ପଶ୍ଚିମ ବଙ୍ଗରେ କିଏ ଜିତିଲା ବଡକଥା ନୁହେଁ, ସବୁଠୁ ବଡ କଥା ହେଉଛି କ୍ଷମତାର ଲଢେଇ ରେ ସଙ୍ଘୀୟ ଗଣତନ୍ତ୍ରର ହତ୍ୟା

Published: Feb 6, 2019, 9:21 am IST

କେଦାର ମିଶ୍ର

ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, ମଇ, ୨୦୧୪ ଦିନ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି  ଜଷ୍ଟିସ ଟି॰ଏସ॰ଠାକୁର ଓ ଜଷ୍ଟିସ ସି॰ନାଗାପ୍ପାନ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ଅବସରରେ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନୀତିର ପୋଲିସ ଫାଇଲ ଗୁଡିକ ସିବିଆଇ କୁ ହସ୍ତାନ୍ତରିତ କରାଯିବ। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଫାଇଲ ତୁରନ୍ତ ସିବିଆଇ ହାତକୁ ଆସିଯିବା କଥା। ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା ପରେ ହଠାତ ସିବିଆଇ କହୁଛି ଯେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଯେଉଁ ତଥ୍ୟ ଦେଇଛି ସେଗୁଡିକ ପୂର୍ଣ୍ଣାଙ୍ଗ ନୁହେଁ। କଣ ଫାଇଲ ପାଢୀ ବୁଝିବାକୁ ଏ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥାକୁ ପାଞ୍ଚ ବର୍ଷ ସମୟ ଲାଗେ? ସୁପ୍ରିମ କୋର୍ଟ ତାଙ୍କ ରାୟରେ କେଉଁ ସବୁ କେସର କାଗଜାତ ସିବିଆଇ କୁ ଦିଆଯିବ ସେ କଥା ସ୍ପଷ୍ଟ କରିଛନ୍ତି। ତଥାପି ସିବିଆଇ ଏତେ ବର୍ଷ ଚୁପ ବସିଥିଲା କାହିଁକି ? ଯଦି ତତ୍କାଳୀନ ତଦନ୍ତ ଅଧିକାରୀ ସିବିଆଇ କୁ ସହଯୋଗ କରୁନଥିଲେ, ସେ ବିଷୟ ସିବିଆଇ ସୁପ୍ରିମ କୋର୍ଟରେ ଜଣାଇପାରିଥାନ୍ତା। ତାହା ନକରି ୪୦ ଜଣ ଅଧିକାରୀଙ୍କୁ ନେଇ ଜଣେ ପୋଲିସ କମିଶନରଙ୍କ ଘରକୁ ଯିବାର ରାଜନୈତିକ ଉଦ୍ଦେଶ୍ୟ ବୁଝା ପଡୁ ନାହିଁ କି? ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ମାସକ ପୂର୍ବରୁ ସିବିଆଇ ର ଏ ପ୍ରକାର ତତ୍ପରତା ପଛରେ ନିର୍ବାଚନୀ ରାଜନୀତିର ଗନ୍ଧ ଆପେ ଆପେ ବାରି ହେଉଛି।

ତେବେ ଏହି ସମଗ୍ର ପ୍ରକରଣରେ ଦିଲ୍ଲୀର ଗଣମାଧ୍ୟମ ମମତା ବାନାର୍ଜୀଙ୍କୁ ଖଳ ନାୟିକା ଭାବରେ ଚିତ୍ରଣ କରିବାର ଅପଚେଷ୍ଟା କରୁଛି। ମମତା ବାନାର୍ଜୀ ଏ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇବା କିଛି କିଛି ଲୋକଙ୍କୁ ବହୁତ ବାଧିଛି। ସେମାନେ ଭାବନ୍ତି ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାରର ବଶଂବଦ ହୋଇ ରୁହନ୍ତୁ। ତେବେ ଭାରତର ସମ୍ବିଧାନ ରାଜ୍ୟଗୁଡିକୁ ଢେର ସ୍ୱାୟତ୍ତତା ଦେଇଛି। ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ସ୍ଵାଭାବିକ ଭାବରେ ପୋଲିସ ଉପରେ ରାଜ୍ୟ ସରକାର ଗୁଡିକର କର୍ତ୍ତୃତ୍ଵ ରହିଛି। ଦିଲ୍ଲୀ ସରକାର ପାଖରେ ପୋଲିସ କ୍ଷମତା ନଥିବାରୁ ତାଙ୍କୁ ସିବିଆଇ ଯେଉଁପ୍ରକାର ହଟହଟା କରିଛି, ତାହା ଆମର ସଙ୍ଘୀୟ ବ୍ୟବସ୍ଥାରେ ଏକ କଳଙ୍କ  ହୋଇ ରହିବ। ନିଜର ରାଜନୈତିକ ପ୍ରତିଶୋଧପରାୟଣତାକୁ ସିବିଆଇ ମାଧ୍ୟମରେ ଚରିତାର୍ଥ କରିବାକୁ ବର୍ତ୍ତମାନର କେନ୍ଦ୍ର ସରକାର ଯେତେ ଗୁଡିଏ ପଦକ୍ଷେପ ନେଲେଣି ତାର ତାଲିକା ବହୁତ ଲାମ୍ବା ହେବ। ବିରୋଧୀ ନେତାଙ୍କୁ ଜବତ କାରିବା ଲାଗି ସିବିଆଇ କୁ ଅସ୍ତ୍ର ଭାବରେ କେନ୍ଦ୍ର ସରକାର ବ୍ୟବହାର କରୁଥିବାର ଶେଷ ପ୍ରମାଣ ହେଉଛି ପଶ୍ଚିମ ବଙ୍ଗ ଘଟନା।

