Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦି, ଦିନ ଓ ସମୟ ହେଲା ଧାର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସେଥିପାଇଁ କେନ୍ଦ୍ରର ଏନଡିଏ ସରକାର ଏଥିପାଇଁ ଏବେଠାରୁ ଆରମ୍ଭ କରିଛନ୍ତି ଉଦ୍ୟମ। ସେହିକ୍ରମରେ ଏନଡିଏ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ମାରଥନ ବୈଠକ କରିବେ ବୋଲି ଘୋଷଣା କରାଯାଇଛି। ଏହି ଆଲୋଚନା ଚଳିତ ୩୧ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଚାଲିବ।

ପ୍ରଥମେ ସନ୍ଧ୍ୟା ସାଢ଼େ ୬ଟାରେ ଏବଂ ଅନ୍ୟଟି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଟି ଭାଗରେ ବୈଠକ ହେବ। ସୋମବାର ଜୁଲାଇ ୩୧ରୁ  ଏନଡିଏ ବୈଠକ ଆରମ୍ଭ ହେବ, ଯେଉଁଥିରେ ଉତ୍ତରପ୍ରଦେଶର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୬ଟାରେ ଭେଟି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଏହି ବୈଠକରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡର ସାଂସଦମାନେ ସାମିଲ ହେବେ। ସଞ୍ଜୀବ ବାଲିୟାନ ଏବଂ ବିଏଲ ବର୍ମାଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ସାଂସଦମାନଙ୍କ ସହ ସାକ୍ଷାତ କରିବେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଶାନ୍ତନୁ ଠାକୁର ଏହି ଅଧିବେଶନର ଆୟୋଜନ କରିବେ। ଯେଉଁଥିରେ ଓଡିଶା ସମେତ ୪୧ ଜଣ ସାଂସଦ ଉପସ୍ଥିତ ରହିବେ।

ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଉତ୍ତରପ୍ରଦେଶର କାଶୀ, ଗୋରଖପୁର ଓ ଅବଧରୁ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଅମିତ ଶାହା ଓ ରାଜନାଥ ସିଂହ ଉପସ୍ଥିତ ରହିବେ ଏବଂ ମନ୍ତ୍ରୀ ଅନୁପ୍ରୁକ୍ତ ପଟେଲ ଓ ମହେନ୍ଦ୍ର ନାଥ ପାଣ୍ଡେ ଆୟୋଜକଭାବେ ଦାୟିତ୍ୱ ତୁଲାଇବେ ଏହି ଅଧିବେଶନରେ ୪୮ ଜଣ ସାଂସଦ ଅଂଶଗ୍ରହଣ କରିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପର ସାଂସଦମାନଙ୍କ ସହ ବୈଠକ ହେବ। ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭି ମୁରଲୀଧରନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ଉପସ୍ଥିତ ରହିବେ। ଏଥିରେ ମୋଟ ୪୮ ଜଣ ସାଂସଦ ଯୋଗଦେବେ ବୋଲି ଆଶା କରାଯାଉଛି।

ଆଗକୁ ବଢ଼ି ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବିହାରର ୨୭ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜନାଥ ସିଂହ ଏବଂ ଅମିତ ଶାହା ଯୋଗଦେବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଓଡ଼ିଶାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାକୁ ମହିଳା ମୋର୍ଚ୍ଚାର ପଦକ୍ଷେପ

ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସାରା ଓଡ଼ିଶାର  ସୁକନ୍ୟା ସମୃଦ୍ଧି ଯୋଜନା ଅଭିଯାନ ଆରମ୍ଭ କରିଛି। ମହିଳା ମୋର୍ଚ୍ଚା ତରଫରୁ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଯୋଜନା ଦ୍ୱାରା ଓଡ଼ିଶାର ଦଳିତ ନିଷ୍ପେସିତ ତଥା ଅବହେଳିତ ଶିଶୁକନ୍ୟା ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ୱର ୟୁନିଟ -୪ ମଙ୍ଗଳା ବସ୍ତିରେ ୧୦ ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସାମିଲ କରାଯାଇଛି। ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ମହିଳା ମୋର୍ଚ୍ଚାର କାର‌୍ୟ୍ୟକର୍ତ୍ତା ମାନେ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ ,ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକୀୟ ଅର୍ଥରାଶିକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଅର୍ଥ ସଂଚୟ କରିବାର ଏକ ବ୍ୟବସ୍ଥା।

ବର୍ଷକୁ ୨୫୦ ଟଙ୍କାରୁ ସର୍ବାଧିକ ୧୫୦୦୦୦ ତାଙ୍କ ଯାଏ କୌଣସି ପୋଷ୍ଟ ଅଫିସ କିମ୍ବା ଅଧିକୃତ ବ୍ୟାଙ୍କରେ ଟଙ୍କା ଜମାରାଶି ଶିଶୁକନ୍ୟାଙ୍କ ଭବିଷ୍ୟତ ସୁରକ୍ଷିତ ରଖିହେବ।ଏହି ଯୋଜନାରେ ଝିଅର ୧୮ ବର୍ଷ ପରେ ତାର ଉଚ୍ଚ ଶିକ୍ଷା ପାଇଁ ସଂଚୟ ପରିମାଣର ୫୦ ପ୍ରତିଶତ ବ୍ୟବହାର କରିବାର ବ୍ୟବସ୍ଥା ଥିଲାବେଳେ ୨୧ ବର୍ଷ ବୟସ ପରେ ତାର ବିବାହ ପାଇଁ ବଳକା ସଂଚୟ ଟଙ୍କା ବ୍ୟବହାର କରିପାରିବ।ଏହି ଯୋଜନା ମାଧ୍ୟମରେ ବିଶେଷ କରି ସ୍ୱଚ୍ଛ ଓ ମଧ୍ୟ ଆୟ ବର୍ଗ ଏବଂ ଗରିବ ପିତାମାତା ମାନେ ବହୁ ଉପକୃତ ହୋଇପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମିରଂଜନ ପ୍ରଧାନ ,ରାଜ୍ୟ ମହିଳା ମୋର୍ଚ୍ଚାର କସ୍ତୁରୀ ମିଶ୍ର ,ଶଶିପ୍ରଭା ରଥ କବିତା ଲେଙ୍କାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ସରଜମିନ ତଦନ୍ତ କଲେ ବିଜେପିର ୩ ଜଣିଆ ଦଳ 

ଭୁବନେଶ୍ୱର, ଗତ ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଂଜଳୀ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରିଛନ୍ତି।

ପ୍ରତିନିଧୀ ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁ ଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି। ପରେ କୋଟପାଡ ଥାନା ଆଇଆଇସିଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ। ପ୍ରତିନିଧୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସନ୍ତୋଷଜନକ ଉତର ମିଳିନଥିଲା। ତଦନ୍ତ ପରେ ପ୍ରତିନିଧୀ ଦଳ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କୁ ଭିଡିଓ କନଫରେନ୍ସିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

Categories
ବିଶେଷ ଖବର

ଓଡିଶାରେ ବିଜେପି ଯେତିକି ବିଫଳ, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ସେତେ ଅଧିକ ସଫଳ-କାରଣ କଣ? 

