Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେବ ଚଢାଉ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ଆଗାମୀ ଲୋକସେବା ଏବଂ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା (ଏନଫୋର୍ସମେଣ୍ଟ ଏଜେନ୍ସି) ମାନଙ୍କ ସହିତ ଏକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ଆଗାମୀ ନିର୍ବାଚନ ସମୟରେ ଯେପରି ମାଦକ ଦ୍ରବ୍ୟ ସେବନ, ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଜନିତ କୌଣସି ବିଶୃଙ୍ଖଳା ନ ହୁଏ, ଅପରାଧିକ କାର୍ଯ୍ୟକଳାପ ସୃଷ୍ଟି ନ ହୁଏ, ସେଥିପ୍ରତି ସମ୍ମିଳିତ ପ୍ରୟାସରେ ଆଇନ୍ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ପୁଲିସ୍ ବିଭାଗ, ଅବକାରୀବିଭାଗ, ଜଙ୍ଗଲବିଭାଗ, ବାଣିଜ୍ୟକର ବିଭାଗ ଆଦି ସମନ୍ୱୟରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ। ପୋଲିସ୍ ଦ୍ୱାରା ଆନ୍ତଃ ରାଜ୍ୟସୀମା ଏବଂ ପୋଲିସ୍ ଚେକ୍ ପୋଷ୍ଟଗୁଡିକରେ କଡ଼ା ନଜର ରଖାଯିବ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଓଡିଶା ସୀମାକୁ ଲାଗି ଥିବା ୧୧୮ଟି ପୁଲିସ୍ ଚେକ୍ ପୋଷ୍ଟରେ କଡା ନଜର ରହିବ। ମାଦକ ଦ୍ରବ୍ୟ ଯଥା ମଦ, ଗଞ୍ଜେଇ, ଭାଙ୍ଗ, ମଦ ଆଦି ଚୋରା ଚାଲାଣକୁ କଡାକଡି ଭାବେ ରୋକାଯିବ।

ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଷରେ ହୋଇଥିବା ମାଦକ ଦ୍ରବ୍ୟ ଚଢ଼ାଉ ସଂପର୍କରେ ପୋଲିସ ବିଭାଗ ତରଫରୁ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ସେହିପରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଢ଼ଙ୍ଗୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପିସିସିଏଫ୍ ଓ୍ୱାଇଲଡ୍ ଲାଇଫ ଶ୍ରୀ ଶୁଶାନ୍ତ ନନ୍ଦ , ପରିବହନ ବିଭାଗ କମିଶନର ଶ୍ରୀ ଅମିତାଭ ଠାକୁର ଓ ଅବକାରୀ କମିଶନର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଅଫିସର ସ୍ତରରେ ହେବ ବଡ ଅଦଳବଦଳ, ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶାରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ଭାରତ ନିର୍ବାଚନ କମିଶନର ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଏଥିରେ ସେ ଦର୍ଶାଇଛନ୍ତି ଯେ ଯେଉଁ ଅଧିକାରୀ ଗୋଟିଏ ସ୍ଥାନରେ ତିନିବର୍ଷରୁ ଉର୍ଦ୍ଧ ସମୟ ଅଛନ୍ତି ତାଙ୍କୁ ତୁରନ୍ତ ବଦଳ କରାଯାଉ। ସେହିପରି ଏଥିରେ କୁହାଯାଇଛି ଯେ ଯେଉଁ ଅଧିକାରୀ ତାଙ୍କ ନିଜ ଅଞ୍ଚଳରେ କାମ କରୁଥିବେ ତାଙ୍କୁ ମଧ୍ୟ ବଦଳି କରାଯାଉ।

ଏହି ଚିଠିରେ କୁହାଯାଇଛି ଯେ, ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମର ବିଧାନସଭା ନିର୍ବାଚନ ହେବ। ଓଡିଶା ବିଧାନସଭା ଆସନ୍ତାବର୍ଷ ଜୁନ 2 ତାରିଖରେ ଶେଷ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ପକ୍ରିୟା ଆରମ୍ଭ ହେବ।

ଏହି ଚିଠି ଆସିବା ପରେ ବର୍ତ୍ତମାନ କେଉଁ କେଉଁଠି କେତେ ବର୍ଷ ଅଛି ଏବଂ କିଏ ନିଜ ଅଞ୍ଚଳରେ ଚାକିରୀ କରିଛି ତାହାର ଖୋଳତାଡ ଆରମ୍ଭ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍

ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ ସୂଚନା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିବା ପରେ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ, ସତରେ କଣ ଆଗୁଆ ନିର୍ବାଚନ ହେବ କି ?

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଭାରତ ନିର୍ବାଚନ କମିଶନରଙ୍କ ଏକ ବରିଷ୍ଠ ଅଧିକାରୀ ଦଳ ଓଡିଶା ଆସିବେ। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଯେତେ ପରିମାଣର ଇଭିଏମର ଆବଶ୍ୟକ ତାହା ପହଞ୍ଚି ସାରିଛି। ସେହିପରି ଭିଭିପାଟ ମଧ୍ୟ ମହଜୁଦ ରହିଛି। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମଧ୍ୟ ଜାରୀ ରହିଛି।

ତେବେ ସେ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା କହିଲେ। ତାହା ହେଲା ଯେ, ନଭେମ୍ବର ୧୫ ତାରିଖ ପରେ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ଆମେ ପ୍ରସ୍ତୁତ। କାରଣ ନଭେମ୍ବର ସୁଦ୍ଧା ଆମର ସମସ୍ତ ପ୍ରସ୍ତୁତି ଶେଷ ହେବ। ଏହି ଉକ୍ତି ପରେ ଓଡିଶାରେ ଡିସେମ୍ବର ମାସରେ ନିର୍ବାଚନ ହେବାର ସମ୍ଭାବନାକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।

ଚର୍ଚ୍ଚା ଅନୁସାରେ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିବ ଏବଂ ଡିସେମ୍ବରରେ ଅନ୍ୟ ପାଞ୍ଚ ରାଜ୍ୟ ସହିତ ଓଡିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେବେ ଓଡିଶାରେ ଡିସେମ୍ବରରେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି। ତେବେ ନିର୍ବାଚନ କମିଶନରଙ୍କ ଟିମ ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବା ପରେ ସେ କହିଥିଲେ ଯେ ଏହା ନିୟମିତ କାର୍ଯ୍ୟ। ନିର୍ବାଚନ ପ୍ରସ୍ତୁତି ତଦାରଖ କରିବାକୁ ଆସୁଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ଯେପରି ପ୍ରସ୍ତୁତ ହେଉଛନ୍ତି, ସେହିପରି ରାଜ୍ୟର ସମସ୍ତ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ବୋଲି ସ୍ବୀକାର କରିଛନ୍ତି। କଂଗ୍ରେସ କହିଛି ଯେ, ବର୍ତ୍ତମାନ ତାଙ୍କ ଦଳ ରାଜ୍ୟର ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛି। କର୍ମିମାନେ ଲୋକ ସଂପର୍କ ଯୋଡିବାରେ ଲାଗିଛନ୍ତି। ତେଣୁ ଓଡିଶାରେ ଯେଉଁ ମୂର୍ହୁତରେ ନିର୍ବାଚନ ହେଲେ ମଧ୍ୟ ଆମେ ସମ୍ମୁଖୀନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେହିପରି ବିଜେଡି ଏବଂ ବିଜେପି ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି। ବିଜେଡି କହିଛି ଯେ, ଓଡିଶାରେ ବିଜୁ ଜନତା ଦଳ ଲୋକଙ୍କର ସେବା କରିଆସିଛି, ଲୋକଙ୍କ ପ୍ରିୟଭାଜନ ହୋଇଛି, ସେଥିପାଇଁ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ରାଜ୍ୟର ଶାସନ ଭାର ଗ୍ରହଣ କରିବ। ସେହିପରି ବିଜେପି ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ସଭାପତି ମନମୋହନ ସାମଲ କହିଛନ୍ତି।

