Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସି-ସୋର ରେ ଟଙ୍କା ବାନ୍ଧିଥିଲେ କି ? ଏବେ ଆପଣଙ୍କ ଟଙ୍କା ମିଳିବାର ସମ୍ଭାବନା ସୃଷ୍ଟି ହେଲା, ଜାଣନ୍ତୁ କିପରି

କଟକ, ସି-ସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି  ଯାହାର ମୂଲ୍ୟ ପ୍ରାୟ 650 କୋଟି ହେବ ତାହା ବ୍ୟାଜାପ୍ତ ହେବ । ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହି ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରାଯାଇ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମାଲିକ ପ୍ରଶାନ୍ତ ଦାସଙ୍କ ୩ଟି ବିଳାସପୂର୍ଣ୍ଣ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଜମାରାଶି ।

ପୂର୍ବରୁ ଏ ନେଇ କୌଣସି ଆଇନ ନ ଥିବାରୁ ସଂପତ୍ତି ବ୍ୟାଜାପ୍ତ ହେବାରେ ଅସୁବିଧା ସୃଷ୍ଟି ହେଉଥିଲା। ବର୍ତ୍ତମାନ ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବା ପରେ ଏହା ହେଉଛି ପ୍ରଥମ ମାମଲା । ସିସୋର ଚିଟଫଣ୍ଡ ମାମଲାରେ ୨୦୧୩ ମସିହାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ହୋଇଥିଲେ। ପ୍ରାୟ ସାଢେ ଚାରିବର୍ଷ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କ ସହିତ କଂପାନୀର ଆହୁରି କେତେଜଣଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ତ୍ତମାନ ସମସ୍ତେ ଜାମିନରେ ଆସିଛନ୍ତି।

ଚିଟଫଣ଼୍ଡ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିବା ପାଇଁ ବିଭିନ୍ନ ସମୟରେ ରାଜରାସ୍ତା ଉପରେ ଆନ୍ଦୋଳନ କରିଥିଲେ। ହେଲେ ଏ ନେଇ ସ୍ବତନ୍ତ୍ର ଆଇନ ନ ଥିବାରୁ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ସମ୍ଭବ ହୋଇପାରୁ ନ ଥିଲା। ଏହାପରେ ଅନ୍ୟାନ୍ୟ ଚିଟଫଣ୍ଡ କଂପାନୀ ଜମାକାରୀଙ୍କ ଟଙ୍କା ଫେରି ପାଇବାର ରାସ୍ତା ଖୋଲିଲା।

ଏହି କଂପାନୀରୁ ବହୁ ନେତା,ମନ୍ତ୍ରୀ, ଆଇଏଏସ ଏବଂ ଆଇପିଏସ ଅଫିସରମାନେ ସଂପୃକ୍ତି ଥିବାର ମଧ୍ୟ ଅଭିଯୋଗ ଆସିଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସିବିଆଇ ଜେରା ମଧ୍ୟ କରିଛି। ହେଲେ ପରବର୍ତ୍ତି ସମୟରେ ସେମାନଙ୍କୁ ଛାଡି ଦେଇଛି। ଏହି ଚିଟ ଫଣ୍ଡ ଟଙ୍କାକୁ ନେଇ ଜମାକାରୀ, ଓଡିଶାର ଅର୍ଥନୀତି ଏପରିକି ରାଜନୀତି ମଧ୍ୟ ପ୍ରଭାବିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ : ଉଦ୍ଧାର ପରେ ଏସ୍‌ସିବିକୁ ସ୍ଥାନାନ୍ତର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ମୁଖ୍ୟ ପ୍ରଦୀପ୍ତ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ୍‌ ଭିତରେ ଇନଭର୍ଟର ତାରକୁ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଟଏଲେଟ୍‌ କବାଟ ଭାଙ୍ଗି ପ୍ରଦୀପ ସେଠୀଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ ଏସ୍‌ସିବି ମାନସିକ ରୋଗ ବିଭାଗକୁ ପଠାଯାଉଥିବା ସୂଚନା ରହିଛି । ପୂର୍ବରୁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି ପ୍ରଦୀପ୍ତ ।

