Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦଳବଦଳ ରାଜନୀତି : ଟିକଟ ବଣ୍ଟନକୁ ନେଇ ନିଜ ଜାଲରେ ନିଜେ ଫସିଲା ଓଡିଶା ବିଜେପି
ବିଶେଷ ଖବର

ଦଳବଦଳ ରାଜନୀତି : ଟିକଟ ବଣ୍ଟନକୁ ନେଇ ନିଜ ଜାଲରେ ନିଜେ ଫସିଲା ଓଡିଶା ବିଜେପି

March 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
odisha bjp workers disagree on ticket
odisha bjp workers disagree on ticket

କେଦାର ମିଶ୍ର

ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ ଦିନ ଧରି ତାଲା ପଡିବା ପରେ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ କାର୍ୟାଳୟ ସବୁକୁ ବିଜେପି କର୍ମୀମାନେ ପୋଡି ଦେଇଛନ୍ତି। ଦଳର ବହୁ ପୁରୁଖା ନେତା ଏବେ ଦଳ ଛାଡି ଚାଲି ଯାଉଛନ୍ତି। ତେବେ ଏହି ଘଟଣା ଲାଗି ବିଜେପି ଅନ୍ୟ କାହାକୁ ଦାୟୀ କରିବା ଅପେକ୍ଷା ନିଜର ଆତ୍ମା ସମୀକ୍ଷା କରିବା ଜରୁରୀ। ଦଳ ନିଜ ଦମ୍ଭରେ ନିର୍ବାଚନ ନ ଲଢି ଅନ୍ୟ ଦଳର ଆମଦାନୀ କରା ନେତାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇ ପଡିଛି ଯେ, ଗୋଟେ ଗୋଟେ ଲୋକସଭା କ୍ଷେତ୍ରରେ ବିଜେପିର ଜଣେ ବି ପୁରୁଣା ନେତା ବା କର୍ମୀ ଟିକଟ ପାଇନାହାନ୍ତି। ଯାଜପୁରର ସାତୋଟିଯାକ ନିର୍ବାଚନମଣ୍ଡଳୀରେ ବିଜେପି ବିଜେଡ଼ିରୁ ବହିଷ୍କୃତ ନେତାମାନଙ୍କୁ ଟିକଟ ଦେଇଛି। ଏହା ସ୍ଵାଭାବିକ ଭାବରେ ବିଜେପିର ପୁରୁଣା କର୍ମୀଙ୍କୁ କ୍ଷୁବ୍ଧ କରିଛି। ଆଜି ମଧ୍ୟ ବିଜେପି ରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କ ଲମ୍ବା ଧାଡି ଲାଗିଛି ଓ ଏହି ନେତାମାନେ ହିଁ ବିଜେପିକୁ ଓଡିଶାରେ ତଳି ତଳାନ୍ତ କରିଦେବେ ବୋଲି ବିଜେପି କର୍ମୀମାନେ କ୍ରୋଧର ସହିତ କହୁଛନ୍ତି।

ବାସ୍ତବ ଦୃଷ୍ଟିରୁ ଦେଖିଲେ ବିଜୁ ଜନତା ଦଳକୁ ଅସୁବିଧାରେ ପକାଇବାକୁ ଯାଇ ବିଜେପି ବିଜେଡ଼ିର ଅସନ୍ତୁଷ୍ଟ ନେତାଙ୍କୁ ଡାକି ବଡ ଚୌକି ସବୁ ଯାଚି ଦେଉଛି। ବିଜେଡି ନିଜର ପ୍ରାୟ ସବୁ ଲୋକସଭା ପ୍ରାର୍ଥୀଙ୍କୁ ଟିକଟ ନଦେବାର ନିଷ୍ପତ୍ତି ନେଲାବେଳେ ଏକଥା ନିଶ୍ଚୟ ଜାଣିଥିଲା ଯେ, ଏହି ଅସନ୍ତୁଷ୍ଟମାନେ କଂଗ୍ରେସ କିମ୍ବା ବିଜେପିର ଶରଣାପନ୍ନ ହେବେ। କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାରୁ ଅଧିକାଂଶ ଅସନ୍ତୁଷ୍ଟ ବିଜେଡି ନେତା ବିଜେପି ମୁହାଁ ହେବା ସ୍ଵାଭାବିକ। ଦଳ ଭିତରେ ଅସନ୍ତୁଷ୍ଟ ହୋଇ ଅନ୍ତର୍ଘାତି କାର୍ୟ କରିବା ଅପେକ୍ଷା ଏହି ନେତାମାନେ ବିଜେଡ଼ିର ସ୍ଵାର୍ଥ ଲାଗି ବିଜେପିରେ ଯୋଗଦେବା ବିଜେଡ଼ିର ସ୍ଵାର୍ଥ ପାଇଁ ନିହାତି ଜରୁରୀ ଥିଲା। ସତ କହିବାକୁ ଗଲେ, ବିଜେପି ନିଜ ଅଜାଣତରେ ବିଜେଡି ବିଛାଇଥିବା ଜାଲରେ ଆପେ ଆପେ ପଡିଗଲା। ବିଜେଡ଼ିରୁ ଆସିଥିବା ଅସନ୍ତୁଷ୍ଟ ଓ ପ୍ରତ୍ୟାଖ୍ୟାତମାନେ ଏବେ ବିଜେପିର ନିଜ ଘରକୁ ଉଜାଡି ଦେବା ଆରମ୍ଭ କରିଛନ୍ତି।