କେଦାର ମିଶ୍ର

ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା ନାଚ) ଯୋଗୁଁ ବିଜେପୁରରେ ବିଜେଡ଼ିର ବିପୁଳ ବିଜୟ ଘଟିଲା ବୋଲି ଓଡିଶା ସଂଗଠନ ଦାୟିତ୍ବରେ ଥିବା ବିଜେପି ପ୍ରଭାରି ଅରୁଣ ସିଂ କହିଛନ୍ତି। ତେବେ ପରାଜୟ ପରେ ଏହା ହେଉଛି ଏକ ପ୍ରକାର ଫର୍ମୁଲା ପ୍ରତିକ୍ରିୟା। ଗୋଟେ ନିର୍ବାଚନ ମଣ୍ଡଳୀର ୭୩% ଭୋଟଦାତା ଯଦି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି, ସେଥିରେ ବିଜେତା ଦଳର ଅର୍ଥବଳ ଓ ବାହୁବଳ ଅପେକ୍ଷା ବିରୋଧୀ ପକ୍ଷର ଦୁର୍ବଳତା କିଛି କମ ଦାୟୀ ନୁହେଁ। ଦୁର୍ଭାଗ୍ୟକ୍ରମେ ଓଡିଶା ବିଜେପି ନିଜର ରାଜନୈତିକ ବିଫଳତାକୁ ଲୁଚାଇବାକୁ ଯାଇ ସେଇ ପୁରୁଣା ଢାଲ ବ୍ୟବହାର କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ପାଇଁ ସେମାନେ ଯେଉଁ ମିଶନ-୧୨୦+ ର ଲକ୍ଷ୍ୟ ରଖିଥିଲେ, ତାହା ଭୟଙ୍କର ଭାବେ ବିଫଳ ହେବା ପରେ, ବିଜେପି କହିଲା ଆମେ ମୁଖ୍ୟ ବିରୋଧୀ ଦଳର ଭୂମିକାକୁ ଆସିଛୁ, ଏହା କଣ ସଫଳତା ନୁହେଁ।ଓଡିଶାରେ ବିଜେପିର ଏକମାତ୍ର ସଫଳତା ହେଉଛି,ଏହା କଂଗ୍ରେସକୁ ଧୂଳିସାତ କରି ବିଜୁ ଜନତା ଦଳକୁ ନିର୍ବିକଳ୍ପ ରାଜନୈତିକ ଶକ୍ତି ହେବାର ସୁଯୋଗ ଦେଇଛି।

ବିଜେପିର କ୍ରମାଗତ ପରାଜୟ ଓ ବିଫଳତାରୁ ଗୋଟେ ବଡ ସଫଳତାର ଚାବିକାଠି ମିଳିଛି ଓ ସେ ଚାବିକାଠିର ମାଲିକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ବିଜେପି ଯେତେ ବିଫଳ ହେଉଛି, ଧର୍ମେନ୍ଦ୍ର ସେତେ ଉପରକୁ ଉଠୁଛନ୍ତି। ବିଜେପିର ମୂଳ କ୍ଷମତାକେନ୍ଦ୍ର ଭାବେ ପରିଗଣିତ ଏକ ଛୋଟ ଗୋଷ୍ଠୀରେ ଧର୍ମେନ୍ଦ୍ର ଅତ୍ୟନ୍ତ ପ୍ରଭାବଶାଳୀ ସଦସ୍ୟ। ଭାରତର ପ୍ରଶାସନିକ ଇତିହାସରେ ଏତେ ଦୀର୍ଘ ସମୟ କୌଣସି ମନ୍ତ୍ରୀ ପେଟ୍ରୋଲିୟମ ବିଭାଗର ଦାୟିତ୍ଵ ନେବାକୁ ସକ୍ଷମ ହୋଇ ନାହାନ୍ତି। ଗୋଟେ ସମୟରେ ପେଟ୍ରୋଲିୟମ ମୁମ୍ବାଇ ଲବିର କବଜାରେ ରହିଥିଲା। ରାମ ନାଏକ, ମୁରଲୀ ଦେଓରାଙ୍କ ଭଳି ଲୋକ ମଧ୍ୟ ଏ ବିଭାଗରେ ବେଶୀ ଦିନ ତିଷ୍ଠି ପାରିନଥିଲେ। ଏକଦା ୟୁପିଏ ସରକାରରେ ଜୟପାଲ ରେଡ୍ଡୀ ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ଥିବା ବେଳେ ଅମ୍ବାନୀ ଓ ରିଲାଏନ୍ସ  ଗୃପ ବିରୋଧରେ କିଛିଟା ଅପ୍ରିୟ କାର୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ, ତାଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ ହୋଇଯାଇଥିଲା। ସେମିତି ଏକ ବିଭାଗକୁ ଏକାଦିକ୍ରମେ ଧର୍ମେନ୍ଦ୍ର ସାଢେ ପାଞ୍ଚ ବର୍ଷ ଚଳାଇଲେଣି। ଏଥିରୁ ତାଙ୍କର ଦକ୍ଷତା ଓ କର୍ପୋରେଟ ସଂଯୋଗର ପ୍ରମାଣ ଅବଶ୍ୟ ମିଳୁଛି। ହେଲେ ଏହା ସହିତ ଓଡିଶା ବିଜେପିର ସମ୍ପର୍କ କଣ?

