଲକ୍ଷ୍ମୀପୁର, ଜୟପୁର ଓ କୋରାପୁଟ ଆସନରୁ କଂଗ୍ରେସ ବିଜୟୀ ହୋଇଥିଲା। ନବରଙ୍ଗପୁର ଲୋକସଭା ଆସନର ଉମରକୋଟ, ଝରି ଗାଁ, ନବରଙ୍ଗପୁର, ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନ ବିଜେଡି ହାତକୁ ଯାଇଥିବାବେଳେ ଡାବୁ ଗାଁ ଓ କୋଟପାଡ ଆସନରୁ କଂଗ୍ରେସ ଜିତିଥିଲା। ସେହିପରି କଳାହାଣ୍ଡି କ୍ଷେତ୍ରରୁ ଭବାନୀପାଟଣା, ଜୁନାଗଡ, ଧରମଗଡ, ନର୍ଲା ଆସନରୁ ବିଜେଡି, ଖଡିଆଳ ଓ ନୂଆପଡା ରୁ ବିଜେପି ଓ ଲାଞ୍ଜିଗଡରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନରେ ନବରଙ୍ଗପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସବୁଠୁ କଡା ମୁକାବିଲା ହୋଇଥିଲା। ସେ ବର୍ଷ ବିଜୟୀ ପ୍ରାର୍ଥୀ ବଳଭଦ୍ର ମାଝୀ ୩,୭୩,୮୮୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ୩,୭୧,୮୪୫ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ ବିଜୟର ବ୍ୟବଧାନ ଥିଲା ମାତ୍ର ୨୦୪୨ ଖଣ୍ଡ ଭୋଟ। କୁହାଯାଇପାରେ ଏଠାରୁ ବିଜେଡି ପ୍ରାର୍ଥୀ ହାରୁ ହାରୁ ଜିତି ଯାଇଥିଲେ। ଚଳିତ ନିର୍ବାଚନରେ ଗତ ଥର ବିଜେଡି ସାଂସଦ ଥିବା ବଳଭଦ୍ର ମାଝୀ ବିଜେପିରୁ, ମନ୍ତ୍ରୀ ରମେଶ ମାଝୀ ବିଜେଡ଼ିରୁ ଓ ପ୍ରଦୀପ ମାଝୀ କଙ୍ଗ୍ରେସରୁ ନିର୍ବାଚନ ଲଢୁଛନ୍ତି। ଏଥର ମଧ୍ୟ ଏହି ନିର୍ବାଚନ ବେଶ ରୋଚକ ମୋଡରେ ରହିଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡା ମୁକାବିଲା ଦେଖିବାକୁ ମିଳିବ। ଏଠି ଉଲ୍ଲେଖଯୋଗ୍ୟ ଯେ ନବରଙ୍ଗପୁର ହେଉଛି ଓଡିଶାର ଏକମାତ୍ର ଲୋକସଭା ଆସନ ଯାହାର ୭ ଟି ଯାକ ବିଧାନସଭା ଆସନ ଆଦିବାସୀଙ୍କ ଲାଗି ସଂରକ୍ଷିତ।

ସେହିପରି ଗତ ନିର୍ବାଚନରେ କୋରାପୁଟ ଲୋକସଭା ପାଇଁ ମଧ୍ୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗ ନବାଗତ ବିଜେଡି ପ୍ରାର୍ଥୀ ଝୀନ ହିକକାଙ୍କ ଠାରୁ ୧୯,୩୨୨ ଖଣ୍ଡ ଭୋଟରେ ହାରିଥିଲେ। ଚଳିତ ଥର କଂଗ୍ରେସର ସପ୍ତଗିରି ଉଲାକା, ବିଜେପିର ଜୟରାମ ପାଙ୍ଗି ଓ ବିଜେଡ଼ିର କୌଶଲ୍ୟା ହିକକାଙ୍କ ମଧ୍ୟରେ ତୀବ୍ର ଲଢେଇ ହେଉଛି। ଏଥର କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ଵରେ ବହୁଜନ ସମାଜ ପାର୍ଟି କୋରାପୁଟରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିବାର ସମ୍ଭାବନା ଦିଶୁଛି।

ବ୍ରହ୍ମପୁରରେ ଗତ ଥର ର ବିରୋଧୀ ଏଥର ଶାସକ ଦଳର ପ୍ରାର୍ଥୀ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ଲକ୍ଷେ ସତୁରୀ ହଜାର ଭୋଟରେ ହରାଇଥିଲେ। ଏଥର ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କର ପ୍ରତିଯୋଗୀ ଅଛନ୍ତି କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ ଓ ବିଜେପିର ଭୃଗୁ ବକ୍ସି ପାତ୍ର। ବ୍ରହ୍ମପୁରରେ କଂଗ୍ରେସ ସଂଗଠନ ଏକପ୍ରକାର ଉଜୁଡି ଯାଇଥିବା ବେଳେ ଏଠି ବିଜେପି ନିଜର ସ୍ଥିତି ସୁଦୃଢ କରୁଛି। ବୋଧହୁଏ ବ୍ରହ୍ମପୁରରେ ଏଥର ବିଜେଡି ଓ ବିଜେପି ଭିତରେ ମୁକାବିଲା ଦେଖିବାକୁ ମିଳିବ।

କଳାହାଣ୍ଡି ଆସନରେ ତୀବ୍ର ତ୍ରୀକୋଣୀୟ ମୁକାବିଲା ଚାଲିଛି। କଂଗ୍ରେସର ଅଭିଜ୍ଞ ନେତା ଭକ୍ତ ଚରଣ ଦାସ, ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଓ ବିଜେଡି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଭିତରେ ଜୋରଦାର ଲଢେଇ ଚାଲିଛି। ଗତଥର ବିଜୟୀ ବିଜେଡି ପ୍ରାର୍ଥୀ ଅର୍କ କେଶରୀ ଦେଓ ୩,୭୦, ୮୭୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ୩,୧୪, ୫୨୪ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ୩,୦୭, ୯୬୭ ଭୋଟ ପାଇଥିଲେ। ତିନି ଜଣ ପ୍ରାର୍ଥୀଙ୍କର ଏଠାରେ ସମାନ ପ୍ରଭାବ ଓ ପତିଆରା ଦେଖିବାକୁ ମିଳୁଛି। ତେଣୁ କଳାହାଣ୍ଡି ଆସନ ଏଥର ସବୁଠୁ ରୋମାଞ୍ଚକର ହେବାକୁ ଯାଉଛି।

ଚାରିଟି ଲୋକସଭା ଓ ୨୮ ଟି ବିଧାନସଭାରେ ଆଜି ଜନମତର ଗତି ଯାହା ହେବ, ତାହା ଆସନ୍ତା ସମୟରେ ଓଡିଶାର ଭବିଷ୍ୟତ ବିଷୟରେ ସଙ୍କେତ ପ୍ରଦାନ କରିବ। ଏଥର କିଏ କାହାଠୁ କେତେ ଆସନ ଛଡାଇପାରୁଛି ଓ କିଏ କେତେ ଯୋଡି ପାରୁଛି, ତାହା ଦେଖିବା ବାକି ରହିଲା।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ଅଶ୍ଳୀଳ ନର୍ଦ୍ଦମାର ରାଜନୀତି; ଭାଇରାଲ ନାଁରେ ମହିଳା ବିରୋଧୀ ହିଂସା ଓ ଯୌନ ନିର୍ଯ୍ୟାତନାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜନୈତିକ ଦଳ

କେଦାର ମିଶ୍ର

ପ୍ରଥମେ ଏ ପ୍ରସଙ୍ଗରେ ଜଣେ ବନ୍ଧୁ ମୋତେ କିଛି କହିବାକୁ ଚେଷ୍ଟା କରିଥିଲେ। ଯେହେତୁ ମୁଁ ସୋସିଆଲ ମିଡିଆରେ ଫଟୋସପ ରାଜନୀତିକୁ ଜାଣେ, ଏ ପ୍ରସଙ୍ଗରେ ଅଧିକ ଆଗ୍ରହ ପ୍ରକାଶ କରିନଥିଲି। କେଉଁଝର ଲୋକସଭା ନିର୍ବାଚନରୁ ବିଜୁ ଜନତା ଦଳର ଟିକଟରେ ନିର୍ବାଚନ ଲଢୁଥିବା ତରୁଣୀ ଆଦିବାସୀ ନେତ୍ରୀ ଚନ୍ଦ୍ରାଣୀ ମୂର୍ମୁଙ୍କ କିଛି ଛବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋଲି ଗତ ଦୁଇ ତିନି ଦିନ ହେଲା ଚର୍ଚ୍ଚା ଚାଲିଥିଲା। ତେବେ ଆଜି ହଠାତ ବିଭିନ୍ନ ଫେସବୁକ ଗ୍ରୁପରେ ଚନ୍ଦ୍ରାଣୀଙ୍କ ନାଁ ରେ ଯାବତୀୟ କୁତ୍ସା ରଟନା ଆରମ୍ଭ ହୋଇଗଲା। ଚନ୍ଦ୍ରାଣୀ କେଉଁ ଦଳର ଓ ସେ କାହା ସାଙ୍ଗରେ ଲଢୁଛନ୍ତି, ସେ ବିଷୟରେ ଆମର ଚିନ୍ତା କରିବାର ନାହିଁ। କିନ୍ତୁ ମାତ୍ର ୨୬ ବର୍ଷ ବଯସର ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ ଯେତେବେଳେ ରାଜନୀତିକୁ ଆସୁଛନ୍ତି, ତାଙ୍କ ବିରୋଧରେ ଏ ପ୍ରକାର କୁତ୍ସା ରଟନାର ଉଦ୍ଦେଶ୍ୟ କଣ ? ଗୋଟେ ଦଳ ଯିଏ ଡଜନ ଡଜନ ଅଭିନେତା ଓ ଅଭିନେତ୍ରୀଙ୍କୁ ନିର୍ବାଚନ ଲଢାଉଛି ଓ ସେମାନଙ୍କୁ ନିର୍ବାଚନ ପ୍ରଚାରରେ ଉପଯୋଗ କରୁଛି, ସେ ଦଳର ଆଇଟି ସେଲ  ଜଣେ ଆଦିବାସୀ ଯୁବତୀଙ୍କ ଚରିତ୍ରକୁ ସର୍ବ ସାଧାରଣରେ ସଂହାର କରିବାର ସାହସ ପାଉଛି କେମିତି ?