ସବୁ ରାଜନୈତିକ ଦଳ, ନିର୍ବାଚନ କମିଶନର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବେଳେ ଭୋଟରମାନେ କାହାକୁ ଭୋଟ ଦେବେ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଭିନ୍ନ ରଣନୀତି, ଦେବ ୧୫୦ ନୂଆ ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଥିବା ବିଜେପି ଏକାସାଙ୍ଗରେ ଅନେକ ଫର୍ମୁଲା ଉପରେ କାମ କରୁଛି। ବର୍ତ୍ତମାନର ସାଂସଦଙ୍କ ଟିକେଟ କାଟିବାଠାରୁ ଆରମ୍ଭ କରି ଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେବା ପର୍ଯ୍ୟନ୍ତ ବିଚାର ବିମର୍ଶ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ସଂସଦରେ ଯୁବ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଦଳ କାର୍ଯ୍ୟ କରୁଛି। ଏହି ନିର୍ବାଚନରେ ବିଜେପି ୧୫୦ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ୪୧ରୁ ୫୫ ବର୍ଷ ବୟସ ବର୍ଗର ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିବ।

ବିଜେପିର ଜଣେ ସାଧାରଣ ସମ୍ପାଦକ କହିଛନ୍ତି ଯେ ପ୍ରଥମ ଲୋକସଭାରେ ୨୬% ସଦସ୍ୟଙ୍କ ବୟସ ୪୦ ବର୍ଷରୁ କମ୍ ରହିଥିଲା। ପରବର୍ତ୍ତୀ ସମୟରେ ସଂସଦରେ ଯୁବ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଲୋକସଭାରେ ନିର୍ବାଚନ ଜିତିଥିବା ସାଂସଦଙ୍କ ସଂଖ୍ୟା ୩ରୁ ୧୧ ଗୁଣକୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଦୁଇ କିମ୍ବା ଅଧିକ ଥର ଲୋକସଭା ନିର୍ବାଚନ ଜିତିଥିବା ଅଧିକାଂଶ ନେତାଙ୍କୁ ଦଳ ସଂଗଠନର ଦାୟିତ୍ୱ ଦେବାକୁ ଯାଉଛି।

ଏହା ବ୍ୟତୀତ ଅନ୍ୟ କାହାକୁ ଦୁଇ ଥରରୁ ଅଧିକ ରାଜ୍ୟସଭାକୁ ପଠାଯିବ ନାହିଁ। ଆଇନ, ଚିକିତ୍ସା, ବିଜ୍ଞାନ, କଳା, ଅର୍ଥନୈତିକ ବ୍ୟାପାର, ପ୍ରଯୁକ୍ତିବିଦ୍ୟା, ପରିବେଶ ଓ ଭାଷା ରେ ଜ୍ଞାନ ଥିବା ୮୦% ଲୋକଙ୍କୁ ସୁଯୋଗ ମିଳିବ। ଯଦି ୧୦ଟି ଆସନରେ ନିର୍ବାଚନ ହୁଏ ତେବେ ଜାତିଗତ ସମୀକରଣ ବା ସଂଗଠନରେ ଅବଦାନ ଦୃଷ୍ଟିରୁ କେବଳ ଦୁଇ ଜଣ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ହେବେ।

ଯୁବ ଜନସଂଖ୍ୟାର ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଦେଶରେ ୬୫%ରୁ ଅଧିକ ଯୁବକ ଅଛନ୍ତି, ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଯଦି କୌଣସି ବ୍ୟକ୍ତି ଲଗାତାର ଲୋକସଭା ଟିକେଟ ପାଆନ୍ତି, ତା’ହେଲେ ତାଙ୍କ ସାଥୀ କର୍ମୀମାନେ ନିର୍ବାଚନ ରାଜନୀତିରୁ ଦୂରେଇ ଯାଆନ୍ତି । ତେଣୁ ନିର୍ଦ୍ଦିଷ୍ଟ ସମୟକୁ ଛାଡ଼ିଦେଲେ କୌଣସି ଜଣେ ବି କର୍ମୀଙ୍କୁ ୨-୩ ଥରରୁ ଅଧିକ ଲୋକ ସଭାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯିବା ଉଚିତ ନୁହେଁ। ଏହାଦ୍ୱାରା ନୂଆ ଲୋକଙ୍କୁ ସୁଯୋଗ ମିଳିବ।

୬୦ରୁ ୭୦ ବର୍ଷ ବୟସ୍କ ସାଂସଦ ସର୍ବାଧିକ ବିଜେପିରେ

ଶାସକ ବିଜେପିରେ ୮୦ରୁ ୯୦ ବର୍ଷ ବୟସ୍କ ସାଂସଦ ୨ଜଣ ଥିବାବେଳେ ୭୦ରୁ ୮୦ ବର୍ଷ ବୟସ୍କ ୫୧ଜଣ, ୬୦ରୁ ୭୦ ବର୍ଷ ବୟସ୍କ ୧୧୦ଜଣ, ୫୦ରୁ ୬୦ ବର୍ଷ ବୟସ୍କ ୫୧ଜଣ, ୪୦ରୁ ୫୦ ବର୍ଷ ବୟସ୍କ ୪୭ଜଣ ଓ ୩୦ରୁ ୪୦ ବର୍ଷ ବୟସ୍କ ୧୩ଜଣ ସାଂସଦ ଅଛନ୍ତି।

ବିଜେପିର ୬୮ ଜଣ ସାଂସଦ ୩ ଥରରୁ ଅଧିକ ଥର ଜିତିଛନ୍ତି

ଲୋକସଭାରେ ବିଜେପିର ପ୍ରଥମ ଥର ପାଇଁ ୧୩୫ ଓ ଦ୍ୱିତୀୟ ଥର ପାଇଁ ୯୭ ଜଣ ସାଂସଦ ଅଛନ୍ତି। ଅନ୍ୟପକ୍ଷରେ ମେନକା ଗାନ୍ଧୀ ଓ ସନ୍ତୋଷ ଗଙ୍ଗୱାର କ୍ରମାଗତ ଅଷ୍ଟମ ଥର ପାଇଁ ଏବଂ ଡାକ୍ତର ବୀରେନ୍ଦ୍ର କୁମାର ସପ୍ତମ ଥର ପାଇଁ ଲୋକସଭାରେ ଅଛନ୍ତି। ଏହାବ୍ୟତୀତ ଷଷ୍ଠ ଥର ପାଇଁ ୮ ଜଣ ସାଂସଦ, ପଞ୍ଚମ ଥର ପାଇଁ ୧୧ ଜଣ ସାଂସଦ, ଚତୁର୍ଥ ଥର ପାଇଁ ୧୯ ଜଣ ସାଂସଦ ଏବଂ ତୃତୀୟ ଥର ପାଇଁ ୨୮ ଜଣ ସାଂସଦ ବିଜୟୀ ହୋଇଛନ୍ତି।

