Categories
ଆଜିର ଖବର

ଏଥର ସାଂସଦ ନୁହେଁ, ବିଧାୟକ ଭାବେ ଲଢିବେ ବାବା ପ୍ରସନ୍ନ ପାଟ୍ଟଶାଣୀ, କେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବ ପଢନ୍ତୁ ଏହି ଖବର

ଏଥର ବାବା ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନୁହେଁ , ବିଧାୟକ ଭାବେ ଲଢେଇ କରିବେ। ବାବାଙ୍କୁ ନବୀନ ନିବାସ ଡକାଯାଇ ରୋକଠୋକ ଭାବେ ବିଧାୟକ ପ୍ରାର୍ଥୀ ହେବା ପାଇଁ କୁହାଯାଇଛି। ବାବାଙ୍କ ଜନ୍ମସ୍ଥାନ ଚିଲିକାରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ନବୀନ ନିବାସ ତରଫରୁ ଜଣାଇ ଦିଆଯାଇଛି। ସେଠାରେ ଗତଥର ବିଜେଡି ପ୍ରାର୍ଥୀ ହୋଇଥିବା ରଘୁ ସାହୁଙ୍କୁ ଏଥର ଟିକେଟ ଦିଆଯିବ ନାହିଁ। କାରଣ ବିଜେଡିର ରିପୋର୍ଟ ଅନୁସାରେ ଚିଲିକାରେ ରଘୁ ସାହୁଙ୍କ ପତିଆରା ଥିଲେ ମଧ୍ୟ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଗତ ନିର୍ବାଚନରେ ସେ ବହୁ କମ ଭୋଟରେ ହାରିଥିଲେ ମଧ୍ୟ ଏଥର ସେପରି ସ୍ଥିତି ନାହିଁ ବୋଲି ବିଜେଡି ଅନୁଭବ କରିସାରିଛି। ବର୍ତ୍ତମାନ ଚିଲିକାରେ ପୃଥୀରାଜ ହରିଚନ୍ଦନଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ରଘୁ ସାହୁ ତାଙ୍କୁ ଟକ୍କର ଦେଇପାରିବେ କି ନାହିଁ ତାହା ମଧ୍ୟ ବିଜେଡିର ସନ୍ଦେହ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଦଳ ନୂଆ କାହାକୁ ଛିଡା କରିବା ପାଇଁ ନିଷ୍ପତି କରିଛି। କାରଣ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଯେପରି ପ୍ରଚାର କରୁଛନ୍ତି ତାହା ବିଜେଡିର ଚିନ୍ତା ବଢାଇ ଦେଇଛି। ବିଭିନ୍ନ ରିପୋର୍ଟକୁ ଆଧାର କରି ଦଳ ବର୍ତ୍ତମାନ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରେ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି।

Categories
ବିଶେଷ ଖବର

ବିଜେପି ଭିତରେ ଆଉରଙ୍ଗଜେବ ଓ ବିଶ୍ଵାସଘାତକତାର ମହାନାଟକ; ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଆଭ୍ୟନ୍ତରୀଣ କନ୍ଦଳ

କେଦାର ମିଶ୍ର

“ଗୋଟେ କ୍ୟାଡର ଭିତ୍ତିକ ଦଳ”, “ଭିନ୍ନ ମତାଦର୍ଶର ଦଳ”…ଏମିତି କିଛି ବିଶେଷ ବିଶେଷଣ ସବୁବେଳେ ଭାରତୀୟ ଜନତା ପାର୍ଟି ଆଗରେ ଲଗାଇବାକୁ ଏହାର କର୍ମୀମାନେ ଭଲ ପାଆନ୍ତି। ଯାବତୀୟ ବୈଚାରିକ ମତଭେଦ ସତ୍ତ୍ୱେ ଏହି ଦଳର ସବୁଠୁ ବଡ ବିରୋଧୀ ମଧ୍ୟ ମାନିଥାନ୍ତି ଯେ ବିଜେପିରେ ଥିବା କର୍ମୀମାନେ ନିଜ ଦଳ ପ୍ରତି ଓ ଦଳର ବିଚାର ପ୍ରତି ଅନ୍ଧ ଭାବରେ ଅନୁରକ୍ତ। ହେଲେ ଏଇ ଅନ୍ଧ ଅନୁରକ୍ତିରୁ ସେମାନଙ୍କୁ ମିଳେ କଣ? ବିଜେପି ଆଜି ନିଜ କ୍ୟାଡର ପ୍ରତି ଅନୁରକ୍ତ କି? ଓଡିଶାର ସାଧାରଣ ନିର୍ବାଚନରେ ଦଳ ଯେଉଁ ପ୍ରକାର ଟିକଟ ଆବଣ୍ଟନ କରିଛି ତାକୁ ଦେଖି ଯେ କେହି ବି କହିବ ଯେ ଏ ଦଳ ନିଜର ଅନୁରକ୍ତ କର୍ମୀଙ୍କ ତୁଳନାରେ “ଉଡାପକ୍ଷୀ” ମାନଙ୍କ ଉପରେ ବେଶୀ ନିର୍ଭରଶୀଳ। ଏହି ଦଳରେ ଯୋଗଦାନ କରିବାର ଦୁଇ ଘଣ୍ଟା ଭିତରେ ଜଣେ ବ୍ୟକ୍ତିକୁ ଲୋକସଭା ଲଢିବାକୁ ଟିକଟ ଦିଆ ଯାଇପାରେ, ହେଲେ ଦଳ ପ୍ରତି ସମର୍ପିତ କର୍ମୀମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଦଳ ଭିତରେ ଅଲୋଡା ହୋଇ ପଡିରହନ୍ତି।

ଏହାର ଦୁଇଟି ଉଦାହରଣ ହେଉଛନ୍ତି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ସୁବାସ ଚୌହାନ ଓ ସଦ୍ୟ ଦଳ ଛାଡିଥିବା ଦଳର ଉପ ସଭାପତି ରାଜକିଶୋର ଦାସ। ଏ ଦୁହେଁ ଓଡିଶାର ବିଜେପିରେ ଗତ ତିରିଶ ବର୍ଷ ଧରି କାମ କରିଛନ୍ତି। ଯେତେବେଳେ ବିଜେପି ପ୍ରତି ଓଡିଶାରେ କୌଣସି ସମର୍ଥନ ନଥିଲା ଏଇ ନେତାମାନେ ଦଳରେ ପଡିରହି ଦଳକୁ ଆଗକୁ ବଢାଇବାରେ ସହଯୋଗ କରିଛନ୍ତି। ହେଲେ ଟିକଟ ଦେଲାବେଳକୁ ଏମାନଙ୍କ ନାଁକୁ ବିଚାର କରାଯାଏ ନାହିଁ। ବିଜେପିରେ ଯୋଗଦାନ କରିବାର ମାତ୍ର କେଇ ଘଣ୍ଟା ଭିତରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ଵାଇଁଙ୍କୁ ଟିକଟ ମିଳିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମାତ୍ର ଏଗାର ହଜାର ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ଟିକଟ ଦେବାରୁ ବଞ୍ଚିତ କରିଛି।

ବରଗଡ ଲୋକସଭା ପାଇଁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସୁବାସ ଚୌହାନ ତାଙ୍କର ଫେସବୁକ ୱାଲ ରେ ଏକ ପୋଷ୍ଟିଂ ଦେଇ ଲେଖିଛନ୍ତି-  “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି। ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ। ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି। ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଅପମାନର ସୀମା ଟପିଗଲା। ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।”

ସୁବାସ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସବୁଠୁ ଅଧିକ ବିତର୍କର ଆବଶ୍ୟକତା ରଖେ। ବିଜେପିର ରାଜ୍ୟ ମାମଲାରେ ନିଜକୁ ଅଘୋଷିତ ମୁଖିଆ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟେଲିଭିଜନ ବୁମ  ଆଗରେ ନିଜର ବାହାଦୁରି ଦେଖାଉଥିବାବେଳେ ରାଜ୍ୟ ସଙ୍ଗଠନରେ ତାଙ୍କର ଗ୍ରହଣୀୟତା ନାହିଁ। ଧର୍ମେନ୍ଦ୍ର ସତରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି ପାରିବେ କି ? ନବୀନଙ୍କ ବିରୋଧରେ ଲଢିବା ବଡକଥା, ଧର୍ମେନ୍ଦ୍ର ଓଡିଶାରୁ ଲୋକସଭା ବା ବିଧାନସଭା ଲାଗି ଲଢିବାର ସତସାହସ ଦେଖାଇପାରିଛନ୍ତି କି ? କେବଳ ଦଳୀୟ ସଙ୍ଗଠନରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କୁ ଧରି ବିଜୁ ଜନତା ଦଳର ବିକଳ୍ପ ହେବାକୁ ଧର୍ମେନ୍ଦ୍ର ବାବୁ ଯେଉଁ ଦିବାସ୍ଵପ୍ନ ଦେଖୁଛନ୍ତି ତାହାରି ଉପରେ ସୁବାସ ଚୌହାନ କଡା ପ୍ରହାର କରିଛନ୍ତି।

ତାଙ୍କଠୁ ପାଦେ ଆଗକୁ ଯାଇ ରାଜକିଶୋର ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆଉରଙ୍ଗଜେବ। ନିଜ ଅହଂକାର ଲାଗି ସେ ଦଳ ଭିତରେ ଥିବା ନିଜ ଭାଇମାନଙ୍କୁ ହତ୍ୟା କରିପାରିବେ ବୋଲି ରାଜକିଶୋର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ବିଜେପିର ଜଣେ ପୁରୁଣା କର୍ମୀ କହନ୍ତି- ଦଳ ଏବେ କଂଗ୍ରେସ ରାସ୍ତାରେ ଚାଲିବା ଆରମ୍ଭ କରିଛି। ମତ, ବିଚାର ଓ ଆଦର୍ଶ ବୋଲି ବିଜେପିରେ ଆଉ କିଛି ନାହିଁ।

ବିଜେପି ଓ ସଙ୍ଘକର୍ମୀଙ୍କ କ୍ଷୋଭ ଏବେ ଚରମ ସୀମାରେ ପହଞ୍ଚିଛି। ଓଡିଶା ରାଜନୀତିରେ ୧୯ ବର୍ଷର ବିଜେଡି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାର ମିଶନରେ ବାହାରିଥିବା ବିଜେପି ଏବେ ନିଜ ଦଳ ଭିତରେ ବିଭୀଷଣ ଓ ଆଉରଙ୍ଗଜେବମାନଙ୍କ ସହ ଲଢେଇ ରେ ନିଜର ସବୁ ସମୟ ଓ ଶକ୍ତି ସାରୁଛି।

Categories
ଆଜିର ଖବର

ନିର୍ବାଚନ ଲଢିବାକୁ ମନା କଲେ ସୁବାସ : ବିଜେପିରୁ ଧର୍ମେନ୍ଦ୍ରଙ୍କୁ ଲଢିବାକୁ ଦେଲେ ପରାମର୍ଶ

ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି।  ସୁବାସ ଚୌହାନ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।

Categories
ବିଶେଷ ଖବର

ଦଳବଦଳ ରାଜନୀତି : ଟିକଟ ବଣ୍ଟନକୁ ନେଇ ନିଜ ଜାଲରେ ନିଜେ ଫସିଲା ଓଡିଶା ବିଜେପି

କେଦାର ମିଶ୍ର

ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ ଦିନ ଧରି ତାଲା ପଡିବା ପରେ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ କାର୍ୟାଳୟ ସବୁକୁ ବିଜେପି କର୍ମୀମାନେ ପୋଡି ଦେଇଛନ୍ତି। ଦଳର ବହୁ ପୁରୁଖା ନେତା ଏବେ ଦଳ ଛାଡି ଚାଲି ଯାଉଛନ୍ତି। ତେବେ ଏହି ଘଟଣା ଲାଗି ବିଜେପି ଅନ୍ୟ କାହାକୁ ଦାୟୀ କରିବା ଅପେକ୍ଷା ନିଜର ଆତ୍ମା ସମୀକ୍ଷା କରିବା ଜରୁରୀ। ଦଳ ନିଜ ଦମ୍ଭରେ ନିର୍ବାଚନ ନ ଲଢି ଅନ୍ୟ ଦଳର ଆମଦାନୀ କରା ନେତାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇ ପଡିଛି ଯେ, ଗୋଟେ ଗୋଟେ ଲୋକସଭା କ୍ଷେତ୍ରରେ ବିଜେପିର ଜଣେ ବି ପୁରୁଣା ନେତା ବା କର୍ମୀ ଟିକଟ ପାଇନାହାନ୍ତି। ଯାଜପୁରର ସାତୋଟିଯାକ ନିର୍ବାଚନମଣ୍ଡଳୀରେ ବିଜେପି ବିଜେଡ଼ିରୁ ବହିଷ୍କୃତ ନେତାମାନଙ୍କୁ ଟିକଟ ଦେଇଛି। ଏହା ସ୍ଵାଭାବିକ ଭାବରେ ବିଜେପିର ପୁରୁଣା କର୍ମୀଙ୍କୁ କ୍ଷୁବ୍ଧ କରିଛି। ଆଜି ମଧ୍ୟ ବିଜେପି ରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କ ଲମ୍ବା ଧାଡି ଲାଗିଛି ଓ ଏହି ନେତାମାନେ ହିଁ ବିଜେପିକୁ ଓଡିଶାରେ ତଳି ତଳାନ୍ତ କରିଦେବେ ବୋଲି ବିଜେପି କର୍ମୀମାନେ କ୍ରୋଧର ସହିତ କହୁଛନ୍ତି।