କଥାଟିକୁ ଆଉ ଟିକେ ସ୍ପଷ୍ଟ କରାଯାଉ। ନିର୍ବାଚନ ସମୟରେ ନିଜର ପ୍ରତିପକ୍ଷକୁ ବିଭିନ୍ନ ରଣନୀତି ପ୍ରୟୋଗ କରି ମାନସିକ ଭାବରେ ଦୁର୍ବଳ କରିବାର ଚକ୍ରାନ୍ତ ରାଜନୈତିକ ଦଳମାନେ କରିଥାନ୍ତି। ତେବେ ମହିଳା ପ୍ରତିଦ୍ବନ୍ଦ୍ବୀଙ୍କର ଚରିତ୍ର ସଂହାର କରିବାର ଏକ ପୁରୁଣା ରୋଗ ଆମ ସମାଜର ରହିଛି। ସାମାଜିକ ଜୀବନକୁ ଆସୁଥିବା ନାରୀଟିର ଚରିତ୍ର ଉପରେ ପ୍ରଶ୍ନଚିହ୍ନ ଲଗାଇବା ଆମର ଜନ୍ମଗତ ଅଧିକାର ବୋଲି ପୁରୁଷତାନ୍ତ୍ରିକ ସମାଜ ଭାବିଥାଏ। ତେବେ ଏ ପ୍ରକାର ମାନସିକତା ଉପରେ ପ୍ରଚଣ୍ଡ ପ୍ରହାର କରି ଆମ ସମାଜରେ ଏବେ ନାରୀ ନେତୃତ୍ବର ଅଭ୍ୟୁଦୟ ଘଟୁଛି, ତାହା ବେଶ ସୌଭାଗ୍ୟ ର ବିଷୟ। ଚନ୍ଦ୍ରାଣୀଙ୍କ କ୍ଷେତ୍ରରେ ତାହାହିଁ ଘଟିଛି। ମାତ୍ର ୨୬ ବର୍ଷ ବୟସରେ ଏକ ପ୍ରତିଷ୍ଠିତ ରାଜନୈତିକ ଦଳରୁ ଟିକଟ ପାଇ ଲୋକସଭା ନିର୍ବାଚନ ଲଢିବାର ସୁଯୋଗ ପାଇଥିବା ଚନ୍ଦ୍ରାଣୀଙ୍କୁ ଅତ୍ୟନ୍ତ କୁତ୍ସିତ ଭାଷାରେ ଆକ୍ରମଣ କରାଯାଇଛି, ଯାହାକି ଗୋଟେ ସଭ୍ୟ ସମାଜରେ ବରଦାସ୍ତ କରାଯାଇ ପାରିବ ନାହିଁ।

ସାଇବର ଆର୍ମି ବିଜେପି (ଅଫିସିଆଲ) ନାଁ ରେ ରହିଥିବା ଏକ ଫେସବୁକ ଗ୍ରୁପରେ କେହିଜଣେ ଚୌକିଦାର କୁମାର ଚିନୁ ଲେଖିଛି- (ନାଁ ଆଗରେ ଚୌକିଦାର ଲେଖିବା  ଏବେ ଗୋଟେ ସଂକ୍ରାମକ ରୋଗ ପାଲଟି ଯାଇଛି ଓ ଏହାର ଶ୍ରେୟ ଏକନମ୍ବର ଚୌକିଦାର ନରେନ୍ଦ୍ର ମୋଦୀଙ୍କ ପାଖକୁ ଯିବ) “…ଦଳ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁ, ଏ ପ୍ରାର୍ଥୀନୀଙ୍କର ଇତିହାସ ଜାଣିବା ନିହାତି ଜରୁରୀ। ॥ଭିଡିଓ ବୁଲୁଛି” । ତା ତଳକୁ ଯେଉଁ ପ୍ରକାର ପ୍ରତିକ୍ରିୟା ଆସିଛି ତାକୁ ଲେଖା ଯାଇପାରିବ ନାହିଁ।  କିଛି ବିଜେପି ସମର୍ଥକ ଡିଜିଟାଲ ଚାନେଲ ଏ ପ୍ରକାର ଅଶ୍ଳୀଳ ଓ କୁତ୍ସିତ ଫଟୋ କୁ ନେଇ ରୋଚକ ଖବର ମଧ୍ୟ ଛାପିଲେ। “ଲୋକସଭା ପ୍ରାର୍ଥୀନୀଙ୍କ ହଟ ଭିଡିଓ ଭାଇରାଲ, ସବୁଠି ହଇଚଇ“ – ଏମିତି ବିକୃତ ଖବର ସବୁ ଏବେ ମଧ୍ୟ ଚାଲିଛି। ଦୁର୍ଭାଗ୍ୟର କଥା ହେଉଛି, ଏ ପ୍ରକାର ପାଗଳାମୀ ବିରୋଧରେ ବିଜେପିର ଓଡିଶା ଶାଖା ଚୁପ ହୋଇ ବସିଛି। ବିଜେପି ନାଁରେ ଥିବା ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ଏହା ଅଧିକ ପ୍ରସାରିତ ହେଉଥିବାବେଳେ ଦଳ ତରଫରୁ ଏହାକୁ ନେଇ ନୀରବତା ଅବଲମ୍ବନ କରାଯାଉଛି।

କେହି କେହି ଏହି ଫଟୋ ଗୁଡିକ ଜାଲ ବୋଲି କହୁଛନ୍ତି। ଜାଲ ହୋଇଥିଲେ କଥାଟି ଅଧିକ ସାଂଘାତିକ। ତେବେ ଜଣେ ରାଜନୈତିକ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଜୀବନରେ କଣ କରିବେ ତାହା ତାଙ୍କର ନିଜସ୍ଵ ନିଷ୍ପତ୍ତି। ସେ ପ୍ରସଙ୍ଗରେ ପ୍ରଶ୍ନ ଉଠାଇବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ। ଚନ୍ଦ୍ରାଣୀଙ୍କ ନିଜ ଜୀବନ ବଞ୍ଚିବାର ପୂର୍ଣ୍ଣ ସ୍ଵାଧୀନତା ରହିଛି। ତାଙ୍କ ଫଟୋ ଓ ନାଁ କୁ  ବ୍ୟବହାର କରି ଯେଉଁମାନେ କୁତ୍ସିତ ମନ୍ତବ୍ୟ ଦେଉଛନ୍ତି, ସେମାନେ ସମସ୍ତେ ଅପରାଧୀ। ଏ କ୍ଷେତ୍ରରେ ଓଡିଶା ପୋଲିସ ତୁରନ୍ତ ପଦକ୍ଷେପ ନେବା ଉଚିତ ହେବ। ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ଘଟଣାର ମୁଖ୍ୟ ଆସାମୀ ଭାବରେ ଜୟଦେବ ଗିରି ନାମକ ଜଣେ ବ୍ୟକ୍ତିକୁ କେଉଁଝର ପୋଲିସ ଗିରଫ କରିଛି। ଜୟଦେବ ଏକ ରାଜନୈତିକ ଦଳ ପାଇଁ ମିଡିଆ ସଂଯୋଜକ ଭାବେ କାମ କରନ୍ତି ବୋଲି କୁହାଯାଉଛି।

ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସୋସିଆଲ ମିଡିଆକୁ ନିଜର ଅଶ୍ଳୀଳ ଓ ପାଗଳ ମସ୍ତିସ୍କ ର ଖେଳ ପଡିଆ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନଙ୍କ ପ୍ରତି ପୋଲିସ ବିଲକୁଲ କୋହଳ ମନୋଭାବ ପୋଷଣ କରିବା ଉଚିତ ହେବନାହିଁ।

( ମୋବାଇଲ୍ ରେ ଫଟାଫଟ୍ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta ଆପ୍, ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବିନା ବିଶ୍ଵାସଘାତକତାରେ ରାଜନୀତିର କାହାଣୀ କାହିଁ- ନବୀନ ବନାମ ବୈଜୟନ୍ତ କାହାଣୀରେ ବିଶ୍ଵାସଘାତକତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

ଯୁଗେ ଯୁଗେ ରାଜନୀତି ଓ ବିଶ୍ଵାସଘାତକତା ହାତ ଧରାଧରି ହୋଇ ଚାଲିଛନ୍ତି। ସିଂହାସନ ଲାଗି ବିଶ୍ଵାସଘାତକତାର ସୁଦୀର୍ଘ ଇତିହାସ ଆମେ ପଢିଛୁ। କ୍ଷମତା ଲାଗି ସବୁ କିଛି କରାଯାଇପାରେ ବୋଲି ଆମେ ବୁଝିଛୁ। ଗଣତନ୍ତ୍ରରେ ବିଶ୍ଵାସଘାତକତାର ଚେହେରା ଯଦିଓ ବଦଳିଛି, ଚରିତ୍ର କିନ୍ତୁ ସମାନ ରହିଛି। ଆଜି ବି କ୍ଷମତା ଆଗରେ ସବୁକିଛି ତୁଚ୍ଛ ଓ ନଗଣ୍ୟ। ରାଜନୀତିର ନିର୍ଦ୍ଦୟ ଖେଳରେ କିଏ କେତେବେଳେ କାହାର ବିଶ୍ଵାସ ଭାଙ୍ଗିବ ତାହାର ଆକଳନ କରିବା ସମ୍ଭବ ନୁହେଁ। ନିର୍ବାଚନ ସମୟରେ ବିଶ୍ଵାସଘାତକତା ଓ ବିଶ୍ବାସର ସଉଦା କେମିତି ହୁଏ, ତାହା ଦେଖିବାକୁ ହେଲେ ଆମର ରାଜନୈତିକ ଦଳ ମାନଙ୍କର ଇତିହାସ ଆମକୁ ଆଡେଇବାକୁ ପଡିବ। ଇତିହାସକୁ ନଯାଇ ଆମ ନିଜ ଆଖି ଆଗର ରାଜନୀତିକୁ ଦେଖିବା ଆସନ୍ତୁ। ମନେ ପକାନ୍ତୁ,  ୨୯, ମଇ, ୨୦୧୨ ର ଓଡିଶା ଖବର କୁ। ସେଦିନ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲରେ ଦେଖିବାକୁ ମିଳିଲା ଭୁବନେଶ୍ୱର ଶହୀଦ ନଗରରୁ ଏକ ବିଚିତ୍ର ରାଜନୈତିକ ନାଟକର ସିଧା ପ୍ରସାରଣ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବାବେଳେ ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରଚନା କରାଯାଉଥିବାର ସବିଶେଷ ବିବରଣୀ ସେତେବେଳେ ଆମେ ଓଡିଶା ଟେଲିଭିଜନରେ ଦେଖିଛୁ। କହିବା ବାହୁଲ୍ୟ ଯେ, ଓଡିଶା ଟେଲିଭିଜନ ବା ଓ ଟିଭି ର ମାଲିକ ହେଉଛନ୍ତି ଆଜିର ବିଜେପି ନେତା ଓ ସେଦିନର ବିଜେଡି ନେତା ବୈଜୟନ୍ତ ପଣ୍ଡା।