ଲୋକସଭାରେ ହାରାହାରି ବୟସ ୫୪ ବର୍ଷ, ୨୫ରୁ ୪୦ ଜଣଙ୍କୁ ମିଳିବ ପୁନଃ ଟିକେଟ

ଚଳିତ ଲୋକସଭାରେ ସାଂସଦଙ୍କ ହାରାହାରି ବୟସ ୫୪ ବର୍ଷ। ୨୫ରୁ ୫୫ ବର୍ଷ ବୟସର ବିଜେପି ସାଂସଦମାନେ ୫୩% ପ୍ରତିନିଧିତ୍ୱ କରୁଛନ୍ତି। ବିଜେପି ୪୧ରୁ ୫୫ ବର୍ଷ ବୟସ ବର୍ଗର ସାଂସଦଙ୍କୁ ପ୍ରାର୍ଥୀ କରିବା ପରିବର୍ତ୍ତେ ୫୬ରୁ ୭୦ ବର୍ଷ ବୟସ ବର୍ଗର ଅଧିକାଂଶ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି। ୨୫ରୁ ୪୦ ବର୍ଷ ବୟସର ଲୋକଙ୍କୁ ପୁଣି ଥରେ ଟିକେଟ୍ ଦିଆଯିବ। ଏଭଳି ସ୍ଥିତିରେ ୧୫୦ ଜଣ ନୂଆ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ପଡ଼ିବ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ଆଡକୁ ଢଳିଲେଣି ସମୀର ମହାନ୍ତି !! ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ଯିବା ପରେ ଏବେ ପ୍ରାୟ ଅଲୋଡା ହୋଇପଡିଛନ୍ତି ନେତା ସମୀର ମହାନ୍ତି। ସେ ସଭାପତି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟକାରୀ କରୁଥିଲେ। ହେଲେ ସେହି ଧର୍ମେନ୍ଦ୍ର ତାଙ୍କର ସଭାପତି ପଦକୁ ଆଉ ରଖିପାରିଲେ ନାହିଁ। ଫଳରେ ସଭାପତି ପଦ ଯିବା ପରେ ବର୍ତ୍ତମାନ ସେ ଦଳରେ ଜଣେ ଗୁରତ୍ବହୀନ ନେତା ହୋଇପଡିଛନ୍ତି। ଏପରିକି ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ସେମିତି କିଛି ବଡ ପଦପଦବୀ ଦେଇ ଥଇଥାନ କରିପାରିଲେ ନାହିଁ।

ଏପରି ପରିସ୍ଥିତିରେ ବର୍ତ୍ତମାନ ସମୀର ମହାନ୍ତି ସାଂସଦ ଅପରାଜିତାଙ୍କୁ ସମର୍ଥନ ଦେବା କାମରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଦେଇଛନ୍ତି। କାରଣ ସେ ଅନୁଭବ କରିସାରିଲେଣି ଯେ, ବର୍ତ୍ତମାନ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଦବଦବା ବଢିବାରେ ଲାଗିଛି। ସେଥିପାଇଁ ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗସ୍ତବେଳେ ହୋଇଥିବା ଗଣ୍ଡଗୋଳକୁ ତୀବ୍ର ବିରୋଧ କରିଛନ୍ତି ସମୀର। ନିଜ ଟୁଇଟରରେ ସେ ଏହାକୁ ନିନ୍ଦା କରିବା ସହିତ ରାଜ୍ୟ ସରକାର ଜଣେ ସାଂସଦଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି।

ପୂର୍ବରୁ ସମୀର ମହାନ୍ତି କେବେ ବି ଅପରାଜିତାଙ୍କ ସପକ୍ଷରେ ବୟାନ ଦେବାର ପରିଲକ୍ଷିତ ହୋଇ ନାହିଁ। ସେ ଗୋଟାପଣ ଧର୍ମେନ୍ଦ୍ରଙ୍କର ଥିବାରୁ ଅପରାଜିତାଙ୍କୁ ହେୟଜ୍ଞାନ କରି ଆସୁଥିଲେ। ଏପରିକି ତାଙ୍କ ସଭାପତି ସମୟରେ ଦଳିୟ କର୍ମିଙ୍କୁ ଅପରାଜିତାଙ୍କ ସଭାରେ ସାମିଲ ହେବା ପାଇଁ ବାରଣ କରାଯାଉଥିଲା। ସେତିକି ନୁହେଁ ତାଙ୍କ ସଭାପତି ସମୟରେ ଅପରାଜିତାଙ୍କ ସଭାରେ କେହି ଯୋଗ ଦେଲେ ତାଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଉଥିଲା।

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଏକ ହାସ୍ୟସ୍ପଦ ଘଟଣା ମଧ୍ୟ ସମୀର ମହାନ୍ତିଙ୍କ ସଭାପତିତ୍ବ ବେଳେ ଘଟିଛି। ସେତେବେଳେ ଅପରାଜିତାଙ୍କ ସମର୍ଥକ ରଶ୍ମୀରଂଜନ ମହାପାତ୍ରଙ୍କୁ ହଟାଇ ଯତୀନ ମହାନ୍ତିଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇ ଥିଲା। ହେଲେ ଏଥିରେ ଅପରାଜିତା ଖଡ୍ଗ ହସ୍ତ ହୋଇ ଉପର ସ୍ତରରେ କଥା ହେଲେ। କିଛି ସମୟ ପରେ ସେହି ସମୀର ମହାନ୍ତିଙ୍କ ଦସ୍ତଖତରେ ପୁଣି ରଶ୍ମୀରଂଜନଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇଥିଲା।

ତାଙ୍କ ସଭାପତିତ୍ବ ସମୟରେ ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ନ କରାଇବା। ଭୁବନେଶ୍ବରରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ସାଂସଦ ହିସାବରେ ନ ଡାକିବା ପ୍ରଭୃତି କାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତି ଦେଖି ଅପରାଜିତା ମଧ୍ୟ ସେତେବେଳେ ଦଳୀୟ କାର୍ଯ୍ୟକ୍ରମକୁ ଏଡାଇଯାଇ ନିଜ ଏନଜିଓ ବା ସଂସ୍ଥା ମାଧ୍ୟମରେ ସଭା ସମିତି ବା ବୈଠକ କରି ନିଜର ରାଜନୈତିକ ପତିୟାରା ଜାହିର କରୁଥିଲେ।

ହେଲେ ଏବେ ସମୟ ବଦଳି ଯାଇଛି। ସମୀର ମହାନ୍ତି ଭାବି ଥିଲେ ଯେ, ସେ ପୁଣି ସଭାପତି ହୋଇ ଏଥର ନିର୍ବାଚନକୁ ପରିଚାଳନା କରିଥାଆନ୍ତେ। ହେଲେ ତାହା ଆଉ ଧର୍ମେନ୍ଦ୍ରଙ୍କ ଦ୍ବାରା ହୋଇପାରିଲା ନାହିଁ। ଏପରିକି ସଭାପତି ପଦ ଯିବା ପରେ ମଧ୍ୟ ଦଳରେ ତାଙ୍କୁ ଆଉ କେହି ଗୁରୁତ୍ବ ମଧ୍ୟ ଦେଉ ନାହାଁନ୍ତି। ଫଳରେ ପରିସ୍ଥିତି ଦେଖି ସେ ଏବେ ଧିରେଧିରେ ଅପରାଜିତା ମୁହାଁ ହେବାରେ ଲାଗିଛନ୍ତି। ହେଲେ ଅପରାଜିତା ଷଡଙ୍ଗୀ ସମୀର ମହାନ୍ତିଙ୍କୁ କେତେ ଗୁରୁତ୍ବ ଦେବେ ତାହାର କୌଣସି ଆଭାସ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ପୁଣି କଂଗ୍ରେସ ଖେଳିବ ଏସ୍‌ସି ଓ ଏସ୍‌ଟି କାର୍ଡ, କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିିତ ଜାତି ଓ ଜନଜାତି ବିଭାଗର ଏକ ମିଳିତ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ କମିଟି ଏସ୍‌.ସି.,ଏସ୍‌.ଟି., ଓ.ବି.ସି ଓ ସଂଖ୍ୟାଲଘୁ ବିଭାଗର ସଂଯୋଜକ ଶ୍ରୀ କେ. ରାଜୁ କହିଲେ ଯେ, ଓଡ଼ିଶାର ୧୪୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସଂରକ୍ଷିତ ଥିବା ୫୭ ଟି ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ନେତୃତ୍ୱ ବିକାଶ ମିଶନ ଗଠନ କରାଯାଇଛି ।