Categories
ଆଜିର ଖବର

ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ

ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଜାମିନ ମିଳିଛି । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଦେଢ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ମୁଚାଲିକାରେ ଆଶୀର୍ବାଦଙ୍କୁ ଜାମିନ ପ୍ରଦାନ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ତଦନ୍ତ ପ୍ରଭାବିତ ନକରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଶୀର୍ବାଦଙ୍କ ବିଦେଶ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି କୋର୍ଟ । କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ଆଶୀର୍ବାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥତତ୍ତ୍ବ ମାମଲାରେ ସିବିଆଇ ପକ୍ଷରୁ ଆଶୀର୍ବାଦଙ୍କୁ ଗିରଫ କରିଥିଲା ।

Categories
ବିଶେଷ ଖବର ମତାମତ

ଚିଟଫଣ୍ଡ କେଳେଙ୍କାରିରେ ସାଧାରଣ ନିର୍ବାଚନ ପୂର୍ବର ସିବିଆଇ ନୋଟିସ ଗଲା କୁଆଡେ?

କେଦାର ମିଶ୍ର

ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି- ତମେ ଚିଟ ଫଣ୍ଡ ସ୍କାମ କିମ୍ବା ଖଣି ଦୁର୍ନୀତି ବିଷୟରେ କିଛି ଲେଖୁ ନ  କାହିଁକି? ଭକ୍ତମାନେ ଜାଣନ୍ତି ନାହିଁ ଯେ, ୨୦୧୨ ରୁ ୨୦୧୯ ଭିତରେ ଚିଟ ଫଣ୍ଡ ସ୍କାମ, କଟକ –ଭୁବନେଶ୍ଵର ଜମି ଆବଣ୍ଟନ ସ୍କାମ,ଖଣି ଦୁର୍ନୀତି ସମ୍ପର୍କରେ ଏମ.ବି. ଶାହ କମିଶନଙ୍କ ରିପୋର୍ଟ, ତତ୍କାଳୀନ ଏଜି ଅମର ପଟ୍ଟନାୟକ ଦେଇଥିବା ଜମି ଦୁର୍ନୀତି ରିପୋର୍ଟ ଉପରେ ଅନ୍ତତଃ ମୁଁ ପଚାଶରୁ ଅଧିକ ଲେଖା ଲେଖିଥିବି। ଭକ୍ତମାନେ ଚାହିଁଲେ ସେଥିରୁ ଅନେକ ଲେଖା ଏବେ ମଧ୍ୟ ମୋ ଫେସବୁକ ଟାଇମଲାଇନରେ ପଢିପାରିବେ। ତେବେ ଭକ୍ତମାନେ କଣ ପଢିପାରନ୍ତି!!  ନା, ସେମାନେ କେବଳ ଗାଳି କରିବା ଓ ହୋ ହୋ ହେବା ଛଡା ଅଧିକ କିଛି ଜାଣନ୍ତି ନାହିଁ। ତେଣୁ ଭକ୍ତଙ୍କ ଅବଗତି ନିମନ୍ତେ ଆମେ ଆଜି ପୁଣିଥରେ ଚିଟଫଣ୍ଡ କେଳେଙ୍କାରି ବିଷୟରେ ଚର୍ଚ୍ଚା କରିବା। ଏହି ଚର୍ଚ୍ଚା ର ପୃଷ୍ଠଭୂମିରେ ୧୩, ମାର୍ଚ୍ଚ, ୨୦୧୫ରେ ଦୈନିକ “ସଂଚାର” ରେ ପ୍ରକାଶିତ  ମୋର ଏକ ଲେଖା ରହିଛି, ଯାହାର ଶୀର୍ଷକ ଥିଲା- “ନବୀନ ଓ ନରେନ୍ଦ୍ର ମୋଦୀ ଗୋପନ ଅଭିସାର”।