ସେଦିନ  ବୈଜୟନ୍ତଙ୍କ ଓ ଟିଭି ସେ ଘଟଣାର ମୁଖ୍ୟ ନାୟକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ସବୁଠୁ ବଡ ବିଶ୍ଵାସଘାତକ ବୋଲି ଚିତ୍ରିତ କରିଥିଲା। ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ଯେତେ ସଫେଇ ଦେଲେ ମଧ୍ୟ ତାଙ୍କ କଥା ଆଉ କେହି ଶୁଣିନଥିଲେ। ବିଶ୍ଵାସଘାତକ ର ଅପବାଦ ନେଇ ପ୍ୟାରୀ ବାବୁ ଇହଧାମରୁ ଚାଲିଗଲେ। ନବୀନ ପଟ୍ଟନାୟକ, ଯିଏ ନିଜ ବିରୋଧୀଙ୍କ ପ୍ରତି ମଧ୍ୟ ସାଧାରଣରେ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ସେ ବୋଧେ ପ୍ରଥମ ଥର ଲାଗି ପ୍ୟାରୀ ବାବୁଙ୍କ ପ୍ରତି “ବେଇମାନ” ଶବ୍ଦର ପ୍ରୟୋଗ କରିଥିଲେ। ଆଜି ପ୍ୟାରୀ ବାବୁଙ୍କ ଆତ୍ମା ଯଦି କେଉଁଠି ଥିବ, ସେ ନିଶ୍ଚୟ ଟିକେ ଆଶ୍ବସ୍ତ ହେଉଥିବ। ଏକଦା ଯେଉଁ ଟିଭି ଚାନେଲ ର ମାଲିକ ତାଙ୍କର ବିଶ୍ଵାସଘାତକତାକୁ ନେଇ ଘଣ୍ଟା ଘଣ୍ଟାର କାହାଣୀ ଗଢୁଥିଲା, ସେ ଚାନେଲର ମାଲିକ ଆଜି ଖୋଦ ବିଶ୍ଵାସଘାତକ ହେବାର ଅପବାଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାର ଏକ ଗୁଜବ ସବୁଠି ଖେଳିବୁଲୁଥିଲା। ପ୍ରତିଷ୍ଠିତ ଡିଜିଟାଲ ସଂସ୍ଥା କୋବ୍ରା ପୋଷ୍ଟ ଏ ପ୍ରସଙ୍ଗରେ ଏକ ବିଶେଷ ଖବର ମଧ୍ୟ ପରିବେଷଣ କରିଥିଲା। କେବେ କେମିତି ଦେହ ଖରାପ ହେବାର ସାଧାରଣ ପ୍ରକ୍ରିୟା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାଭାବିକ କାମ କରିଚାଲିଛନ୍ତି। ତା ସତ୍ତ୍ୱେ ଏ ପ୍ରକାର ଗୁଜବ ରଟନା କଲା କିଏ ଓ କାହିଁକି ? ଘଟଣା ଘଟିବାର ଅନେକ ବର୍ଷ ପରେ ଗତକାଲି ନବୀନ ବାବୁ ନିଜର ପାଟି ଖୋଲିଛନ୍ତି ଓ ଦଳର ଜଣେ ପୂର୍ବତନ ସାଂସଦ ଏ ପ୍ରକାର ଗୁଜବ ପ୍ରସାରିତ କରିଥିଲେ ବୋଲି କହିଛନ୍ତି। ଏନଡି ଟିଭିର ଶ୍ରୀନିବାସ ଜୈନଙ୍କୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ନବୀନ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ନିଜର ବ୍ୟକ୍ତିଗତ ରାଜନୈତିକ ଉଚ୍ଚାଭିଳାଷ ଲାଗି ଏ ପ୍ରକାର ମିଛ ଖବର ପ୍ରସାରିତ କରାଇଥିଲେ । ସାଧାରଣତଃ ବ୍ୟକ୍ତିଗତ ପ୍ରସଙ୍ଗକୁ ସାଧାରଣରେ ଆଲୋଚନା କରୁନଥିବା ନବୀନ, ପ୍ରଥମ ଥର ଲାଗି ଏମିତି ଏକ ମନ୍ତବ୍ୟ ରଖିଛନ୍ତି।

ନବୀନଙ୍କ ବିରୋଧରେ ବୈଜୟନ୍ତଙ୍କ ଷଡଯନ୍ତ୍ରକୁ ନେଇ ଏହା ପୂର୍ବରୁ ବିଭିନ୍ନ କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବହୁ ରୋଚକ କାହାଣୀ ମଧ୍ୟ ଶୁଣାଯାଉଥିଲା। ତେବେ ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ କେବେ କିଛି କହିନଥିଲେ। ହଠାତ ଏ ପ୍ରସଙ୍ଗ ଉଠିବା ଓ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା, ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି। ନିଜର ପ୍ରାରମ୍ଭିକ ମାପଚୁପ ପ୍ରତିକ୍ରିୟାରେ ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି- “ଏହା ମିଥ୍ୟା ଓ ଅବାଞ୍ଛିତ କଥା। ମୋ ବିଷୟରେ ନବୀନଙ୍କ ଏ ପ୍ରକାର ଭୟ ଦୁଃଖଦାୟକ।  ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ଏ ପ୍ରକାର ନିର୍ବୋଧ ଷଡଯନ୍ତ୍ରର ଚିନ୍ତାରୁ ନିବୃତ୍ତ ହେବାର ଜ୍ଞାନ ତାଙ୍କୁ ମିଳୁ ଓ ସେ ସୁସ୍ଥ ଓ ଦୀର୍ଘଜୀବୀ ରହିଥାନ୍ତୁ। “ ତେବେ ଏ ପ୍ରକାର ପ୍ରତିକ୍ରିୟାରୁ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ନିଜର ଓଜନ ହରାଇବ କି?  ବୈଜୟନ୍ତ ଯେ ବିଜେଡ଼ିରୁ କୌଣସି ବୈଚାରିକ କାରଣରୁ ନୁହଁ, ବରଂ ଦଳ ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର କରିଥିବାରୁ ଦଳ ତାଙ୍କୁ ନିଷ୍କାସିତ କରିଛି, ଏ ପ୍ରକାର ଖବର ଏବେ ବିଜୁଳି ବେଗରେ ଖେଳି ବୁଲୁଛି। ବୈଜୟନ୍ତଙ୍କ “ବିଶ୍ଵାସଘାତକତା” ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ କରି ଦିଆଯାଇଛି। ଯେତେବେଳେ ଖୋଦ ନବୀନ ଏକଥା କହୁଛନ୍ତି, ତାକୁ ଗାଲୁଆମିରେ ଉଡାଇଦେବା ସମ୍ଭବ ନୁହେଁ। ତେଣୁ ଏ ନୂଆ ରାଜନୈତିକ ପ୍ରସଙ୍ଗରେ “ବିଶ୍ଵାସଘାତକତା ଓ ବେଇମାନି” ପ୍ରସଙ୍ଗ ଏବେ ମୁଖ୍ୟ ହୋଇପଡିବ। ଏ ବିଶ୍ଵାସଘାତକତା କେବଳ ନବୀନଙ୍କ ପ୍ରତି ନୁହଁ, ବରଂ ବିଜୁ ପରିବାର ପ୍ରତି ବୋଲି ଏକ ବାର୍ତ୍ତା ଦିଆ ସରିଛି। ଆଗାମୀ ନିର୍ବାଚନରେ ଏହି ଅପବାଦକୁ ବୈଜୟନ୍ତ କେମିତି ସାମ୍ନା କରୁଛନ୍ତି, ତାହା ସମୟକ୍ରମେ ଜଣା ପଡିବ ।

Categories
ଆଜିର ଖବର

ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ନବୀନ, କହିଲେ ମୋ ସ୍ବାସ୍ଥ୍ୟ ଖରାପ ବୋଲି ସେ ହିଁ କରିଥିଲେ ଅପପ୍ରଚାର, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ

ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଯେଉଁ ଅପପ୍ରଚାର ହୋଇଥିଲା, ତାହାର ଗୁମର ଖୋଲିଛନ୍ତି ଖୋଦ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ ବୈଜୟନ୍ତଙ୍କ ଷଢଯନ୍ତର ଖୁଲାସା କରିଛନ୍ତି। ନବୀନ କହିଛନ୍ତି ଯେ, ପୂର୍ବେ ମୋର ଦେହ ଖରାପ ଅଛି ବୋଲି ଗଣମାଧ୍ୟମରେ ଯେଉଁ ପ୍ରଚାର କରାଯାଇଥିଲା, ତାହାର ମୂଳରେ ଥିଲେ ବୈଜୟନ୍ତ ପଣ୍ଡା। ନବୀନଙ୍କ ଏପରି ଖୁଲାସା ପରେ ବର୍ତ୍ତମାନ ରାଜ୍ୟ ରାଜନିତୀରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କାରଣ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଅପପ୍ରଚାର କରି ତାଙ୍କର ଗୁରୁତ୍ବକୁ ହ୍ରାସ କରିବା ପାଇଁ ସେତେବେଳେ ବୈଜୟନ୍ତ ଚାହୁଁଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସ ଜୈନ ନବୀନ ନିବାସରେ ନବୀନଙ୍କ ସାକ୍ଷାତକାର ନେଇଛନ୍ତି। ଆଉ ସେ ଏପରି ସମୟରେ ନେଇଛନ୍ତି ଯେତେବେଳେ ନବୀନ ବ୍ୟାୟମ କରୁଥିଲେ। ଶ୍ରୀନିବାସ ପଚାରିଛନ୍ତି ଯେ, ସେ ଏପରି ବ୍ୟାୟମ ପ୍ରକୃତରେ କରନ୍ତି ନା ଆଜି କ୍ୟାମେରା ପାଇଁ ଏପରି କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ ନା ସେ ପ୍ରାୟ ଏପରି ବ୍ୟାୟମ ବହୁ ବର୍ଷ ଧରି କରିଆସୁଛନ୍ତି। ଏହାପରେ ଶ୍ରୀନିବାସଙ୍କ ପ୍ରଶ୍ନ ଥିଲା ଯେ, ତେବେ ହଠାତ ଗଣମାଧ୍ୟମରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଏକ ପ୍ରଚାର କରାଯାଇଥିଲା। ତାହାର ଉତ୍ତରରେ ନବୀନ ଖୋଲାଖୋଲି ବୈଜୟନ୍ତଙ୍କ ଷଢଯନ୍ତ୍ର ବୋଲି କହିଥିଲେ।

ଗତ 2017 ମସିହା ଫେବୃୟାରୀ 17 ତାରିଖରେ ଏକ ଡିଜିଟାଲ ମିଡିଆରେ ପ୍ରକାଶ ପାଇଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଆଉ ଚଳପ୍ରଚଳ କରିପାରୁ ନାହାଁନ୍ତି। ନୂଆଦିଲ୍ଲୀ ଯାଇ ଚିକିତ୍ସା କରିବା ପାଇଁ ବନ୍ଦୋବସ୍ତ ଚାଲିଛି। ଏହି ଖବର ପ୍ରକାଶିତ ହେବା ପରେ ତାକୁ ଆଧାର କରି ବୈଜୟନ୍ତଙ୍କ ଗଣମାଧ୍ୟମ ସେତେବେଳେ ଏହି ଖବରକୁ ବାରମ୍ବାର ପ୍ରସାରଣ କରିଥିଲା। ଏପରିକି ଏହି ଚ୍ୟାନେଲରେ ରିପୋର୍ଟରଙ୍କ ଲାଇଭ ଏପରି ନିଆଯାଇଥିଲା ଯେ, ଲାଗିଲା ସତେ ଯେମିତି ନବୀନଙ୍କ ସ୍ବାସ୍ଥ୍ୟ ବହୁ ଗୁରୁତର ହୋଇପଡିଛି। ଏପରି ଖବର ପରେ ଖୋଦ ନବୀନ ବାହାରକୁ ଆସି ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ।