ଧର୍ମେନ୍ଦ୍ରଙ୍କ ସବୁ ସଫଳତା ଭିତରେ ଓଡିଶା ମୁଖ୍ୟମନ୍ତ୍ରୀ ହେବାର ଏକ ଅଭିଳାଷ ରହିଛି। ରହିବା ଉଚିତ ମଧ୍ୟ। ତେବେ ରାଜନୀତିରେ ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ଦକ୍ଷତା ନଥିଲେ ମୁଖ୍ୟମନ୍ତ୍ରୀ ହେବା ସହଜ କଥା ନୁହେଁ। ଧର୍ମେନ୍ଦ୍ର ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ମାନକରେ ପୂରା ଶୂନ। ସେ ଗତ ୧୦ ବର୍ଷ ହେଲା ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ରାଜ୍ୟସଭା ସଦସ୍ୟ ଭାବରେ ସେ ବିହାର ଓ ମଧ୍ୟ ପ୍ରଦେଶରୁ ନିର୍ବାଚିତ ହୋଇ ଯାଇଛନ୍ତି। ତେଣୁ ଓଡିଶାର ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ତାଙ୍କର ସମ୍ପୃକ୍ତି ନାହିଁ। ତେବେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ଥିଲେ ଓଡିଶା ବିଜେପିର ମୁଖ୍ୟ ନେତା। ଏହି ଦୁଇଟି ଯାକ ନିର୍ବାଚନରେ ବିଜେପି ଜିତିବା ତ ଦୂରର କଥା ୨୫ ଆସନ ମଧ୍ୟ ଟପି ପାରିନାହିଁ। ୨୦୧୮ ବିଜେପୁର ଉପ ନିର୍ବାଚନରେ ଧର୍ମେନ୍ଦ୍ର ବ୍ୟକ୍ତିଗତ ଭାବରେ ବିଜେପି ନିର୍ବାଚନର ମଙ୍ଗ ସମ୍ଭାଳିଥିଲେ। ତା ସତ୍ତ୍ୱେ ମଧ୍ୟ ସେହି ଉପ ନିର୍ବାଚନରେ ବିଜେପି ପ୍ରାୟ ଚାଳିଶ ହଜାର ଭୋଟରେ ହାରିଥିଲା। ଗତ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ଥିଲେ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାର ପରିଣତିରେ ବିଜେପି କଣ ପାଇଲା, ସେକଥା କହିବାର ଆବଶ୍ୟକତା ନାହିଁ। ମଇ ନିର୍ବାଚନ ପରେ ପାଟକୁରା ଓ ବିଜେପୁର ଉପ ନିର୍ବାଚନ ହୋଇଛି ଓ ଏହି ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି। ଫଳ ଘର କିନ୍ତୁ ବିଜେପି ପାଇଁ କେବଳ ଶୂନ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯତସାମାନ୍ୟ ସଫଳତା ମିଳିଥିଲା, ତାହାର ଏକମାତ୍ର କାରଣ ଥିଲା ବିଜେଡିର ନିଷ୍କ୍ରିୟତା। ୨୦୧୪ ନିର୍ବାଚନ ପରେ କିଛି ବର୍ଷ ବିଜେଡି ସଂଗଠନ ଢିଲା ପଡିଥିଲା ଓ ତାହାରି ସୁଯୋଗରେ ବିଜେପି କିଛିଟା ସଫଳତା ପାଇଥିଲା। ବିଜେଡି ନିଜ ତ୍ରୁଟି ସଜାଡିଦେଲା ପରେ ବିଜେପି ପୁଣି ନିଜର ପୂର୍ବାବସ୍ଥାକୁ ଫେରି ଯାଇଛି।

ଏଠି ମୂଳ ପ୍ରଶ୍ନ ହେଉଛି, ରାଜ୍ୟ ବିଜେପି ଯେତେ ଅଧିକ ବିଫଳ ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଫଳତାର ହାର ସେତେ ବଢୁଛି, ଏହାର କାରଣ କଣ ହୋଇପାରେ? ରାଜ୍ୟ ବିଜେପି ବିଫଳ ହେଲେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର ମିଳିବାର ଅର୍ଥ କଣ- ବିଜେପି ଚାହୁଁଛି ଓଡିଶାରେ ନବୀନ ବାବୁଙ୍କ ସରକାର ଚିରସ୍ଥାୟୀ ହୋଇ ରହୁ??

ପଢନ୍ତୁ- ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାଁର ଯଦି ପୋଲିସ ବିଭାଗର ତଦନ୍ତ ଅଧିକାରୀ ହୁଅନ୍ତି ତେବେ କେମିତି ହୁଅନ୍ତା

Categories
ଆଜିର ଖବର

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକସଭା

 ସମୀକ୍ଷା ବ୍ୟୁରୋ

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଶ୍ରନ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା । ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ । ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ । ସମଗ୍ର ନାରୀ ଜାତି ପାଇଁ ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । ସ୍ୱର୍ଗତାଃ ସୁଷମାଜୀଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି । ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର କରିବାରେ ପାରଙ୍ଗମ ଥିଲେ । ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ । ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି । ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସଂପାଦକ (ସଙ୍ଗଠନ ) ମାନସ ମହାନ୍ତି, ବିଧାୟକ ସନାତନ ବିଜୁଳୀ, ମୁଖପାତ୍ର ଦିଲୀପ ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ମହେଶ୍ୱର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

 

Categories
ବିଶେଷ ଖବର ମତାମତ

ଚିଟଫଣ୍ଡ କେଳେଙ୍କାରିରେ ସାଧାରଣ ନିର୍ବାଚନ ପୂର୍ବର ସିବିଆଇ ନୋଟିସ ଗଲା କୁଆଡେ?

କେଦାର ମିଶ୍ର

ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ  ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।

୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!

ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?

ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।

ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!

Categories
ବିଶେଷ ଖବର

ପୁଣି ଥରେ ବାଜି ମାରିନେଲେ ଧର୍ମେନ୍ଦ୍ର ପ୍ରଧାନ , ଜଳକା ହୋଇ ପଡି ରହିଲେ ଜୁଏଲ ଓରାମ ଓ ଅନ୍ୟମାନେ

କେଦାର ମିଶ୍ର

ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଦ୍ଵିତୀୟ ପାଳିର ସରକାର ଆରମ୍ଭ ହୋଇଛି। ନୂଆ ମୋଦୀ ସରକାରରେ ଏବେ ଯୋଗ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଅର୍ଥାତ ଏବେ ବିଧିବଦ୍ଧ ଭାବରେ ମୋଦୀ-ଶାହ ସରକାର ଆରମ୍ଭ ହେଲା। ତେବେ ମୋଦୀ ସରକାରର ପ୍ରଥମ ପାଳିରେ ଓଡିଶାରୁ ଜଣେ ମାତ୍ର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିଲେ ହେଁ, ଦୁଇଜଣ ଓଡିଆ ମନ୍ତ୍ରୀ ପଦ ପାଇଥିଲେ। ଜୁଏଲ ଓରାମ କ୍ୟାବିନେଟ ମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ। ହେଲେ ଏଇ ନିର୍ବାଚନରେ ଓଡିଶାରୁ ଆଠ ଜଣ ଲୋକସଭା ସଦସ୍ୟ ବିଜେପିରୁ ଯାଇଛନ୍ତି। ହେଲେ ମନ୍ତ୍ରୀ ହେଲାବେଳକୁ ପୁଣି ସେଇ ଦୁଇ ଜଣ। ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚିତ ହୋଇ ନାହାନ୍ତି। ସେ ରାଜ୍ୟସଭାକୁ ଆଗରୁ ବିହାରରୁ ଯାଇଥିଲେ, ଏବେ ମଧ୍ୟ ପ୍ରଦେଶର ପ୍ରତିନିଧି ଅଛନ୍ତି। ଏମିତି ଦେଖିଲେ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ପ୍ରତିନିଧି। ଗତ ପନ୍ଦର ବର୍ଷ ହେଲା ସେ ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ତେଣୁ ତାଙ୍କୁ ଓଡିଶାରୁ ପ୍ରତିନିଧି ବୋଲି ଭାବିବା ଠିକ ହେବନାହିଁ। ସେହି ପୃଷ୍ଠଭୂମିରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଜଣେ ମାତ୍ର ଓଡିଶାର ପ୍ରତିନିଧି ଅଛନ୍ତି, ଆଉ ସେ ହେଲେ ବାଲେଶ୍ଵର ଲୋକସଭା ସଦସ୍ୟ ପ୍ରତାପ ଷଡଙ୍ଗୀ। ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା।