୮ ମାର୍ଚ୍ଚ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ପରେ ଓଡିଶାରେ ଚିଟ ଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଏକ ପ୍ରକାର ଅଥର୍ବ ହୋଇ ବସି ରହିଲା। ଏକଥା କାହାର ମନେ ଅଛି ନା ନାହିଁ। ୨୦୧୫ ରୁ ୨୦୧୯ ଯାଏଁ ପ୍ରଧାନମନ୍ତ୍ରୀ, ସିବିଆଇ ଓ ବିଜେପି ଏ ପ୍ରସଙ୍ଗରେ ଚୁପ ମାରି ବସିବା ପରେ ହଠାତ ନିର୍ବାଚନ ପୂର୍ବରୁ ବିଜେଡ଼ି ନେତାଙ୍କର ଚିଟ ଫଣ୍ଡ କେଳେଙ୍କାରି ପ୍ରସଙ୍ଗ ଉଠିଲା। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ସୋସିଆଲ ମିଡିଆର ସିପାହୀମାନେ ନିର୍ବାଚନ ସମୟରେ ଖାଲି ଚିଟ ଫଣ୍ଡ ଦୁର୍ନୀତି କଥା କହିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୋଷା ଶୁଆ ସିବିଆଇ ହଠାତ ଟୁଇଟ କରି ଜଣାଇଲା ଯେ, ସିବିଆଇ କୁଆଡେ ବିଜେଡ଼ିର ଦୁଇଜଣ ବରିଷ୍ଠ ନେତାଙ୍କୁ ଚିଟ ଫଣ୍ଡ ମାମଲାରେ ନୋଟିସ କରିଛି। ଯେଉଁମାନଙ୍କ ନାଁରେ ନୋଟିସ ହୋଇଥିବାର ଶୁଣାଗଲା, ସେମାନେ କହିଲେ – କାଇଁ ସେମିତି କିଛି ନୋଟିସ ଆସିନାହିଁ ତ!

ତେବେ ସେ ଆସିନଥିବା ନୋଟିସକୁ ନେଇ ଆମର ଗଣମାଧ୍ୟମ ପଡିଲା ଆଉ ଉଠିଲା। କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଯେ ଚୋର ସେ ନିଶ୍ଚୟ ବନ୍ଧା ହେବ। ଏମିତି କଥା କଥାରେ ନିର୍ବାଚନ ଆସିଲା ଓ ସରିଗଲା। ନବୀନ ବାବୁ ଇତିହାସ ସୃଷ୍ଟି କରି ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିରଙ୍କୁଶ ଜନ ସମର୍ଥନ ପାଇଲେ। ଏବେ ପୁଣିଥରେ ମୋଦୀ-ନବୀନ ସାକ୍ଷାତ ଘଟିଲାଣି। ଉଭୟଙ୍କ ଭେଟଘାଟ ବେଳର ଚେହେରା ଦେଖି ମନେହେଉଛି, ବନ୍ଧୁତା ଏବେ ବଡ ନିବିଡ। ତେବେ ଏଇ ନିବିଡ ସମ୍ପର୍କ ଭିତରେ ଆମକୁ କାଇଁ ପଚରା ଯାଉଛି ଯେ,ଚିଟଫଣ୍ଡ କେଲେଙ୍କାରି କଥା ଆମେ କାଇଁ ଲେଖୁନୁ ବୋଲି। ଭାଇ! ଆମେ ତ ଲେଖି ଲେଖି ଥକା ହୋଇ ବସିଛୁ। ଆପଣମାନେ ଟିକେ ଆପଣଙ୍କ ଭଗବାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟିକେ ପଚାରନ୍ତେନି, ଆଜ୍ଞା! ଚିଟଫଣ୍ଡ ଘୋଟାଲାବାଜମାନଙ୍କୁ ଦାନାପାଣି ଦେଉଛି କିଏ? କେହି ଜଣେ ସିବିଆଇ କୁ ପଚାରିବା ଉଚିତ ନୁହଁ କି, ଆଚ୍ଛା, ସେ ଯେଉଁ ନୋଟିସ ପଠେଇଥିଲ, ସେଟା କଣ ମାଟି ଖାଇଗଲା ନା ତାକୁ ଆକାଶ ଗିଳିଦେଲା? ଧର୍ମେନ୍ଦ୍ର ବାବୁ ଯେଉଁ ମାନଙ୍କୁ ଚୋରା ବୋଲି କହୁଥିଲେ, ସେମାନଙ୍କ ଭିତରୁ ଜଣେ ଅଧେ ନୂଆ ନବୀନ ସରକାରରେ ମନ୍ତ୍ରୀ ହେଲେଣି। ସେମାନଙ୍କ ବିରୋଧରେ ସାମାନ୍ୟ ପ୍ରେସ ରିଲିଜ ଟିଏ ବିଜେପି ଦେଇଛି କି?