ସେତେବେଳେ ଏହି ଖବର ବୈଜୟନ୍ତଙ୍କ ଚ୍ୟାନେଲରେ ବାରମ୍ବାର ପ୍ରସାରଣ ହେବାର ଯେଉଁମାନେ ଦେଖିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ। କାରଣ ଥିଲା ସତରେ ଯଦି ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ତେବେ ଅନ୍ୟ ନ୍ୟୁଜ ଚ୍ୟାନେଲ ମଧ୍ୟ ଏହାକୁ ପ୍ରସାରଣ କରୁଥିବେ। ହେଲେ ସେତେବେଳେ କେବଳ ବୈଜୟନ୍ତଙ୍କ ଚ୍ୟାନେଲକୁ ଛାଡିଦେଲେ ଅନ୍ୟମାନେ ଏହି ଖବର ନେଉ ନ ଥିଲେ। ଫଳରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଖବର ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ତନାଘନା କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ହିଁ ସନ୍ଦେହ କରିଥିଲା। ବୈଜୟନ୍ତଙ୍କ ହାବଭାବ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସେହି ଦିନଠାରୁ ଅନୁଧ୍ୟାନ କରିଆସୁଥିଲେ। ପ୍ରମାଣ ଥାଉ କି ନ ଥାଉ ବୈଜୟନ୍ତଙ୍କ ଏପରି କାରାସାଦୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ନବୀନଙ୍କ ପରେ ସେ ବିଜେଡିର ମଙ୍ଗ ଧରିବେ। ଏହା ଖୋଦ ନବୀନ ଜାଣିବା ପରେ ଟାଣୁଆ ବୈଜୟନ୍ତଙ୍କ ଟାଣ ପଣ ଭାଙ୍ଗି ଦଳରୁ ବହିସ୍କାର କରିଦେଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA, ଏହି ଆପ୍ ଡାଇନଲୋଡ ପରେ ଟିପରେ ସ୍କ୍ରନକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବର୍ତ୍ତମାନ ସୁଦ୍ଧା ଦାମ ରାଉତ ନାମାଙ୍କନ ପତ୍ର ଦାଖଲ ନ କରିବା କାରଣ କଣ ? ତାଙ୍କର ଭୂମିକା ନେଇ ଜଗତସିଂହପୁର ଜିଲ୍ଲାରେ ସନ୍ଦେହ

ସମୀକ୍ଷା ବ୍ୟୁରୋ

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ବର୍ତ୍ତମାନ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଣ ବର୍ତ୍ତମାନ ଦାମ କଣ କରିବେ ସେ ନେଇ କିଛି ନିଷ୍ପତି ନେଇପାରୁ ନାହାଁନ୍ତି। ବିଜେପିରୁ ଟିକେଟ ପାଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ନା ନାମାଙ୍କନ ଦାଖଲ କରିଛନ୍ତି ନା ବିଜେପି କର୍ମିଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ଦ୍ବଦଲ୍ୟମାନ ସ୍ଥିତିରେ ପଡିଛନ୍ତି ଦାମୋଦର ରାଉତ। ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟ ଅନ୍ୟପଟେ ବିଜେପି ଦଳ ଏବଂ ତାଙ୍କର ପ୍ରାର୍ଥୀତ୍ବ, ଏସବୁ ଭିତରେ ଦାମ ପେଶି ହେବାରେ ଲାଗିଛନ୍ତି। ଦାମ ବିଜେପିରେ ଯୋଗଦେବା ପରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଛନ୍ତି ସତ, ହେଲେ ତାହା ତାଙ୍କ ପାଇଁ ଲାଭଦାୟ ସାବ୍ୟସ୍ତ ହୋଇପାରୁ ନାହିଁ । ପ୍ରଥମତଃ ସେ ବାଲିକୂଦା ଏରସମାର ବିଧାୟକ ଟିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ସେ ଦଳର ପ୍ରଚାର କମିଟ ଦାୟିତ୍ବ ମଧ୍ୟ ଦିଆଯାଇଛି। ନିଜ ନିର୍ବାଚନ ମଣ୍ଡଳି ସହ ରାଜ୍ୟର ଅନ୍ୟସ୍ଥାନକୁ ମଧ୍ୟ ସେ ପ୍ରଚାରରେ ଯିବା କଥା। ହେଲେ ଟିକେଟ ମିଳିବା ପରେ ସେ ବର୍ତ୍ତମାନ ଯେପରି ସକ୍ରିୟ ହେବା କଥା ତାହା ପରିଲକ୍ଷିତ ହେଉନାହିଁ। ପ୍ରକୃତ କଥା ହେଲା ସେ ଭାବି ଥିଲେ ଯେ, ବିଜେପିରେ ଯୋଗଦେବା ପରେ ବିଜେଡି ତାଙ୍କ ପରିବାରକୁ ସଂପୂର୍ଣ୍ଣ ଭୂଲିଯିବ। ଯାହାଦ୍ବାରା ସେ ଅନାୟସରେ ବିଜେପି ପାଇଁ ପ୍ରଚାର କରିପାରିବେ। ହେଲେ ନବୀନ ଯେଉଁ ଦୁଇଟି ମାଷ୍ଟର ଷ୍ଟ୍ରୋକ ଖେଳିଲେ ତାହା ତାଙ୍କ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।

ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେଇ ପ୍ରଥମ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନ ଦାମଙ୍କ ଗଡ ପାରାଦ୍ବୀପରେ ତାଙ୍କ ପୁଅଙ୍କୁ ଟିକେଟ ଦେଲେ। ଆଉ ଏକ ଘଟଣା ହେଲା ଦାମଙ୍କ ପତ୍ନୀଙ୍କ ବିୟୋଗ ସମୟରେ ନିଜେ ନବୀନ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଏହି ଦୁଇ ଘଟଣା ପରେ ଦାମଙ୍କ ମନରେ କୁଆଡେ ପରିବର୍ତ୍ତନ ଆସିଯାଇଛି ବୋଲି ଶୁଣାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ବିଜେଡି ବିରୋଧରେ ସେ ପ୍ରଚାର କରିବା କାହିଁକି କେଉଠି ତାଙ୍କ ବିବେକ ବାଧା ଦେଉଛି। ସେ ନେଇ ବର୍ତ୍ତମାନ ଦାମ କୁଆଡେ ମାନସ ମନ୍ଥନ କରୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ବର୍ତ୍ତମାନ ସବୁ ନେତା ଦଳୀୟ ଟିକେଟ ମିଳିବା ପରେ ସେମାନେ ବୈଠକ କରିବାଠାରୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋର କରିସାରିଲେଣି। ହେଲେ ଦାମୋଦର ରାଉତଙ୍କୁ ଟିକେଟ ମିଳିବା ପରେ ସେ ନାଁ ବିଜେପି କର୍ମିଙ୍କ ସହିତ କଥା ହେଉଛନ୍ତି ନା ସେ କର୍ମିଙ୍କୁ ଡାକି ବୈଠକ କରୁଛନ୍ତି। ଏପରି ସ୍ଥିତିରେ ଏରସମା ବାଲିକୂଦା ବିଜେପି କର୍ମିମାନେ ମଧ୍ୟ ବଡ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି। ଭିତିରିଆ ଖବର ଅନୁସାରେ ଦାମ ବର୍ତ୍ତମାନ ନିଜ କଥା ଛାଡି ପୁଅ ପାଇଁ କୁଆଡେ କର୍ମିମାନଙ୍କ ସହିତ ଅଲୋଚନା କରୁଥିବାର ଜଣାପଡିଛି। ସମ୍ବିତ କିପରି ନିଜ ଗଡରେ ସ୍ଥିତି ବଜାଇ ରଖି ବହୁ ଭୋଟରେ ଜିତିବେ ସେଥିପାଇଁ ଦାମ କୁଆଡେ ଗୁପ୍ତ ମନ୍ତ୍ରଣା କରୁଥିବାର ମଧ୍ୟ ଜଣାପଡିଛି। ତେବେ ସମ୍ବିତ 8 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ଭିତରେ ଦାମଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି।

( ମୋବାଇଲରେ ଫାଟଫଟ ଖବର ଜାଣିବା ପାଇଁ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ sankhipta app )

 

Categories
ଆଜିର ଖବର

ଓଡ଼ିଶାର ନିର୍ବାଚନୀ ମାହୋଲ୍‌ : ଯୋଗୀ, ମୋଦି, ଅମିତ୍‌ ଓ ରାହୁଲଙ୍କ ତୁଫାନି ଗସ୍ତ

ନିର୍ବାଚନର ବିଗୁଲ୍‌ ବାଜିସାରିଛି ଆଉ ଛଅ ଦିନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳମାନଙ୍କର ହାଇଭୋଲେଟଜ୍‌ ଡ୍ରାମା ଦେଖିବାକୁ ମିଳୁଛି। ବିଜେଡିର ଷ୍ଟାର ପ୍ରଚାରକରେ ଏଥର ସାମିଲ୍‌ ହୋଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଜୋରସୋର୍‌ରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ସେହିପରି ଅନ୍ୟ ଦୁଇ ରାଜନୈତିକ ଦଳର ପ୍ରଚାର ମଧ୍ୟ ବେଶ୍‌ ଜୋର୍‌ସୋର୍‌ରେ ଚାଲିଛି। ଉପକୂଳ ଓଡ଼ିଶାକୁ ହାତେଇବାକୁ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ଜୋର୍‌ସୋର୍‌ର ପ୍ରତିଦ୍ବନ୍ଦ୍ବିତା। ଉଭୟ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଚଲାଇଛନ୍ତି। ଦୁଇ ତାରିଖରେ ମୋଦି କଳାହାଣ୍ଡି ଗସ୍ତ କରିଥିବାବେଳେ ଆସନ୍ତା  ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ମୋଦି ସୁନ୍ଦରଗଡ଼ରେ ଏକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଯୋଗୀ ବ୍ରହ୍ମପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେହିପରି ୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ପୁରୀ ଗସ୍ତ କରିବେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆସନ୍ତା ୯ ତାରିଖରେ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ରହିଛି। ତେବେ ଏଥର ରାହୁଲ୍‌ ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ବୋଲି ଜଣାପଡିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଦୁଷ୍କର୍ମକାରୀଙ୍କ ପତ୍ନୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି ରାବ୍ରିଦେବୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଜୀବନ ଜେଲ୍‌ ଭୋଗୁଥିବା ନାବାଳିକା ଦୁଷ୍କର୍ମକାରୀ ରାଜବଲ୍ଲଭ ଯାଦବଙ୍କ ପତ୍ନୀ ବିଭା ଦେବୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଗୁରୁବାର ଦିନ ନାବାଦାଠାରେ ଆୟୋଜିତ ଏକ ରାଲିରେ ସାଂସଦ ପ୍ରାର୍ଥୀ ବିଭା ଦେବୀଙ୍କୁ ଭୋଟ୍‌ ଦେଇ ଜିତାଇବା ପାଇଁ ପ୍ରାର୍ଥନା କରିଛନ୍ତି। ବିଭା ଦେବୀ ନଓ୍ବାଦ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ପ୍ରଚାର ସମୟରେ ରାବ୍ରି ଦେବୀ କହିଛନ୍ତି ଯେ, ରାଜବଲ୍ଲଭ ଯାଦବ ନିର୍ଦ୍ଦୋଷ, ଯାଦବ ପରିବାରକୁ ବଦନାମ କରାଯିବା ପାଇଁ ଏପରି ଷଡଯନ୍ତ୍ର କରାଯାଇଛି। ୨୦୧୬ ଫେବୃଆରୀ ୬ ତାରିଖରେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତାର ବୟାନ ଆଧାରରେ ଗତ ଡିସେମ୍ବର ମାସରେ ପାଟନା ହାଇକୋର୍ଟ ରାଜବଲ୍ଲଭ ଯାଦବ ଏବଂ ନାବାଳିକା ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଛି। ପକ୍ସୋ ଆକ୍ଟରେ ଦୋଷୀ ହୋଇଥିବା ରାଜବଲ୍ଲଭଙ୍କୁ  ଆଜୀବନ ଜେଲ୍‌ ସହ ୫୦,୦୦୦ଟଙ୍କାର ଜୋରିମାନା ମଧ୍ୟ ହୋଇଥିଲା। ୨୦୧୬ ଫେବୃଆରୀ ୧୪ରେ ଆରଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।

