Categories
ଆଜିର ଖବର

ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ କଂଗ୍ରେସ ନେତାଙ୍କୁ ମମତାଙ୍କ ସମାଲୋଚନା

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ। ନିଜର ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇ ଥିବାରୁ କଂଗ୍ରେସ ନେତାଙ୍କୁ ସମାଲୋଚନା କରିଛନ୍ତି ମମତା। ବରହମ୍‌ପୁରରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଅଧିର ଚୌଧୁରୀ ନିଜ ପତ୍ନୀଙ୍କ ସମ୍ପର୍କରେ ସତ୍ୟପାଠରେ ଲୁଚାଇଥିବାରୁ ଏହାକୁ ସମାଲୋଚନା କରିଛନ୍ତି ମମତା। ନିଜର ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ତଥ୍ୟ ଲୁଚାଇଥିବାରୁ ମମତା ଅଧିରଙ୍କୁ ସମାଲୋଚନା କରିଛନ୍ତି। ମମତା ଆହୁରି ମଧ୍ୟ କହିଛନ୍ତି ଏହା ଅଧିରଙ୍କ ବ୍ୟକ୍ତିଗତ ମାମଲା ମାତ୍ର ତଥ୍ୟ ନଦେବା ତଥ୍ୟ ଲୁଚାଇବା ସଙ୍ଗେ ସମାନ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଧିର କହିଛନ୍ତି, ରାଜନୈତିକ ଭାବରେ ମମତାଙ୍କର ମୋ ବିରୋଧରେ କିଛି କହିବାର ନାହିଁ ତେଣୁ ସେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯ, ଅଧିର ୪ ଥର ଧରି ବରହମ୍‌ପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର

ସୁଇସାଇଡ୍‌ ନୋଟ୍‌ରେ ମମତାଙ୍କ ନାଁ : ଗିରଫ ପାଇଁ ବିଜେପି ନେତାଙ୍କ ଦାବି

କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ବେଶ୍‌ ସରଗରମ ହେବା ସହିତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଦତ୍ତ ଫେବୃୟାରୀ ୧୯ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ତାଙ୍କ ସୁସାଇଡ୍ ନୋଟରେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରୀ ୱେଟିଙ୍ଗ୍’ରେ ରଖିବାର ଏବଂ ୩୧ ଡିସେମ୍ବର ୨୦୧୮ ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବାପାଇଁ ଉସୁକାଇ ଥିଲେ ବୋଲି ଅଭିଯୋଗ ରହିଛି । ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ କରାଯିବା ଏବଂ ଏନେଇ ସିବିଆଇ ଯାଞ୍ଚ୍ କରାଯିବାକୁ ଦାବି କରିଛନ୍ତି ।

Categories
ବିଶେଷ ଖବର ମତାମତ

ପଶ୍ଚିମ ବଙ୍ଗରେ କିଏ ଜିତିଲା ବଡକଥା ନୁହେଁ, ସବୁଠୁ ବଡ କଥା ହେଉଛି କ୍ଷମତାର ଲଢେଇ ରେ ସଙ୍ଘୀୟ ଗଣତନ୍ତ୍ରର ହତ୍ୟା

କେଦାର ମିଶ୍ର

ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, ମଇ, ୨୦୧୪ ଦିନ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି  ଜଷ୍ଟିସ ଟି॰ଏସ॰ଠାକୁର ଓ ଜଷ୍ଟିସ ସି॰ନାଗାପ୍ପାନ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ଅବସରରେ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ପୋଲିସ ଫାଇଲ ଗୁଡିକ ସିବିଆଇ କୁ ହସ୍ତାନ୍ତରିତ କରାଯିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଫାଇଲ ତୁରନ୍ତ ସିବିଆଇ ହାତକୁ ଆସିଯିବା କଥା। ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା ପରେ ହଠାତ ସିବିଆଇ କହୁଛି ଯେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଯେଉଁ ତଥ୍ୟ ଦେଇଛି ସେଗୁଡିକ ପୂର୍ଣ୍ଣାଙ୍ଗ ନୁହେଁ। କଣ ଫାଇଲ ପାଢୀ ବୁଝିବାକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥାକୁ ପାଞ୍ଚ ବର୍ଷ ସମୟ ଲାଗେ? ସୁପ୍ରିମ କୋର୍ଟ ତାଙ୍କ ରାୟରେ କେଉଁ ସବୁ କେସର କାଗଜାତ ସିବିଆଇ କୁ ଦିଆଯିବ ସେ କଥା ସ୍ପଷ୍ଟ କରିଛନ୍ତି। ତଥାପି ସିବିଆଇ ଏତେ ବର୍ଷ ଚୁପ ବସିଥିଲା କାହିଁକି ? ଯଦି ତତ୍କାଳୀନ ତଦନ୍ତ ଅଧିକାରୀ ସିବିଆଇ କୁ ସହଯୋଗ କରୁନଥିଲେ, ସେ ବିଷୟ ସିବିଆଇ ସୁପ୍ରିମ କୋର୍ଟରେ ଜଣାଇପାରିଥାନ୍ତା। ତାହା ନକରି ୪୦ ଜଣ ଅଧିକାରୀଙ୍କୁ ନେଇ ଜଣେ ପୋଲିସ କମିଶନରଙ୍କ ଘରକୁ ଯିବାର ରାଜନୈତିକ ଉଦ୍ଦେଶ୍ୟ ବୁଝା ପଡୁ ନାହିଁ କି? ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ମାସକ ପୂର୍ବରୁ ସିବିଆଇ ର ଏ ପ୍ରକାର ତତ୍ପରତା ପଛରେ ନିର୍ବାଚନୀ ରାଜନୀତିର ଗନ୍ଧ ଆପେ ଆପେ ବାରି ହେଉଛି।