୩୩ ଗୋଟି କଂଗ୍ରେସ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନେତୃତ୍ୱ ବିକାଶ କମିଟି ଗଠନ କରାଯିବା ପାଇଁ ଶ୍ରୀ ରାଜୁ ପ୍ରକାଶ କରିଥିଲେ । ଏହି କମିଟି ଗୁଡ଼ିକ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ନୂତନ ନେତୃତ୍ୱ ସୃଷ୍ଟି ଏବଂ ଉକ୍ତ ବର୍ଗର କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳରେ ଯେପରି ଅଧିକ ପ୍ରାଧାନ୍ୟ ମିଳିବ ସେ ଦିଗରେ ଶ୍ରୀ ରାଜୁ ଆଲୋକପାତ କରିଥିଲେ ।

ଅଖିଳ ଭାରତ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ରାଜେଶ ଲିଲୋଠିଆ କହିଲେ ଯେ, ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ୨୪ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନବେଳେ ରାଜ୍ୟ ନିର୍ବାଚନ କମିଟି ପ୍ରକୃତ ନେତୃତ୍ୱ ଆବେଦନକୁ ଉପଯୁକ୍ତ ବିଚାର କରାଯିବାର ଆବଶ୍ୟକତା ବୋଲି କହିଥିଲେ । ସାଂପ୍ରତିକ ସ୍ଥିତିରେ ରାଜ୍ୟରେ ବିଜେଡ଼ି ସରକାର କେନ୍ଦ୍ର ବିଜେପି ପାଖରେ ଶରଣ ପଶିଥିଲାବେଳେ ସାଧାରଣ ଲୋକେ ରାଜ୍ୟ ସରକାରଙ୍କ ଉପରେ ଖପ୍ପା ଅଛନ୍ତି ।

ଅଖିଳ ଭାରତ କଂଗ୍ରେସ ଆଦିବାସୀ ବିଭାଗ ଅଧ୍ୟକ୍ଷ ଶ୍ରୀ ଶିବାଜୀ ରାଓ ମୋଘେ ଆହ୍ୱାନ ଦେଇ କହିଥିଲେ ଯେ ଆଦିବାସୀ ଓ ଦଳୀତ ନେତାମାନଙ୍କୁ ଅନ୍ୟ ନେତା ଓ କର୍ମକର୍ତାମାନେ ଉପଯୁକ୍ତ ସମ୍ମାନ ଦେଲେ ସେମାନଙ୍କ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରି ଦଳରେ ସାମିଲ ହେବେ ଏବଂ ଦଳରୁ ଅଭିମାନରେ ଚାଲିଯାଇଥିବା ନେତାମାନେ ମଧ୍ୟ ଆଉଥରେ ଆମ ସହ ସାମିଲ ହେବେ ।

ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ବିକାଶ ଲକ୍ଷ କାର୍ଯ୍ୟକ୍ରମକୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ନିଆଯିବ। ବିଶେଷ କରି ଗ୍ରାମାଂଚଳରେ ଥିବା ଉପରୋକ୍ତ ଭୋଟର ମାନଙ୍କୁ କଂଗ୍ରେସର ତ୍ୟାଗ ଓ ବଳିଦାନ ସଂପର୍କରେ ଅବଗତ କରାଯାଇ କଂଗ୍ରେସ ପ୍ରତି ସେମାନଙ୍କର ମନୋଭାବର ପରିବର୍ତନ କରାଯିବ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦୀର୍ଘ ୨୩ ବର୍ଷର ଶାସନ ଭିତରେ ଉଭୟ ବିଜେଡ଼ି ଓ ବିଜେପି ସରକାର ଆଦିବାସୀ ଓ ଦଳୀତ ଓ ଅନୁସୂଚୀତ ଜାତିଙ୍କ ଉପରେ ଅତ୍ୟନ୍ତ ଅକଥନୀୟ ଅମାନବୀୟ ଅତ୍ୟାଚାର କରିଛନ୍ତି। ଆଜି ପର୍ଯ୍ୟନ୍ତ କଳିଙ୍ଗନଗରର ମାଟିରୁ ଆଦିବାସୀ ମାନଙ୍କ ରକ୍ତର ଦାଗ ଲିଭିନାହିଁ, ମାଇକାଂଚ ଓ ରାଇଘର ଘଟଣା ମନରୁ ଲିଭିନାହିଁ।

ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ଦଳର ନେତା ନରସିଂହ ମିଶ୍ର, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସୁଶିଳା ତିରିଆ, ଭୂଜବଳ ମାଝୀ, ଡଃ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ସେଠୀ, ନକୁଳ ନାୟକ, ତାରାବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହି, ନିମାଇଁ ସରକାର, ସୁରେଶ ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବାଙ୍କନିଧି ବେହେରା ଯୋଗ ଦେଇଥିଲେ।

ସେହିପରି ହଳଧର ସେଠୀ, ଦୁର୍ଯ୍ୟଧନ ଗରଦିଆ, ରାଜନ ଏକ୍କା, ରମେଶ ଜେନା, ଅମୀର ଚାନ୍ଦ ନାୟକ, ଅମୀତା ବିଶ୍ୱାଳ, ପ୍ରତିମା ମଲ୍ଲୀକ, ମଧୁମିତା ପଣ୍ଡା, ରଞ୍ଜିତା ହେମ୍ବ୍ରମ୍‌, ମାନସ ମଲ୍ଲିକ, କନକଲତା ମଲ୍ଲିକ, ଜାନକୀ ମଲ୍ଲିକ ପ୍ରମୁଖ ଉଦ୍‌ବୋଧନ ଦେଇ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ କଂଗ୍ରେସକୁ ଯେପରି ଆକୃଷ୍ଠ ହେବେ ସେ ସଂପର୍କରେ ପରାମର୍ଶ ଦେବେ । ବୈଠକରେ ପ୍ରାରମ୍ଭରେ ଆମ୍ବେଦକର ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ସଭାଗୃହରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇ ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା ।

ଏହାପରେ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଅନୁସୂଚୀତ ଜାତିର ପରଲୋକ ଗମନ କରିଥିବା ନେତା ଶ୍ରୀ ରିପୁନାଥ ସେଠ୍‌, ସଂଗ୍ରାମ କେଶରୀ ଜେନା, ଅନାଦି ଦାସ, ଅର୍ଜ୍ଜୁନ ଦାସ, କହ୍ଲେଇ ଚରଣ ସେଠୀ ଓ ଅଭୟ ମଲ୍ଲିକ ଙ୍କ ଉଦ୍ଦ୍ୟେଶରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବୈଠକରେ ଗଭୀର ଶୋକ ପ୍ରକଟ କରାଯିବା ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଶ୍ରୀ ଲିଲୋଠିଆ ଉପସ୍ଥିତ ସମସ୍ତଙ୍କୁ ଭାରତର ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ। ଶେଷରେ ପ୍ରଦେଶ କଂଗ୍ରେସ, ଆଦିବାସୀ ବିଭାଗ ଅଧ୍ୟକ୍ଷ ଶ୍ରୀ ଭୁଜବଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସବୁ ରାଜନୈତିକ ଦଳର ଫୋକସରେ ମହିଳା, କିନ୍ତୁ ସଂରକ୍ଷଣ ବିଲକୁ ବିରୋଧ କାହିଁକି?