Categories
ବିଶେଷ ଖବର

ହିଂଜିଳି ହାଲଚାଲ, ନବୀନଙ୍କ ପାଇଁ ନିଷ୍କଣ୍ଟକ ଭୂମି ଓ ହିଞ୍ଜିଳିରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ

 ହିଂଜିଳିରୁ କେଦାର ମିଶ୍ର

ଏପ୍ରିଲ ୨ ତାରିଖ ସନ୍ଧ୍ୟା ଛ’ଟା ବେଳକୁ ଆମେ ହିଂଜିଳି ସୀମାରେ ପ୍ରବେଶ କଲା ବେଳେ ଆକାଶରେ କାଳ ବୈଶାଖୀର ଆଭାସ ସ୍ପଷ୍ଟ। ହିଞ୍ଜିଳିରୁ ପଞ୍ଚମ ଥର ଲାଗି ନିର୍ବାଚନ ଲଢୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହିଂଜିଳି ବିଜୟ କେତେ ସହଜ ବା କେତେ କଠିନ ହେବ, ସେ ପ୍ରଶ୍ନ ନେଇ ଆମେ ହିଂଜିଳି ଭିତରକୁ ପଶୁଥିଲୁ। ତା ପୂର୍ବରୁ ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯନଗରଓ ଆସ୍କାରେ ଲୋକଙ୍କ ସହ କଥାବାର୍ତ୍ତାରୁ ଆମର ମନେ ହୋଇଥିଲା, ବୋଧେ ଏଥର ବିଜେଡି ପ୍ରଥମଥର ଲାଗି ଗଞ୍ଜାମ ଗଡରେ ବଡ ଆହ୍ୱାନର ସାମ୍ନା କରୁଛି। ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆଗରେ ବିଜେଡି ପ୍ରଚାର ଟିକେ ମାନ୍ଦା ମଧ୍ୟ ଲାଗିଥିଲା। ତେବେ ପିତ୍ତଳରେ ପହଞ୍ଚିଲା ବେଳକୁ ଆମକୁ ଲାଗିଥିଲା ଆମେ ଗୋଟେ ନୂଆ ଇଲାକାରେ ପ୍ରବେଶ କରୁଛୁ। ଗୋଟେ ବିକଶିତ ଅଞ୍ଚଳର ସବୁ ସଙ୍କେତ ହିଞ୍ଜିଳିର ରାସ୍ତାରୁ ମିଳିଯାଉଛି। ପିତ୍ତଳ ବଜାରରେ କିଛି ଲୋକଙ୍କ ଭିଡ ଥିଲା। ଆମେ ପଚାରିଥିଲୁ,ଏଥର ବିଜେପି ନବୀନଙ୍କ ବିରୋଧରେ ଜଣେ ଟାଣୁଆ ପ୍ରାର୍ଥୀ ଦେଇଛି। ସେ କହୁଛନ୍ତି, ନବୀନ ହାରି ସାରିଲେଣି। କଣ ସତ? ଏକା ସାଙ୍ଗରେ ହୋ ହୋ ହୋଇ ହସି, ଲୋକେ କହିଲେ, କହିବାରେ କିସ ଅଛି ଆଜ୍ଞା। ହିଞ୍ଜିଳିରେ କେବଳ ନବୀନ।

ହିଞ୍ଜିଳି ବଜାରକୁ ପହଞ୍ଚିଲା ବେଳେ ଆରମ୍ଭ ହୋଇଗଲା, କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା। ଗୋଟେ ଚା ଦୋକାନରେ ପଶୁ ପଶୁ ଆମେ ଦେଖିଲୁ ଦଶଜଣ ଲୋକ ଗପୁଛନ୍ତି। ସେଠି ଆମେ ଟିକେ ପ୍ରସଙ୍ଗ ବଦଳାଇବାକୁ ଚାହିଁଲୁ। ପ୍ରଶ୍ନ ଥିଲା- ନବୀନ ବାବୁ ଏଥର ହିଞ୍ଜିଳି ସହ ବିଜେପୁରରୁ ବି ଲଢୁଛନ୍ତି। ଶୁଣାଯାଉଛି, ସେ ବିଜପୁରରୁ ଜିତିଲେ, ହିଂଜିଳି ଛାଡିବେ। ସେମିତି ହେଲେ ଆପଣମାନେ କଣ କରିବେ? ତେବେ ଲୋକଙ୍କ ଉତ୍ତର ଥିଲା ଆହୁରି ଚମକପ୍ରଦ। ଆମେ ବି ସେୟା ଶୁଣୁଛୁ, ହେଲେ ତାର କିଛି ଫରକ ପଡିବନି। କାରଣ ନବୀନଙ୍କ ପରେ ତାଙ୍କ ପୁତୁରା ହିଞ୍ଜିଲିରୁ ଲଢିବେ। ଏ ଉତ୍ତର ଆମପରି ସାମ୍ବାଦିକଙ୍କ ଲାଗି ଗୋଟେ ପ୍ରକାର ବିସ୍ମୟ। ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଆଜିଯାଏ ଉଠିନାହିଁ। ହେଲେ ହିଂଜିଳି, ଶେରଗଡ ଇତ୍ୟାଦି ଅଞ୍ଚଳରେ ଏହାକୁ ନେଇ ଢେର ଚର୍ଚ୍ଚା।

ନବୀନଙ୍କ ବିକଳ୍ପ ତାଙ୍କ ଭୋଟରମାନେ କଳ୍ପନା କରିସାରିଛନ୍ତି। ଅର୍ଥାତ ନବୀନଙ୍କ ଛାୟାରୁ ମୁକୁଳିବାର ଆଗ୍ରହ ହିଞ୍ଜିଳିବାସୀଙ୍କର ନାହିଁ। ହିଞ୍ଜିଳିରେ ନବୀନ ହାରିବେ ବୋଲି ଆପଣ ଯଦି କହିବେ, ଲୋକେ ଆପଣଙ୍କୁ ପାଗଳ କିମ୍ବା ନିର୍ବୋଧ ବୋଲି କହିବେ। ଏପରିକି ବିଜେପି ଓ କମ୍ୟୁନିଷ୍ଟ ପତାକାଧାରୀଙ୍କ ମତ ମଧ୍ୟ ସେୟା। ଗୋଟେ ବିଜେପି ପ୍ରଚାରଗାଡିକୁ ଅଟକାଇ ଆମେ ଜାଣିବାକୁ ଚାହିଁଥିଲୁ, ତାଙ୍କ ପ୍ରଚାର କେମିତି ଚାଲିଛି। ଉତ୍ତର ଆସିଲା, ଏଠି ନବୀନ ଛଡା ଆଉ କିଛି ନାଇଁ।

ଚାରିଥର ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବା ପରେ ଓ ପଞ୍ଚମଥର ନୂଆ ଏକ ନିର୍ବାଚନ ମଣ୍ଡଳୀ ବାଛିବା ସତ୍ତ୍ୱେ ନବୀନଙ୍କ ପ୍ରତି ତାଙ୍କ ଭୋଟର ବିମୁଖ ହେଉନାହାନ୍ତି କାହିଁକି? ଏହାର ଉତ୍ତର ହିଂଜିଳି –ଶେରଗଡ ଓ ଶେରଗଡ ସୋରଡା ରାସ୍ତାରୁ ମିଳିଯିବ। ରାଜ୍ୟ ରାଜପଥ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏ ଅଞ୍ଚଳର ଯୋଗାଯୋଗ ଅଦ୍ଭୁତ ଭାବରେ ବିକଶିତ ହୋଇଛି। ସତ କହିବାକୁ ଗଲେ ଗତ ଚାରିଦିନ ଧରି ଭୁବନେଶ୍ବରରୁ ବାହାରି ଆମେ କୋରାପୁଟ ପର୍ଯନ୍ତ ପ୍ରାୟ ୨୦୦୦ କିଲୋମିଟର ରାସ୍ତା ବୁଲିଲୁଣି। ସବୁଠି ରାସ୍ତା ଚକାଚକ। ସେତେବଳେ ଏଡିଆରର ଗୋଟେ ସର୍ବେକ୍ଷଣ କହୁଛି, ଓଡିଶାରେ ରାସ୍ତାଘାଟର ଅବସ୍ଥା କୁଆଡେ ଖରାପ! ମୁଁ ବୁଝିପାରୁନି, କାହାକୁ ବିଶ୍ଵାସ କରିବି, ନିଜକୁ ନା ସର୍ବେକ୍ଷଣକୁ? ରାଜ୍ୟର ସବୁ ରାସ୍ତା ପରି ହିଂଜିଳି ରାସ୍ତା ମଧ୍ୟ ଭଲ। ଏଥିରେ ଅଲଗା କଣ ଅଛି? ରାମକୃଷ୍ଣ ସାହୁ ନାମକ ଜଣେ ହିଞ୍ଜିଳି ଭୋଟର କହିଥିଲେ, ହିଞ୍ଜିଳିରେ ଗତ ପାଞ୍ଚବର୍ଷ ଧରି ଯାହା ଘଟିଛି, ସେକଥା ଆମ କଳ୍ପନା ବାହାରେ।

ହିଞ୍ଜିଳିରେ ୟା ଭିତରେ ବହୁ ଅନୁଷ୍ଠାନ ଗଢି ଉଠୁଛି। ମେଡିକାଲ କଲେଜ, ଆଇଟିଆଇ, ପାର୍କ, ସବୁ ସରକାରୀ କୋଠାର ଚେହେରା ଚମତ୍କାର। ଜଣେ ବିଜେପି କର୍ମୀ ରାଗିକି କହିଲେ, ବୁଢାବୁଢି ଓ ମା’ ମାନେ ତ ନବୀନବାବୁକୁ ବିନା ପ୍ରଶ୍ନ ରେ ଭୋଟ ଦେବେ। ଆମେ ଯେତେ ପାଟି କଲେ କଣ ହେବ ? ତେବେ ନବୀନ ବାବୁଙ୍କ ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ପ୍ରସଙ୍ଗ ମଧ୍ୟ ଏଥର ମୁଣ୍ଡ ଟେକିଛି। ଆସ୍କା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋୟୀଙ୍କୁ ନେଇ ତଥାକଥିତ ଶିକ୍ଷିତ ଅଶିକ୍ଷିତ ପ୍ରସଙ୍ଗଟି ଏଥର ଆସ୍କାରେ ବେଶ ଚର୍ଚ୍ଚାରେ ରହିଛି। ଟିଭି ଦେଖୁଥିବା ସହରୀ ଯୁବାଙ୍କ ମନରେ ମୋଦୀ ଆଗ୍ରହ ବଢୁଛି। ତହିଁରୁ ଏକ ଛୋଟ ଅଂଶ ଓଡିଶାରେ ନବୀନ ଓ କେନ୍ଦ୍ରରେ ମୋଦୀ ଭଳି ଚିନ୍ତା କରୁଛନ୍ତି। ଏକଦା ଶେରଗଡ ଓ ହିଂଜିଳି କମ୍ୟୁନିଷ୍ଟମାନଙ୍କ ଦୁର୍ଗ ଥିଲା। ଏଥର ଆସ୍କା ଲୋକସଭାରେ ସିପିଆଇ ର ରାମକୃଷ୍ଣ ପଣ୍ଡା କଂଗ୍ରେସ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ହେଲେ ହିଞ୍ଜିଳିରେ କମ୍ୟୁନିଷ୍ଟମାନେ କାହାନ୍ତି ?