ଏଠି ଆମର ପ୍ରଶ୍ନ ହେଉଛି, ଓଡିଶାରୁ ବିଜେପିର ଏକମାତ୍ର ନେତା ଜୁଏଲ ଓରାମ ସବୁ କଠିନ ସମୟରେ ନିର୍ବାଚିତ ହୋଇକି ଯାଉଥିବା ବେଳେ, ତାଙ୍କୁ ମନ୍ତ୍ରୀ ତାଲିକାରୁ ବାଦ ଦେବାର କାରଣ କଣ? ଗତ ମନ୍ତ୍ରିମଣ୍ଡଳରେ ଜୁଏଲ ଭଲ କାମ କରିନଥିଲେ କି? ଯଦି ମୋଦୀ-ଶାହ ଜୁଏଲଙ୍କୁ ଅଯୋଗ୍ୟ ବୋଲି ଭାବିଲେ ତାଙ୍କୁ ସୁନ୍ଦରଗଡରୁ ପୁଣିଥରେ ଟିକଟ ଦେଉଥିଲେ କାହିଁକି? ଜଣେ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ୨ ଲକ୍ଷରୁ ଅଧିକ ବ୍ୟବଧାନରେ ଜିତିକରି ଗଲାବେଳେ, ତାକୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦିଆଯାଉଛି। ତାଙ୍କ ପରିବର୍ତ୍ତେ ଯାହାଙ୍କୁ ଓଡିଶାର ପ୍ରତିନିଧି ବୋଲି କୁହାଯାଉଛି, ସେ ନିଜ ଦମ୍ଭରେ ଆଜି ପର୍ୟନ୍ତ ଗୋଟିଏ ବି ନିର୍ବାଚନ ଜିଣି ନାହାନ୍ତି। ଯେଉଁ ଦୁଇଥର ସେ ଲୋକସଭା କୁ ଯାଇଥିଲେ, ତାହା ବିଜେଡି-ବିଜେପି ମେଣ୍ଟ ଥିବା ବେଳେ ହିଁ ସମ୍ଭବ ହୋଇଛି। ଓଡିଶାରେ ନ ରହି, ଓଡିଶାରୁ ନିର୍ବାଚନ ନ ଲଢି, ଓଡିଶାର ପ୍ରତିନିଧି ହେବା ପଛରେ କଣ କାରଣ ରହିଛି, ସେ କଥା ଅବଶ୍ୟ ଲୋକେ ଜାଣନ୍ତି।

ଓଡିଶାରୁ ଯେଉଁ ବିଜେପି ନେତାମାନେ ଲୋକସଭାକୁ ନିର୍ବାଚିତ ହୋଇକି ଗଲେ ସେମାନେ ମନ୍ତ୍ରୀ ହେବାକୁ ଅଯୋଗ୍ୟ କି? ପଶ୍ଚିମ ଓଡିଶାରୁ ବିଜେପି ସବୁବେଳେ ବିପୁଳ ସମର୍ଥନ ପାଇ ଆସୁଥିବା ବେଳେ ନେତୃତ୍ୱ ପ୍ରସଙ୍ଗ ଆସିଲେ ଓ କ୍ଷମତା ବଣ୍ଟନ କ୍ଷେତ୍ରରେ ପଶ୍ଚିମ ଓଡିଶାର ନେତାମାନେ କୋଣଠେସା ହୋଇ ରହନ୍ତି କାହିଁକି? ଜୁଏଲ ଓରାମ ଉଭୟ ବାଜପାୟୀ ଓ ମୋଦୀ ସରକାରରେ ମନ୍ତ୍ରୀ ରହିଥିଲେ ମଧ୍ୟ, ତାଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ସେତେଟା ଗୁରୁତ୍ଵ ନ ଦେବାର କାରଣ କଣ? ରାଜ୍ୟ ବିଜେପିର ସବୁଠୁ ପୁରୁଖା ଆଦିବାସୀ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରି ନରେନ୍ଦ୍ର ମୋଦୀ ବୋଧେ ଏଇ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ, ତାଙ୍କ ଟିମରେ ଆଦିବାସୀ ଓ ଲୋକପ୍ରିୟ ନେତାଙ୍କର ଆବଶ୍ୟକତା ନାହିଁ। ଆମ ଲୋକ ବି ବିଚିତ୍ର। ପ୍ରତାପ ଷଡଙ୍ଗୀଙ୍କୁ ମହାପୁରୁଷ କରିବାରେ ଆମେ ବହୁ କାହାଣୀ ଲେଖି ସାରିଲୁଣି। ହେଲେ ଜୁଏଲଙ୍କ ଲାଗି କାହା ମନରେ ସାମାନ୍ୟ ଆଗ୍ରହ ନାଇଁ।