ଭୁବନେଶ୍ୱର: ମଣିପୁରରେ ମହିଳାଙ୍କ ଉପରେ ହୋଇଥିବା ବର୍ବରୋଚିତ ନିର୍ଯାତନା ଘଟଣା ଏବେ ସମଗ୍ର ଦେଶରେ ସାମାଜିକ ଲଜ୍ଜାର କାରଣ ପାଲଟିଛି। କେବଳ ସେତିକି ନୁହେଁ ଏହି ପ୍ରସଙ୍ଗ ଏବେ ଦେଶର ରାଜନୀତିରେ ମଧ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ଦେଶର ସଂସଦରେ ହଙ୍ଗାମା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ କଡ଼ା ବାର୍ତ୍ତା ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପି ନିକଟରେ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ସମସ୍ତ ବିରୋଧୀ ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରସଙ୍ଗ ଉଠାଇଛି। ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରରେ ଜଣେ ମନ୍ତ୍ରୀ ବିଧାନସଭା ଭିତରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ଘେରିଥିଲେ,ସେତେବେଳେ ତାଙ୍କୁ ବହିଷ୍କାର କରାଯାଇଛି। ମୋଟାମୋଟି ଭାବେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପ୍ରସଙ୍ଗ ପୁଣି ଥରେ ଦେଶର ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ପଛରେ ମଧ୍ୟ କିଛି କାରଣ ରହିଛି। ସାମ୍ପ୍ରତିକ ଘଟଣାବଳୀରୁ ଜଣାପଡ଼ୁଛି ଯେ ଏଭଳି ପ୍ରସଙ୍ଗ କେବଳ ସାମାଜିକ ପ୍ରସଙ୍ଗ ନୁହେଁ, ରାଜନୀତିର ଦିଗ ମଧ୍ୟ ନିର୍ଦ୍ଧାରଣ କରୁଛି।

ଗତ ଦେଢ଼ ଦଶନ୍ଧି ମଧ୍ୟରେ ମହିଳା ପରିଚୟ ଓ ନିରାପତ୍ତା ଏବଂ ସାମାଜିକ ପ୍ରସଙ୍ଗ ପରିସରରୁ ବାହାରି ଏବେ ନିର୍ବାଚନର କେନ୍ଦ୍ରବିନ୍ଦୁକୁ ଆସିଛି। ବାସ୍ତବରେ ନିର୍ଭୟା ଆନ୍ଦୋଳନ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୃଢ଼ ଆଇନ ପ୍ରଣୟନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।

ନିର୍ଭୟା ମାମଲା ସମୟରେ ରାସ୍ତାରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା। ସାରା ଦେଶରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନର ପରିଣାମ ହେଲା କେନ୍ଦ୍ର ସରକାର ଏକ କଠୋର ଦୁଷ୍କର୍ମ ନିରୋଧୀ ଆଇନ ପ୍ରଣୟନ କଲେ, ଆଇପିସିର ବ୍ୟବସ୍ଥାକୁ ପରିବର୍ତ୍ତନ କରାଗଲା ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଇନ ତିଆରି କରାଗଲା।

ସୁଦୂରପ୍ରସାରୀ ପ୍ରଭାବ

ଏହାର ପ୍ରଭାବ କେବଳ ଆଇନ ପ୍ରଣୟନ ଉପରେ ପଡ଼ିନଥିଲା। ଏହାର ପ୍ରଭାବ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଥିଲା। ଆନ୍ନା ଆନ୍ଦୋଳନ ସହିତ ୟୁପିଏ-୨ ସରକାରଙ୍କ ବଡ଼ ପରାଜୟ ପଛରେ ମଧ୍ୟ ଏହି ଆନ୍ଦୋଳନ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଥିଲା। ଏହାପରେ ୨୦୧୬ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ତତ୍କାଳୀନ ବୀରଭଦ୍ର ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ପରାଜୟ ପଛରେ ଦୁଷ୍କର୍ମ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ଏହି ଧାରା ରାଜନୀତି ଉପରେ ପ୍ରଭାବ ପକାଇବାର ସଙ୍କେତ ଦେବା ପରେ ସମସ୍ତ ରାଜନୈତିକ ଦଳ ଓ ସରକାର ସତର୍କ ହୋଇଯାଇଥିଲେ।

କିଛି ବର୍ଷ ତଳେ ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀଙ୍କ ସରକାର ଏଭଳି ପ୍ରସଙ୍ଗରେ ଫସିଥିବାବେଳେ ମାତ୍ର ୩ ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଆଇନ ପାରିତ କରିଥିଲେ। ଏହାପରେ ଅନ୍ୟ ରାଜ୍ୟରୁ ମଧ୍ୟ ସମାନ ଦାବି ଉଠିଥିଲା। ଦୁଷ୍କର୍ମ ବିରୋଧରେ କ୍ରୋଧ ଏବଂ ରାଜନୀତି ଉପରେ ଏହାର ବଢ଼ୁଥିବା ପ୍ରଭାବ ପଛର ଏକ ପ୍ରମୁଖ କାରଣ ହେଉଛି ସାମ୍ପ୍ରତିକ ସମୟରେ ନିର୍ବାଚନରେ ମହିଳାଙ୍କ ଆବିର୍ଭାବ ଏକ ନିର୍ଣ୍ଣାୟକ କାରକ ଭାବରେ ଉଭା ହୋଇଛି।

ଗତ ଏକ ଦଶନ୍ଧି ମଧ୍ୟରେ ମହିଳାଙ୍କ ନିର୍ବାଚନୀ ଭାଗିଦାରୀରେ ଏକ ବଡ଼ ପରିବର୍ତ୍ତନ ଘଟିଛି ଏବଂ ସେମାନେ ସର୍ବବୃହତ ଭୋଟ୍ ବ୍ୟାଙ୍କରେ ପରିଣତ ହୋଇଛନ୍ତି। ଖାଲି ସେତିକି ନୁହେଁ ବିହାର, ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟକୁ ବାଦ୍ ଦେଲେ ଅନ୍ୟସବୁ ରାଜ୍ୟରେ ଗତ ନିର୍ବାଚନମାନଙ୍କରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଭୋଟ୍ ଦେଇଥିଲେ।

ଲୋକସଭାଠାରୁ ଆରମ୍ଭ କରି ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନଙ୍କ ମତଦାନ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ସେମାନଙ୍କ ସଂଖ୍ୟା ଆହୁରି ବଢ଼ିଥିଲା। ରାଜନୀତିରେ କାହାକୁ ସିଂହାସନରେ ବସାଇବା ଓ କାହାକୁ କ୍ଷମତାଚ୍ୟୁତ କରିବାରେ ମହିଳାଙ୍କ ବଡ଼ ଭୂମିକା ରହିଛି। ଏଥିରୁ ସ୍ପଷ୍ଟ ଯେ ଦୁଷ୍କର୍ମ କିମ୍ବା ମହିଳାଙ୍କ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଯାହା ମହିଳାଙ୍କ ସମେତ ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଗଭୀର ଆଘାତ ଦେଇଥାଏ।