ବାସ୍ତବ ଦୃଷ୍ଟିରୁ ଦେଖିଲେ ବିଜୁ ଜନତା ଦଳକୁ ଅସୁବିଧାରେ ପକାଇବାକୁ ଯାଇ ବିଜେପି ବିଜେଡ଼ିର ଅସନ୍ତୁଷ୍ଟ ନେତାଙ୍କୁ ଡାକି ବଡ ଚୌକି ସବୁ ଯାଚି ଦେଉଛି। ବିଜେଡି ନିଜର ପ୍ରାୟ ସବୁ ଲୋକସଭା ପ୍ରାର୍ଥୀଙ୍କୁ ଟିକଟ ନଦେବାର ନିଷ୍ପତ୍ତି ନେଲାବେଳେ ଏକଥା ନିଶ୍ଚୟ ଜାଣିଥିଲା ଯେ, ଏହି ଅସନ୍ତୁଷ୍ଟମାନେ କଂଗ୍ରେସ କିମ୍ବା ବିଜେପିର ଶରଣାପନ୍ନ ହେବେ। କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାରୁ ଅଧିକାଂଶ ଅସନ୍ତୁଷ୍ଟ ବିଜେଡି ନେତା ବିଜେପି ମୁହାଁ ହେବା ସ୍ଵାଭାବିକ। ଦଳ ଭିତରେ ଅସନ୍ତୁଷ୍ଟ ହୋଇ ଅନ୍ତର୍ଘାତି କାର୍ୟ କରିବା ଅପେକ୍ଷା ଏହି ନେତାମାନେ ବିଜେଡ଼ିର ସ୍ଵାର୍ଥ ଲାଗି ବିଜେପିରେ ଯୋଗଦେବା ବିଜେଡ଼ିର ସ୍ଵାର୍ଥ ପାଇଁ ନିହାତି ଜରୁରୀ ଥିଲା। ସତ କହିବାକୁ ଗଲେ, ବିଜେପି ନିଜ ଅଜାଣତରେ ବିଜେଡି ବିଛାଇଥିବା ଜାଲରେ ଆପେ ଆପେ ପଡିଗଲା। ବିଜେଡ଼ିରୁ ଆସିଥିବା ଅସନ୍ତୁଷ୍ଟ ଓ ପ୍ରତ୍ୟାଖ୍ୟାତମାନେ ଏବେ ବିଜେପିର ନିଜ ଘରକୁ ଉଜାଡି ଦେବା ଆରମ୍ଭ କରିଛନ୍ତି।

ଗୋଟେ ପକ୍ଷରେ ବିଜେଡ଼ିର ଆମଦାନିକରା ନେତାମାନେ ବିଜେପିର ଦୁର୍ଗ ଭାଙ୍ଗୁଥିବା ବେଳେ, ଦଳ ଭିତରେ ପୁରୁଣା ନେତାଙ୍କ ମଧ୍ୟରେ ଅହଂକାର ଯୁଦ୍ଧ ପ୍ରବଳ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ପୂରା ପଶ୍ଚିମ ଓଡିଶାର ବିଜେପି ସଂଗଠନ ଆଜି ସଙ୍କଟରେ ପଡି ଯାଇଛି। ସମ୍ବଲପୁର ର ଟାଣୁଆ ବିଜେପି ନେତା ସୁରେଶ ପୂଜାରୀଙ୍କୁ ସମ୍ବଲପୁର ବଦଳରେ ବରଗଡ ଲୋକସଭା ଆସନରୁ ଲଢିବାକୁ ବାଧ୍ୟ କରାଯାଇଛି। ବରଗଡରେ ଗତ ସାଧାରଣ ନିର୍ବାଚନ ଲଢି ସେଠାକାର ଟାଣୁଆ ନେତା ତଥା ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁବାସ ଚୌହାନ ମାତ୍ର ୧୧ ହଜାର ଭୋଟରେ ହାରିଥିଲେ। ସୁବାସଙ୍କୁ ଟିକଟ ନଦେଇ ବରଗଡରେ ସୁରେଶ ପୂଜାରୀଙ୍କୁ ଟିକଟ ଦେବାର ଅର୍ଥ ହେଉଛି ଉଭୟ ନେତାଙ୍କୁ ରାଜନୈତିକ ସ୍ତରରେ ପଙ୍ଗୁ କରିଦେବା। ସୁବାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ କୁହାଯାଇପାରେ ବୋଲି ଏକ ସୂଚନା ମିଳୁଛି। ଯଦି ତାହା ହୁଏ, ଏହା ସୁବାସଙ୍କୁ  ହରାଇବାର ଏକ ଷଡଯନ୍ତ୍ର ବୋଲି ସ୍ପଷ୍ଟ ହୋଇଯିବ।

ସମ୍ବଲପୁର ଆସନରେ ଦେବଗଡ ବିଧାୟକ ନିତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରି ବିଜେପି ଏହି ଆସନକୁ ଏକପ୍ରକାର ହାତଛଡା କରି ସାରିଛି। ସେହିପରି କଳାହାଣ୍ଡି ଲୋକସଭା ଆସନରେ ଲଢିବାକୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ଦୃଢ ପ୍ରତିଶୃତି ଦିଆ ଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ଭବାନୀ ପାଟଣା ବିଧାନସଭା ଲାଗି ପ୍ରାର୍ଥୀ କରି ଲୋକସଭା ଆସନ ପାଇଁ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଟିକଟ ଦିଆ ଦିଆଗଲା। ଏହି ଘଟନା କଳାହାଣ୍ଡି ବିଜେପିରେ ଭୂକମ୍ପ ସୃଷ୍ଟି କରିଛି। ପ୍ରଦୀପ୍ତ ନାୟକ ସିଧା ସଳଖ ନବୀନ ନିବାସରେ ପହଞ୍ଚିଥିବା ବେଳେ ଖରିଆର ବିଧାୟକ ଦୁର୍ୟୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।

ପଶ୍ଚିମ ଓଡିଶାରେ ବିଜେପିର ଯେଉଁ ସମ୍ଭାବନା ଥିଲା ବିଜେପି ତାକୁ ଜାଣିଶୁଣି ନଷ୍ଟ କରି ଦେଇଛି। ସମାନ କଥା ଉପକୂଳରେ ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଜଣାଶୁଣା ବିରୋଧୀ ପ୍ରତାପ ଷଡଙ୍ଗୀଙ୍କୁ ନୀଳଗିରି ବିଧାନସଭା ଟିକଟ ନଦେଇ ତାଙ୍କୁ ବାଲେଶ୍ଵର ଲୋକସଭା ଲାଗି ପ୍ରାର୍ଥୀ କରାଯାଇଛି। ଏହା ପ୍ରତାପଙ୍କୁ ହରାଇବାର ଏକ ଷଡଯନ୍ତ୍ର ବୋଲି ସଭିଙ୍କୁ ଜଣା। ପୁରୀ ଆସନରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଟିକଟ ଦିଆଯାଇଛି। ସେ ପୁରୀ ସହିତ ଆଦୌ ପରିଚିତ ନୁହନ୍ତି। ଦିଲ୍ଲୀର ୱାର୍ଡ ମେମ୍ବର ନିର୍ବାଚନରେ ହାରିଥିବା ସମ୍ବିତ ବିଜେପିର ଲୋକସଭା ପ୍ରାର୍ଥୀ ହେବା ଏବେ ସବୁଠୁ ବଡ ଜୋକ ବୋଲି କୁହାଯାଉଛି।

ଭୁବନେଶ୍ୱର ପାଇଁ ଟିକଟ ପାଇଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଏବେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ବିଜେଡି ଭିତରେ ଅସନ୍ତୋଷ ସୃଷ୍ଟି କରି ନିର୍ବାଚନୀ ଫାଇଦା ଉଠାଇବାର ଯେଉଁ ରଣନୀତି ବିଜେପି ପ୍ରସ୍ତୁତ କରିଥିଲା ତାହା ଏବେ ବିଜେପି ଲାଗି ଆତ୍ମଘାତି ସାବ୍ୟସ୍ତ ହୋଇଛି। ନିଜେ ବିଛେଇଥିବା ଜାଲରେ ବିଜେପି ଆଜି ନିଜେ ଫସି ଯାଇଛି।

Categories
ବିଶେଷ ଖବର

ମୋଦି ନୁହଁନ୍ତି, ପୁରୀରୁ ଛିଡା ହେବେ ସମ୍ବିତ ପାତ୍ର, ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୫ଲୋକସଭା ଏବଂ ୨୨ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାମ

ସମୀକ୍ଷା ବ୍ୟୁରୋ

ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଯେଉଁ ୫ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ

ପୁରୀ-ସମ୍ବିତ ପାତ୍ର

ବରଗଡ-ସୁରେଶ ପୂଜାରୀ

କଳାହାଣ୍ଡି-ବସନ୍ତ କୁମାର ପଣ୍ଡା

ସମ୍ବଲପୁର-ନିତେଶ ଗଙ୍ଗଦେବ

କୋରାପୁଟ-ଜୟରାମ ପାଙ୍ଗୀ

ଯେଉଁ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିଛି ସେଗୁଡିକ ହେଲା

ଭଟଲୀ ସାଧାରଣ ଇରାଶୀଷ ଆଚାର୍ଯ୍ୟ
ଦେବଗଡ଼ ସାଧାରଣ ସୁବାସ ପାଣିଗ୍ରାହୀ
ବୀରମହାରାଜପୁର ଦଳିତ ରଘୁନାଥ ଜଗଲ
ସୋନପୁର ସାଧାରଣ ଅଶୋକ ପୂଜାର
ବଲାଙ୍ଗୀର ସାଧାରଣ ଅନନ୍ତ ଦାସ
ନୂଆପଡ଼ା ସାଧାରଣ ହୋମସିଂହ ମାଝି
ଝରିଗ୍ରାମ ଆଦିବାସୀ ପର୍ଶୁରାମ ମାଝି
ଡାବୁଗାଁ ଆଦିବାସୀ ପଦ୍ମନ ନାୟକ
ଭବାନୀପାଟଣା ଦଳିତ ପ୍ରଦୀପ ନାୟକ
ଦଶପଲ୍ଲା ଦଳିତ ପୂଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର ସାଧାରଣ ରଞ୍ଜନ ପଲାଇ
ଛତ୍ରପୁର ଦଳିତ ପ୍ରଶାନ୍ତ କର
ଆସ୍କା ସାଧାରଣ ଦେବରାଜ ମହାନ୍ତି
ସୋରଡ଼ା ସାଧାରଣ ନୀଳମଣି ବିଶୋଇ
ବ୍ରହ୍ମପୁର ସାଧାରଣ କାହ୍ନୁ ପତି
ଦିଗପହଣ୍ଡି ସାଧାରଣ ପିଙ୍କି ପ୍ରଧାନ
ମୋହହନା ଆଦିବାସୀ ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର ଆଦିବାସୀ ଶିଶିର ଗମାଙ୍ଗ
ରାୟଗଡ଼ା ଆଦିବାସୀ ବସନ୍ତ ଉଲାକା
ଜୟପୁର ସାଧାରଣ ଗୌତମ ସାମନ୍ତରାୟ
କୋରାପୁଟ ଦଳିତ ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା ଆଦିବାସୀ ପଦୁ ମାଝି

 

Categories
ବିଶେଷ ଖବର

ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ

ସମୀକ୍ଷା ବ୍ୟୁରୋ

ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ ଶିଖି ନାହିଁ।

ତେବେ ୨୦୧୩ମସିହା ଜୁନ ୯ତାରିଖରେ ମୋଦିଙ୍କୁ ଗୁଜୁରାଟରୁ ଆଣି ଯେତେବେଳେ ଦଳର ସର୍ବଭାରତୀୟ ପ୍ରଚାର କମିଟର ଅଧ୍ୟକ୍ଷ କରାଗଲା ସେତେବେଳେ ଆଡଭାନୀଙ୍କୁ ଦଳରେ କଣଠୋସା କରିବା ଆରମ୍ଭ ହେଲା। ଏହାପରେ ୯୧ବର୍ଷିୟ ଏହି ବରିଷ୍ଠ ନେତାଙ୍କୁ ଚୁପ ବସାଇବାରେ ସଫଳ ହୋଇଥିଲେ ମୋଦି ସାହା ମେଣ୍ଟ। ଆଡଭାନୀଙ୍କୁ ମାର୍ଗ ଦର୍ଶକ ଭାବେ ଏକ ଗୁରୁତ୍ବହୀନ ପଦବୀରେ ବସାଇ ମନ୍ତ୍ରୀ ପଦ କାଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଡଭାନୀ ଯେଉଁ ସାଂସଦ ପଦଟିକୁ ବଜାଇ ରଖିଥିଲେ ତାହା ମଧ୍ୟ ଏହି ମୋଦିସାହା ମେଣ୍ଟ ଛଡାଇ ନେଲେ। ଏକଦା ଅଟଳ ବିହାରୀ ବାଜେପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଦେଶରେ ବିଜେପି ସଂଗଠନର ମୂଳଦୂଆ ପକାଇଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ବଦଳି ଯାଇଛି। ଖଣ୍ଡିଏ ଟିକେଟ ମଧ୍ୟ ପାଇବାରେ ବିଫଳ ହୋଇଛନ୍ତି ଏହି ଲୌହ ପୁରୁଷ।

ବିଜେପି ଚୟନ କମିଟର ମୁଖ୍ୟ ଜେ.ପି ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ଆଡଭାନୀଙ୍କୁ ଛାଡିଦେଲେ ଆଉ କିଛି ବଡ ପରିବର୍ତ୍ତନ କରାଯାଇ ନାହିଁ। କାରଣ ପ୍ରାୟତଃ ସମସ୍ତ ଆସନରେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବାରଣାସୀରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବାକୁ ଯାଉଥିବା ବେଳେ ରାଜନାଥ ସିଂ ତାଙ୍କର ସେହି ପୁରୁଣା ଆସନ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ବରିଷ୍ଟ ନେତା ନୀତିନ ଗଡକରୀ ସେହିପରି ତାଙ୍କର ପୂର୍ବ ଆସନ ନାଗପୁରରୁ ଲଢିବେ। ଏଥର ସେ ପୂର୍ବ ଅପେକ୍ଷା ଅଧିକ ଭୋଟରେ ଜିତିବେ ବୋଲି ଟିକେଟ ପାଇବା ପରେ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ପ୍ରତିଦ୍ବନ୍ଦିତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବା ପାଇଁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ପଶ୍ଚିମ ବଂଗର ତାଙ୍କର ଆସନସୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏଥର ସେ ତ୍ରୁଣମୂଳ କଂଗ୍ରେସ ମୁନମୁନ ସେନଙ୍କୁ ମୁକାବିଲା କରିବେ। ହେମାମାଳିନୀ ତାଙ୍କର ପୂର୍ବ ପରି ମଥୁରା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେପି ଘୋଷଣା କରିଛି। ବିହାରରେ ବିଜେପିର ବର୍ତ୍ତମାନ ସମସ୍ତ ୧୭ଜଣ ସାଂସଦଙ୍କୁ ପୁଣି ଥରେ ଟିକେଟ ଦେଇଛି। ହେଲେ ତାଙ୍କର ନାମ ବିହାରରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୂର୍ବତ୍ତନ ଆର୍ମି ଚିଫ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଗାଜିଆବାଦରୁ ପ୍ରତିଦ୍ବନ୍ଦିତା କରିବେ। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମଧ୍ୟ ସେହିପରି ଗୌତମବୁଦ୍ଧ ନଗର ଆସନ ପାଇଁ ଟିକେଟ ଦିଆଯାଇଛି।

Categories
ଆଜିର ଖବର

ବିଜେପିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, କାହିଁକି ସେ ବିଜେପିରେ ଯୋଗଦେଲେ କେଉଁଠି ପ୍ରାର୍ଥୀ ହେବେ

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ଅରୁଣ ଜେଟଲୀ, ରବିଶଙ୍କର ପ୍ରସାଦ ପ୍ରମୁଖଙ୍କ ଉପସ୍ଥିତରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବରୁ ଗମ୍ଭୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ ସାକ୍ଷାତ କରି କିଛି ସମୟ ପାଇଁ ଆଲୋଚନା କରିଥିଲେ। ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟାଳୟର ମିଟିଂ ହଲରେ ସେ ବିଜେପି ଟୋପି ଏବଂ ଉତ୍ତରୀୟ ପିନ୍ଧି ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଗୌତମ ଭାରତୀୟ କ୍ରିକେଟ ଜଗତରେ ଜଣେ ପରିଚିତ ନାମ। ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ସେ 58ଟି ଟେଷ୍ଟମ୍ୟାଚ ଖେଳିଛନ୍ତି। ତାଙ୍କୁ ଭାରତର ଲୋକେ ବେଶ୍ ପସନ୍ଦ କରନ୍ତି। ତାଙ୍କର ଯୋଗଦାନ ବିଜେପି ପାଇଁ ବେଶ୍ ସହାୟକ ହେବ ବୋଲି ସେଠାରେ ବରିଷ୍ଠ ନେତା ଅରୁଣ ଜେଟଲୀ ଏବଂ ରବି ଶଙ୍କର ପ୍ରସାଦ କହିଥିଲେ। ତେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇନାହିଁ।

Categories
ବିଶେଷ ଖବର

ଦଳବଦଳ କରି ଅନାମଧେୟ ନେତା ରାତାରାତି ନାମଜାଦା ହେବା ପଛରେ ଗଣମାଧ୍ୟମର ଭୂମିକାକୁ ଆମେ ଷଡଯନ୍ତ୍ର ବୋଲି କହି ପାରିବା କି ?

