କୋଲକାତା ହାଇଡ୍ରାମା : ଦିଦି ବନାମ ମୋଦି

Published: Feb 4, 2019, 12:27 pm IST

ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ଯୋଗୁଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ଅନ୍ୟ କୌଣସି ବାଟ ନ ପାଇ ମୋଦି ସରକାର ଯାଞ୍ଚ ଏଜେନ୍ସି ଦ୍ୱାରା ହଇରାଣ କରିବାକୁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏଭଳି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ  ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଦର୍ଶାଇଛନ୍ତି ମମତା । ତେବେ କେନ୍ଦ୍ରର ଏଭଳି ରାଜନୀତିର ବିରୋଧ କରି କଡ଼ା ଟକ୍କର ଦେବାକୁ ଦିଦି ଧାରଣାରେ ବସିଛନ୍ତି ।  କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି । ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ କେନ୍ଦ୍ର ସରକାର ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି । ସିବିଆଇ ବନାମ ମମତାଙ୍କ କଳି ବର୍ତ୍ତମାନ କେନ୍ଦ୍ର ବନାମ ମମତାଙ୍କ କଳିରେ ରୂପାନ୍ତରିତ ହୋଇସାରିଛି । ତେବେ ଏହି ଘଟଣାରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସିଜିଆଇ ନିଷ୍ପତ୍ତି ନେଇଛନ୍ତି । ମମତାଙ୍କୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ଅରବିନ୍ଦ କେଜ୍‌ରୀୱାଲଙ୍କଠାରୁ ଆରମ୍ଭ କରି ରାହୁଲ୍‌ ଗାନ୍ଧି ଓ ଅଖିଳେଶ ଯାଦବ ସମସ୍ତେ କେନ୍ଦ୍ର ବନାମ ରାଜ୍ୟରେ ସାମିଲ୍‌ ହେବାକୁ ରହିଛନ୍ତି । ନିର୍ବାଚନ ହେବାକୁ ଆଉ କିଛି ମାସ ରହିଥିବାବେଳେ କେନ୍ଦ୍ର ବିପକ୍ଷରେ ସମସ୍ତ ବିରୋଧୀ ଗୋଷ୍ଠୀଙ୍କର ଏଭଳି ଦୃଢ ସଂଗଠନ ଆଗାମୀ ନିର୍ବାଚନୀ ଫଳାଫଳକୁ କିଛି ସ୍ପଷ୍ଟ କରୁଥିବାର ଅନୁମାନ ହେଉଛି ।

Related posts