ଏଭଳି ସ୍ଥିତିରେ ଯେ କୌଣସି ରାଜନୈତିକ ଦଳ ହେଉନା କାହିଁକି, ସମସ୍ତେ ନିଜ କ୍ରୋଧକୁ ଏଡ଼ାଇ ନିଜ ପାଖରେ ଠିଆ ହେବାକୁ ଚାହୁଁଛନ୍ତି। କେବଳ ଦୁଷ୍କର୍ମ ନୁହେଁ, ଗତ କିଛି ବର୍ଷ ମଧ୍ୟରେ ମହିଳାଙ୍କ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ରାଜନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଅନେକ ରାଜ୍ୟରେ ନିଶାନିବାରଣ ପାଇଁ ଦାବି ମଧ୍ୟ ହେଉଛି।

ମହିଳାଙ୍କ ପରିଚୟ ଓ ନିରାପତ୍ତା ପ୍ରସଙ୍ଗ ରାଜନୀତିକୁ ପ୍ରଭାବିତ କରିଥିବାରୁ ମାମଲା ଏତିକିରେ ଅଟକି ନ ଥିଲା। ମହିଳାଙ୍କ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହା ପରେ ଏହାକୁ ରାଜନୈତିକ ଦଳର ପ୍ରାଥମିକତା ଦିଆଯାଇଥିଲା। ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ନେଇଥିଲେ। ତାଙ୍କ ଦଳ ଉଜ୍ଜ୍ୱଳା ଯୋଜନା ସମେତ ସମସ୍ତ ପ୍ରସଙ୍ଗରେ ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲା।

୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ବଡ଼ ବିଜୟରେ ମହିଳା ଭୋଟରଙ୍କ ଯୋଗଦାନ ରହିଥିଲା। ସାଧାରଣ ନିର୍ବାଚନ ପରେ ମିଳିଥିବା ତଥ୍ୟରୁ ପ୍ରମାଣିତ ହୋଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ଅନ୍ୟ ଦଳ ତୁଳନାରେ ମହିଳାଙ୍କ ପାଇଁ ୬ରୁ ୮ ପ୍ରତିଶତ ଅଧିକ ଭୋଟ୍ ପାଇଥିଲା, ଯାହା ବିଜୟ ବ୍ୟବଧାନ ବଢ଼ାଇବାରେ ଏକ ବଡ଼ କାରଣ ପାଲଟିଥିଲା। ସେବେଠାରୁ ବିରୋଧୀ ଦଳମାନେ ମଧ୍ୟ ବିଭିନ୍ନ ରାଜ୍ୟରେ ଏହି ବର୍ଗକୁ ଫୋକସରେ ରଖିଛନ୍ତି। ଏଥିରେ ସବୁଠାରୁ ସାଧାରଣ କାରଣ ଥିଲା ପ୍ରତି ମାସରେ ମହିଳାମାନଙ୍କୁ ନିର୍ଦ୍ଧାରିତ ଭତ୍ତା ଦେବାର ଘୋଷଣା।

ଅଧା ଜନସଂଖ୍ୟାର ବଢ଼ୁଥିବା ଗୁରୁତ୍ୱ

ବର୍ତ୍ତମାନ କର୍ଣ୍ଣାଟକରେ କଂଗ୍ରେସ ନିର୍ବାଚନ ପୂର୍ବରୁ ଏହା ଘୋଷଣା କରିଥିଲା ଏବଂ ଜିତିବା ପରେ ଏହାକୁ କାର୍ଯ୍ୟକାରୀ କରିଛି। ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ବିଜେପି ସରକାର ତାଙ୍କ ରାଜ୍ୟରେ ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ଦେବା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି। ବିଶେଷ କରି ନିର୍ବାଚନ ପୂର୍ବରୁ ଓ ପରେ ମହିଳାଙ୍କୁ ପ୍ରଭାବିତ କରୁଥିବା ଯୋଜନାର ଚାହିଦା ସବୁ ରାଜ୍ୟରେ ବଢ଼ିବାରେ ଲାଗିଛି। ଏହା ପଛରେ କେଉଁଠି ନା କେଉଁଠି ସରକାର ଗଢ଼ିବା କିମ୍ବା ଭାଙ୍ଗିବା ପାଇଁ ସେମାନଙ୍କୁ ଏକ ଶକ୍ତିରେ ପରିଣତ ହେବାକୁ ପଡ଼ିବ।

ନିଶ୍ଚିତ ଭାବରେ, ଯେତେବେଳେ ଅଧା ଜନସଂଖ୍ୟାର ରାଜନୈତିକ ଗୁରୁତ୍ୱ ବୃଦ୍ଧି ପାଇବ, ସେତେବେଳେ ଏହା ସହିତ ଜଡିତ ପ୍ରସଙ୍ଗ ଏବଂ ସେମାନଙ୍କ ସପକ୍ଷରେ ଦେଖାଯିବାର ପ୍ରତିଯୋଗିତା ମଧ୍ୟ ସମାନ ଭାବରେ ବୃଦ୍ଧି ପାଇବ। କିନ୍ତୁ ମହିଳାମାନେ ଏହାକୁ କେବଳ ରାଜନୈତିକ ପାହାଡ଼ଭାବେ ବ୍ୟବହାର କରିବା ଉଚିତ ନୁହେଁ, ବରଂ ଭୂମି ଉପରେ ମଧ୍ୟ ଏହାର ପ୍ରଭାବ ପକାଇବାକୁ ଦାବି କରିଛନ୍ତି। ତେବେ ଚିତ୍ରର ଅନ୍ୟ ଏକ ଦିଗ ହେଉଛି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ଦେବା କଥା ସବୁ ରାଜନୈତିକ ଦଳ କହୁଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ଆଇନରେ ପରିଣତ କରାଯାଇନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ; କର୍ଣ୍ଣାଟକରୁ ରାଜ୍ୟସଭାକୁ ଆସିବେ ସୋନିଆ

ଭୁବନେଶ୍ବର: କର୍ଣ୍ଣାଟକର ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନକୁ ଆଉ ୮ ମାସ ବାକି ଥିବାବେଳେ ସୟଦ ନସିର ହୁସେନ ଓ ସୁପ୍ରିୟା ଶ୍ରୀନେତଙ୍କ ସହ ସୋନିଆ ଗାନ୍ଧି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ପ୍ରବେଶ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଲୋକସଭା ନିର୍ବାଚନ ନ ଲଢ଼ି ରାଜ୍ୟସଭା ଦେଇ ସଂସଦକୁ ଯିବେ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି ।

ଉଚ୍ଚସ୍ତରୀୟ ସୂତ୍ରରୁ ପ୍ରକାଶ ଯେ ନିକଟରେ ସୋନିଆଙ୍କ ବେଙ୍ଗାଲୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବତନ ଏଆଇସିସି ମୁଖ୍ୟଙ୍କୁ କର୍ଣ୍ଣାଟକରୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ । ସିଦ୍ଧରମୈୟାଙ୍କ ପ୍ରସ୍ତାବରେ ସୋନିଆ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ କିଛି କାରଣ ରହିଛି ଯାହାକି ତାଙ୍କୁ ରାଜ୍ୟସଭାରେ ପ୍ରବେଶ କରିବାର ସମ୍ଭାବନାକୁ ସୂଚାଉଛି ।