ଗୋଟେ ପକ୍ଷରେ ବିଜେଡ଼ିର ଆମଦାନିକରା ନେତାମାନେ ବିଜେପିର ଦୁର୍ଗ ଭାଙ୍ଗୁଥିବା ବେଳେ, ଦଳ ଭିତରେ ପୁରୁଣା ନେତାଙ୍କ ମଧ୍ୟରେ ଅହଂକାର ଯୁଦ୍ଧ ପ୍ରବଳ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ପୂରା ପଶ୍ଚିମ ଓଡିଶାର ବିଜେପି ସଂଗଠନ ଆଜି ସଙ୍କଟରେ ପଡି ଯାଇଛି। ସମ୍ବଲପୁର ର ଟାଣୁଆ ବିଜେପି ନେତା ସୁରେଶ ପୂଜାରୀଙ୍କୁ ସମ୍ବଲପୁର ବଦଳରେ ବରଗଡ ଲୋକସଭା ଆସନରୁ ଲଢିବାକୁ ବାଧ୍ୟ କରାଯାଇଛି। ବରଗଡରେ ଗତ ସାଧାରଣ ନିର୍ବାଚନ ଲଢି ସେଠାକାର ଟାଣୁଆ ନେତା ତଥା ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁବାସ ଚୌହାନ ମାତ୍ର ୧୧ ହଜାର ଭୋଟରେ ହାରିଥିଲେ। ସୁବାସଙ୍କୁ ଟିକଟ ନଦେଇ ବରଗଡରେ ସୁରେଶ ପୂଜାରୀଙ୍କୁ ଟିକଟ ଦେବାର ଅର୍ଥ ହେଉଛି ଉଭୟ ନେତାଙ୍କୁ ରାଜନୈତିକ ସ୍ତରରେ ପଙ୍ଗୁ କରିଦେବା। ସୁବାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ କୁହାଯାଇପାରେ ବୋଲି ଏକ ସୂଚନା ମିଳୁଛି। ଯଦି ତାହା ହୁଏ, ଏହା ସୁବାସଙ୍କୁ  ହରାଇବାର ଏକ ଷଡଯନ୍ତ୍ର ବୋଲି ସ୍ପଷ୍ଟ ହୋଇଯିବ।

ସମ୍ବଲପୁର ଆସନରେ ଦେବଗଡ ବିଧାୟକ ନିତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରି ବିଜେପି ଏହି ଆସନକୁ ଏକପ୍ରକାର ହାତଛଡା କରି ସାରିଛି। ସେହିପରି କଳାହାଣ୍ଡି ଲୋକସଭା ଆସନରେ ଲଢିବାକୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ଦୃଢ ପ୍ରତିଶୃତି ଦିଆ ଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ଭବାନୀ ପାଟଣା ବିଧାନସଭା ଲାଗି ପ୍ରାର୍ଥୀ କରି ଲୋକସଭା ଆସନ ପାଇଁ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଟିକଟ ଦିଆ ଦିଆଗଲା। ଏହି ଘଟନା କଳାହାଣ୍ଡି ବିଜେପିରେ ଭୂକମ୍ପ ସୃଷ୍ଟି କରିଛି। ପ୍ରଦୀପ୍ତ ନାୟକ ସିଧା ସଳଖ ନବୀନ ନିବାସରେ ପହଞ୍ଚିଥିବା ବେଳେ ଖରିଆର ବିଧାୟକ ଦୁର୍ୟୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।

ପଶ୍ଚିମ ଓଡିଶାରେ ବିଜେପିର ଯେଉଁ ସମ୍ଭାବନା ଥିଲା ବିଜେପି ତାକୁ ଜାଣିଶୁଣି ନଷ୍ଟ କରି ଦେଇଛି। ସମାନ କଥା ଉପକୂଳରେ ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଜଣାଶୁଣା ବିରୋଧୀ ପ୍ରତାପ ଷଡଙ୍ଗୀଙ୍କୁ ନୀଳଗିରି ବିଧାନସଭା ଟିକଟ ନଦେଇ ତାଙ୍କୁ ବାଲେଶ୍ଵର ଲୋକସଭା ଲାଗି ପ୍ରାର୍ଥୀ କରାଯାଇଛି। ଏହା ପ୍ରତାପଙ୍କୁ ହରାଇବାର ଏକ ଷଡଯନ୍ତ୍ର ବୋଲି ସଭିଙ୍କୁ ଜଣା। ପୁରୀ ଆସନରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଟିକଟ ଦିଆଯାଇଛି। ସେ ପୁରୀ ସହିତ ଆଦୌ ପରିଚିତ ନୁହନ୍ତି। ଦିଲ୍ଲୀର ୱାର୍ଡ ମେମ୍ବର ନିର୍ବାଚନରେ ହାରିଥିବା ସମ୍ବିତ ବିଜେପିର ଲୋକସଭା ପ୍ରାର୍ଥୀ ହେବା ଏବେ ସବୁଠୁ ବଡ ଜୋକ ବୋଲି କୁହାଯାଉଛି।

ଭୁବନେଶ୍ୱର ପାଇଁ ଟିକଟ ପାଇଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଏବେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ବିଜେଡି ଭିତରେ ଅସନ୍ତୋଷ ସୃଷ୍ଟି କରି ନିର୍ବାଚନୀ ଫାଇଦା ଉଠାଇବାର ଯେଉଁ ରଣନୀତି ବିଜେପି ପ୍ରସ୍ତୁତ କରିଥିଲା ତାହା ଏବେ ବିଜେପି ଲାଗି ଆତ୍ମଘାତି ସାବ୍ୟସ୍ତ ହୋଇଛି। ନିଜେ ବିଛେଇଥିବା ଜାଲରେ ବିଜେପି ଆଜି ନିଜେ ଫସି ଯାଇଛି।

BJP election odishabjp ticket
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.