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ବିଶେଷ ଖବର

ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !

କେଦାର ମିଶ୍ର

ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ?

ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ !

ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର ଜିଲ୍ଲାର ଟାଣୁଆ ନେତା ହୋଇ ରହିନାହାନ୍ତି।୨୦୧୪ ରେ  ବିଜୁ ଜନତା ଦଳର ଟିକଟ ନ ପାଇବା ପରଠୁ ସେ ଏକ ପ୍ରକାର କୋଣଠେସା ହୋଇ ପଡି ରହିଥିଲେ। ଗତକାଲି ସେ ବିଜେପିରେ ଯୋଗଦେବାକୁ ଆସିନଥିଲେ, ସେ ଯେ ରାଜନୀତିରେ ଅଛନ୍ତି ଏକଥା ଲୋକ ଜାଣି ବି ନଥାନ୍ତେ। ଲୋକସ୍ମୃତିରେ ନଥିବା ନେତାମାନେ ନିର୍ବାଚନ ସମୟରେ ହଠାତ ଆସି ଆବିର୍ଭାବ ହୁଅନ୍ତି ଓ ନିର୍ବାଚନ ପରେ ପୁଣି ମିଳେଇ ଯାଆନ୍ତି।  ମୋହନ ଜେନା ଏବେ ଆପାତତଃ ସେଇ ପରିଚୟରେ ରହିବେ।

ଇତିମଧ୍ୟରେ ଓଡିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଜେଡ଼ିରୁ ବିଜେପିକୁ ଓ ବିଜେପିରୁ ବିଜେଡ଼ିକୁ ପ୍ରତିଦିନ ନେତାଙ୍କର ଯିବା ଆସିବା ଚାଲିଛି। ଯିଏ ଏଠୁ ଟିକଟ ପାଉନି ସେଠିକି ଯାଉଛି ଓ ଯେ ସେଠୁ ନିରାଶ ହେଉଛି, ଏଠି ତାକୁ ଆଶାର କିରଣ ଦେଖାଯାଉଛି। ସେଇ କ୍ରମରେ ଆଜି ଭଦ୍ରଖରୁ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ। ଅବଶ୍ୟ ଅର୍ଜୁନ ବାବୁଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସେ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳ ଦେଇ ଆସି ସାରିଥିଲେ। ୧୯୭୧ ଓ ୧୯୮୦ ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ଯାଇଥିଲେ। ତେବେ ସର୍ବାଧିକ ପାଞ୍ଚ ଥର ସେ ବିଜେଡି ଟିକଟରେ  ଲୋକସଭାକୁ ଯାଇଛନ୍ତି। ବିଜେଡି କୋଟାରେ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ରାଜନୀତିରେ ସଦାକାଳେ ସେ ଚିରକାଳ ବାମନ ହୋଇ ରହିଯାଇଛନ୍ତି। ୫୦ ବର୍ଷର ଦୀର୍ଘ ରାଜନୈତିକ ଯାତ୍ରା, ୮ ଥର ଲୋକସଭା ସଦସ୍ୟ, ଦୁଇ ଥର ବିଧାନସଭା ସଦସ୍ୟ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ତା ପରେ ବି ଓଡିଶା ରାଜନୀତିରେ ଅର୍ଜୁନ ଚରଣ ସେଠି ସେମିତି ଏକ ପ୍ରଭାବଶାଳୀ ଚରିତ୍ର ନୁହନ୍ତି।

ସେ ଯାହା ବି ହେଉ, ତାଙ୍କର ବିଜେଡି ଛାଡିବା କିନ୍ତୁ ବ୍ୟକ୍ତିଗତ ଭାବ ପ୍ରବଣତାର କଥା। ସେ ବିଜେଡି ଛାଡିଲେ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ଯୋଗାଡ କରି ନପାରି। ସେ ଟିକଟ ଖଣ୍ଡକ ବିଜେପିରୁ ହୁଏତ ତାଙ୍କୁ ମିଳିପାରେ। ତେଣୁ ଅର୍ଜୁନ ବାବୁଙ୍କୁ ଜଣେ ପୁତ୍ର ବତ୍ସଳ ପିତା ଭାବରେ ଆମେ ଦେଖିପାରିବା। ବିଜେପିରେ ତାଙ୍କ ପୁଅର ଥଇଥାନ କରିବାକୁ ସେ ଯାଇଛନ୍ତି। ହେଲେ ମୋହନ ଜେନା ବିଜେପିକୁ ଯିବାର କାରଣ ଆଦୌ ସମ୍ମାନଜନକ ନୁହେଁ।

ମୋହନ ଜେନା ନିଜକୁ ଜଣେ କମ୍ୟୁନିଷ୍ଟ ନେତା ବୋଲି ଦୀର୍ଘଦିନ ଧରି ଦାବି କରି ଆସିଛନ୍ତି। ଅଶି ଦଶକରେ ଏସୟୁସିଆଇ ର ଛାତ୍ର ସଂଗଠନ ଡିଏସଓ ର ଜଣେ ଅଗ୍ନୀବର୍ଷୀ ନେତା ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା। ପରେ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ବିଜେଡିରେ ଯୋଗଦେଇ ଦୁଇଥର ଲୋକସଭାକୁ ଗଲେ। ପରିଶେଷରେ ଯେତେବେଳେ ସେ ଏଯାଏ ସମାଲୋଚନା କରିଆସୁଥିବା ଏକ ଫାସିଷ୍ଟ ଦଳର ଟୋପି ପିନ୍ଧିଲେ ତାପରେ ମଧ୍ୟ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ତାଙ୍କ ଗେରୁଆ ଗାମୁଛାକୁ ଆମ୍ବେଦକରଙ୍କ ପାଠ, ବୋଧେ ଆମ ସମୟର ସବୁଠୁ ବଡ ଛଳନା। ନିଜ ରାଜନୈତିକ ଅଭିଳାଷ ଲାଗି ଆପଣ କିଛି ବି ଟୋପି ପିନ୍ଧନ୍ତୁ, କିନ୍ତୁ ସେଥିରେ ବିଚାର ଓ ଆଦର୍ଶକୁ ଲଜ୍ଜିତ କରନ୍ତୁ ନାଇଁ।

ଅର୍ଜୁନ ଚରଣ ସେଠି ସେ ଦୃଷ୍ଟିରୁ ସଚ୍ଚୋଟ। ସେ ଖୋଲାଖୋଲି କହିଲେ ପୁଅ ଟିକଟ ଲାଗି ସେ ବିଜେପିକୁ ଆସିଛନ୍ତି। ଅନ୍ତତଃ ମୋହନ ଜେନାଙ୍କ ପରି ଛଳନା କରି ନାହାନ୍ତି। ମିଛରେ ଦଳିତ କାର୍ଡ ଖେଳିବାକୁ ଚାହିଁ ନାହାନ୍ତି। କ୍ଷମତାରେ ଥିଲାବେଳେ ମୋହନ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯେତେବେଳେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଲା ସେତେବେଳେ ସେ ଏହାର ନିନ୍ଦା କରିବାକୁ ମଧ୍ୟ ସାହସ ପାଇନଥିଲେ। ଅଥଚ ସେ ଆଜି ଦଳିତ ପ୍ରସଙ୍ଗ ଉଠାଇ ବିଜେପିରେ ମିଶୁଛନ୍ତି। ଛଳନା ର ବି ଗୋଟେ ସୀମା ଥାଏ।

ତେବେ ଅନ୍ତିମ ପ୍ରଶ୍ନ ଟି ହେଉଛି ଦଳ ଛାଡୁଥିବା ଲୋକେ ଅନ୍ତିମ ମୁହୂର୍ତ୍ତରେ ନୂଆ ଦଳକୁ ଗଲେ କିଛି ଲାଭ ପାଇବେ କି ? ଏହାର ସିଧା ଉତ୍ତର ହେଉଛି ଏମାନେ ଏ କୂଳର ହେବେନି କି ସେ କୂଳର ମଧ୍ୟ ହେବେନି !

 

( ଫଟାଫଟ ଖବର ପଢିବା ପାଇଁ ମୋବାଇଲ  ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ୍ କରନ୍ତୁ  Sankhipta ଆପ୍ । ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର… )

 

Categories
ବିଶେଷ ଖବର

ଗଣ୍ଡଗୋଳିଆ ପୀତାମ୍ବର ଆଚାର୍ଯ୍ୟ, କିଏ ନିଆଁ, କିଏ କାହା ସାଙ୍ଗରେ ଖେଳୁଛି ଓ କେଉଁଥି ପାଇଁ ଏ ଅମାନବୀୟ ନାଟକ ?

କେଦାର ମିଶ୍ର

 

  • ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ।
  • ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ……….
  • ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ।
  • ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି?
  • ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି?
  • ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି।
  • ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। ,
  • ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି?

ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ ମୁଖପାତ୍ର ଓ ହିଂଜିଳି ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ। ସେ ଜଣେ ନାମୀ ଓକିଲ ଭାବରେ ମଧ୍ୟ ଜଣାଶୁଣା। ପୀତାମ୍ବର ବାବୁଙ୍କ ଏ ଭିଡିଓଟିକିକୁ ସେ ନିଜେ ତାଙ୍କ ଫେସବୁକ ପୋଷ୍ଟ ରେ ଛାଡିଛନ୍ତି। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪.୨୪ ଘଣ୍ଟାରେ ଛଡ଼ାଯାଇଥିବା ଏ ଭିଡିଓ ଅଗ୍ରଲେଖରେ ପିତାମ୍ବର ଯାହା ଲେଖିଛନ୍ତି, ଭିଡିଓ ରେ ତାର ବିପରୀତ କଥା ଦେଖା ଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଅଯଥାରେ ଅଟକାଇ ଜେରା କଲା, କିନ୍ତୁ ପ୍ରମାଣ ଜଳ ଜଳ ହୋଇ ଦିଶୁଛି ଯେ ଆଚାର୍ଯ୍ୟ ମହାଶୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଜେରା କରୁଛନ୍ତି। ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି।

ଜଣେ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ତାଙ୍କୁ ଖୋଲାଖୋଲି ଶ୍ରୀ ଆଚାର୍ଯ୍ୟ କହୁଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତ ପୋଲିସ। ଜଣେ ସାଧାରଣ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟଙ୍କୁ ଶାସକ ଦଳର ଅନୁଗତ ବୋଲି କହି ଶ୍ରୀ ଆଚାର୍ୟ ଯାବତୀୟ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଗାଡିରେ ରାଜାଙ୍କ ପରି ବସି ବିନମ୍ରତାର ସହ କଥାବାର୍ତ୍ତା କରୁଥିବା ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଅତି କଦର୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ନିଜେ ବଡ ଓକିଲ ବୋଲି ଦେଖେଇ ହେବା ସହିତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ହେୟ ଓ ତୁଚ୍ଛ ବ୍ୟବହାର ଦେଖାଇଛନ୍ତି। ତାଙ୍କର ପ୍ରତି କଥାରେ ଅହଂକାର ଓ ଧମକ ବାରି ହୋଇପଡୁଛି। ଗୋଟେ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ବୋଧହୁଏ ଭାବୁଛନ୍ତି, ତାଙ୍କୁ ଭଗବାନ ଭାବେ ସମସ୍ତେ ମାନିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢୁଥିବାରୁ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିବାର ପିଲାଳିଆମୀ ତାଙ୍କ କଥାରୁ ବାରି ହୋଇ ଦିଶୁଛି।