ମୁଖ୍ୟତଃ, ଯଦି ସୋନିଆ ସିଦ୍ଧରମୈୟାଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଏହା ତାଙ୍କୁ ୧୦, ଜନପଥ ସରକାରୀ ବାସଭବନକୁ ବଜାୟ ରଖିବାରେ ସାହାଯ୍ୟ କରିବ, ଯାହାକୁ ସେ ୧୯୮୯ ମସିହାରୁ ରହୁଛନ୍ତି। ଯେତେବେଳେ ରାଜୀବ ଗାନ୍ଧୀ ବିରୋଧୀ ଦଳ ନେତା ଥିଲେ ସେ ସମୟରେ ସେ ୧୦ ଜନପଥ ବାସଭବନକୁ ଆସିଥିଲେ।

ନିକଟ ଅତୀତରେ ଉଭୟ ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୁଟିଆନ୍ସ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଛାଡ଼ିଛନ୍ତି। ମୋଦି ଉପନାମ ମାନହାନୀ ମାମଲାରେ ହାରିବା ପରେ ଚଳିତ ବର୍ଷ ଏପ୍ରିଲରେ ରାହୁଲ ୧୨, ତୁଗଲକ କ୍ରିସେଣ୍ଟ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହପରି ପ୍ରିୟଙ୍କା ୨୦୨୨ ଜୁଲାଇରେ ତାଙ୍କର ୩୪, ଲୋଧି ଇଷ୍ଟେଟ ବାସଭବନ ଖାଲି କରିଥିଲେ ଯାହା ସୁରକ୍ଷା କାରଣରୁ ତାଙ୍କୁ ୧୯୯୭ ରେ ଆବଣ୍ଟନ କରାଯାଇଥିଲା ।

ସୋନିଆ ବର୍ତ୍ତମାନକୁ ମିଶାଇ ପାଞ୍ଚଥର ଲୋକସଭାରୁ ସାଂସଦ ଅଛନ୍ତି (ଥରେ ଆମେଠିରୁ ଏବଂ ଚାରିଥର ରାଏବରେଲିରୁ) ଏବଂ ନିର୍ବାଚନୀ ଲଢ଼େଇରେ କେବେ ହାରିନଥିବାର ଏକ ଦୃଢ଼ ରେକର୍ଡ ରହିଛି। ତେବେ ୨୦୧୯ ପରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କାରଣରୁ ସୋନିଆ ନିଜ ନିର୍ବାଚନମଣ୍ଡଳୀକୁ ଯେତିକି ପସନ୍ଦ କରୁଥିଲେ ସେତିକି ସମୟ ଦେଇପାରି ନାହାନ୍ତି। ପ୍ରିୟଙ୍କା ଗାନ୍ଧି ୨୦୨୪ରେ ନିର୍ବାଚନ ଲଢ଼ି ବିଜୟୀ ହେଲେ ମଧ୍ୟ ୧୦, ଜନପଥ ସରକାରୀ ବାସଭବନ ବଜାୟ ରଖିବା ପ୍ରସଙ୍ଗର ସମାଧାନ କରିବ ନାହିଁ। ଯଦି ପ୍ରିୟଙ୍କା ନିର୍ବାଚନ ଜିତନ୍ତି ପ୍ରଥମ ଥର ସାଂସଦ ହେଉଥିବାରୁ ତାଙ୍କୁ ୧୦, ଜନପଥ ସରକାରୀ ବାସଭବନ ମିଳିବ ନାହିଁ ।

ସୂଚନାଯୋଗ୍ୟ, ୧୯୮୯ମସିହାରେ ରାଜୀବଙ୍କୁ ଲୁଟିୟନ୍ସ ଦିଲ୍ଲୀ ବଙ୍ଗଳାର ଯତ୍ନ ନେଉଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ କର୍ମଚାରୀମାନେ ସେଠାକୁ ନ ଯିବାକୁ ପରାମର୍ଶ ଦେଇଥିଲେ। ୧୦, ଜନପଥକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। କୁହାଯାଉଛି ଯେ ୧୦ ଜନପଥ ବାସଭବନ ଭିତରେ ଦୁଇଟି କବର ରହିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ଘର ଭାବରେ ବିବେଚନା କରାଯାଉଥିଲା ଯାହା ସଞ୍ଜୟ ଗାନ୍ଧିଙ୍କ ପାଇଁ ଦୁର୍ଭାଗ୍ୟ ଆଣିଦେଇଥିଲା।

୧୯୭୫ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୦, ଜନପଥ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟାଳୟ ଥିଲା ଯେତେବେଳେ ଅମ୍ବିକା ସୋନି ଏହାର ସଭାପତି ଥିଲେ ଏବଂ ସଞ୍ଜୟ ଗାନ୍ଧୀ ଏହାର ପରାମର୍ଶଦାତା ଥିଲେ। ୧୯୭୭ ପରାଜୟର ଗମ୍ଭୀରତା ବହୁତ ବଡ଼ ଥିଲା। ରାଜେନ୍ଦ୍ର ପ୍ରସାଦ ରୋଡରେ ବହୁ ବର୍ଷ ପରେ ଯୁବ କଂଗ୍ରେସ କାର୍ଯ୍ୟାଳୟ ବନ୍ଦ ହୋଇ ଖୋଲିଥିଲା।

୧୯୮୯ରେ ରାଜୀବ ଯେତେବେଳେ ୧୦, ଜନପଥରେ ପ୍ରବେଶ କରିଥିଲେ, ସେତେବେଳେ ସେ କିଛି ଅଞ୍ଚଳରେ ରକ୍ତ ଚିହ୍ନ ଦେଖିଥିଲେ। ୧୯୭୭ରୁ ୧୯୮୯ ମଧ୍ୟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିଲା। ଏହାପରେ ବକ୍ସରର ଜଣେ କଂଗ୍ରେସ ନେତା କେକେ ତେଓ୍ଵାରୀ ସେଠାରେ ରହିଥିଲେ। ତେଓ୍ଵାରୀ ଆଜି ପର୍ଯ୍ୟନ୍ତ ରାଜନୈତିକ ମହଲରେ ଅଛନ୍ତି ।

ପୁରୁଣା ଲୋକମାନେ ମନେପକାନ୍ତି ଲାଲ ବାହାଦୁର ଶାସ୍ତ୍ରୀ ମଧ୍ୟ ୧୦, ଜନପଥ (ପ୍ରଧାନମନ୍ତ୍ରୀ ଭାବରେ)ରେ ରହିଥିଲେ। ତାଙ୍କ ଆବାସିକ କମ୍ପ୍ଲେକ୍ସରେ ବର୍ତ୍ତମାନର ୧୦, ଜନପଥ ଥିବା କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା । ପ୍ରଧାନମନ୍ତ୍ରୀ ହେବାର ୧୮ ମାସ ମଧ୍ୟରେ ଶାସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା ।

