ସି-ସୋର ରେ ଟଙ୍କା ବାନ୍ଧିଥିଲେ କି ? ଏବେ ଆପଣଙ୍କ ଟଙ୍କା ମିଳିବାର ସମ୍ଭାବନା ସୃଷ୍ଟି ହେଲା, ଜାଣନ୍ତୁ କିପରି

Published: Feb 26, 2021, 11:47 pm IST

କଟକ, ସି-ସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି  ଯାହାର ମୂଲ୍ୟ ପ୍ରାୟ 650 କୋଟି ହେବ ତାହା ବ୍ୟାଜାପ୍ତ ହେବ । ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହି ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରାଯାଇ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମାଲିକ ପ୍ରଶାନ୍ତ ଦାସଙ୍କ ୩ଟି ବିଳାସପୂର୍ଣ୍ଣ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଜମାରାଶି ।

ପୂର୍ବରୁ ଏ ନେଇ କୌଣସି ଆଇନ ନ ଥିବାରୁ ସଂପତ୍ତି ବ୍ୟାଜାପ୍ତ ହେବାରେ ଅସୁବିଧା ସୃଷ୍ଟି ହେଉଥିଲା। ବର୍ତ୍ତମାନ ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବା ପରେ ଏହା ହେଉଛି ପ୍ରଥମ ମାମଲା । ସିସୋର ଚିଟଫଣ୍ଡ ମାମଲାରେ ୨୦୧୩ ମସିହାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ହୋଇଥିଲେ। ପ୍ରାୟ ସାଢେ ଚାରିବର୍ଷ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କ ସହିତ କଂପାନୀର ଆହୁରି କେତେଜଣଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ତ୍ତମାନ ସମସ୍ତେ ଜାମିନରେ ଆସିଛନ୍ତି।

ଚିଟଫଣ଼୍ଡ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିବା ପାଇଁ ବିଭିନ୍ନ ସମୟରେ ରାଜରାସ୍ତା ଉପରେ ଆନ୍ଦୋଳନ କରିଥିଲେ। ହେଲେ ଏ ନେଇ ସ୍ବତନ୍ତ୍ର ଆଇନ ନ ଥିବାରୁ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ସମ୍ଭବ ହୋଇପାରୁ ନ ଥିଲା। ଏହାପରେ ଅନ୍ୟାନ୍ୟ ଚିଟଫଣ୍ଡ କଂପାନୀ ଜମାକାରୀଙ୍କ ଟଙ୍କା ଫେରି ପାଇବାର ରାସ୍ତା ଖୋଲିଲା।

ଏହି କଂପାନୀରୁ ବହୁ ନେତା,ମନ୍ତ୍ରୀ, ଆଇଏଏସ ଏବଂ ଆଇପିଏସ ଅଫିସରମାନେ ସଂପୃକ୍ତି ଥିବାର ମଧ୍ୟ ଅଭିଯୋଗ ଆସିଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସିବିଆଇ ଜେରା ମଧ୍ୟ କରିଛି। ହେଲେ ପରବର୍ତ୍ତି ସମୟରେ ସେମାନଙ୍କୁ ଛାଡି ଦେଇଛି। ଏହି ଚିଟ ଫଣ୍ଡ ଟଙ୍କାକୁ ନେଇ ଜମାକାରୀ, ଓଡିଶାର ଅର୍ଥନୀତି ଏପରିକି ରାଜନୀତି ମଧ୍ୟ ପ୍ରଭାବିତ ହୋଇଛି।

Related posts