ଏଠି କହିଲେ ଅନେକଙ୍କୁ ଖରାପ ଲାଗିପାରେ, ହେଲେ ଅସଲ ସତ୍ୟ ହେଉଛି, ରାଜ୍ୟର ଆଦିବାସୀ ଓ ଦଳିତ ନେତୃତ୍ବକୁ ହେୟ କରି ଦେଖିବାର ଏକ ଭୟଙ୍କର ମାନସିକତା ଆମର ରହି ଆସିଛି। ଧର୍ମେନ୍ଦ୍ର ଓ ପ୍ରତାପ ଆମ ଲାଗି ନାୟକ, କାରଣ ଏମାନେ ତଥାକଥିତ ଉଚ୍ଚ ବର୍ଗର ପ୍ରତିନିଧି। ହେଲେ ଜଣେ ଆଦିବାସୀ ଯୁବକର ସଂଘର୍ଷ ଆମଲାଗି ବଡ ଆକର୍ଷଣ ନୁହେଁ। ଆସନ୍ତା କାଲି ହୁଏତ ଜୁଏଲଙ୍କୁ ଅନ୍ୟ କେଉଁଠି ଥଇଥାନ କରାଯାଇପାରେ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡିଶାର ଆଦିବାସୀଙ୍କୁ ଜୁଏଲଙ୍କ ପ୍ରସଙ୍ଗରେ କି ଉତ୍ତର ଦେବ? ଜୁଏଲଙ୍କ ସହିତ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ଅପରାଜିତା ଷଡଙ୍ଗୀ କିମ୍ବା ବଲାଙ୍ଗୀରରୁ ଚତୁର୍ଥ ଥର ଲାଗି ଲୋକସଭାକୁ ପ୍ରତିନିଧିତ୍ଵ କରୁଥିବା ସଙ୍ଗୀତା ସିଂ ଦେଓ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଥିଲା। ତେବେ ୫୯ ଜଣିଆ ମନ୍ତ୍ରିମଣ୍ଡଳରେ ମାତ୍ର ୬ ଜଣ ମହିଳା ସଦସ୍ୟ ଥିବା ବେଳେ ଓଡିଶାର ଏ ମହିଳା ସାଂସଦ ମାନେ ଜାଗା ପାଇଥାନ୍ତେ କେଉଁଠି?

Categories
ବିଶେଷ ଖବର

ଦଳବଦଳ ରାଜନୀତି : ଟିକଟ ବଣ୍ଟନକୁ ନେଇ ନିଜ ଜାଲରେ ନିଜେ ଫସିଲା ଓଡିଶା ବିଜେପି

କେଦାର ମିଶ୍ର

ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ ଦିନ ଧରି ତାଲା ପଡିବା ପରେ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ କାର୍ୟାଳୟ ସବୁକୁ ବିଜେପି କର୍ମୀମାନେ ପୋଡି ଦେଇଛନ୍ତି। ଦଳର ବହୁ ପୁରୁଖା ନେତା ଏବେ ଦଳ ଛାଡି ଚାଲି ଯାଉଛନ୍ତି। ତେବେ ଏହି ଘଟଣା ଲାଗି ବିଜେପି ଅନ୍ୟ କାହାକୁ ଦାୟୀ କରିବା ଅପେକ୍ଷା ନିଜର ଆତ୍ମା ସମୀକ୍ଷା କରିବା ଜରୁରୀ। ଦଳ ନିଜ ଦମ୍ଭରେ ନିର୍ବାଚନ ନ ଲଢି ଅନ୍ୟ ଦଳର ଆମଦାନୀ କରା ନେତାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇ ପଡିଛି ଯେ, ଗୋଟେ ଗୋଟେ ଲୋକସଭା କ୍ଷେତ୍ରରେ ବିଜେପିର ଜଣେ ବି ପୁରୁଣା ନେତା ବା କର୍ମୀ ଟିକଟ ପାଇନାହାନ୍ତି। ଯାଜପୁରର ସାତୋଟିଯାକ ନିର୍ବାଚନମଣ୍ଡଳୀରେ ବିଜେପି ବିଜେଡ଼ିରୁ ବହିଷ୍କୃତ ନେତାମାନଙ୍କୁ ଟିକଟ ଦେଇଛି। ଏହା ସ୍ଵାଭାବିକ ଭାବରେ ବିଜେପିର ପୁରୁଣା କର୍ମୀଙ୍କୁ କ୍ଷୁବ୍ଧ କରିଛି। ଆଜି ମଧ୍ୟ ବିଜେପି ରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କ ଲମ୍ବା ଧାଡି ଲାଗିଛି ଓ ଏହି ନେତାମାନେ ହିଁ ବିଜେପିକୁ ଓଡିଶାରେ ତଳି ତଳାନ୍ତ କରିଦେବେ ବୋଲି ବିଜେପି କର୍ମୀମାନେ କ୍ରୋଧର ସହିତ କହୁଛନ୍ତି।

ବାସ୍ତବ ଦୃଷ୍ଟିରୁ ଦେଖିଲେ ବିଜୁ ଜନତା ଦଳକୁ ଅସୁବିଧାରେ ପକାଇବାକୁ ଯାଇ ବିଜେପି ବିଜେଡ଼ିର ଅସନ୍ତୁଷ୍ଟ ନେତାଙ୍କୁ ଡାକି ବଡ ଚୌକି ସବୁ ଯାଚି ଦେଉଛି। ବିଜେଡି ନିଜର ପ୍ରାୟ ସବୁ ଲୋକସଭା ପ୍ରାର୍ଥୀଙ୍କୁ ଟିକଟ ନଦେବାର ନିଷ୍ପତ୍ତି ନେଲାବେଳେ ଏକଥା ନିଶ୍ଚୟ ଜାଣିଥିଲା ଯେ, ଏହି ଅସନ୍ତୁଷ୍ଟମାନେ କଂଗ୍ରେସ କିମ୍ବା ବିଜେପିର ଶରଣାପନ୍ନ ହେବେ। କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାରୁ ଅଧିକାଂଶ ଅସନ୍ତୁଷ୍ଟ ବିଜେଡି ନେତା ବିଜେପି ମୁହାଁ ହେବା ସ୍ଵାଭାବିକ। ଦଳ ଭିତରେ ଅସନ୍ତୁଷ୍ଟ ହୋଇ ଅନ୍ତର୍ଘାତି କାର୍ୟ କରିବା ଅପେକ୍ଷା ଏହି ନେତାମାନେ ବିଜେଡ଼ିର ସ୍ଵାର୍ଥ ଲାଗି ବିଜେପିରେ ଯୋଗଦେବା ବିଜେଡ଼ିର ସ୍ଵାର୍ଥ ପାଇଁ ନିହାତି ଜରୁରୀ ଥିଲା। ସତ କହିବାକୁ ଗଲେ, ବିଜେପି ନିଜ ଅଜାଣତରେ ବିଜେଡି ବିଛାଇଥିବା ଜାଲରେ ଆପେ ଆପେ ପଡିଗଲା। ବିଜେଡ଼ିରୁ ଆସିଥିବା ଅସନ୍ତୁଷ୍ଟ ଓ ପ୍ରତ୍ୟାଖ୍ୟାତମାନେ ଏବେ ବିଜେପିର ନିଜ ଘରକୁ ଉଜାଡି ଦେବା ଆରମ୍ଭ କରିଛନ୍ତି।