ସମୁଦାୟ ଭିଡିଓଟିକୁ ଦେଖିଲେ ମନେ ହେଉଛି, ସତେକି ପୀତାମ୍ବର ଆଚାର୍ଯ୍ୟ ନାମକ ବ୍ୟକ୍ତିଟି ସର୍ବ ଶକ୍ତିମାନ ଓ ତାଙ୍କୁ ଅଟକ ରଖିବାର ସାହସ କରୁଥିବା ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନଗଣ୍ୟ ଜୀବ ମାତ୍ର। ଛୋଟ ଚାକିରି କରୁଥିବାରୁ ଓ ନିଷ୍ଠାପର ଭାବରେ ସରକାରୀ କାମ କରୁଥିବାରୁ ସେମାନଙ୍କର ପ୍ରାପ୍ୟ ହେଉଛି ନେତାଙ୍କ ପାଖରୁ ଗାଳି। ଗାଳି କରି, ଅପମାନ ଦେଇ ଓ ହିଂସାତ୍ମକ ଧମକ ଦେଇ ଶ୍ରୀ ଆଚାର୍ଯ୍ୟ ନିଜକୁ “ବେଚାରା” ବୋଲି ଦେଖେଇହେବାର ପ୍ରୟାସ କରିଛନ୍ତି। ପୋଲିସ ଜୁଲମର କଥା ସେ ଲେଖିଛନ୍ତି, ହେଲେ ତାହାର କୌଣସି ପ୍ରମାଣ ନାଇଁ । ଓଲଟି ସେ ପୋଲିସ ଉପରେ ଜୁଲମ କରୁଛନ୍ତି। ନିଜ ବଡ ଓକିଲ ହେବାର ଅହଂକାର ଦେଖାଇ ପୋଲିସକୁ ଡରାଇବାର ଉଦ୍ୟମ କରୁଛନ୍ତି। ଆଇନ ର ପରିସର ବାହାରକୁ ଯାଇ ଦାୟିତ୍ଵରତ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ପ୍ରକାର ବ୍ୟକ୍ତିଙ୍କ ବିରୋଧରେ ନିର୍ବାଚନ କମିଶନ ମକଦ୍ଦମା କରିବା ଉଚିତ। ଏଯାଏ କିନ୍ତୁ ନିର୍ବାଚନ କମିଶନଙ୍କ ନଜରକୁ ଏକଥା ଆସିନାହିଁ।

ତେବେ ପୀତାମ୍ବର ଆଚାର୍ଯ୍ୟଙ୍କ ଏ ପ୍ରକାର ଆଚରଣର କାରଣ କଣ? ମନସ୍ତତ୍ତ୍ଵରେ ଏହାକୁ ଦୁର୍ବଳର ଆକ୍ରମକତା କୁହାଯାଏ। ସେ ପରାଜୟର ଭୟରେ ଏତେଦୂର ପ୍ରଭାବିତ ଯେ, ନିଜ ଭୟକୁ ଚାପିବା ଲାଗି ସେ ଅଧିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଏଠି ଶ୍ରୀ ଆଚାର୍ୟ ଗୋଟେ ଭୟାଳୁ ପିଲା ଭଳି ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୁହଁରେ “ମୁଁ ନିଆଁ, ମୋ ସାଙ୍ଗେ ଖେଳ ନା” ଭଳି ଧମକପୂର୍ଣ୍ଣ ଧାଡି ପଛରେ ପ୍ରକାଣ୍ଡ ଭୟ ବାରି ହୋଇ ପଡୁଛି। ତାଙ୍କୁ କଟକ ଟିକଟ ନଦେଇ ବିଜେପି ନେତାଏ ତାଙ୍କୁ ଯେ ହିଂଜିଳି ପଠାଇ ଅପଦସ୍ତ କରିଛନ୍ତି, ସେ ହତାଶା ମଧ୍ୟ ତାଙ୍କ କଥାରୁ ବେଶ ଜଣା ପଡିଯାଉଛି। ସେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ଅଥଚ ତାଙ୍କ ସାଙ୍ଗରେ ଜଣେ ବି କର୍ମୀ ବା ନେତା ଦୃଶ୍ୟମାନ ହେଉନାହାନ୍ତି। ହିଞ୍ଜିଳୀରେ ଏକଲା ତାଙ୍କୁ ଛାଡି ଦେଇଥିବା ବିଜେପି ନେତାଙ୍କ ପ୍ରତି ପୀତାମ୍ବରଙ୍କ ରାଗ ପରୋକ୍ଷ ଭାବରେ ସରକାରୀ କର୍ମଚାରୀଙ୍କ ଉପରେ ପଡୁଥାଇପାରେ!

ତେବେ ଏହାର କାରଣ ଯାହା ବି ହେଉ, ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଓ ସେମାନଙ୍କୁ ଅପବ୍ୟବହାର କରିଥିବାରୁ ଶ୍ରୀ ଆଚାର୍ୟଙ୍କ  ବିରୋଧରେ କାର୍ୟାନୁଷ୍ଠାନ ନିହାତି ହେବା ଉଚିତ। ଏ ପ୍ରକାର ଆଚରଣ ଯେ ଜଣେ ରାଜନେତାଙ୍କ ପାଇଁ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଏହା ମଧ୍ୟ ଶ୍ରୀ ଆଚାର୍ୟ ଜାଣିବା ଦରକାର।

Categories
ଆଜିର ଖବର

ହାର୍ଦ୍ଦିକଙ୍କୁ ଝଟ୍‌କା : ଲଢିପାରିବେନି ନିର୍ବାଚନ

ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍‌ କରିବା ପାଇଁ ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢ଼ିବା ନେଇ ହାର୍ଦ୍ଦିକଙ୍କ ଉପରେ ଏବେ ରୋକ ଲଗାଯାଇଛି। କିଛି ଦିନ ତଳେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସେ ଗୁଜୁରାଟର ଜାମନଗରରୁ ନିର୍ବାଚନ ଲଢ଼ିଥାନ୍ତେ।   ଭାରତୀୟ ସମ୍ବିଧାନର ଧାରା ୧୯୫୧ ଅନୁଯାୟୀ ହାର୍ଦ୍ଦିକ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ୨୦୧୫ ମେହସାଣାର ବିସନଗରରେ ଦଙ୍ଗା ଉସକାଇବା ମାମଲାରେ ହାଇକୋର୍ଟ ତାଙ୍କୁ ୨ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୧୨ ମାର୍ଚ୍ଚ ୨୦୧୯ରେ ହାର୍ଦ୍ଦିକ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର

ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ପ୍ରାର୍ଥୀ ହେବାକୁ ଆଗ୍ରହୀ, ଚିଲିକାରୁ ପ୍ରାର୍ଥୀ ପାଇଁ ସୁପ୍ରିମୋଙ୍କ ପାଖରେ କଲେ ଗୁହାରୀ

ସମୀକ୍ଷା ବ୍ୟୁରୋ

ଅଭିନେତାରୁ ନେତା ଆଉ ନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ରହ୍ମପୁର ଟିକେଟ କଟିବା ପରେ ସେ ବିଧାନସଭା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସିଦ୍ଧାନ୍ତ ନିଜର ଇଚ୍ଛାକୁ ଦଳର ସୁପ୍ରିମେ଼ୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଣାଇଛନ୍ତି। ବିଜେଡିର ଭିତିରଆ ଖବର ଅନୁସାରେ ସିଦ୍ଧାନ୍ତ କୁଆଡେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଚାହିଁଛନ୍ତି। ସିଦ୍ଧାନ୍ତଙ୍କ ଯୁକ୍ତି ହେଲା ଯେ, ସେ ଚିଲିକା ନିର୍ବାଚନ ମଣ୍ଡଳୀ ସହିତ ବହୁ ବର୍ଷ ଧରି ସଂପର୍କରେ ଅଛନ୍ତି। ତାଙ୍କର ବାପା ଡାକ୍ତର ମନମୋହନ ମହାପାତ୍ର ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାମୁଁ ଘର ମଧ୍ୟ ବାଲୁଗାଁ। ସେଥିପାଇଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ କୌଣସି ସିଦ୍ଧାନ୍ତରେ ପହଁଚି ନାହାଁନ୍ତି।

ସିଦ୍ଧାନ୍ତ ଏଥର ମଧ୍ୟ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିଲେ। ହେଲେ ଗଂଜାମ ରାଜନୈତିକ କନ୍ଦଳ ଭିତରେ ତାଙ୍କର ଟିକେଟ କଟିଗଲା। ୨୦୦୯ ମସିହାରେ ଯେତେବେଳେ ବିଜେଡି ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଟିକେଟ ଦେଇଥିଲା, ସେତେବେଳେ ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ ଥିଲା। କାରଣ ସେତେବେଳେ ତତକାଳୀନ କେନ୍ଦ୍ର ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ସେ ଟକ୍କର ଦେଇଥିଲେ। ଚନ୍ଦ୍ରଶେଖରଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ସିଦ୍ଧାନ୍ତ ହରାଇବା ଏକ ବଡ ଉଦାହରଣ ସୃଷ୍ଟି ହୋଇଥିଲା। ଏହାପରେ ନବୀନ ୨୦୧୪ରେ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲେ। ହେଲେ ଏଥର ଟିକେଟ ନ ମିଳିବାରୁ ନିରାଶ ସିଦ୍ଧାନ୍ତ ନିର୍ବାଚନ ମଇଦାରୁ ନ ହଟିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି।

ତେବେ ଦଳ ପୂର୍ବରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମନୋନିତ କରିଥିଲା। ସେଥିପାଇଁ ଦଳୀୟ ସୁପ୍ରିମୋ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ଏ ସଂପର୍କରେ ତାଙ୍କର ମତ ମଧ୍ୟ ନେଇଥିଲେ। ସୁପ୍ରିମୋ କହିଥିଲେ ଯେ, ତୁମକୁ ଆଉ ଭୁବନେଶ୍ବର ଆସନ ଦିଆଯିବ ନାହିଁ। ତୁମେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୁଅ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ରାପଡା ଯିବାକୁ ମନା କରିଥିଲେ। ଏହାପରେ ପୁଣି ଥରେ ସୁପ୍ରିମୋ ତାଙ୍କୁ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ କହିଥିଲେ। ହେଲେ ସେ ରୋକଠୋକ ମନାକରି କହିଥିଲେ ଯେ, ଭୁବନେଶ୍ବର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଲଢେଇ କରିବେ ନାହିଁ। ଅନ୍ୟପକ୍ଷରେ ଭଲ ଭାଷଣ ଦେଇପାରୁଥିବା ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ବାବା ପାଟ୍ଟଶାଣୀଙ୍କୁ ଦଳ ନିରାଶ କରିବାକୁ ଚାହୁଁ ନ ଥିଲା। ଏ ସବୁ ପ୍ରସ୍ତାବରେ ପାଟ୍ଟଶାଣୀ ରାଜି ନ ହେବାରୁ ତାଙ୍କୁ ଦଳ ରାଜ୍ୟସଭା ଥୋପ ଦେଇ ସନ୍ତୁଷ୍ଠ କରାଇ ଦେଇଛି। ନଚେତ ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ନିଷ୍ପତି ହୋଇଥିଲା।