କେଦାର ମିଶ୍ର

ଋଷଭ ନନ୍ଦ କିଏ?

ପ୍ରମୋଦ ପଟ୍ଟନାୟକ କିଏ?

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ। ଆଗରୁ ଲୋକ ସମର୍ଥନ ଥିବା ସତ୍ତ୍ୱେ ଯଦି ଦଳ ଟିକଟ ଦେଉନଥିଲା, ତାହେଲେ ସଂପୃକ୍ତ ନେତା ସ୍ଵାଧୀନ ଭାବରେ ନିର୍ବାଚନ ଲଢି ନିଜର ପତିଆରା ପ୍ରଦର୍ଶନ କରୁଥିଲେ।

ଗତ ଚାରୋଟି ବିଧାନସଭାର ବିଜୟୀ ସଦସ୍ୟଙ୍କ ତାଲିକା ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ, ସ୍ଵାଧୀନ ଭାବରେ ନିର୍ବାଚନ ଲଢି ସଫଳ ହେଉଥିବା ନେତାଙ୍କ ସଂଖ୍ୟା ଏବେ ଯଥେଷ୍ଟ କମ। ଗତ ବିଧାନସଭାରେ କେବଳ ଜର୍ଜ ତିର୍କୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଵାଧୀନ ସଦସ୍ୟ ଜିତି ନଥିଲେ। ୧୯୯୦ରେ ପ୍ରଚଣ୍ଡ ବିଜୁ ପଟ୍ଟନାୟକ ହାୱା ସତ୍ତ୍ୱେ ପଂଚାନନ ମିଶ୍ର ନାମକ ଜଣେ ଯୁବକ ବିନିକା ବିଧାନସଭା ଆସନରୁ ସେତେବେଳେ ଅଶି ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଆସିଥିଲେ। ସ୍ଵାଧୀନ ଭାବରେ ଲଢିକି ହେଉ ବା ଅତି ଛୋଟ ରାଜନୈତିକ ଦଳର ପ୍ରତିନିଧି ଭାବରେ ଏକଦା ଓଡିଶାରୁ ଗୋଟେ ବଡ ରାଜନୈତିକ ଶକ୍ତି ଉଭା ହେଉଥିଲେ। ସାମ୍ୟବାଦୀ ନେତା ପ୍ରସନ୍ନ କୁମାର ପଣ୍ଡା, ବାଳଗୋପାଳ ମିଶ୍ର, ଅରୁଣ ଦେ, ଶମ୍ଭୁନାଥ ନାୟକ, ରାଧାକାନ୍ତ ସେଠି, ଜର୍ଜ ତିର୍କୀଙ୍କ ଭଳି ନିଜ ଦମ୍ଭରେ ନିର୍ବାଚନ ଲଢି ଜିତିପାରିବାର ତାକତ ଥିବା ନେତା ଏବେ ଆଉ ଆମ ପାଖରେ ନାହାନ୍ତି। ଏହାର କାରଣ ଦୁଇ ପ୍ରକାର। ପ୍ରଥମତଃ ବର୍ତ୍ତମାନ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଛି, ଯାହାକୁ ଜଣେ ସାଧାରଣ ରାଜନେତା ବହନ କରିପାରିବ ନାହିଁ। ଦ୍ବିତୀୟରେ ଲୋକଙ୍କୁ ସଂଗଠିତ କରି ରାଜନୈତିକ ଆଧାର ସୃଷ୍ଟି କରିବା ଭଳି ଶକ୍ତି ନୂଆ ପ୍ରଜନ୍ମର ରାଜନେତାଙ୍କ ପାଖରେ ନାହିଁ। ସମସ୍ତେ ଏଠି ହାୱା ସହିତ ବହି ଯିବାକୁ ପ୍ରସ୍ତୁତ। ତେଣୁ ରାଜନୀତିରେ ଜଣେ ନବୀନ ପଟ୍ଟନାୟକକି ନରେନ୍ଦ୍ର ମୋଦୀ କି ରାହୁଲ ଗାନ୍ଧୀଙ୍କ ଛାଇରେ ବାକି ସମସ୍ତେ ଲିଲିପୁଟ ହେବାକୁ ବାଧ୍ୟ।

ଏହି କ୍ରମରେ ଏବେ ପ୍ରତିଦିନ ଶହ ଶହ ଲିଲିପୁଟ ଆମ ଗଣମାଧ୍ୟମରେ ନିଜର ଖେଳ କସରତ ଦେଖାଉଛନ୍ତି। ଏ ପ୍ରକାର ଲିଲିପୁଟ ସବୁ ଦଳରେ ଅଛନ୍ତି। ଏଇ ଲିଲିପୁଟମାନେ ମଧ୍ୟ ଦୁଇ ପ୍ରକାର ଉତ୍ସରୁ ଆସିଥାନ୍ତି। ଗୋଟେ ଦଳରେ ଥାଇ ଏମାନେ ଯେତେବେଳେ ସେ ଦଳ ଭିତରେ ଅପ୍ରାସଙ୍ଗିକ ହୋଇ ପଡନ୍ତି, ସେତେବେଳେ ତାଙ୍କର ବିବେକ ହଠାତ ଜାଗ୍ରତ ହୁଏ ଓ ଦଳର ନେତାଙ୍କୁ ଗାଳି କରି ସେମାନେ ଦଳ ଛାଡନ୍ତି। ଆଉ ଦଳେ ଅଛନ୍ତି, ଯେଉଁମାନଙ୍କର ଏକମାତ୍ର ପରିଚୟ ହେଉଛି, ସେମାନେ କାହାର ଗୋଟେ ପୁଅ, ଝିଅ, ଭାଇ, ପୁତୁରା, ସ୍ତ୍ରୀ କିମ୍ବା ସମ୍ପର୍କୀୟ। ଟିକଟ ବଣ୍ଟନ ବେଳେ ଆମେ ଦାମୋଦର ରାଉତଙ୍କ ପୁଅ ଓ ଝିଅ, ଯୋଗେନ୍ଦ୍ର ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କ ପୁଅଇତ୍ୟାଦିଙ୍କ ବିଷୟରେ ବହୁତ ଚର୍ଚ୍ଚା କରୁଛେ। ଏ ପ୍ରକାର ପରାଙ୍ଗପୁଷ୍ଟଙ୍କ ବିଷୟରେ ଗଣମାଧ୍ୟମ ଅଧିକରୁ ଅଧିକ ଜାଗା ଛାଡି ଦେଉଛି।

ସବୁଦଳ କେଉଁଠି ନା କେଉଁଠି ପାରିବାରିକ ରାଜନୀତି ବିରୋଧରେ କହୁଥିବାବେଳେ ସବୁ ଦଳ ଏବେ ପାରିବାରିକ ଜମିଦାରୀ ପାଲଟି ଯାଉଛନ୍ତି। ପରିବାରବାଦ ଓ ବ୍ୟକ୍ତି ରାଜନୀତି ବିରୋଧରେ ସବୁଠୁ ଅଧିକ ପ୍ରବଚନ ଦେଉଥିବା ଭାରତୀୟ ଜନତା ପାର୍ଟି ଏବେ ପୁଅ-ପୁତୁରାଙ୍କ ଦଳ ଭାବରେ ବେଶ ଅଗ୍ରଗତି କଲାଣି। ଏବେ ବିଜେଡି ଟିକଟରୁ ବଞ୍ଚିତ କେବଳ ଲୋକସଭା ବା ବିଧାନସଭା ସଦସ୍ୟ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ବିଜେପିରେ ଜାଗା ପାଇବେ। ଯେଉଁ ବିଜେଡି ନେତା ନିଜ ପୁଅ ଝିଅଙ୍କୁ ବିଜେଡିରେ ସଫଳ କରାଇପାରିଲେ ନାହିଁ,ସେମାନେ ବିଜେପିକୁ ନିଜ ପରିବାରକୁ ପଠାଇବେ। ସମାନ କଥା ବିଜେପିରେ କି କଂଗ୍ରେସରେ ମଧ୍ୟ ଘଟିବ। କେବଳ ଟିକେଟ ଆବଣ୍ଟନ ହଟ ଚମଟରୁ ଏ ପ୍ରକାର ପାରିବାରିକ ଓ ଅନାବଶ୍ୟକ ଭାଟଗିରି କରିବାରେ ଆମର ସମୟ ଯିବ।

ଏ ପ୍ରସଙ୍ଗରେ ଗଣମାଧ୍ୟମ ଯଦି ନିଜର ଆତ୍ମସମୀକ୍ଷା ନ କରିବ ତାହେଲେ ଲୋକ ଆମକୁ ଭାଟ ବା ଯୋକର ବୋଲି ଭାବିବାକୁ ବାଧ୍ୟ ହେବେ!

Categories
ବିଶେଷ ଖବର

କେବେ ପ୍ରକାଶ ପାଇବ ଓଡିଶା ବିଜେପିର ପ୍ରାର୍ଥୀ ତାଲିକା ? ବିଜେପି ପାଖରେ ୧୪୭ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ସତରେ ନାହାନ୍ତି କି ?

କେଦାର ମିଶ୍ର

ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ ନିର୍ବାଚନରେ କଂଗ୍ରେସ ଦଳ ବେଶ ସୁଧୁରି ଯାଇଛି। ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ ଏଠି ପ୍ରାର୍ଥୀ ତାଲିକା ଯଥାଶୀଘ୍ର ପ୍ରକାଶ ପାଇବା ଆବଶ୍ୟକ। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ତିନି ଦିନ ହେଲାଣି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଲେଣି। ବିଜେଡି ତାଲିକା ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ତାଲିକାର ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କାଲି ହୋଇ ଇତି ମଧ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କଲେଣି। ବିଜେପି ଖାତା କଲମ କିନ୍ତୁ ଏହାର ଦିଲ୍ଲୀ ଅଫିସରେ ଅଟକି ରହିଛି।

ଏ ପ୍ରକାର ବିଳମ୍ବର ଏକମାତ୍ର କାରଣ ହେଉଛି ଠିକ ନିର୍ବାଚନ ପୂର୍ବରୁ ବିଜେପିରେ ଘଟିଥିବା ନେତୃତ୍ବର ନୂଆ ସମୀକରଣ। ବିଜୁ ଜନତା ଦଳର ବହିଷ୍କୃତ ପୂର୍ବତନ ସାଂସଦ ବିଜେପିରେ ଯୋଗଦେବା ପରେ ଏବେ ଓଡିଶା ନିର୍ବାଚନ ର ମଙ୍ଗ ସେ ଧରିଛନ୍ତି। ପୂର୍ବରୁ ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ହଠାତ ଗୌଣ ଭୂମିକାରେ ନଜର କୁ ଆସୁଛନ୍ତି। ସବୁ ଦଳୀୟ ସଭାରେ ଏବେ ବୈଜୟନ୍ତ ମଝି ଆସନ ପାଉଛନ୍ତି। ବିଜେପିର ନୂଆ ରଣନୀତି ଅନୁସାରେ ବିଜେଡ଼ିର ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ଏବେ ନିର୍ବାଚନ ମଇଦାନକୁ ଯିବାକୁ ପଡିବ। ବିଜେପି ଭିତରେ ଦୀର୍ଘ ବର୍ଷ ଧରି କାମ କରୁଥିବା ପୁରୁଣା ନେତାମାନେ ଜିତି ପାରିବେ ନାହିଁ ବୋଲି ଏକ ଧାରଣା ବିଜେପିରେ ସୃଷ୍ଟି ହୋଇଛି। ତେଣୁ ବିଜେଡଡିରୁଟିକଟ ପାଇନଥିବା ନେତା ହେଉଛନ୍ତି ଏବେ ବିଜେପିର ଶେଷ ଆଶ୍ରୟ।