ଗୋଟେ ପକ୍ଷରେ ବିଜେଡ଼ିର ଆମଦାନିକରା ନେତାମାନେ ବିଜେପିର ଦୁର୍ଗ ଭାଙ୍ଗୁଥିବା ବେଳେ, ଦଳ ଭିତରେ ପୁରୁଣା ନେତାଙ୍କ ମଧ୍ୟରେ ଅହଂକାର ଯୁଦ୍ଧ ପ୍ରବଳ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ପୂରା ପଶ୍ଚିମ ଓଡିଶାର ବିଜେପି ସଂଗଠନ ଆଜି ସଙ୍କଟରେ ପଡି ଯାଇଛି। ସମ୍ବଲପୁର ର ଟାଣୁଆ ବିଜେପି ନେତା ସୁରେଶ ପୂଜାରୀଙ୍କୁ ସମ୍ବଲପୁର ବଦଳରେ ବରଗଡ ଲୋକସଭା ଆସନରୁ ଲଢିବାକୁ ବାଧ୍ୟ କରାଯାଇଛି। ବରଗଡରେ ଗତ ସାଧାରଣ ନିର୍ବାଚନ ଲଢି ସେଠାକାର ଟାଣୁଆ ନେତା ତଥା ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁବାସ ଚୌହାନ ମାତ୍ର ୧୧ ହଜାର ଭୋଟରେ ହାରିଥିଲେ। ସୁବାସଙ୍କୁ ଟିକଟ ନଦେଇ ବରଗଡରେ ସୁରେଶ ପୂଜାରୀଙ୍କୁ ଟିକଟ ଦେବାର ଅର୍ଥ ହେଉଛି ଉଭୟ ନେତାଙ୍କୁ ରାଜନୈତିକ ସ୍ତରରେ ପଙ୍ଗୁ କରିଦେବା। ସୁବାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ କୁହାଯାଇପାରେ ବୋଲି ଏକ ସୂଚନା ମିଳୁଛି। ଯଦି ତାହା ହୁଏ, ଏହା ସୁବାସଙ୍କୁ  ହରାଇବାର ଏକ ଷଡଯନ୍ତ୍ର ବୋଲି ସ୍ପଷ୍ଟ ହୋଇଯିବ।

ସମ୍ବଲପୁର ଆସନରେ ଦେବଗଡ ବିଧାୟକ ନିତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରି ବିଜେପି ଏହି ଆସନକୁ ଏକପ୍ରକାର ହାତଛଡା କରି ସାରିଛି। ସେହିପରି କଳାହାଣ୍ଡି ଲୋକସଭା ଆସନରେ ଲଢିବାକୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ଦୃଢ ପ୍ରତିଶୃତି ଦିଆ ଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ଭବାନୀ ପାଟଣା ବିଧାନସଭା ଲାଗି ପ୍ରାର୍ଥୀ କରି ଲୋକସଭା ଆସନ ପାଇଁ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଟିକଟ ଦିଆ ଦିଆଗଲା। ଏହି ଘଟନା କଳାହାଣ୍ଡି ବିଜେପିରେ ଭୂକମ୍ପ ସୃଷ୍ଟି କରିଛି। ପ୍ରଦୀପ୍ତ ନାୟକ ସିଧା ସଳଖ ନବୀନ ନିବାସରେ ପହଞ୍ଚିଥିବା ବେଳେ ଖରିଆର ବିଧାୟକ ଦୁର୍ୟୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।

ପଶ୍ଚିମ ଓଡିଶାରେ ବିଜେପିର ଯେଉଁ ସମ୍ଭାବନା ଥିଲା ବିଜେପି ତାକୁ ଜାଣିଶୁଣି ନଷ୍ଟ କରି ଦେଇଛି। ସମାନ କଥା ଉପକୂଳରେ ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଜଣାଶୁଣା ବିରୋଧୀ ପ୍ରତାପ ଷଡଙ୍ଗୀଙ୍କୁ ନୀଳଗିରି ବିଧାନସଭା ଟିକଟ ନଦେଇ ତାଙ୍କୁ ବାଲେଶ୍ଵର ଲୋକସଭା ଲାଗି ପ୍ରାର୍ଥୀ କରାଯାଇଛି। ଏହା ପ୍ରତାପଙ୍କୁ ହରାଇବାର ଏକ ଷଡଯନ୍ତ୍ର ବୋଲି ସଭିଙ୍କୁ ଜଣା। ପୁରୀ ଆସନରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଟିକଟ ଦିଆଯାଇଛି। ସେ ପୁରୀ ସହିତ ଆଦୌ ପରିଚିତ ନୁହନ୍ତି। ଦିଲ୍ଲୀର ୱାର୍ଡ ମେମ୍ବର ନିର୍ବାଚନରେ ହାରିଥିବା ସମ୍ବିତ ବିଜେପିର ଲୋକସଭା ପ୍ରାର୍ଥୀ ହେବା ଏବେ ସବୁଠୁ ବଡ ଜୋକ ବୋଲି କୁହାଯାଉଛି।

ଭୁବନେଶ୍ୱର ପାଇଁ ଟିକଟ ପାଇଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଏବେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ବିଜେଡି ଭିତରେ ଅସନ୍ତୋଷ ସୃଷ୍ଟି କରି ନିର୍ବାଚନୀ ଫାଇଦା ଉଠାଇବାର ଯେଉଁ ରଣନୀତି ବିଜେପି ପ୍ରସ୍ତୁତ କରିଥିଲା ତାହା ଏବେ ବିଜେପି ଲାଗି ଆତ୍ମଘାତି ସାବ୍ୟସ୍ତ ହୋଇଛି। ନିଜେ ବିଛେଇଥିବା ଜାଲରେ ବିଜେପି ଆଜି ନିଜେ ଫସି ଯାଇଛି।

Categories
ବିଶେଷ ଖବର

ବିଜେପିକୁ ଆସିବାଲାଗି ବୈଜୟନ୍ତଙ୍କ ବାଇଶ ବର୍ଷର ଅପେକ୍ଷା ଓ ତପସ୍ୟା

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି  ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା କହୁଥିଲେ, ତାହା ଯେ କେବଳ ଛଳନା ଥିଲା, ଏହା ତାଙ୍କ ନିଜ ବକ୍ତବ୍ୟ ପ୍ରମାଣିତ କରୁନାହିଁ କି?