ତେବେ ଏହି ସମଗ୍ର ପ୍ରକରଣରେ ଦିଲ୍ଲୀର ଗଣମାଧ୍ୟମ ମମତା ବାନାର୍ଜୀଙ୍କୁ ଖଳ ନାୟିକା ଭାବରେ ଚିତ୍ରଣ କରିବାର ଅପଚେଷ୍ଟା କରୁଛି। ମମତା ବାନାର୍ଜୀ ଏ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇବା କିଛି କିଛି ଲୋକଙ୍କୁ ବହୁତ ବାଧିଛି। ସେମାନେ ଭାବନ୍ତି ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରର ବଶଂବଦ ହୋଇ ରୁହନ୍ତୁ। ତେବେ ଭାରତର ସମ୍ବିଧାନ ରାଜ୍ୟଗୁଡିକୁ ଢେର ସ୍ୱାୟତ୍ତତା ଦେଇଛି। ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ସ୍ଵାଭାବିକ ଭାବରେ ପୋଲିସ ଉପରେ ରାଜ୍ୟ ସରକାର ଗୁଡିକର କର୍ତ୍ତୃତ୍ଵ ରହିଛି। ଦିଲ୍ଲୀ ସରକାର ପାଖରେ ପୋଲିସ କ୍ଷମତା ନଥିବାରୁ ତାଙ୍କୁ ସିବିଆଇ ଯେଉଁପ୍ରକାର ହଟହଟା କରିଛି, ତାହା ଆମର ସଙ୍ଘୀୟ ବ୍ୟବସ୍ଥାରେ ଏକ କଳଙ୍କ  ହୋଇ ରହିବ। ନିଜର ରାଜନୈତିକ ପ୍ରତିଶୋଧପରାୟଣତାକୁ ସିବିଆଇ ମାଧ୍ୟମରେ ଚରିତାର୍ଥ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଯେତେ ଗୁଡିଏ ପଦକ୍ଷେପ ନେଲେଣି ତାର ତାଲିକା ବହୁତ ଲାମ୍ବା ହେବ। ବିରୋଧୀ ନେତାଙ୍କୁ ଜବତ କାରିବା ଲାଗି ସିବିଆଇ କୁ ଅସ୍ତ୍ର ଭାବରେ କେନ୍ଦ୍ର ସରକାର ବ୍ୟବହାର କରୁଥିବାର ଶେଷ ପ୍ରମାଣ ହେଉଛି ପଶ୍ଚିମ ବଙ୍ଗ ଘଟନା।

ଏ କ୍ଷେତ୍ରରେ ସିବିଆଇ ର ତଦନ୍ତ ଯେ ଏକ ସୁଆଙ୍ଗ ତାର ପ୍ରମାଣ ହେଉଛି ସାମ୍ବାଦିକ ସମ୍ମିଳନୀ ଗୁଡିକରେ ମୁକୁଲ ରାୟଙ୍କ ଉପସ୍ଥିତି। ସାରଦା ଚିଟଫଣ୍ଡ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବରେ ସିବିଆଇ ଜାଲରେ ପଡିଥିବା  ମୁକୁଲ ରାୟ ଏବେ ତୁଙ୍ଗ ବିଜେପି ନେତା ଭାବରେ ପ୍ରବଚନ ଦେଉଛନ୍ତି। ସେହିପରି ଆସାମରେ ଚିଟ ଫଣ୍ଡ ମାମଲାର ଅଭିଯୁକ୍ତ ହେମନ୍ତ ବିଶ୍ଵା ଶର୍ମା ଏବେ ଆସାମର ସୁପର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ଦୁଇଟି ବଡ ଗଣମାଧ୍ୟମର ପୃଷ୍ଠପୋଷକ। ସବୁଠୁ ମଜା କଥା ହେଉଛି ଯେଉଁ ଟେଲିଭିଜନ କମ୍ପାନୀରେ ଚିଟ ଫଣ୍ଡ କେଳେଙ୍କାରିର ପୁଞ୍ଜି ଲାଗିଛି, ସେ ଟେଲିଭିଜନର ସମ୍ପାଦକ ଏବେ ସିବିଆଇ ର ମୁଖ୍ୟ ପ୍ରଚାରକ ସାଜିଛନ୍ତି।