ଏବେ ପ୍ରତିଦିନ କଂଗ୍ରେସ ଓ ବିଜେପିରୁ ଟିକଟ ପାଇନଥିବା ନେତାମାନେ ବିଜେପିକୁ ନିଜର ଅନ୍ତିମ ଆଶ୍ରୟସ୍ଥଳ ବୋଲି ଭାବୁଛନ୍ତି। ସେଥିଲାଗି ଦଳ ନିଜର ପ୍ରାର୍ଥିତାଲିକା ଘୋଷଣା କରୁନାହିଁ। ଏହାକୁ ଏକପ୍ରକାର ଥୋପ ଭାବରେ ବିଜେପି ବ୍ୟବହାର କରୁଛି। ଯିଏ ବି କଂଗ୍ରେସ ଓ ବିଜେଡି ଛାଡିକି ଆସିବ ତାଙ୍କୁ ଟିକଟ ଦିଆଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ବିଜେଡି ନିଜର ଆଠଜଣ ପୁରୁଣା ଲୋକସଭା ସଦସ୍ୟଙ୍କୁ ଟିକଟ ଦେଇନାହିଁ। ସେମାନଙ୍କ ଭିତରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିକୁ ଆସି ସାରିଛନ୍ତି। କଳାହାଣ୍ଡି ସାଂସଦଙ୍କୁ ଟିକଟ ନଦେବାର କାରଣ ହେଉଛି, ବିଜେଡି ଭଲ ଭାବରେ ଜାଣିଥିଲା ଯେ ଅର୍କ କେଶରୀ ଦେଓ ବିଜେପି ସହିତ ଅନେକ ଦିନରୁ ଯୋଗାଯୋଗରେ ରହିଛନ୍ତି। ତେଣୁ ସେ ଓ ତାଙ୍କ ପତ୍ନୀ ବିଜେପିରେ ସ୍ଵାଭାବିକ ଭାବରେ ଯୋଗଦେବେ। ଏହାର ପରିଣତି ସ୍ଵରୂପ କଳାହାଣ୍ଡିରେ ଦୀର୍ଘ ବର୍ଷ ଧରି ଦଳୀୟ ସଂଗଠନ କରିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କ ଟିକଟ ଏବେ ସନ୍ଦେହ ଘେରରେ। କନ୍ଧମାଳରେ ବିଜେପିର ସଂଗଠନ ବହୁ ପୁରୁଣା। ସେଠାରେ ନିକଟରେ ବିଜେଡି ଛାଡିଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ ଟିକଟ ଦେବା ସହଜ ହୋଇନପାରେ। ସେଥିପାଇଁ ବୋଧହୁଏ ପ୍ରତ୍ୟୁଷା ଦେବୀ ଏବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ନିଜର ପୁରୁଣା ନେତାଙ୍କ ସ୍ଵାର୍ଥ ଦେଖିବ ନା ନୂଆ ବିଜୁ ପରିବାର ଉପରେ ଆସ୍ଥା ପ୍ରକଟ କରିବ, ସେକଥା ଏଯାଏ ସ୍ଥିର କରି ପାରୁନାହିଁ।ସମୟ କିନ୍ତୁ ସରି ଆସୁଛି। କେବଳ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଓ ନୂଆ ଆସିଥିବା ନେତାଙ୍କ ରଣନୀତି କୁ ଆଶ୍ରା କରି ବିଜେପି ନିର୍ବାଚନ ଜିତିଯିବ ବୋଲି ଭାବିବା, ସବୁଠୁ ବଡ ଭୁଲ ହେବ। ଆଜି ପର୍ଯନ୍ତ ବିଜେପିର ରାଜ୍ୟ ନେତୃତ୍ୱ କିଏ ନେବ, ତାକୁ ନେଇ ଘୋର ସନ୍ଦେହ ରହିଛି। ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ବିଜେପିରେ ମିଶିଲା ପରେ ଯେଉଁ ଉତ୍ସାହ ଦଳ ଭିତରେ ଦିଶୁଥିଲା, ସେଟା ଏବେ ମିଳେଇ ଗଲାଣି। ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ଲଢିବେ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବା ବିଜେପି ପାଇଁ ଆତ୍ମଘାତି ହୋଇଛି। ଗୁଇନ୍ଦା ବିଭାଗର ଏକ ଜାଲ ଚିଠି ଦେଖାଇ ବିଜେପି ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ନିର୍ବାଚନ ସମୟରେ ଥରେ ରଣନୀତି ଭୁଲ ହୋଇଗଲେ ତାକୁ ସଜାଡିବା ଆଦୌ ସହଜ ବ୍ୟାପାର ନୁହେଁ। ଗୋଟିଏ ଭୁଲକୁ ଢାଙ୍କିବାକୁ ଯାଇ ବିଜେପି ଏବେ ଅନେକ ଭୁଲ କରି ବସୁଛି।

ପ୍ରାର୍ଥୀ ତାଲିକା ପ୍ରକାଶରେ ଅହେତୁକ ବିଳମ୍ବ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଲାଣି। ଏହାକୁ ନେଇ ବିଜେଡି ମଧ୍ୟ ବିଜେପିକୁ କଟାକ୍ଷ କରି ସାରିଲାଣି। ତୁରନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରି ବିଜେପି ଯଦି ନିଜର ପ୍ରଚାର ଅଭିଯାନ ଆରମ୍ଭ ନ କରେ, ତାହେଲେ ବିଜେପି ଦ୍ଵିତୀୟ ସ୍ଥାନକୁ ଆସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିବା!

 

Categories
ବିଶେଷ ଖବର

ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?

କେଦାର ମିଶ୍ର

ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ।  ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ କରୁଛି। କେବଳ ବିଜେଡ଼ିର ୨୯,୮୦୦ ନେତା ବିଜେଡ଼ିକୁ ଚାଲି ଆସିବେ ଓ ସେମାନେ ଆସିଲେ ବିଜେପିର ମିଶନ ୧୨୦ ସହଜ ହୋଇଯିବ ବୋଲି ବିଚାର ଚାଲିଛି। ତାହା ସହିତ କଂଗ୍ରେସ ରୁ ମଧ୍ୟ କିଛି ନେତା ଏବେ ବିଜେପିକୁ ଆସୁଛନ୍ତି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ହେଉଛି, ଏବେ ବିଜେପି ଅସନ୍ତୁଷ୍ଟ ଓ ଦଳବଦଳକାରୀ ନେତାମାନଙ୍କର ସବୁଠୁ ବଡ ଧର୍ମଶାଳା।

ତେବେ ବୁଝିବା ଲୋକ ବୁଝନ୍ତି ଯେ, ବିଜେପି ଧର୍ମଶାଳାରେ ମଧ୍ୟ କୋଠରି ସଂଖ୍ୟା ସେହି ୧୪୭+୨୧=୧୬୮। ହଜାର ସଂଖ୍ୟାର  ଯେଉଁ ଉଦବାସ୍ତୁ ନେତା ଆସିବେ ସେମାନେ କେବଳ ଟୋପି ପିନ୍ଧି ନାଚିବାକୁ ଆସିବେନି। କିଛି ନେତା ହୁଏତ ନିଜ ପୁରୁଣା ଦଳ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଥିବେ। କିନ୍ତୁ ବଡ ଭାଗ ନେତାଙ୍କ ଏକମାତ୍ର ଆଶା ସେଇ ଟିକଟ ଖଣ୍ଡକ। ଏପଟେ ବିଜେପି ଭିତରେ ଆବେଦନକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେଡି ଅଫିସରେ ଯଦି ତିରିଶ ହଜାର ଦରଖାସ୍ତ ପଡିଛି, ବିଜେପି ଅଫିସରେ ବି ସେଇ ପନ୍ଦର କୋଡିଏ ହଜାର ଦରଖାସ୍ତ ଅଛି। ଏଥିରୁ ଯେଉଁ ହତାଶ ଓ ଅସନ୍ତୁଷ୍ଟ ବାହାରିବେ ସେମାନେ ତ ପୁଣି କେଉଁଠିକି ଯିବେ ନା! ବାସ, ଗଣିତ ଏଇଠି ଜଟିଳ।

ଦଳ ବଦଳକାରୀଙ୍କ ଭରସାରେ ଯେଉଁ ଦଳ ରହେ ସେ ନିର୍ବାଚନରେ ସବୁଠୁ ଦୁର୍ବଳ ଦଳ ବୋଲି ଭାବିବାକୁ ପଡିବ। ତେବେ ଏହାର ବ୍ୟତିକ୍ରମ ଭାବରେ କେହି କେହି ୨୦୧୪ ସାଧାରଣ ନିର୍ବାଚନ କଥା ଉଠାଇପାରନ୍ତି। ୨୦୧୪ ରେ କଂଗ୍ରେସର ପାଖାପାଖି ଶହେ ଜଣ ପୁରୁଣା ସାଂସଦ ବିଜେପିକୁ ଆସିଥିଲେ ଓ ସେମାନେ ଜିତିକରି ବିଜେପି ର ବଡ ସମ୍ପତ୍ତି ହୋଇଥିଲେ। ଏବେ ସେକଥା ଓଡିଶାରେ ଘଟିବ କି? ବିଜେଡି ଲୋକସଭା ଓ ବିଧାନସଭା ପାଇଁ ଯେହେତୁ ନୂଆ ମୁହଁ ଦେବାକୁ ବଦ୍ଧ ପରିକର, ସେହି କାରଣରୁ ବିଜେଡିରେ ବଡ ଧରଣର ଅସନ୍ତୋଷ ଆସିପାରେ। ହେଲେ ଏ ପ୍ରକାର ଅସନ୍ତୋଷକୁ ବିଜେଡି ମୁକାବିଲା କରିବାରେ ସବୁବେଳେ ସମର୍ଥ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ମୋଦୀ ହାୱା ଓ ପ୍ୟାରୀମୋହନ ମହାପାତ୍ରଙ୍କ ବ୍ରାହ୍ମାସ୍ତ୍ରକୁ ଏକା ସାଙ୍ଗରେ ମୁକାବିଲା କରିଥିଲା। ତେଣୁ ଆଜି, ତଥାକଥିତ ଦାମ-ବୈଜୟନ୍ତ ଆହ୍ଵାନ ଓ ବିଜେପିର ଉଗ୍ର ଜାତୀୟତାବାଦକୁ ଏକା ସାଙ୍ଗରେ ବିଜେଡି କେମିତି ସାମ୍ନା କରୁଛି, ତାହା ଦେଖିବା ପାଇଁ ଆମେ ସାମ୍ବାଦିକମାନେ ବେଶ ଉଦଗ୍ରୀବ।

ନିର୍ବାଚନ ଘୋଷଣା ହେବା ପରେ ଯେଉଁ ନେତାମାନେ ଦଳ ବଦଳ କରନ୍ତି, ସେମାନେ ଲୋକ ଚକ୍ଷୁରେ ଅପାରଗ ଓ ସେମାନେ ନିଜ ପୁରୁଣା ଦଳର ଉଚ୍ଚିଷ୍ଟ ଭାବରେ ବିବେଚିତ ହୁଅନ୍ତି। ଯେତେ ଟାଣୁଆ ନେତା ହେଲେ ମଧ୍ୟ ନୂଆ ଦଳରେ ପୁରୁଣା ଦଳର ନେତାଟି ଅଚିହ୍ନା ଓ ଅସ୍ପୃଶ୍ୟ ହୋଇ କିଛି ଦିନ ରହେ। ତୃଣମୂଳ ସ୍ତରରେ ଏ ସ୍ଥିତି ଆହୁରି ଗମ୍ଭୀର। ଦଳବଦଳକାରୀ ନେତାକୁ ନୂଆ ଦଳର କର୍ମୀ ପ୍ରତ୍ୟାଖ୍ୟାନ କରିବାର ବହୁ ଉଦାହରଣ ରହିଛି। ତେବେ ଦଳବଦଳକାରୀ ନେତାଙ୍କର ସ୍ତର ଯଦି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବଳଭଦ୍ର ମାଝୀ କିମ୍ବା ସୁକାନ୍ତ ନାୟକଙ୍କ ପରି ହୋଇଥାଏ, ସେଠି ପରିସ୍ଥିତି ଅଲଗା ହେବ କି? ଏହାର ଉତ୍ତରରେ ଆମେ କହିବୁ ଯେ, ଏ ସ୍ତରର ନେତା ନିଜ ନୂଆ ଦଳ ଲାଗି ସବୁଠୁ ବଡ ବୋଝ ହୋଇଥାନ୍ତି। ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନଙ୍କର ଏକ ବୈଠକର ଫଟୋ ବାହାରିଛି। ସେଥିରେ ବୈଜୟନ୍ତ ପଣ୍ଡା ହଠାତ କେନ୍ଦ୍ରୀୟ ଭୂମିକାରେ ଦୃଶ୍ୟମାନ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣଠେସା ହୋଇ ବସିଛନ୍ତି। ନୂଆ ନେତାଙ୍କୁ ନେଇ ପୁରୁଣା ନେତାଙ୍କ ଅସୁରକ୍ଷାର ଭାବନା ଅନେକ ସଙ୍କଟ ସୃଷ୍ଟି କରିଥାଏ। ଏଇ ନିର୍ବାଚନରେ ବିଜେପି ଲାଗି ଅସନ୍ତୁଷ୍ଟ ବିଜେଡି ନେତାମାନେ ସବୁଠୁ ବଡ ବୋଝ ହେବାକୁ ଯାଉଛନ୍ତି। ଯେଉଁ ଅସନ୍ତୁଷ୍ଟ ବିଜେଡି ନେତାମାନେ ବୈଜୟନ୍ତ ଓ ଦାମଙ୍କ ମାର୍ଫତରେ ବିଜେପିକୁ ଆସିବେ, ସେମାନେ ବିଜେପିର ପୁରୁଣା ନେତାଙ୍କ ଲାଗି କଣ୍ଟା ହୋଇକି ରହିବେ। ତେଣୁ ଦଳବଦଳକାରୀଙ୍କ ଉପରେ ଆସ୍ଥା ରଖି ବିଜେପିର ନିର୍ବାଚନ ଜିତିବା ସ୍ଵପ୍ନ, କେବଳ ଆକାଶ କଇଆଁ ହୋଇ ରହି ନ ଯାଏ ଯେମିତି!!