ନିରାଟ ସତକଥା ହେଉଛି, ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ ସିବିଆଇ ସଠିକ ଢଙ୍ଗରେ କରିନାହିଁ। ଏହାକୁ ମୋଦୀ ସରକାର ନିଜର ପ୍ରତିପକ୍ଷଙ୍କୁ ସାବାଡ କରିବା ଅଥବା ପ୍ରଲୋଭିତ କରିବା ପାଇଁ ବ୍ୟବହାର କରିଛନ୍ତି। ଏହି ବିରାଟ ଦୁର୍ନୀତି ପଛରେ ରହିଥିବା ରାଜନୈତିକ ପୃଷ୍ଠପୋଷକତାର ପର୍ଦ୍ଦାଫାସ ଆଉ କେବେବି ହୋଇ ପାରିବ ନାହିଁ। ରାଜନୈତିକ ସୁଆଙ୍ଗ କଳା ଭଳି ମଝିରେ ମଝିରେ ସିବିଆଇ ଏମିତି କିଛି ଗୋଟେ ନୋଟିସ ପଠେଇ ବା ଜେରା କରିବାକୁ ଡାକିଦେଇ, ଘଟଣାଟିକୁ ବଞ୍ଚାଇ ରଖିଥିବ।

ଏଥିରୁ ଅଧିକ କିଛି ଘଟିନାହିଁ, କି ଆଗକୁ ଅଧିକ କିଛି ଘଟିବାର ନାହିଁ !!

Categories
ଆଜିର ଖବର

ଚିଟ୍‌ଫଣ୍ଡ୍‌ କମ୍ପାନୀଙ୍କୁ ପବ୍ଲିକ୍‌ ନୋଟିସ୍‌

ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କମ୍ପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ଟି କଂପାନୀଙ୍କୁ ଏହି ନୋଟିସ ଜାରି କରାଯାଇଛି। ୨ଟି କାଟେଗୋରୀର କମ୍ପାନୀଙ୍କୁ ଏହି ନୋଟିସ ପଠାଯାଇଛି । ଠିକଣା ଥାଇ ମଧ୍ୟ ହାଜର ହେଉନଥିବା ୧୯୯ କଂପାନୀ ଏବଂ ଠିକଣା ନଥାଇ ହାଜର ହେଉନଥିବା ୩୭୭ କମ୍ପାନୀଙ୍କୁ ନୋଟିସ ଜାରି କରାଯାଇଛି । ଏହାସହ ସେମାନଙ୍କୁ ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ସୁଦ୍ଧା ହାଜର ହେବା ପାଇଁ କୁହାଯାଇଛି । ଯହି ଏହି ସମୟସୀମା ମଧ୍ୟରେ କମ୍ପାନୀମାନେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ କହିଛନ୍ତି ।

Categories
ବିଶେଷ ଖବର ମତାମତ

ପଶ୍ଚିମ ବଙ୍ଗରେ କିଏ ଜିତିଲା ବଡକଥା ନୁହେଁ, ସବୁଠୁ ବଡ କଥା ହେଉଛି କ୍ଷମତାର ଲଢେଇ ରେ ସଙ୍ଘୀୟ ଗଣତନ୍ତ୍ରର ହତ୍ୟା