ବିଜୁ ପଟ୍ଟନାୟକ ସାରା ଜୀବନ ସାମ୍ପ୍ରଦାୟିକ ରାଜନୀତି ତଥା ସେ ରାଜନୀତି ସହ ସଂପୃକ୍ତ ଜନସଙ୍ଘ, ବିଜେପି ଓ ସଂଘ ପରିବାରକୁ ବିରୋଧ କରି ଆସୁଥିଲେ।୧୯୭୭ର  ଜନତା ପାର୍ଟି ସରକାରରେ ଥିବା ଜନସଙ୍ଘି ମନ୍ତ୍ରୀମାନେ ଦ୍ଵୈତ ଆଦର୍ଶ ରଖିପାରିବେ ନାହିଁ ବୋଲି ବିଜୁ ବାବୁ ସେତେବେଳେ ଦୃଢ ଯୁକ୍ତି କରିଥିଲେ। ୧୯୯୫ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ଅପ୍ରତ୍ୟାଶ୍ୟିତ ପରାଜୟ ସତ୍ତ୍ୱେ ସେ ନିଜ ଜୀବନକାଳରେ ବିଜେପି ସହ ମେଣ୍ଟ କରିବାକୁ ଚାହିଁନଥିଲେ। ବିଜୁ ବାବୁଙ୍କର ସବୁ ଶିଷ୍ୟ ପ୍ରଶିଷ୍ୟ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଗୋଡ ଟେକି ବସିଥିଲେ, ସେତେବେଳେ ବିଜୁ ବାବୁ ଏକଲା ହୋଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ବିଜୁ ବାବୁ ଙ୍କ ଅବର୍ତ୍ତମାନରେ ଯେତେବେଳେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କଲା, ତାହା ଏକପ୍ରକାର ବିଜୁ ବିରୋଧୀ ଆଦର୍ଶ ଥିଲା ବୋଲି କୁହାଯାଇପାରେ। ସେଇ ଦୃଷ୍ଟିରୁ ବୈଜୟନ୍ତଙ୍କ ବିଜୁ ପ୍ରେମ କେବଳ ଏକ ବାହାନା ମାତ୍ର। ବିଜେପି ସହିତ ନିଜର ଆଦର୍ଶଗତ ମେଳକ ସତ୍ତ୍ୱେ ବୈଜୟନ୍ତଙ୍କ ପରି ବହୁ ନେତା ବିଜୁ ପଟ୍ଟନାୟକଙ୍କ ବିଚାର ସହ ଯୋଡି ହେବାର ନାଟକ ଇ କରିଥାନ୍ତି।

ତେବେ ଆଜି ଯେତେବେଳେ ବୈଜୟନ୍ତ ନିଜ ମୁହଁ ରେ ସତ୍ୟକୁ ସ୍ଵୀକାର କରିଛନ୍ତି, ସେତେବେଳେ ତାଙ୍କୁ କେତୋଟି ଅଡୁଆ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ଗତ ବାଇଶ ବର୍ଷ ଧରି ସେ ବିଜେପିକୁ ଆସିବାକୁ ଚାହୁଁଥିଲେ ତାହେଲେ ବିଜେଡି ରୁ ରାଜ୍ୟସଭା ଓ ଲୋକସଭା କୁ ଯାଉଥିଲେ କାହିଁକି? ୨୦୧୭ ଓଡିଶା ପଞ୍ଚାୟତ ନିର୍ବାଚନ ସମୟରେ ଓ ତା ପରେ ବିଜେପି ପ୍ରରୋଚନାରେ ସେ ବିଜେଡି ସଂସଦୀୟ ଦଳ ଓ ବିଧାୟକ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା, ତାହା ସତ୍ୟ କି? ପୁନଶ୍ଚ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ଏକ ଜାତୀୟ ୱେବ ସାଇଟରେ ଯେଉଁ ମିଛ ଖବର ପ୍ରକାଶ ପାଇଥିଲା, ତା ପଛରେ ଜଣେ ବିଜେପି ପ୍ରେମୀ ବିଜେଡି ସାଂସଦଙ୍କ ହାତ ରହିଛି ବୋଲି ସେତେବେଳେ କୁହାଯାଉଥିଲା। ତାହା ଆଜି ପ୍ରମାଣିତ ହୋଇ ଯାଇଛି କି?

ବିଜେପି କୁ ସୁହାଇଲା ଭଳି ପରିସ୍ଥିତି ସୃଷ୍ଟି କରାଇବାରେ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ନିହାତି ଜରୁରୀ ଥିଲା। ସେହିପରି ବିଜେଡ଼ିରୁ ବିତାଡିତ ଅସନ୍ତୁଷ୍ଟ ନେତାମାନେ ଯେମିତି ଶକ୍ତିଶାଳୀ ନହୁଅନ୍ତି, ତାହା ଦେଖିବା ମଧ୍ୟ ଜରୁରୀ ଥିଲା। ଏ ସବୁ କୂଟନୈତିକ କାମରେ ବିଜେପି ବୈଜୟନ୍ତଙ୍କୁ ଲଗାଇ କଂଗ୍ରେସକୁ ଦୁର୍ବଳ କରିବାରେ ସଫଳ ହୋଇଛି କି? ବିଜେଡିରେ ବୈଜୟନ୍ତଙ୍କ ଗୋଟି ଚାଳନା ବିଫଳ ହେବାପରେ ସେ ବାହାରେ ରହି କଂଗ୍ରେସ ଓ ଅନ୍ୟାନ୍ୟ ବିଜେପି ବିରୋଧୀ ଶକ୍ତିକୁ ଗତ ୯ ମାସ ଧରି ଦୁର୍ବଳ କରିବାର ଉଦ୍ୟମ କରି ଆସିଛନ୍ତି। ଅବଶ୍ୟ ଏଥିଲାଗି ବୈଜୟନ୍ତଙ୍କ ତୁଳନାରେ ଓଡିଶା କଂଗ୍ରେସ ନିଜକୁ ଅଧିକ ଦାୟୀ କରିବା ଉଚିତ। ଆଦର୍ଶଗତ ଭାବରେ ବୈଜୟନ୍ତ ସଂଘ ପରିବାରର ନିକଟବର୍ତ୍ତୀ ବୋଲି ଜାଣି ମଧ୍ୟ କଂଗ୍ରେସ ତାଙ୍କୁ ସମର୍ଥନ ଦେଇ ଆସୁଥିଲା। ତେବେ ବିଜେପିର ନିକଟ ସମ୍ପର୍କୀୟ ଭାବେ ବୈଜୟନ୍ତ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଆସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ବୈଜୟନ୍ତ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ବିଜେଡ଼ିର ସମଦୂରତା ନୀତି କାରଣରୁ ବୈଜୟନ୍ତଙ୍କ ବିଜେପି ପ୍ରୀତି କିଛିଟା ବ୍ୟାହତ ହୋଇଥିଲା। ଯଦିଓ ସେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ, ବସ୍ତୁତଃ ସେ ବିଜେପି ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ଗୋଟେ ସମୟରେ ବିଜେଡିରେ ବିଭାଜନ ସୃଷ୍ଟି କରି ବିଜେପି ସହାୟତାରେ ସରକାର ଗଢିବାର ଷଡଯନ୍ତ୍ର ମଧ୍ୟ ହୋଇଥିଲା। ତାହା ସଫଳ ନହେବାରୁ ବୈଜୟନ୍ତ ବିଜେଡି ଭିତରେ ନିଜକୁ ଜଣେ ଲଢୁଆ ଆଦର୍ଶବାଦୀ ବୋଲି କହିବାକୁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟତଃ ସେ ବିଜେଡି ଭିତରେ ବିଜେପିର “ଭେଦିଆ” ଭାବରେ ହିଁ କାମ କରୁଥିଲେ।

ସେ ଯାହା ବି ହେଉ ବାଇଶ ବର୍ଷ ଧରି ବାହାରେ ବିଜେପିର  ଭେଦିଆ ହୋଇ ରହିବା ପରେ ଆଜି ସେ ନିଜ ମନ ପସନ୍ଦର ଦଳକୁ ଫେରିଥିବାରୁ, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ!!