Categories
ବିଶେଷ ଖବର

ବହୁ ମାନସ ମନ୍ଥନ ପରେ ବିଜେପିରେ ମିଶିଲେ ଦାମୋଦର ରାଉତ, ହେଲେ ବିଜେପିର ତାଙ୍କର ଭୂମିକା ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ

ସମୀକ୍ଷା ବ୍ୟୁରୋ

“ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ଅଭିଭାଷଣ। ଯାହା ଆଗରୁ ଶୁଣାଯାଉଥିଲା ତାହା ସତ ହେଲା । ଶେଷରେ ଦାମ ରାଉତ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ପୂର୍ବରୁ ଦାମ ରାଉତ ଦୁଇଦିନ ଧରି ନୂଆ ଦିଲ୍ଲୀରେ ରହି ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଥିଲେ। ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ସଫଳ ନ ହେବାରୁ ସେ ଭୁବନେଶ୍ବର ଫେରିଆସିଥିଲେ। ଏହାର ଦୁଇ ଦିନ ପରେ ପୁଣି ଥରେ ତାଙ୍କୁ ବିଜେପିରେ ମିଶିବା ପାଇଁ ଦିଲ୍ଲୀ ଡକରା ଆସିଲା। ଦାମ ତୁରନ୍ତ ଫ୍ଲାଇଟ ଟିକେଟ କରି ତରବରିଆ ଭାବେ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା  ପରେ ରାତି ଆଠଟାରେ ବିଜେପିରେ ସାମିଲ ହେଲେ। ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ତରବରିଆ ଭାବେ ଦିଲ୍ଲୀକୁ ଡକାଯାଇଥିଲା।

ଏହି ମିଶ୍ରଣ ପର୍ବରେ ଦାମ ତାଙ୍କର ସେହି ଚିରାଚରିତ ଭାଷଣରେ ବିଜେଡିକୁ ବେଶ୍ ସମାଲୋଚନା କରିଥିଲେ। ବିଜେଡି ଦୁର୍ନୀତିଗ୍ରସ୍ତ, ସମବାୟ ଦୁର୍ନୀତିଠାରୁ ଆରମ୍ଭ କରି ଚାରା ଦୁର୍ନୀତି ପ୍ରସଂଗ ପ୍ରଭୃତି ଉଠାଇଥିଲେ । ଆଦିବାସୀଙ୍କୁ ଉପଯୁକ୍ତ ନ୍ୟାୟ ବିଜେଡି ସରକାର ଦେଇପାରି ନାହିଁ, ଏପରିକି ରାଜ୍ୟରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଏହି ସରକାରରେ ସମୟରେ ଘଟିଛି ବୋଲି ଦାମ କହିଥିଲେ। ଏହାପରେ ସେ ବିଜୁବାବୁ ମୋର ଆଦର୍ଶ ବୋଲି ମଧ୍ୟ ଦୋହରାଇଥିଲେ। ହେଲେ ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵକୁ ପସନ୍ଦ କରି ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିରେ ଯୋଗ ଦେଲି ବୋଲି ଦାମ କହିଛନ୍ତି। ତେବେ ସେ ସ୍ପଷ୍ଟ କରି ନ ଥିଲେ ଯେ,ସେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ କି ନାହିଁ। କାରଣ ବିଜେଡିରୁ ଟିକେଟ ନେଇ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ପାରାଦ୍ବୀପରୁ ଛିଡା ହେବେ। ଏପରି କ୍ଷେତ୍ରରେ ଦାମ କଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକଦା ଦାମୋଦର ରାଉତ ବିଜେପିକୁ ତୀବ୍ର ସମାଲୋଚନା କରୁଥିଲେ। ପାରାଦ୍ବୀପର ଲୁଣି ପାଣିରେ ପଦ୍ମ ଫୁଟି ପାରିବ ନାହିଁ ବୋଲି କହିଥିଲେ। ଏପରିକି ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଯେଉଁଠାରୁ ଛିଡା ହେଲେ ମୁଁ ତାଙ୍କୁ ହରାଇ ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଦାମ ରାଉତ ଅଙ୍ଗନବାଡି କର୍ମିଙ୍କୁ ସମାଲୋଚନା କରିଥିବାରୁ ବିଜେପି ମହିଳା ମୋର୍ଚ୍ଚା ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା। ବ୍ରାହ୍ଣଣଙ୍କୁ ନେଇ ଦାମ ସମାଲୋଚନା କରିଥିବାରୁ ତା ବିରୋଧରେ ମଧ୍ୟ ବିଜେପି ଆନ୍ଦୋଳନ କରିଥିଲା। ଏପରି ପରିସ୍ଥିତିରେ ଦାମ ବିଜେପି କର୍ମିଙ୍କ ମଧ୍ୟରେ କେତେ ବିଶ୍ବାସ ଭାଜନ ହୋଇପାରିବେ ସେ ନେଇ ସନ୍ଦେହ ରହିଛି। ନବୀନ ସରକାରଙ୍କ ଗାଦିଚ୍ୟୁତ କରିବା ପାଇଁ ଦାମବାଣ କେତେ କାମ କରିବ ଏବଂ ବିଜେପିରେ ଦାମଙ୍କ ଭୂମିକା କଣ ହେବ ସେ ନେଇ ଉଠିଛି ପ୍ରଶ୍ନ।

 

Categories
ବିଶେଷ ଖବର

ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ପାଇଁ କାହାକୁ ଟିକେଟ ଦିଆଯିବ ସେହି ଚିନ୍ତାରେ ବିଜେଡି, ଅନ୍ୟସବୁ ସଂସଦୀୟ ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଦଳର ନିଷ୍ପତି।

ସମୀକ୍ଷା ବ୍ୟୁରୋ

ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି. ବିଜେଡିର ଚିନ୍ତା ସେତିକି ବଢିବାରେ ଲାଗିଛି। ଧିରେ ଧିରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଏଥର କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ସେହି ଚିନ୍ତାରେ ବର୍ତ୍ତମାନ ବିଜେଡି ସୁପ୍ରିମୋ । ତେବେ ବିଜେଡି ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି ଭୁବନେଶ୍ବର ଓ କେନ୍ଦ୍ରପଡା ଲୋକସଭା ଆସନ। କାରଣ ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ ହେଉଛନ୍ତି ଏବଂ ସେ ଏବେଠାରୁ ଯେପରି ପ୍ରଚାର କରିବାରେ ଲାଗିଛନ୍ତି, ତାହା ବିଜେଡିକୁ ଚିନ୍ତାରେ ପକାଇଛି। ଏଥିସହିତ ଅପରାଜିତା ବିଏମସି କମିଶନର ଥିବା ବେଳେ ଯେପରି କାମ କରିଛନ୍ତି କାଳେ ତାହା ଭୋଟରେ ପରିବର୍ତ୍ତନ ହୋଇଯିବ ସେ ନେଇ ବର୍ତ୍ତମାନ ବିଜେଡିର ଚିନ୍ତା ବଢିଯାଇଛି। ସେହିପରି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ବିଜେପି ବ୍ରାଣ୍ଡରେ ପ୍ରତିଦ୍ବନ୍ଦିତା କଲେ କାଳେ ଜିତିଯିବେ ସେ ଭୟ ମଧ୍ୟ ବିଜେଡିର ରହିଛି। ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ପୂର୍ବରୁ ପରିବର୍ତ୍ତନ କରି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ଅପରାଜିତା ଆସିବା ପରେ ବିଜେଡିର ସେ ରଣନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ। ବର୍ତ୍ତମାନ ସ୍ଥିତିରେ ଭୁବନେଶ୍ବର ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବ୍ୟତିତ ଆଉ କେହି ଭଲ ବିକଳ୍ପ ବିଜେଡି ହାତରେ ନାହିଁ। ଫଳରେ ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ଆସନରେ କାହାକୁ ପ୍ରାର୍ଥି କରାଯିବ ସେ ନେଇ ବିଜେଡି ଚିନ୍ତାରେ ଅଛି।

ବର୍ତ୍ତମାନ 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡେ ଯେ, କେନ୍ଦ୍ରପଡା ସହ ବିଜେଡି ଆଉ ତିନୋଟି ସ୍ଥାନରେ ନୂଆ ପ୍ରାର୍ଥୀ ଦେବାକୁ ବାଧ୍ୟ। ସେ ତିନୋଟି ହେଲା ମୟୁରଭଂଜ,ଆସିକା ଓ ଢେଙ୍କାନାଳ। କାରଣ ଆସିକା ସାଂସଦ ଲଡୁକିଶୋର ସ୍ଵାଇଁଙ୍କର ଦେହାନ୍ତ ହୋଇଥିଲାବେଳେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ସେହିପରି ଦଳର ଭାବମୂର୍ତ୍ତୀ ଦୃଷ୍ଟିରୁ ମୟୂରଭ଼ଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଚିଟଫଣ୍ଡ ମାମଲାରେ ଜେଲ ଯାଇଥିବାରୁ ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବ। ବିଜେଡିର ଏହି ଚାରି ଆସନ ସହିତ ଯେଉଁ ସବୁ ଆସନରେ ସାଂସଦ ମାନଙ୍କ ଲୋକପ୍ରିୟତା କମିଛି  କିମ୍ବା  ସଂସଦରେ ଯେଉଁମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେହି ସବୁ  ସ୍ଥାନରେ ମଧ୍ୟ ଦଳ ନୂଆ ପ୍ରାର୍ଥୀ ଦେବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ହେଉଥିବାରୁ ବିଧାୟକଙ୍କ ସହ ସୁସଂପର୍କ ଥିବା ପ୍ରାର୍ଥୀଙ୍କୁ ମଧ୍ୟ ଚୟନ ବେଳେ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି। ଫଳରେ ଏଥର ବିଜେଡି ପ୍ରାୟତଃ 90 ପ୍ରତିଶତ ଆସନରେ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। କେନ୍ଦୁଝର, ସମ୍ବଲପୁର,ବରଗଡ, ଜଗତସିଂହପୁର,ବ୍ରହ୍ମପୁର, ସୁନ୍ଦରଗଡ ଆଦି ଆସନରେ ନୂଆ ପ୍ରାର୍ଥୀ ଦେବା ପାଇଁ ଦଳ ଚିନ୍ତା କରୁଛି। ଅନ୍ୟପକ୍ଷରେ କେତେକ ବରିଷ୍ଠ ସାଂସଦଙ୍କୁ ବିଜେଡି ଏଥର ସାଂସଦ ଟିକେଟ ନ ଦେଇ ବିଧାନସଭା ଟିକେଟ ଦେବା ପାଇଁ ମଧ୍ୟ ଯୋଜନା କରୁଥିବାର ଜଣାପଡିଛି। ଅନ୍ୟପଟେ ବିଜେଡି ସୁପ୍ରିମୋ ମହିଳା ସଂରକ୍ଷଣକୁ ଗୁରୁତ୍ବ ଦେଉଥିବାରୁ ଏଥରି ସଂସଦ ଟିକେଟ ଅଧିକ ମହିଳାଙ୍କୁ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।

ସେହିପରି ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା କିଛି ନେତାଙ୍କୁ ମଧ୍ୟ ଟିକେଟ ମିଳିବାର ସମ୍ଭାବନା ରହିଛି। ବ୍ରହ୍ମପୁର ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ସୁନ୍ଦରଗଡ ଆସନରେ କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଚନ୍ଦ୍ରଶେଖର ପୂର୍ବରୁ ବ୍ରହ୍ମପୁର ଆସନରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ଗଂଜାମ ଜିଲ୍ଲାରେ ଅନ୍ୟ ନେତାମାନଙ୍କ ଅପେକ୍ଷା ଚନ୍ଦ୍ରଶେଖରଙ୍କ ଭାବମୂର୍ତ୍ତୀ ବେଶ ଭଲ ରହିଛି। ସେହିପରି କଂଗ୍ରେସ ସାଂସଦ ଭାବେ ହେମାନନ୍ଦ ବିଶ୍ଵାଳ ସୁନ୍ଦରଗଡ ଆସନରୁ ପୂର୍ବରୁ ଜିତିଛନ୍ତି। ଏବେ ସେହି ଆସନରେ କଂଗ୍ରେସ ପକ୍ଷରୁ ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ଥିବାରୁ ସେଠାରେ ବିଜେଡି ସୁନୀତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।  ଏହି ଆସନରୁ ବର୍ତ୍ତମାନ ବିଜେପି  ତରଫରୁ ପୁଣି ଥରେ ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ହେଲେ ଏଥର ତାଙ୍କ ପାଇଁ ଦିଲ୍ଲୀପ ରାୟ ଅଡୁଆ ସୃଷ୍ଟି ହୋଇଛି। କାରଣ ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ଥଫା ଦେଇଥିବାରୁ ପରିସ୍ଥିତି ବଦଳିଯାଇଛି। ବିଜେପି ଏହି ଆସନରେ ଏବେ ବ୍ୟାକଫୁଟରେ ଥିବାର କୁହାଯାଉଛି । ଗତ ନିର୍ବାଚନରେ ସୁନ୍ଦରଗଡରୁ ହକି ଷ୍ଟାର ଦିଲ୍ଲୀପ ତିର୍କୀ ବିଜେଡିରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ପ୍ରଶାସକ ଅରୂପ ପଟ୍ଟନାୟକଙ୍କ ପରି ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ଆସନରେ ବିଜେଡି ତରଫରୁ ଲଢିବା ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଏହିପରି ଦେଖିଲେ 21 ସଂସଦୀୟ ଆସନରେ,ବିଜେଡି ପ୍ରାୟ 80 ପ୍ରତିଶତ ସ୍ଥାନରେ ନୂଆ ମୁହଁ ଦେବାକୁ ବାଧ୍ୟ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର

ଆଧାର ସହ ଭୋଟର ପରିଚୟ ପତ୍ରକୁ ସଂଯୋଗ ପାଇଁ ଆଗତ ମାମଲାକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ଆଗତ ହୋଇଥିବା ଏକ ମାମଲାକୁ ଆଜି ଖାରଜ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ। ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟର ଆଇନ୍‌ଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରମ୍‌ କୋର୍ଟରେ ଆଗତ କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଏହାକୁ ଖାରଜ କରି ଦେଇଛନ୍ତି। ମାତ୍ର ଯଦି ନିର୍ବାଚନ କମିଶନ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍‌) କରିବା ପାଇଁ ଚାହିଁବେ, ତେବେ ସେ କ୍ଷେତ୍ରରେ ସୁପ୍ରିମ୍‌ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

Categories
ବିଶେଷ ଖବର

ଲୋକସଭା ପଠାଇବାକୁ ବିଜୁ ଜନତା ଦଳର “ନୂଆ ମୁହଁ” ଅଭିଯାନ, ବର୍ତ୍ତମାନ ସାଂସଦ ଥିବା ନବେ ଭାଗ ପ୍ରାର୍ଥୀଙ୍କ ଟିକଟ କଟିବ

କେଦାର ମିଶ୍ର

୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ ବୋଲି ଏବେ ସ୍ପଷ୍ଟ ସୂଚନା ମିଳୁଛି। ଗତ କାଲି ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତଥାଗତ ଶତପଥୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଶ୍ରୀ ଶତପଥୀ ବିଜେଡି ଟିକେଟରେ ଗତ ଚାରୋଟି ଯାକ ଲୋକସଭା ନିର୍ବାଚନ ଲଢି ବିଜୟଲାଭ କରିଥିଲେ। ହଠାତ ତାଙ୍କର ରାଜନୈତିକ ସନ୍ୟାସ ପଛରେ ସେ ଯଦିଓ ବ୍ୟକ୍ତିଗତ କାରଣ ଦର୍ଶାଉଛନ୍ତି, ଏହା ପଛରେ କିନ୍ତୁ ବିଜେଡି ମୁଖିଆଙ୍କର ସ୍ପଷ୍ଟ ଇଙ୍ଗିତ ଥାଇପାରେ ବୋଲି ସୂଚନା ମିଳୁଛି। ଯେଉଁମାନେ ଏକାଧିକ ଥର ଲୋକସଭାକୁ ଗଲେଣି ସେମାନଙ୍କୁ ଏଥର ନୂଆ ଭୂମିକାରେ ଦଳ ଦେଖିବାକୁ ଚାହୁଁଛି ବୋଲି ଏକ ସଙ୍କେତ ଏହି ସାଂସଦମାନଙ୍କୁ ଦିଆ ଯାଇଛି।