କେଦାର ମିଶ୍ର

ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, ମଇ, ୨୦୧୪ ଦିନ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି  ଜଷ୍ଟିସ ଟି॰ଏସ॰ଠାକୁର ଓ ଜଷ୍ଟିସ ସି॰ନାଗାପ୍ପାନ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ଅବସରରେ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ପୋଲିସ ଫାଇଲ ଗୁଡିକ ସିବିଆଇ କୁ ହସ୍ତାନ୍ତରିତ କରାଯିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଫାଇଲ ତୁରନ୍ତ ସିବିଆଇ ହାତକୁ ଆସିଯିବା କଥା। ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା ପରେ ହଠାତ ସିବିଆଇ କହୁଛି ଯେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଯେଉଁ ତଥ୍ୟ ଦେଇଛି ସେଗୁଡିକ ପୂର୍ଣ୍ଣାଙ୍ଗ ନୁହେଁ। କଣ ଫାଇଲ ପାଢୀ ବୁଝିବାକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥାକୁ ପାଞ୍ଚ ବର୍ଷ ସମୟ ଲାଗେ? ସୁପ୍ରିମ କୋର୍ଟ ତାଙ୍କ ରାୟରେ କେଉଁ ସବୁ କେସର କାଗଜାତ ସିବିଆଇ କୁ ଦିଆଯିବ ସେ କଥା ସ୍ପଷ୍ଟ କରିଛନ୍ତି। ତଥାପି ସିବିଆଇ ଏତେ ବର୍ଷ ଚୁପ ବସିଥିଲା କାହିଁକି ? ଯଦି ତତ୍କାଳୀନ ତଦନ୍ତ ଅଧିକାରୀ ସିବିଆଇ କୁ ସହଯୋଗ କରୁନଥିଲେ, ସେ ବିଷୟ ସିବିଆଇ ସୁପ୍ରିମ କୋର୍ଟରେ ଜଣାଇପାରିଥାନ୍ତା। ତାହା ନକରି ୪୦ ଜଣ ଅଧିକାରୀଙ୍କୁ ନେଇ ଜଣେ ପୋଲିସ କମିଶନରଙ୍କ ଘରକୁ ଯିବାର ରାଜନୈତିକ ଉଦ୍ଦେଶ୍ୟ ବୁଝା ପଡୁ ନାହିଁ କି? ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ମାସକ ପୂର୍ବରୁ ସିବିଆଇ ର ଏ ପ୍ରକାର ତତ୍ପରତା ପଛରେ ନିର୍ବାଚନୀ ରାଜନୀତିର ଗନ୍ଧ ଆପେ ଆପେ ବାରି ହେଉଛି।

ତେବେ ଏହି ସମଗ୍ର ପ୍ରକରଣରେ ଦିଲ୍ଲୀର ଗଣମାଧ୍ୟମ ମମତା ବାନାର୍ଜୀଙ୍କୁ ଖଳ ନାୟିକା ଭାବରେ ଚିତ୍ରଣ କରିବାର ଅପଚେଷ୍ଟା କରୁଛି। ମମତା ବାନାର୍ଜୀ ଏ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇବା କିଛି କିଛି ଲୋକଙ୍କୁ ବହୁତ ବାଧିଛି। ସେମାନେ ଭାବନ୍ତି ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରର ବଶଂବଦ ହୋଇ ରୁହନ୍ତୁ। ତେବେ ଭାରତର ସମ୍ବିଧାନ ରାଜ୍ୟଗୁଡିକୁ ଢେର ସ୍ୱାୟତ୍ତତା ଦେଇଛି। ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ସ୍ଵାଭାବିକ ଭାବରେ ପୋଲିସ ଉପରେ ରାଜ୍ୟ ସରକାର ଗୁଡିକର କର୍ତ୍ତୃତ୍ଵ ରହିଛି। ଦିଲ୍ଲୀ ସରକାର ପାଖରେ ପୋଲିସ କ୍ଷମତା ନଥିବାରୁ ତାଙ୍କୁ ସିବିଆଇ ଯେଉଁପ୍ରକାର ହଟହଟା କରିଛି, ତାହା ଆମର ସଙ୍ଘୀୟ ବ୍ୟବସ୍ଥାରେ ଏକ କଳଙ୍କ  ହୋଇ ରହିବ। ନିଜର ରାଜନୈତିକ ପ୍ରତିଶୋଧପରାୟଣତାକୁ ସିବିଆଇ ମାଧ୍ୟମରେ ଚରିତାର୍ଥ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଯେତେ ଗୁଡିଏ ପଦକ୍ଷେପ ନେଲେଣି ତାର ତାଲିକା ବହୁତ ଲାମ୍ବା ହେବ। ବିରୋଧୀ ନେତାଙ୍କୁ ଜବତ କାରିବା ଲାଗି ସିବିଆଇ କୁ ଅସ୍ତ୍ର ଭାବରେ କେନ୍ଦ୍ର ସରକାର ବ୍ୟବହାର କରୁଥିବାର ଶେଷ ପ୍ରମାଣ ହେଉଛି ପଶ୍ଚିମ ବଙ୍ଗ ଘଟନା।