ଅନ୍ୟପଟେ ଚିଲିକା ପାଇଁ ଆଉ ଜଣେ ବିଧାୟକ ମଧ୍ୟ ଆଖି ପକାଇଛନ୍ତି। ସେ ହେଉଛନ୍ତି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ। ପ୍ରଶାନ୍ତଙ୍କୁ ଏଥର ବେଗୁନିଆ ଟିକେଟ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ ହୋଇସାରିଲେଣି। ସେଥିପାଇଁ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ପ୍ରଶାନ୍ତ ସୁପ୍ରିମୋଙ୍କୁ ଜଣାଇଛନ୍ତି। ତାଙ୍କର ଦାବୀ ହେଲା ସେ ଏକଦା ଖୋର୍ଦ୍ଧାର ଜିଲ୍ଲା ସଭାପତି ଥିବା ବେଳେ ଚିଲିକା ସହିତ ଘନିଷ୍ଠ ସଂପର୍କରେ ଅଛନ୍ତି। ଅନ୍ୟପଟେ ଚିଲିକା ଏକ ଖଣ୍ଡାୟତ ବହୁଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେଠାରେ ଜଣେ ଖଣ୍ଡାୟତ ପ୍ରାର୍ଥୀର ଆବଶ୍ୟକତା ରହିଛି। ସେଥିପାଇଁ ସେ ମଧ୍ୟ ସୁପ୍ରିମୋଙ୍କୁ ଏହି ପ୍ରସ୍ତାବ ଦେଇଥିବାର ଜଣାପଡିଛି। ଏସବୁ ଭିତରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ କାହାକୁ କାଟିବ ସେ ନିଷ୍ପତି ନେଇପାରି ନାହିଁ।

 

Categories
ବିଶେଷ ଖବର

ବିଜେଡି ରେ ନବ କଳେବରର ସଙ୍କେତ ସ୍ପଷ୍ଟ, ଦଳ ଏବେ ତରୁଣ ଓ ନୂଆ ମୁହଁ ପ୍ରତି ବେଶୀ ଆସ୍ଥାବାନ

ସମୀକ୍ଷା ବ୍ୟୁରୋ

ତିନି ସପ୍ତାହ ତଳେ ସମୀକ୍ଷା ଡଟ କମ ରେ ଆମେ ଗୋଟେ ବିଶ୍ଳେଷଣ ପ୍ରସ୍ତୁତ କରିଥିଲୁ,ଯେଉଁଥିରେ ଆମେ ସ୍ପଷ୍ଟ କହିଥିଲୁ ଯେ “କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ଲୋକସଭା ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି।” ଆଜି ବିଜେଡ଼ିର ତୃତୀୟ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଆମର ଆକଳନ ଏକ ପ୍ରକାର ସତ୍ୟ ପ୍ରମାଣିତ ହୋଇଛି। ୨୧ ଟି ଲୋକସଭା ଆସନରୁ ୧୮ ଟି ପାଇଁ ବିଜେଡି ପ୍ରକାଶ କରିଥିବା ନାମ ଭିତରୁ ମାତ୍ର ତିନି ଜଣ ପୁରୁଣା ସାଂସଦଙ୍କୁ ଦଳ ଟିକଟ ଦେଇଛି। ପୁରୀ ରୁ ପିନାକୀ ମିଶ୍ର, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂ ଦେଓ ଏବଂ ବାଲେଶ୍ବରରୁ ରବୀନ୍ଦ୍ର ଜେନାଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ବାକି ୧୫ ଜଣ ପୂରା ନୂଆ ପ୍ରାର୍ଥୀ।

ଯେଉଁ ସାଂସଦମାନଙ୍କ ଟିକଟ କଟିଛି ତାଙ୍କ ଭିତରେ ବହୁ ଅଭିଜ୍ଞ ଓ ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଓ ଅଭିଜ୍ଞ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ଟିକଟ ଦିଆ ଯାଇନାହିଁ।  ବାକିଥିବା କଟକ ଆସନରେ ପୁଣିଥରେ ଭର୍ତ୍ତୃହରି ମହତାବ ଟିକଟ ପାଇପାରନ୍ତି, କିନ୍ତୁ କେଉଁଝର ଓ ଢେଙ୍କାନାଳ ଆସନରେ ନୂଆ ଲୋକଙ୍କୁ ବିଜେଡି ଟିକଟ ମିଳିବ। ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଥିବାରୁ ଏହି ତିନୋଟି ଆସନ ଭିତରୁ ଗୋଟିଏ ଆସନରୁ ମହିଳା ପ୍ରାର୍ଥୀ ହେବା ସୁନିଶ୍ଚିତ। ଲୋକସଭା ପ୍ରାର୍ଥୀ ଚୟନରେ ବିଜେଡି ପୂରାପୂରି ନୂଆ ମୁହଁକୁ ଗୁରୁତ୍ଵ ଦେଇଛି। ପୂର୍ବରୁ ରାଜନୀତି ସହ ଜଡିତ ନଥିବା ପ୍ରମିଳା ବିଶୋୟୀ, କୌଶଲ୍ୟା ହିକକା, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଏବେ ବିଜେଡ଼ିର ଲୋକସଭା ପ୍ରାର୍ଥୀ। ଅଶି ଭାଗରୁ ନୂଆ ପ୍ରାର୍ଥୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ “ଏକୋଇଶରୁ ଏକୋଇଶ” ଜିତିବାର ଲକ୍ଷ୍ୟ ଧାର୍ୟ କରିଛନ୍ତି ତାହା ଦଳ ପାଇଁ କିଛି କମ ବଡ ଆହ୍ଵାନ ନୁହେଁ।

ସବୁଠୁ ରୋଚକ ସ୍ଥିତି ବର୍ତ୍ତମାନ କେନ୍ଦ୍ରାପଡା ଆସନରେ ଦେଖିବାକୁ ମିଳିବ। ଏହି ଆସନରେ ବିଜେଡି ରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ତରଫରୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବରେ ଓଡିଆ ସିନେମାର ସୁପର ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ଟିକଟ ମିଳିଛି। ଅନୁଭବ ୨୦୧୪ରୁ ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ ମଧ୍ୟ ସିଧାସଳଖ ନିର୍ବାଚନ ଲଢିବାର ଅଭିଜ୍ଞତା ତାଙ୍କର ନାହିଁ। ଆଜି ମଧ୍ୟ ବିଜୁ ପଟ୍ଟନାୟକଙ୍କ ଦୁର୍ଗ ବୋଲି ବିବେଚିତ ହେଉଥିବା କେନ୍ଦ୍ରାପଡାରେ ଉଭୟ ବୈଜୟନ୍ତ ଓ ଅନୁଭବ ବିଜୁ ବାବୁଙ୍କ ନାଁରେ ହିଁ ଭୋଟ ମାଗିବେ। କେନ୍ଦ୍ରାପଡା ଏବେ ବୈଜୟନ୍ତଙ୍କ ଅସ୍ତିତ୍ଵର ପ୍ରଶ୍ନ ହୋଇଥିବା ବେଳେ ଏହା ବିଜୁ ଜନତା ଦଳର ଅସ୍ମିତାର ପ୍ରଶ୍ନ ପାଲଟି ଯାଇଛି। ପରୋକ୍ଷ ଭାବରେ କେନ୍ଦ୍ରାପଡା ଜିତିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ତେଣୁ କେନ୍ଦ୍ରାପଡା ଲଢେଇ ଉପରେ ଏବେ ସାରା ରାଜ୍ୟର ଆଖି ରହିବ।

ଗତ ନିର୍ବାଚନରେ କେନ୍ଦ୍ରାପଡାରୁ ବିଜେଡି ଲୋକସଭା ସାଂସଦ ଭାବେ ବୈଜୟନ୍ତ ପଣ୍ଡା ଜିତିଥିଲେ। ତେବେ ସାତୋଟି ବିଧାନସଭା କ୍ଷେତ୍ରରୁ ତିନୋଟିରେ କଂଗ୍ରେସ ଜିତିବାର ଏକ ବିରଳ ରେକର୍ଡ ମଧ୍ୟ ଏହା ସହିତ ସୃଷ୍ଟି ହୋଇଥିଲା। ଆଳି, ରାଜନଗର ଓ ସାଲେପୁର ବିଧାନସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିବା ବେଳେ ମହାକାଳପଡା, ପାଟକୁରା, କେନ୍ଦ୍ରାପଡା ଓ ମାହାଙ୍ଗା ଆସନରୁ ବିଜେଡି ଜିତିଥିଲା। ଆଜି ଲୋକସଭା ପ୍ରାର୍ଥୀଙ୍କ ସହିତ ପାଞ୍ଚୋଟି ବିଧାନସଭା କ୍ଷେତ୍ର ଲାଗି ବିଜେଡି ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପାଞ୍ଚୋଟି ଯାକ ଆସନରେ ଅଭିଜ୍ଞ ଓ ପୁରୁଣା ଲୋକଙ୍କୁ ଟିକଟ ମିଳିଛି। ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ସାଲେପୁରରୁ ପ୍ରଶାନ୍ତ ବେହେରା, ଆଳୀରୁ ପ୍ରତାପ ଦେବ ଓ ମାହାଙ୍ଗାରୁ ପ୍ରତାପ ଜେନାଙ୍କୁ ଟିକଟ ମିଳିଛି। କେନ୍ଦ୍ରାପଡା ଓ ରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି। ପୁରୁଣା ନେତାଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ ରହିଛି ବୋଲି ବିଜେପି ଅଭିଯୋଗ ଆଣୁଛି। ବୈଜୟନ୍ତ ବିଜେପିକୁ ଆସିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଛି ବୋଲି ଏକ ସାଧାରଣ ଧାରଣା ସୃଷ୍ଟି ହୋଇଛି। ତେବେ ୨୦୧୪ ନିର୍ବାଚନରେ ଏଠାରୁ ବିଜେଡ଼ିର ପ୍ରାର୍ଥୀ ବୈଜୟନ୍ତ ୬,୦୧,୫୭୪ (୫୨.୭୨%) ଭୋଟ ପାଇଥିବାବେଳେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩,୯୨,୪୬୬ (୩୪.୪%) ଭୋଟ ପାଇଥିଲେ। ସେଠି ବିଜେପି ର ଭୋଟ ସଂଖ୍ୟା ଥିଲା ୧,୧୮,୭୦୭ (୧୦.୪%) । ବୈଜୟନ୍ତ ବିଜେପିକୁ ଆସିବା ପରେ ତାଙ୍କ ସହିତ ବିଜେଡ଼ିରୁ କେତେ ଭୋଟ ଆସୁଛି, ତାହା ଦେଖିବା ବାକି ରହିଲା।

ତେବେ କଂଗ୍ରେସ ଓ ବିଜେପି ତୁଳନାରେ ବିଜେଡି ଅଧିକରୁ ଅଧିକ ନୂଆ ମୁହଁଙ୍କୁ ଏବେ ରାଜନୀତିରେ ସୁଯୋଗ ଦେଉଛି। ରାଜନୀତିରେ ଏହାକୁ “ରିସ୍କ ଫେକ୍ଟର” ବୋଲି କୁହା ଯାଇପାରେ।

Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।