ବର୍ତ୍ତମାନ ଓଡିଶାରୁ ଲୋକସଭାରେ ୧୯ ଜଣ ସଦସ୍ୟ ରହିଛନ୍ତି। କେନ୍ଦ୍ରପଡା ସଦସ୍ୟ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଥିବାବେଳେ ଆସ୍କା ସଦସ୍ୟ ଲଡୁ କିଶୋର ସ୍ଵାଇଁଙ୍କ ପରଲୋକ ଘଟିଛି। ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲାପରେ ଏବେ ବିଜେଡି ଲୋକସଭା ପ୍ରାର୍ଥୀ ହେବାକୁ ନୂଆ ମୁହଁ ସ୍ଥିରୀକୃତ କରାଯାଉଛି। ଚଳିତ ଲୋକସଭାରେ ବିଜେଡ଼ିର ଅର୍ଜୁନ ଚରଣ ସେଠି (୮ଥର), ପ୍ରସନ୍ନ ପାଟ୍ଟଶାଣୀ (୫ଥର), ଭର୍ତ୍ତୃହରି ମହତାବ(୫ ଥର), ପିନାକୀ ମିଶ୍ର (୩ଥର), ସିଦ୍ଧାନ୍ତ ମହାପାତ୍ର, କଳିକେଶ ନାରାୟଣ ସିଂ ଦେଓ (୨ଥର)  ନିର୍ବାଚିତ ହୋଇ ଯାଇଛନ୍ତି। ବିଜେଡି ୨୦୧୪ ନିର୍ବାଚନରେ ଶକୁନ୍ତଳା ଲାଗୁରି, ରାମଚନ୍ଦ୍ର ହାଂସଦା, ଅର୍କ କେଶରୀ ଦେଓ, ପ୍ରଭାସ ସିଂ, ନଗେନ୍ଦ୍ର ପ୍ରଧାନ, ଝିନ ହିକକା, ବଳଭଦ୍ର ମାଝୀ, କୁଳମଣି ସାମଲ, ରବୀନ୍ଦ୍ର କୁମାର ଜେନା, ରୀତା ତରାଇ, ପ୍ରତ୍ୟୁଷା ରାଜେଶ୍ଵରୀ ଦେବୀ ଓ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁଙ୍କୁ ଲୋକସଭା ପାଇଁ ପ୍ରଥମ ଥର ଟିକଟ ଦେଇ ଜିତାଇଥିଲା। ଅର୍ଥାତ ଲୋକସଭା ପାଇଁ ବିଜେଡ଼ିର ୧୩ ଜଣ ନୂଆ ମୁହଁ ଥିଲେ। (୧୨ ଜଣ ଜିତିଥିବା ବେଳେ ସୁନ୍ଦରଗଡ ଆସନରୁ ଦିଲୀପ ତିର୍କୀ ହାରି ଯାଇଥିଲେ)

୨୦୧୯ ନିର୍ବାଚନରେ ନୂଆ ମୁହଁଙ୍କ ସଂଖ୍ୟା ୧୭ ରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି। ତିନି ଅଭିଜ୍ଞ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି, ପ୍ରସନ୍ନ ପାଟ୍ଟଶାଣୀ ଓ ଭର୍ତ୍ତୃହରି ମହତାବ ଏଥର ଟିକଟ ନ ପାଇବାର ସମ୍ଭାବନା ଅଧିକ। ମୟୂରଭଞ୍ଜ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଂସଦା ନିର୍ବାଚନ ଜିତିବା ପରେ ଚିଟ ଫଣ୍ଡ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତେଣୁ ତାଙ୍କୁ ଦଳ ଏଥର ପ୍ରାର୍ଥୀ କରିବାର ପ୍ରଶ୍ନ ଉଠୁନାହିଁ। ବ୍ରହ୍ମପୁର ଲୋକସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କ ପରିବର୍ତ୍ତେ ଚନ୍ଦ୍ରଶେଖର ସାହୁ ନିର୍ବାଚନ ଲଢିବାର ସମ୍ଭାବନା ସର୍ବାଧିକ। ସମ୍ବଲପୁର ଆସନରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଅବସର ନେଇଥିବା ନଳିନୀକାନ୍ତ ପ୍ରଧାନ ବିଜେଡି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବରଗଡ, କଳାହାଣ୍ଡି, ଯାଜପୁର, କେଉଁଝର, ଜଗତସିଂପୁର, ଢେଙ୍କାନାଳ, ଆସ୍କା, କେନ୍ଦ୍ରାପଡା, ସମ୍ବଲପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଇତ୍ୟାଦି ଆସନରେ ବିଜେଡି ନୂଆ ମୁହଁକୁ ଟିକଟ ଦେବ।

କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି। କିଛି ପୁରୁଣା ବିଧାୟକଙ୍କୁ ଲୋକସଭାକୁ ପଠାଇବାର ଯୋଜନା ମଧ୍ୟ କରାଯାଉଛି। ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ ପ୍ରମୁଖଙ୍କୁ ଲୋକସଭା ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ।

ସଂସଦୀୟ ଦଳରେ ବିଭାଜନ ସୃଷ୍ଟି ପାଇଁ ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୬-୧୭ ରେ ଯେଉଁ ଉଦ୍ୟମ କରିଥିଲେ, ସେଥିରୁ ବିଜେଡି ବେଶୀ ଅଭିଜ୍ଞ ନେତାଙ୍କୁ ଆଉ ଲୋକସଭାକୁ ପଠାଇବାକୁ ଚାହୁଁନାହିଁ। ୨୦୧୯ ଲୋକସଭା ଝୁଲା ହେବାର ସମ୍ଭାବନାକୁ ଆଖି ଆଗରେ ରଖି ବିଜେଡି ନିଜର ନୂଆ ମୁହଁ ଅଭିଯାନ ବିଷୟରେ ଅଧିକ ଗୁରୁତ୍ଵର ସହ ବିଚାର କରୁଛି। ତେବେ ପୁରୁଖା ନେତାଙ୍କୁ ଟିକେଟ ନଦେଲେ ସେମାନେ ଦଳ ପାଇଁ କି ପ୍ରକାର ସଙ୍କଟ ଓ ସମସ୍ୟା ସୃଷ୍ଟି କରିପାରିବେ, ସେ ବିଷୟରେ ମଧ୍ୟ ବିଜେଡି ଭିତରେ ତନାଘନା ଚାଲିଛି। ତଥାଗତ ଶତପଥିଙ୍କ ପରେ ହୁଏତ ଆଉ ଜଣେ ଦୁଇ ଜଣ  ପୁରୁଖା ନେତା ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିପାରନ୍ତି କିମ୍ବା ଦଳ ବଦଳ କରିପାରନ୍ତି।

ବିଜେଡି ସବୁ ସମ୍ଭାବନାର ଗଣିତକୁ ଆଖି ଆଗରେ ରଖି ନୂଆ ମୁହଁ ମାନଙ୍କ ତାଲିକା ତିଆରି କରୁଛି ବୋଲି ଏକ ବିଶେଷ ସୂତ୍ର ରୁ ଜଣା ପଡିଛି।

Categories
ଆଜିର ଖବର

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ସହ ନିର୍ବାଚନର କୌଣସି ପ୍ରକାର ସଂପର୍କ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ସମ୍ପ୍ରତି ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ନେଇ ରାଜନୀତି ବେଶ୍‌ ସରଗରମ ରହିଛି । ବିରୋଧୀ ସରକାରଙ୍କୁ ଏହି ଆକ୍ରମଣର ପ୍ରମାଣ ମାଗୁଥିବାବେଳେ ସରକାର ଏହାର ଜବାବ ରଖୁଛନ୍ତି । ତେବେ ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୟାନ ଦେଇଛନ୍ତି । ପାକିସ୍ତାନର ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍‌ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍‌ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍‌ଲା ପାଇଁ ଯେଉଁ ଷଡ୍‌ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ଆତଙ୍କବାଦୀ ନିପାତ ହେଲେ ତାକୁ ନେଇ ରାଜନୀତି କରା ନଯାଉ। କାରଣ, ଏହି ଏୟାର ଷ୍ଟ୍ରାଇକ୍‌ର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ସେଥିପାଇଁ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

Categories
ବିଶେଷ ଖବର

ଏପ୍ରିଲ ଦ୍ବିତୀୟ ସପ୍ତାହରେ ଓଡିଶାରେ ନିର୍ବାଚନ ହେବାର ସମ୍ଭାବନା, ମାର୍ଚ୍ଚ 8 ପରେ ଘୋଷଣା ହେବ ତାରିଖ।

ସମୀକ୍ଷା ବ୍ୟୁରୋ

କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ଏହି ନିର୍ବାଚନ ଏପ୍ରିଲ ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ଓଡିଶାରେ ଆସନ୍ତା ଏପ୍ରିଲ୍‌ 10 ଓ 17 ତାରିଖରେ ନିର୍ବାଚନ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାର ଜଣାପଡିଛି। କାରଣ ଏପ୍ରିଲ  13 ତାରିଖରେ ରାମନବମୀ ଏବଂ 14 ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଛି। ଏହି ଦୁଇଦିନକୁ ଓଡିଶା ଜନସାଧାରଣ ମହା ଆଡମ୍ବର ସହକାରେ ପାଳନ କରୁଥିବାରୁ ଏହା ପୂର୍ବରୁ ଏବଂ ପରେ ନିର୍ବାଚନ କରାଯିବ ଉଚିତ ବୋଲି ତର୍ଯ୍ୟମା କରାଯାଇ ଏପରି ନିଷ୍ପତି ହୋଇଥିବାର ଜଣାପଡିଛି। ସାରା ଭାରତରେ ପ୍ରାୟ 12ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବା ପାଇଁ ନିଷ୍ପତି ହୋଇଥିବାର ଜଣାପଡିଛି।  ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ ସେହି ଦିନ ହିଁ ଆଚରଣ ବିଧି ଲାଗୁ କରାଯାଇ ସମସ୍ତ କଟକଣା ଲାଗୁ କରାଯିବ। ଏହାପରେ ସମସ୍ତ ରାଜନୈତିକ ଦଳକୁ ଅତିକମ୍ ରେ 35 ଦିନ ନିର୍ବାଚନ ପ୍ରସ୍ତୁତି ଏବଂ ପ୍ରଚାର ପାଇଁ ସମୟ ଦିଆଯିବ।

ଗତ 15 ତାରିଖରେ ତିନିଦିନିଆ ଓଡିଶା ଗସ୍ତରେ ନିର୍ବାଚନ କମିଶନର ଅଶୋକ ଲାଭାସା ଆସିଥିଲେ। ଏହି ସମୟରେ ସେ ଓଡିଶାର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ସହିତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ଆଧାର କରି ସେ ଓଡିଶାର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ରିପୋର୍ଟ ଦେଇଥିବାର ଜଣାପଡିଛି। ସେତେବେଳେ ନିର୍ବାଚନ କମିଶନର ଓଡିଶାର ବରିଷ୍ଠ ଅଧିକାରୀଙ୍କୁ 20 ତାରିଖ ସୁଦ୍ଧା ବଦଳି କରିବା ପାଇଁ ମଧ୍ୟ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ବଡ ଧରଣର ଅଦଳ ବଦଳ ମଧ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଆଇନି ଶୃଙ୍ଖଳା ପରିସ୍ଥିତି ସଂପର୍କରେ କମିଶନର ପୋଲିସ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଗତ 2014 ନିର୍ବାଚନ ସମୟରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଯାହା ଥିଲା ସେଥିରେ ଅନେକ ସୁଧାର ଆସିଛି ବୋଲି କମିଶନରଙ୍କୁ ଅବଗତ କରାଯାଇଛି। ସେଥିପାଇଁ ଓଡିଶାରେ ନିର୍ବାଚନ ସୁରୁଖୁରରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅବଗତ କରାଇଛନ୍ତି। ଏହାସତ୍ବେ ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଆଧାର କରି ମୁଖ୍ୟ କମିସନର ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିଷ୍ପତି କରିଥିବା ଜଣାପଡିଛି।

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଏକ ନୂଆ ନିୟମ ଆସୁଥିବାର ଜଣାଯାଇଛି । ତାହା ହେଉଛି ପ୍ରାର୍ଥୀ ବା ପ୍ରାର୍ଥିନୀ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପରେ, ତାହା ଆୟକର ବିଭାଗ ଯାଞ୍ଚ କରିବା ପାଇଁ ପଠାଯିବ। ଏଥିସହ ଏଥର ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କ ଭାରତରେ ଥିବା ସଂପତ୍ତି ସହିତ ବିଦେଶରେ ଥିବା ସଂପତ୍ତି ତାଲିକା ମଧ୍ୟ ସଂଲଗ୍ନ କରିବାକୁ ବାଧ୍ୟତା ମୂଳକ କରାଯିବ। ସେସବୁ ଆୟକର ବିଭାଗ ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହୁଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କରାଯାଇଛି। ଏପରିକି ତାଙ୍କର ସଦସ୍ୟ ପଦକୁ ରଦ୍ଦ କରିଦିଆଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଓଡିଶାର ସମସ୍ତ ବୁଥରେ ଭିଭିପିଏଟି ଲଗାଯିବ । ଫଳରେ ଭୋଟର କାହାକୁ ଭୋଟଦେଲେ ତାହା ଏହି ମେସିନରୁ ବାହାରିଥିବା ରସିଦରୁ ଅବଗତ ହୋଇପାରିବେ। ଓଡିଶାର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ ବୋଲି ଜଣାପଡିଛି। ଆଉ ସେସବୁ ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀ ତଦାରଖ କରି ପଦକ୍ଷେପ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ପ୍ରାର୍ଥୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ଦଳ ଦ୍ବାରା ତଦାରଖ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଗତ 2014 ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ 5ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ସେତେବେଳେ ଏହି ନିର୍ବାଚନ ଏପ୍ରିଲ 7 ତାରିଖରୁ ଆରମ୍ଭ ହୋଇ ମେ 12 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଓଡିଶାର ଭୋଟ ଗ୍ରହଣ ଏପ୍ରିଲ 10 ଓ 17 ତାରିଖରେ କରାଯାଇଥିଲା। ମେ 16 ତାରିଖରେ ଭୋଟ ଗଣତି କରାଯାଇ,ଫଳାଫଳ ପ୍ରକାଶ କରାଯାଇଥିଲା। ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଯେଉଁ ଭୋଟ ଗ୍ରହଣ ତାରିଖ ଥିଲା, ତାହା ହେଲା..