ଏ କ୍ଷେତ୍ରରେ ସିବିଆଇ ର ତଦନ୍ତ ଯେ ଏକ ସୁଆଙ୍ଗ ତାର ପ୍ରମାଣ ହେଉଛି ସାମ୍ବାଦିକ ସମ୍ମିଳନୀ ଗୁଡିକରେ ମୁକୁଲ ରାୟଙ୍କ ଉପସ୍ଥିତି। ସାରଦା ଚିଟଫଣ୍ଡ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବରେ ସିବିଆଇ ଜାଲରେ ପଡିଥିବା  ମୁକୁଲ ରାୟ ଏବେ ତୁଙ୍ଗ ବିଜେପି ନେତା ଭାବରେ ପ୍ରବଚନ ଦେଉଛନ୍ତି। ସେହିପରି ଆସାମରେ ଚିଟ ଫଣ୍ଡ ମାମଲାର ଅଭିଯୁକ୍ତ ହେମନ୍ତ ବିଶ୍ଵା ଶର୍ମା ଏବେ ଆସାମର ସୁପର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରେ ଦୁଇଟି ବଡ ଗଣମାଧ୍ୟମର ପୃଷ୍ଠପୋଷକ। ସବୁଠୁ ମଜା କଥା ହେଉଛି ଯେଉଁ ଟେଲିଭିଜନ କମ୍ପାନୀରେ ଚିଟ ଫଣ୍ଡ କେଳେଙ୍କାରିର ପୁଞ୍ଜି ଲାଗିଛି, ସେ ଟେଲିଭିଜନର ସମ୍ପାଦକ ଏବେ ସିବିଆଇ ର ମୁଖ୍ୟ ପ୍ରଚାରକ ସାଜିଛନ୍ତି।

ଏ ପ୍ରକାର ବିଚିତ୍ର ବିରୋଧାଭାସ ଭିତରେ ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାକୁ ନେଇ ଯେଉଁ ରାଜନୀତି ହେଉଛି, ତାହାର ସ୍ଵରୂପ ମଧ୍ୟ ବିଚିତ୍ର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଭୟ ମମତା ବାନାର୍ଜୀ ଓ ବିଜେପି ଏହା ନିଜର ବିଜୟ ବୋଲି କହିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏହା ରାଜନୀତିର ବିଜୟ ହୋଇଥିବା ବେଳେ ଆମ ସମ୍ବିଧାନ ନିର୍ଦ୍ଧାରିତ କରିଥିବା ସଙ୍ଘୀୟ  ବ୍ୟବସ୍ଥାର ଏହା ସବୁଠୁ ବଡ ବିପର୍ୟୟ। ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମ କୋର୍ଟ କୌଣସି ସମୟସୀମା ନିର୍ଦ୍ଧାରଣ ନକରିବା ଓ ଏଥିଲାଗି ତଦାରଖ କରିବାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନକରିବା ଫଳରେ ଏହାକୁ ନେଇ ରାଜନୀତି ତୀବ୍ରତର ହୋଇଛି। ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ପୁନର୍ବିଚାର କରିବା ଏବେ ଜରୁରୀ ହୋଇ ପଡିଛି।

Related posts