ଏ ପ୍ରକାର ବିଚିତ୍ର ବିରୋଧାଭାସ ଭିତରେ ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାକୁ ନେଇ ଯେଉଁ ରାଜନୀତି ହେଉଛି, ତାହାର ସ୍ଵରୂପ ମଧ୍ୟ ବିଚିତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଭୟ ମମତା ବାନାର୍ଜୀ ଓ ବିଜେପି ଏହା ନିଜର ବିଜୟ ବୋଲି କହିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହା ରାଜନୀତିର ବିଜୟ ହୋଇଥିବା ବେଳେ ଆମ ସମ୍ବିଧାନ ନିର୍ଦ୍ଧାରିତ କରିଥିବା ସଙ୍ଘୀୟ  ବ୍ୟବସ୍ଥାର ଏହା ସବୁଠୁ ବଡ ବିପର୍ୟୟ। ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମ କୋର୍ଟ କୌଣସି ସମୟସୀମା ନିର୍ଦ୍ଧାରଣ ନକରିବା ଓ ଏଥିଲାଗି ତଦାରଖ କରିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରିବା ଫଳରେ ଏହାକୁ ନେଇ ରାଜନୀତି ତୀବ୍ରତର ହୋଇଛି। ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ପୁନର୍ବିଚାର କରିବା ଏବେ ଜରୁରୀ ହୋଇ ପଡିଛି।

Categories
ବିଶେଷ ଖବର

କୋଲକାତା ହାଇଡ୍ରାମା : ଦିଦି ବନାମ ମୋଦି

ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ଯୋଗୁଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ଅନ୍ୟ କୌଣସି ବାଟ ନ ପାଇ ମୋଦି ସରକାର ଯାଞ୍ଚ ଏଜେନ୍ସି ଦ୍ୱାରା ହଇରାଣ କରିବାକୁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏଭଳି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ  ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଦର୍ଶାଇଛନ୍ତି ମମତା । ତେବେ କେନ୍ଦ୍ରର ଏଭଳି ରାଜନୀତିର ବିରୋଧ କରି କଡ଼ା ଟକ୍କର ଦେବାକୁ ଦିଦି ଧାରଣାରେ ବସିଛନ୍ତି ।  କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି । ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ କେନ୍ଦ୍ର ସରକାର ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି । ସିବିଆଇ ବନାମ ମମତାଙ୍କ କଳି ବର୍ତ୍ତମାନ କେନ୍ଦ୍ର ବନାମ ମମତାଙ୍କ କଳିରେ ରୂପାନ୍ତରିତ ହୋଇସାରିଛି । ତେବେ ଏହି ଘଟଣାରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସିଜିଆଇ ନିଷ୍ପତ୍ତି ନେଇଛନ୍ତି । ମମତାଙ୍କୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ଅରବିନ୍ଦ କେଜ୍‌ରୀୱାଲଙ୍କଠାରୁ ଆରମ୍ଭ କରି ରାହୁଲ୍‌ ଗାନ୍ଧି ଓ ଅଖିଳେଶ ଯାଦବ ସମସ୍ତେ କେନ୍ଦ୍ର ବନାମ ରାଜ୍ୟରେ ସାମିଲ୍‌ ହେବାକୁ ରହିଛନ୍ତି । ନିର୍ବାଚନ ହେବାକୁ ଆଉ କିଛି ମାସ ରହିଥିବାବେଳେ କେନ୍ଦ୍ର ବିପକ୍ଷରେ ସମସ୍ତ ବିରୋଧୀ ଗୋଷ୍ଠୀଙ୍କର ଏଭଳି ଦୃଢ ସଂଗଠନ ଆଗାମୀ ନିର୍ବାଚନୀ ଫଳାଫଳକୁ କିଛି ସ୍ପଷ୍ଟ କରୁଥିବାର ଅନୁମାନ ହେଉଛି ।