ବିହାର- ଏପ୍ରିଲ୍ 10,17,24,30 ଏବଂ ମେ 7 ଓ 12 ତାରିଖ

ଓଡିଶା- ଏପ୍ରିଲ୍‌ 10 ଓ 17 ତାରିଖ

ପଶ୍ଚିମ ବଂଗ- ଏପ୍ରିଲ୍‌ 17, 24,30 ଏବଂ ମେ 7 ଓ 12 ତାରିଖ

ଝାଡଖଣ୍ଡ- ଏପ୍ରିଲ 10,17 ଓ 24 ତାରିଖ ଥିଲା।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ 7 ତାରିଖରେ ଦୁଇଟି ରାଜ୍ୟର 6 ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ 9 ତାରିଖରେ 5ଟି ରାଜ୍ୟର 7ଟି ନିର୍ବାଚନ ମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍‌ 10 ତାରିଖରେ 14ଟି ରାଜ୍ୟର 92ଟି ନିର୍ବାଚନ ମଣ୍ଡଳୀ, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ 12 ତାରିଖରେ 3ଟି ରାଜ୍ୟର 5ଟି ନିର୍ବାଚନ ମଣ୍ଡଳୀ, ପଞ୍ଚମ ପର୍ଯ୍ୟାୟ ଏପ୍ରିଲ 17 ତାରିଖରେ 13 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର 122ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଯାଇଥିଲା। ସେହିପରି ଏପ୍ରିଲ 24 ତାରିଖ ଷଷ୍ଠ ପର୍ଯ୍ୟାୟରେ 12 ଟି ରାଜ୍ୟର 117ଟି ନିର୍ବାଚନ ମଣ୍ଡଳୀ, ଏପ୍ରିଲ 30 ତାରିଖ ସପ୍ତମ ପର୍ଯ୍ୟାୟରେ 9ଟି ରାଜ୍ୟର 89 ନିର୍ବାଚନ ମଣ୍ଡଳୀ,ମେ 7 ତାରିଖ ଅଷ୍ଟମ ପର୍ଯ୍ୟାୟରେ 7ଟି ରାଜ୍ୟର 64 ନିର୍ବାଚନ ମଣ୍ଡଳୀ, ନବମ ପର୍ଯ୍ୟାୟ ମେ 12 ତାରିଖରେ 3ଟି ରାଜ୍ୟର 41ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଡିଜିଟାଲ ମିଡିଆର ବହୁଳ ବ୍ୟବହାର କରିବେ। ସେଥିପାଇଁ ନିର୍ବାଚନ କମିଶନର ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଆଇଟି ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦେବେ ବୋଲି ଜଣାପଡିଛି। ଏହି ଆଇଟି ଦଳ ସବୁ ରାଜ୍ୟରେ ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବେ ବୋଲି ନିଷ୍ପତି ହୋଇଛି।

 

Categories
ବିଶେଷ ଖବର

ଯୁଦ୍ଧର ଘନଘଟା ଓ ନିର୍ବାଚନ ପ୍ରଚାର ଏକା ସାଙ୍ଗରେ ଚାଲିପାରିବ କି ?

କେଦାର ମିଶ୍ର

ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର ଭକ୍ତି ଭାଗବତ ପାଲଟି ଯାଇଛି। ନିର୍ବାଚନ ପୂର୍ବରୁ ନିର୍ବାଚିତ ସରକାରର ସଫଳତା ଓ ବିଫଳତା ବିଷୟରେ ଆକଳନ କରିବା ଆଉ ସମ୍ଭବପର ନୁହେଁ।

ନିର୍ବାଚନ ପୂର୍ବରୁ ସାରା ଦେଶର ଜନମତକୁ ଯୁଦ୍ଧ ଓ ଶାନ୍ତି ଭିତରେ ବାଣ୍ଟି ଦିଆ ଯାଇଛି। ଯେଉଁମାନେ ଯୁଦ୍ଧର କଥା କହୁଛନ୍ତି ସେମାନେ ଦେଶପ୍ରେମୀ ଓ ଯେଉଁମାନେ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଛନ୍ତି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବାର ଏକ ଭୟଙ୍କର ଷଡଯନ୍ତ୍ର ଏ ଦେଶର ମୂଳ ଅସ୍ତିତ୍ଵକୁ ଦୋହଲାଇ ଦେଉଛି। ଗୋଟିଏ ପକ୍ଷରେ ଆନ୍ତର୍ଜାତିକ ଚାପ ଆଗରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧ ଉତ୍ତେଜନାକୁ ପ୍ରଶମିତ କରିବାର ଉଦ୍ୟମ କରୁଥିବା ବେଳେ ଉଭୟ ଦେଶର ଗଣମାଧ୍ୟମରେ ଏହାକୁ ନେଇ ବିକୃତ ବିଚାର ବଢିଚାଲିଛି। ତେବେ ପାକିସ୍ତାନରେ ଅବିକା ନିର୍ବାଚନ ହେବାର ନାହିଁ। ଭାରତ କିନ୍ତୁ ନିର୍ବାଚନ ସପ୍ତାହରେ ପ୍ରବେଶ କରିସାରିଛି। ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ମାସ ସମୟ ମାଗିଥିଲେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ। ଆଜି ତାଙ୍କୁ ପ୍ରଶ୍ନ ପଚାରିବାର ଓ ସେ ନିହାତି ଉତ୍ତର ଦେବାର ସମୟ ଆସିଛି। ହେଲେ ଠିକ ସେଇ ସମୟରେ ଆମେ ଯୁଦ୍ଧର ନିଶାରେ ମାତିଛୁ। ଆମର ଶହୀଦ ସୈନିକଙ୍କ ଶବ ଉପରେ ଶାସକ ଦଳ ନିଜର ଆସନ ସଂଖ୍ୟା ଗଣୁଛି।

ଫେବୃଆରୀ ୧୪ ପୁଲବାମା ଆକ୍ରମଣ ପରଠୁ ଏମିତି ଗୋଟେ ଦିନ ନାହିଁ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କରିନାହାନ୍ତି। ଯୁଦ୍ଧ ସମୟରେ ସାରା ଦେଶ ଏକ ରହିବା ଉଚିତ ବୋଲି କହି ପରବର୍ତ୍ତୀ ଧାଡିରେ ପ୍ରଧାନମନ୍ତ୍ରୀ ବିରୋଧିଦଳଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପରୋକ୍ଷ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭୁଲି ଯାଉଛନ୍ତି ଯେ, ଯୁଦ୍ଧ ସମୟରେ ଦଳ ମତ ନିର୍ବିଶେଷରେ ସବୁ ନାଗରିକଙ୍କୁ ଏକ କରିବାର ଦାୟିତ୍ଵ ତାଙ୍କର। ପ୍ରଧାନମନ୍ତ୍ରୀ ଏଠି ଗୋଟେ ନିର୍ଦ୍ଦିଷ୍ଟ ଦଳର ପ୍ରଧାନମନ୍ତ୍ରୀ ହୋଇ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଆଚରଣ ଓ ଉଚ୍ଚାରଣରେ ଦେଶପ୍ରେମ ଅପେକ୍ଷା ନିର୍ବାଚନ ପ୍ରେମ ଅଧିକ ବାରି ହୋଇପଡୁଛି। ଏଠି କହି ରଖିବା ଉଚିତ ହେବ ଯେ ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ନିଜର ରଣନୀତି ରଖିବେ ଓ ସେମାନଙ୍କ ବିଶ୍ଵସ୍ତତାର ଆଧାରରେ ଲୋକ ତାଙ୍କୁ ନିର୍ବାଚିତ କରିବେ। ସେହି ସମୟରେ ଶାସକ ଦାୟିତ୍ବରେ ଥିବା ଦଳ ଯଦି ଅନ୍ୟ ପ୍ରତିପକ୍ଷ ଦଳଙ୍କ ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଏ ତାହା ସବୁଠୁ ବଡ ଦେଶ ବିରୋଧୀ କାର୍ୟ।

ଭାରତର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ରାଜନୈତିକ ଦଳ ତଥା ଗଣମାଧ୍ୟମର ଦାୟିତ୍ଵ। ଏହା ନିଭାଇବାରେ ସମର୍ଥ ନହୋଇ ନିର୍ବାଚନ ସମୟରେ ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଆମ ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ । କେହି କେହି ଯୁକ୍ତି କରିପାରନ୍ତି ଦେଶ ବଡ ନା ନିର୍ବାଚନ ବଡ। ସେମାନଙ୍କୁ ଆମର ଉତ୍ତର ହେବ, ଆଜ୍ଞା, ଏମିତି ଯୁକ୍ତିରେ ପାକିସ୍ତାନରେ ସର୍ବାଧିକ ସମୟ ସାମରିକ ଶାସନ ହୋଇଛି। ଏହି ସମାନ ଯୁକ୍ତିର ଆଧାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେଣୁ ଦେଶର ସୁରକ୍ଷା ଅର୍ଥ ଗଣତନ୍ତ୍ର ଓ ସମ୍ବିଧାନର ପ୍ରତ୍ୟାଖ୍ୟାନ ନୁହେଁ। ଗଣତନ୍ତ୍ର ବିନା ଦେଶର ପରିକଳ୍ପନା ମଧ୍ୟ ସମ୍ଭବ ନୁହେଁ। ଯେଉଁମାନେ ଦେଶର ସମ୍ବିଧାନକୁ ଛୁଇଁ ଦେଶ ଶାସନର ଦାୟିତ୍ଵ ନେଇଛନ୍ତି ସେମାନେ ଦେଶର ସେନାବାହିନୀକୁ ନିଜର ଭୋଟ ରାଜନୀତିରେ ବ୍ୟବହାର କରିପାରିବେ ନାହିଁ। ଭାରତୀୟ ସେନାବାହିନୀ ଏ ଦେଶର ଗଣତନ୍ତ୍ର ପ୍ରତି ଏକ ପ୍ରତିବଦ୍ଧ ଅନୁଷ୍ଠାନ। ତେଣୁ ଗଣତନ୍ତ୍ର ବିରୋଧରେ ସେନାକୁ ବ୍ୟବହାର କରିବାର ଉଦ୍ୟମ କଦାପି ସଫଳ ହେବନାହିଁ ବୋଲି ଆମେ ଆଶା କରୁଛୁ।

ରାଜନୀତିରେ ନିର୍ବାଚନର ସମୟ ଆସିଛି। ଏଠି ସବୁ ଦଳ ନିଜର ମତ ଓ ପ୍ରତିଶୃତି ରଖିବେ। ସେଠି କେହି ଯଦି ନିଜକୁ ଅନ୍ୟ ଦଳଠାରୁ ବେଶୀ ଦେଶପ୍ରେମୀ କହୁଛି , ସେ ଦଳର ଦେଶପ୍ରେମ ଉପରେ ଘୋର ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି। ନିର୍ବାଚନ ସମୟରେ ଯୁଦ୍ଧର ଘନଘଟା ଓ ଦେଶପ୍ରେମର ଉଗ୍ର ନାଟକ ଉପରେ ବିରାମ ଚିହ୍ନ ଲଗାଇବା ଏବେ ନିର୍ବାଚନ କମିଶନଙ୍କ ପ୍ରାଥମିକ ଦାୟିତ୍ଵ ହେବା ଉଚିତ।

Categories
ବିଶେଷ ଖବର

ବିଜୁ ଜନତା ଦଳର ଟିକେଟ ବଣ୍ଟା କସରତ, ଚିଟ୍ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଦଳ ଟିକେଟ ଦେଇ ନ ପାରେ!

ସମୀକ୍ଷା ବ୍ୟୁରୋ

 ଯାହା ଜଣା ପଡୁଛି, ବିଜୁ ଜନତା ଦଳ ଚିଟ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଟିକେଟ ଦେବ ନାହିଁ। ଏହିପରି ଚର୍ଚ୍ଚା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଛି। ବିଜୁ ଜନତା ଦଳର ଅନେକ ନେତା ଚିଟଫଣ୍ଡ ସ୍କାମରେ ଜଡିତ ଥିବା ବେଳେ କେତେକ ଜେଲ ମଧ୍ୟ ଯାଇଛନ୍ତି। ଆଉ କେତେକ ନେତା ଜେରା ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଏପରି ଭାବମୂର୍ତ୍ତି ଥିବା ନେତାଙ୍କୁ କୁ ନେଇ ବିଜେଡି ନିର୍ବାଚନ ମଇଦାନକୁ କିପରି ଓହ୍ଲାଇବ ସେ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ତ୍ତମାନ ଏହି ଚିଟ ଫଣ୍ଡ ସ୍କାମ ସହ ଜଡିତ ନେତାଙ୍କୁ ଟିକେଟରୁ ବଞ୍ଚିତ କରିବେ ବୋଲି ବିଚାର ବିମର୍ଷ କରୁଥିବା ଜଣାପଡିଛି। ଯଦି ଏହା କାର୍ଯ୍ୟକାରୀ କରାଯାଏ ତେବେ ବିଜେଡିର ବହୁ ତୁଙ୍ଗ ନେତା ଆସନ୍ତା ନିର୍ବାଚନରେ ଟିକଟ ପାଇବାରୁ ବଞ୍ଚିତ ହେବେ।

ବର୍ତ୍ତମାନ ଚିଟ ଫଣ୍ଡ ସ୍କାମରେ ଯେଉଁମାନେ ଜେଲ ଯାଇଛନ୍ତି ସେମାନେ ହେଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ବିଧାୟକ ପ୍ରଭାତ ବିଶ୍ଵାଳ ଏବଂ ସାଂସଦ ରାମଚନ୍ଦ୍ର ହାଁସଦା। ଏମାନଙ୍କ ବ୍ୟତୀତ ବିଧାୟକ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସଂଜୟ ଦାସବର୍ମା, ବିଧାୟକ ଦେବୀ ମିଶ୍ର , ବିଧାୟକ ପ୍ରଦୀପ ମହାରଥୀ ଏବଂ ବାଲେଶ୍ଵର ସାଂସଦ ରବି ଜେନା ଏହି ସ୍କାମରେ କେଉଁଠି ନା କେଉଁଠି ଛନ୍ଦି ହୋଇପଡିଛନ୍ତି । ତେବେ ଏମାନେ ନବୀନ ପଟ୍ଟନାୟକଙ୍କ ବେଶ୍ ପାଖ ଲୋକ ହୋଇଥିବାରୁ ଏମାନଙ୍କୁ କିପରି ଟିକେଟରୁ ବଞ୍ଚତ କରାଯିବ, ସେ ନେଇ ମଧ୍ୟ ସନ୍ଦେହ ରହିଛି।