Categories
ବିଶେଷ ଖବର

ସୋସିଆଲ ମିଡିଆରେ ଘୂରିବୁଲିଲା ବିଜେପିର ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା, ବିଜେପି ଶିବିରରେ ଜୋରଦାର ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ

ବିଜେପି ତରଫରୁ ପୁରୀ ଲୋକସଭା ଆସନ ପାଇଁ ଲଢେଇ କରିବେ ଦିଲ୍ଲୀ ଦରବାରରେ ଦବଦବା ଥିବା ଓଡିଶାର ଯୁବ ନେତା ସମ୍ବିତ ପାତ୍ର। ସେହିପରି ସମ୍ବଲପୁରରୁ ପ୍ରାର୍ଥୀ ହେବେ ସୁରେଶ ପୂଜାରୀ, ଆଉ ଭୁବନେଶ୍ଵରରୁ ଲଢିବେ ଅପରାଜିତା ଷଡଙ୍ଗୀ। ଏହିପରି ବିଜେପିର ପୁରା ୨୧ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଉ ଏହାକୁ ନେଇ ରାଜ୍ୟ ରାଜନିତିରେ ଆରମ୍ଭ ହୋଇଯାଇଛି ବଡ ଚର୍ଚ୍ଚା। ବର୍ତ୍ତମାନ  ରାଜନୈତିକ ଦଳଗୁଡିକ କାହାକୁ ପ୍ରାର୍ଥୀ କରିବେ ସେ ନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି। ଏପରିକି ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ବିଜେପିର ୨୧ଟି ଆସନର ପ୍ରାର୍ଥୀ ତାଲିକା ସୋସିଆଲ ମିଡିଆରେ ଘୁରି ବୁଲିବା ରାଜ୍ୟ ରାଜନୀତିକୁ ଗରମ କରିଦେଇଛି। ପ୍ରକୃତରେ ଏହି ତାଲିକାର କୌଣସି ସତ୍ୟତା ନାହିଁ ସତ। ହେଲେ ବିଜେପି ଶିବିରରେ ଏହାକୁ ନେଇ ଚର୍ଚ୍ଚା ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୋସିଆଲ ମିଡିଆରେ ବିଜେପିର ଯେଉଁ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୁରିବୁଲୁଛି ସେମାନେ ହେଲେ..

୧-କଳାହାଣ୍ଡି- ବସନ୍ତ ପଣ୍ଡା

୨-କୋରାପୁଟ-ଜୟରାମ ପାଙ୍ଗୀ

୩-ନବରଙ୍ଗପୁର-ପର୍ଶୁରାମ ମାଝୀ

୪-ବ୍ରହ୍ମପୁର-ଭ୍ରୁଗୁ ବକ୍ସିପାତ୍ର

୫-ଆସ୍କା-ମହେଶ ସାହୁ

୬-ବାଲେଶ୍ଵର- ଲେଖାଶ୍ରୀ ସାମନ୍ତସିଂହାର

୭-ମୟୁରଭଂଜ-ଗିରିଶ ମୁର୍ମୁ

୮-ଭୁବନେଶ୍ଵର-ଅପରାଜିତା ଷଡଙ୍ଗୀ

୯-କଟକ-ପିତାମ୍ବର ଆଚାର୍ଯ୍ୟ

୧୦-ଜଗତସିଂହପୁର-ବାଇଧର ମଲ୍ଲିକ

୧୧-ଯାଜପୁର-ବବିତା ମଲ୍ଲିକ

୧୨-କେନ୍ଦ୍ରାପଡା-ଜ୍ଞାନ ବେଉରା

୧୩-କେଉଁଝର-ଅନନ୍ତ ନାୟକ

୧୪-ସୁନ୍ଦରଗଡ-ଜୁଏଲ ଓରାମ

୧୫-ପୁରୀ-ସମ୍ବିତ ପାତ୍ର

୧୬-କନ୍ଧମାଳ-ସୁକାନ୍ତ ପାଣିଗ୍ରାହୀ

୧୭-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

୧୮-ବରଗଡ-ଅଶ୍ୱିନୀ ଷଡଙ୍ଗୀ

୧୯-ସମ୍ବଲପୁର-ସୁରେଶ ପୂଜାରୀ

୨୦-ବଲାଙ୍ଗିର-ସଂଗୀତା ସିଂଦେଓ

୨୧-ଭଦ୍ରକ-ଶରତ ଚନ୍ଦ୍ର ଦାସ

 ରାଜନୈତିକ ଦୃଷ୍ଟିରୁ ଏହି ତାଲିକାକୁ ନିରେଖି ଦେଖିଲେ ଜଣାପଡେ କେତେକ ପ୍ରାର୍ଥୀଙ୍କ ନାମ ସତ ପରି ଲାଗୁଛି। କାରଣ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଯେପରି ଭୁବନେଶ୍ଵର ଲୋକସଭା ଆସନ ପାଇଁ ପ୍ରଚାର ଚଲାଇଛନ୍ତି, ସେ ସେଠାରୁ ଛିଡା ହେବା ନିଶ୍ଚିତ। ସେହିପରି ସଂଗୀତା ସିଂଦେଓ, ରୁଦ୍ର ନାରାୟଣ ପାଣି, ଜୁଏଲ ଓରାମ ଏଥର ପ୍ରାର୍ଥୀ ହେବାର ବହୁ ସମ୍ଭାବନା ରହିଛି। ସେଥିପାଇଁ ଏହି ତାଲିକା ଉପରେ ଆଲୋଚନା ଚାଲିଛି। ତେବେ ବିଜେପିର ଚୁଡାନ୍ତ ତାଲିକା ପ୍ରକାଶ ପାଇଲେ ଏଥିରେ କେତେ ସତ୍ୟତା ଅଛି ତାହା ପରେ ଜଣାପଡିବ।