ଏ କ୍ଷେତ୍ରରେ ସିବିଆଇ ର ତଦନ୍ତ ଯେ ଏକ ସୁଆଙ୍ଗ ତାର ପ୍ରମାଣ ହେଉଛି ସାମ୍ବାଦିକ ସମ୍ମିଳନୀ ଗୁଡିକରେ ମୁକୁଲ ରାୟଙ୍କ ଉପସ୍ଥିତି। ସାରଦା ଚିଟଫଣ୍ଡ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବରେ ସିବିଆଇ ଜାଲରେ ପଡିଥିବା  ମୁକୁଲ ରାୟ ଏବେ ତୁଙ୍ଗ ବିଜେପି ନେତା ଭାବରେ ପ୍ରବଚନ ଦେଉଛନ୍ତି। ସେହିପରି ଆସାମରେ ଚିଟ ଫଣ୍ଡ ମାମଲାର ଅଭିଯୁକ୍ତ ହେମନ୍ତ ବିଶ୍ଵା ଶର୍ମା ଏବେ ଆସାମର ସୁପର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ଦୁଇଟି ବଡ ଗଣମାଧ୍ୟମର ପୃଷ୍ଠପୋଷକ। ସବୁଠୁ ମଜା କଥା ହେଉଛି ଯେଉଁ ଟେଲିଭିଜନ କମ୍ପାନୀରେ ଚିଟ ଫଣ୍ଡ କେଳେଙ୍କାରିର ପୁଞ୍ଜି ଲାଗିଛି, ସେ ଟେଲିଭିଜନର ସମ୍ପାଦକ ଏବେ ସିବିଆଇ ର ମୁଖ୍ୟ ପ୍ରଚାରକ ସାଜିଛନ୍ତି।

ଏ ପ୍ରକାର ବିଚିତ୍ର ବିରୋଧାଭାସ ଭିତରେ ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାକୁ ନେଇ ଯେଉଁ ରାଜନୀତି ହେଉଛି, ତାହାର ସ୍ଵରୂପ ମଧ୍ୟ ବିଚିତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଭୟ ମମତା ବାନାର୍ଜୀ ଓ ବିଜେପି ଏହା ନିଜର ବିଜୟ ବୋଲି କହିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହା ରାଜନୀତିର ବିଜୟ ହୋଇଥିବା ବେଳେ ଆମ ସମ୍ବିଧାନ ନିର୍ଦ୍ଧାରିତ କରିଥିବା ସଙ୍ଘୀୟ  ବ୍ୟବସ୍ଥାର ଏହା ସବୁଠୁ ବଡ ବିପର୍ୟୟ। ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମ କୋର୍ଟ କୌଣସି ସମୟସୀମା ନିର୍ଦ୍ଧାରଣ ନକରିବା ଓ ଏଥିଲାଗି ତଦାରଖ କରିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରିବା ଫଳରେ ଏହାକୁ ନେଇ ରାଜନୀତି ତୀବ୍ରତର ହୋଇଛି। ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ପୁନର୍ବିଚାର କରିବା ଏବେ ଜରୁରୀ ହୋଇ ପଡିଛି।