ଅନ୍ୟପକ୍ଷରେ ଏହିନେତାମାନଙ୍କ ମଧ୍ୟରୁ ଅନେକଙ୍କ ନିଜନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ଦବଦବା ରହିଛି। ଏକ ସୁତ୍ରରୁ ଜଣାପଡିଛି ଯେ ଏମାନଙ୍କ ସନ୍ତାନ କିମ୍ବା ନିକଟ ସଂପର୍କୀୟଙ୍କୁ ଟିକେଟ ଦିଆଯାଇ ସେମାନଙ୍କ ମନକୁ ସନ୍ତୁଷ୍ଠ କରାଯିବ। ଯଦି ସେପରି କରା ନ ଯାଏ ତେବେ ସେମାନେ ବିଦ୍ରୋହୀ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥିଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ଏପରି କଲେ ନବୀନ ଚିଟ୍ ଫଣ୍ଡ କଳଙ୍କରୁ ମୁକୁଳିବା ସହିତ ସେହି ଆସନଟିର ସ୍ଥିତି ମଧ୍ୟ ବଜାୟ ରଖିପାରିବେ।  ଅନ୍ୟପଟେ କେତେକ ନେତାଙ୍କ ପରିବାର ସଦସ୍ୟଙ୍କ ନାମ ମଧ୍ୟ ଚିଟ ଫଣ୍ଡ ସ୍କାମରେ ରହିଛି। ସେପରି କ୍ଷେତ୍ରରେ ଦଳ କଣ କରିବ ତାହା ନେଇ ବିଚାର ବିମର୍ଶ ଚାଲିଛି। । ସାଧାରଣତଃ ନବୀନ କିଛି ଚିନ୍ତା ନ କରି କଳଙ୍କିତ ନେତାଙ୍କୁ ଦଳରୁ ବହିସ୍କାର କରି ଦିଅନ୍ତି କିମ୍ବା ନିଳମ୍ବିତ କରନ୍ତି। ସେଥିପାଇଁ ଏହି ସ୍କାମ ପୀଡିତ ନେତାଙ୍କ ପ୍ରତି ନବୀନ ହୁଏତ କଠୋର ହୋଇପାରନ୍ତି ବୋଲି ଜଣାପଡୁଛି।

ଚର୍ଚ୍ଚା ହେଉଛି ଗତ ବର୍ଷ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଯୁବ ମନ୍ତ୍ରୀମାନେ ଯେପରି ଇସ୍ତଫା ଦେଇଥିଲେ, ସେହିପରି ଚିଟ ଫଣ୍ଡ ସ୍କାମରେ ଜଡିତ ନେତାମାନେ ନିଜଆଡୁ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିବା ଯୋଜନା ମଧ୍ୟ ଚାଲିଥିବା ଜଣାପଡିଛି। ଇତିମଧ୍ୟରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ସଙ୍କେତ ଦିଆସରିଲାଣି। ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ଟିକେଟ ମିଳିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥିରେ ପ୍ରଭାତ ରାଜି ହୋଇ ତାଙ୍କ ପୁଅଙ୍କୁ ରାଜନୀତି ମଇଦାନରେ ଛିଡା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ବାଙ୍କିରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ନବୀନ ଏଥର ନିର୍ବାଚନରେ ଆଉ ଏକ ବଡ ଗୋଟି ଚାଳନା କରିବାର ସମ୍ଭାବନା ମଧ୍ୟ ରହିଛି। ତାହା ହେଉଛି ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା। 33 ପ୍ରତିଶତ ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନେଇ ନବୀନ ଏକ ଅଭିଯାନ ସାରା ଦେଶରେ ଆରମ୍ଭ କରିଛନ୍ତି। ତେବେ ଏହି ବିଲ୍ ପାଶ ହେବା ପୂର୍ବରୁ ଏଥର ନିର୍ବାଚନରେ ନବୀନ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଇ ଏକ ଉଦାହରଣ ସୃଷ୍ଟି କରିବାର ମଧ୍ୟ ସମ୍ଭାବନା ରହିଛି।

ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଟିକେଟ ଆଶାୟୀଙ୍କ ହୃତକମ୍ପନ ସେତିକି ବଢୁଛି।  ଟିକେଟ ଲବିରେ ଥିବା ସବୁ ନେତାଙ୍କୁ କୁହାଯାଇଛି,ରାଜଧାନୀରେ ଭିଡ ନକରି ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ। ତେବେ ବାସ୍ତବରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ,ସେକଥା ନବୀନଙ୍କ ବ୍ୟତୀତ ଆଉ କାହାକୁ ମାଲୁମ ନାହିଁ।

Categories
ବିଶେଷ ଖବର

ଓଡିଶା ପ୍ରାକ ନିର୍ବାଚନୀ ସମୀକ୍ଷା ; ବିରୋଧୀଙ୍କ ଭଙ୍ଗା ଘର ଓ ବିଜେଡ଼ିର ଅଭେଦ୍ୟ ଦୁର୍ଗ

କେଦାର ମିଶ୍ର

– ଶୁଣା ଯାଉଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ୩୧ ଜାନୁଆରୀ କେଜ୍ରିୱାଲଙ୍କ ଓଡିଶା ଗସ୍ତ ସମୟରେ ହୁଏତ କିଛି ଗୋଟେ ନୂଆ ଘଟିପାରେ!

– ଶୁଣା ଯାଉଛି, ନବ ଦାସ ଓ ଯୋଗେଶ ସିଂଙ୍କ ପରେ ଆହୁରି ଚାରି ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି।

– ଶୁଣା ଯାଉଛି, ପୁରୁଣା କଂଗ୍ରେସ ନେତାଏ ଦଳ ଛାଡିଲା ପରେ ତାଙ୍କ ସ୍ଥାନରେ ପୁରୁଣା ବିଜେଡି ନେତାଏ ଅକ୍ତିଆର କରିବେ। ଅର୍ଥାତ ଦଳ ଛେଉଣ୍ଡ ହୋଇ ବୁଲୁଥିବା ବିଜେଡ଼ିର ପୁରୁଣା ନେତାମାନେ କଂଗ୍ରେସ ଶିବିରରେ ଯୋଗଦେବେ।

ଏଇ ତିନୋଟି ଯାକ ଶୁଣାକଥା କୁ ଆମେ ଖବର ବୋଲି ଭାବି ପାରିବା କି? ଅନେକ ସମୟରେ ରାଜନୀତିରେ ଶୁଣାକଥା ଇ ପରବର୍ତ୍ତୀ ସମୟରେ ପକ୍କା ଖବର ପାଲଟିଥାଏ। ତେବେ ଉପରେ ଦିଆ ଯାଇଥିବା ଶୁଣାକଥା ଗୁଡିକ ଯେଉଁ ମହଲରୁ ଶୁଣା ଯାଇଛି, ସେଠି ଏ ସବୁ କଥାର ଆପାତତଃ ପ୍ରାମାଣିକତା ରହିଛି। ଶ୍ରୀକାନ୍ତ ଜେନା ଆମ ଆଦମୀ ପାର୍ଟିକୁ ଆସିବେ କି ନା, ସେକଥା ଯଦିଓ ଏବେ କୁହା ଯାଇପାରିବ ନାହିଁ, କିନ୍ତୁ ସେ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଥିବା ନିହାତି ସତ। ସେହିପରି କଂଗ୍ରେସରେ ଏବେ ବିଧାୟକଦଳ ଉଜୁଡିଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଅର୍ଦ୍ଧାଧିକ ବିଧାୟକ ଏବେ ଆଉ କଂଗ୍ରେସରେ ରହିବାକୁ ଚାହାନ୍ତି ନାହିଁ।

ତେଣୁ କଂଗ୍ରେସକୁ ଏ ବିଷମ ପରିସ୍ଥିତିରୁ ରକ୍ଷା କରିବା ଲାଗି ପ୍ରଦେଶ କଂଗ୍ରେସ ସଭାପତି ଏବେ ବିଜେଡ଼ିରୁ ବିତାଡିତ/ବହିଷ୍କୃତ ନେତାମାନଙ୍କୁ ଦଳ ଭିତରକୁ ଆଣିବା ଲାଗି ଅଣ୍ଟା ଭିଡିଛନ୍ତି। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ପ୍ରବର୍ତ୍ତାଇବାରେ ନିରଞ୍ଜନ ଲାଗି ପଡିଛନ୍ତି। ତେବେ ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ଏ ନେତା ମାନେ କଂଗ୍ରେସକୁ ଯଦି ଆସନ୍ତି, ତାହେଲେ କଂଗ୍ରେସର ଶକ୍ତି ବୃଦ୍ଧି ହେବ କି?

ବିଜେପିରୁ ମୋହ ଭଙ୍ଗ ହେବାପରେ ବୈଜୟନ୍ତ ଏବେ କଂଗ୍ରେସ ସହିତ ହାତ ମିଳାଇଥିବାର ସୂଚନା ମିଳିଛି। ବୈଜୟନ୍ତଙ୍କ ସମେତ ବାକି ସବୁ ନେତା ଜୀବନ ତମାମ କଂଗ୍ରେସ ବିରୋଧରେ କହିଛନ୍ତି ଓ କାମ କରିଛନ୍ତି। ଏବେ ସେମାନେ ଯଦି କଂଗ୍ରେସକୁ ଆସନ୍ତି ପୁରୁଣା କଂଗ୍ରେସ କର୍ମୀମାନେ ତାଙ୍କୁ କେମିତି ଗ୍ରହଣ କରିବେ, ସେ ଏକ ବିରାଟ ପ୍ରଶ୍ନବାଚୀ। ତେବେ  ବୈଜୟନ୍ତଙ୍କୁ ଆଣିବା ପଛରେ କଂଗ୍ରେସର ସବୁଠୁ ବଡ ଲୋଭ ହେଉଛି ଓ ଟିଭି । ବୈଜୟନ୍ତ ଯଦି ଆସନ୍ତି ତାହେଲେ ଏକ ବଡ ଗଣମାଧ୍ୟମର ସମର୍ଥନ ଆପେ ଆପେ କଂଗ୍ରେସକୁ ଚାଲି ଆସିବ ବୋଲି ହୁଏତ ଦଲ ଭାବୁଥାଇ ପାରେ। ହେଲେ ବିଚାରରେ ଓ ସଂଯୋଗରେ ବୈଜୟନ୍ତ ସଂଘ ପରିବାରର ସବୁଠୁ ନିକଟବର୍ତ୍ତୀ ଲୋକ। ସେ କଂଗ୍ରେସ ଭିତରେ ନିଜକୁ କେମିତି ଖାପ ଖୁଆଇବେ ତାହା ଦେଖିବା, ବେଶ ମଜାଳିଆ ହେବ!

ତେବେ ଏତେସବୁ କଥା ଭିତରେ ଆଉ କିଛି ଶୁଣା କଥା ବି ରହିଛି-

  • ଯେମିତି, ଏୟା ବି ହୋଇପାରେ ଯେ ବୈଜୟନ୍ତ, ଦାମୋଦର, ବିଜୟ ଓଗେର ଓଡିଶା ଜନତା ଦଳ ନାମରେ ଗୋଟେ ନୂଆ ଦଳ ଗଢିପାରନ୍ତି ଓ ଏ ଦଳ କଂଗ୍ରେସ ସହିତ ଆସନ ବୁଝାମଣା କରିପାରେ!
  • ଯେମିତି ଅଣ ବିଜେପି ଓ ଅଣ ବିଜେଡି ଦଳଙ୍କର ଏକ ମେଣ୍ଟ କଂଗ୍ରେସ ନେତୃତ୍ଵରେ ହେବ ଓ ଏମାନେ ବିଜେଡି-ବିଜେପି ବୁଝାମଣା ପ୍ରସଙ୍ଗ ଉଠାଇ ଲାଭ ପାଇବାର ଉଦ୍ୟମ କରିବେ!
  • ଯେମିତି, ୧୦୦ ଓ ୪୭ ର ଏକ ଭାଗମାପ କଥା ମଧ୍ୟ ଉଠିପାରେ। କଂଗ୍ରେସ ୧୦୦ ଟି ଆସନରେ ଲଢି ବାକି ୪୭ ଟି ଆସନ ସହଯୋଗୀ ମାନଙ୍କୁ ଛାଡି ଦେଇପାରେ।

ଏତେ ସବୁ ଶୁଣାକଥା ଭିତରେ ଓଡିଶା ରାଜନୀତିର ମରମକଥା କିନ୍ତୁ ଅଲଗା। ଏବେବି ବିରୋଧୀ ଦଳ ଗୁଡିକ ନିଜର ଘର ସଜାଡିବାରେ ବ୍ୟସ୍ତ ଥିବାବେଳେ ବିଜେଡି ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି। ଫେବୃଆରି ୧୫ ତାରିଖ ପୂର୍ବରୁ ସରକାରୀ ସ୍ତରରେ ବିଜେଡି ନିଜର ପ୍ରଚାର ଅବ୍ୟାହତ ରଖିବା। ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅଧିକରୁ ଅଧିକ ଲୋଭନୀୟ ଯୋଜନା ସରକାରୀ ସ୍ତରରେ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ପରେ କେବଳ ଔପଚାରିକ ଦଳୀୟ ପ୍ରଚାର ବାକିଥିବ।

ବିଜେଡ଼ିର ଏହି ପ୍ରସ୍ତୁତିକୁ ରୋକିବା ଲାଗି ବିରୋଧୀ ଦଳ ଗୁଡିକର ସାମର୍ଥ୍ୟ ଅପେକ୍ଷା ସେମାନଙ୍କ ଦୁର୍ବଳତା ଏବେ ଅଧିକ ଦୃଶ୍ୟମାନ ହେଉଛି। ଏଯାବତ ବିଜେପି ରାଜ୍ୟ ଶାଖା ଶକ୍ତିଶାଳୀ ଲାଗୁଥିବାବେଳେ ହଠାତ ବିଜେପି ଭିତରେ ଏବେ ଅସନ୍ତୋଷ ବାରି ହୋଇ ପଡୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖା ଦେଲାଣି। ଉଭୟ କଂଗ୍ରେସ ଓ ବିଜେପି ନିଜ ଭଙ୍ଗାଘର ଗଢିବାରେ ଲାଗିଥିବା ସମୟରେ ବିଜୁ ଜନତା ଦଳ ନିଜର ଦୂର୍ଗ ଗଢି ସାରିଛି ବୋଲି, ଆମେ କହିପାରିବା।