ବିଦାୟୀ ୪ ଜଣ ସାଂସଦ ଜିସି ଚନ୍ଦ୍ରଶେଖର, ସୟଦ ନସିର ହୁସେନ ଏବଂ ଡକ୍ଟର ଏଲ୍ ହନୁମନ୍ତୈୟା (ଅଖିଳ ଭାରତ କଂଗ୍ରେସ) ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୪ରେ ଶେଷ ହେଉଛି । ବର୍ତ୍ତମାନର ବିଧାୟକ ସଂଖ୍ୟା ଅନୁଯାୟୀ, କର୍ଣ୍ଣାଟକର ୪ଟି ଆସନରୁ ୩ଟି ଆସନ ପାଇବ । ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଜଡ଼ିତ ଏଆଇସିସି ସଂଯୋଜକ ନାସିରଙ୍କୁ ଆଉ ଥରେ କାର୍ଯ୍ୟକାଳ ଦିଆଯିବ ଏବଂ କଂଗ୍ରେସ ସୋସିଆଲ ମିଡ଼ିଆ ମୁଖ୍ୟ ଶ୍ରୀନେତଙ୍କୁ ସୋନିଆଙ୍କ ସହ ରାଜ୍ୟସଭାକୁ ଅଣାଯିବ ବୋଲି ଚର୍ଚ୍ଚା ହେଉଛି।

Categories
ଜାତୀୟ ଖବର ବିଶେଷ ଖବର

‘INDIA’ର ୫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପଶ୍ଚିମବଙ୍ଗ, ୟୁପି-ବିହାରରେ ଆସନ ବଣ୍ଟନ କଷ୍ଟକର

ଭୁବନେଶ୍ୱର: ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇଦିନିଆ ବିରୋଧୀ ବୈଠକରୁ ଯେଉଁ ଫଳାଫଳ ବାହାରିଛି ତାହା ହେଉଛି ମେଣ୍ଟର ନୂଆ ନାମ- INDIA ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ। ଏ ସବୁ ସତ୍ତ୍ୱେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କ ସାମ୍ନାରେ କିଏ ରହିବ? ଏହାର ନେତୃତ୍ୱ କିଏ ନେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

INDIAରେ ସାମିଲ ହୋଇଥିବା ୨୬ଟି ଦଳର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ଏଥିରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ତାହା ସ୍ଥିର ହେବ। ପରବର୍ତ୍ତୀ ବୈଠକର ତାରିଖ ମଧ୍ୟ ସ୍ଥିର ହୋଇନାହିଁ। ୧୧ ଜଣିଆ ସମନ୍ୱୟ କମିଟିଦ୍ୱାରା ସବୁକିଛି ସ୍ଥିର ହେବ। ଦିଲ୍ଲୀରେ ମଧ୍ୟ ମେଣ୍ଟର ଏକ ଅଲଗା କାର୍ଯ୍ୟାଳୟ ରହିବ।

ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ-ତେଜସ୍ୱୀ ସେଠାରେ ଉପସ୍ଥିତ ନ ଥିଲେ। ବିଜେପି ନେତା ସୁଶୀଲ କୁମାର ମୋଦୀ ଅଭିଯୋଗ କରିଛନ୍ତି ଯେ ମେଣ୍ଟର ଆବାହକ କରାଯାଇନଥିବାରୁ ଅସନ୍ତୁଷ୍ଟ ହୋଇ ନୀତୀଶ ବିହାର ଫେରିଛନ୍ତି।

କିନ୍ତୁ ନୀତୀଶଙ୍କ ଦଳ ଜେଡିୟୁ ସଭାପତି ଲଲନ ସିଂହ ଅସନ୍ତୋଷର ଖବରକୁ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି। ତେବେ ମେଣ୍ଟରେ ଏକତା ବଜାୟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସଙ୍କେତ ମିଳିବାରେ ଲାଗିଛି। ପୂର୍ବରୁ ନୀତୀଶ ଏହି ମେଣ୍ଟର ନାମ ଭାରତ ରଖିବାକୁ ରାଜି ହୋଇନଥିଲେ। ଏହା ହେଉଛି ଦେଶର ନାମ ବୋଲି ସେ କହିଥିଲେ।

INDIAର ନେତା ବ୍ୟତୀତ ନୂଆ ମେଣ୍ଟର ଆସନ ବଣ୍ଟନ, ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ, ବିଧାନସଭା ନିର୍ବାଚନରେ ପାରସ୍ପରିକ ସମନ୍ୱୟ ଏବଂ ଆଞ୍ଚଳିକ ଦଳଗୁଡ଼ିକର ଆକାଂକ୍ଷା ଭଳି ଅନେକ ବିଷୟରେ ସହମତ ହେବାକୁ ପଡ଼ିବ। ତା’ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାରଙ୍କ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି। ଶରଦ ପାୱାର, ନୀତୀଶ କୁମାର, ମମତା ବାନାର୍ଜୀ, ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲ ଏହି ଦୌଡ଼ରେ ରହିପାରନ୍ତି। ତେବେ ରାହୁଲ ଗାନ୍ଧି INDIA ଆଲାଏନ୍ସର ନେତୃତ୍ୱ ନେବାରୁ ଓହରି ଯାଇଛନ୍ତି।

କଂଗ୍ରେସକୁ କମ ଆସନରେ ଲଢ଼ିବାକୁ ପଡ଼ିବ

ଏହି ମେଣ୍ଟର କେନ୍ଦ୍ରରେ ରହିଛି କଂଗ୍ରେସ। ସବୁଠାରୁ ବଡ଼ ଦଳ ହୋଇଥିବାରୁ ଛୋଟ ଦଳଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଏହାର ଦାୟିତ୍ୱ। ବେଙ୍ଗାଲୁରୁ ବୈଠକରେ କଂଗ୍ରେସ ୨୬ଟି ଦଳକୁ ନିମନ୍ତ୍ରଣ କରିଥିଲା। ଏମାନଙ୍କ ମଧ୍ୟରୁ ୧୭ ଜଣ ତାଙ୍କ ସହ ଅଛନ୍ତି। ପ୍ରଥମଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ଏକାଠି ହେଉଛନ୍ତି ୮ଟି ଦଳ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୫୨ଟି ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଡିଏମକେ ୨୪ଟି ଆସନ ସହ ତୃତୀୟ ଓ ଟିଏମସି ୨୩ ଟି ଆସନ ସହ ଚତୁର୍ଥ ସ୍ଥାନରେ ରହିଛି। ଶିବସେନାର ୧୯ ଓ ଜେଡିୟୁର ୧୬ ସାଂସଦ ଥିଲେ।

ଏମାନଙ୍କ ମଧ୍ୟରୁ ଡିଏମକେ, ଟିଏମସି, ଜେଡିୟୁ ଓ ଶିବସେନାର ଏକ ଗୋଷ୍ଠୀ INDIA ମେଣ୍ଟରେ ସାମିଲ ଅଛନ୍ତି। ଅର୍ଥାତ୍ କଂଗ୍ରେସକୁ ସେମାନଙ୍କ ପାଇଁ ଆସନ ଛାଡ଼ିବାକୁ ପଡ଼ିବ। ସବୁଠାରୁ ବଡ଼ ବିପଦ ହେଉଛି କଂଗ୍ରେସ ନିଜ ଦଳର ନେତାମାନଙ୍କୁ ଅଣଦେଖା କରି ଆଞ୍ଚଳିକ ଦଳ ଓ ନେତାଙ୍କୁ କିପରି ସନ୍ତୁଷ୍ଟ କରିବ।

ମେ’ ମାସରେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି; କଂଗ୍ରେସ ଯେଉଁଠି ଶକ୍ତିଶାଳୀ ସେଠାରେ ଲଢ଼ୁ, ଆମେ ତାଙ୍କୁ ସମର୍ଥନ କରିବୁ। ଏଥିରେ କିଛି ଭୁଲ ନାହିଁ, ବରଂ ଅପର ପକ୍ଷରେ କଂଗ୍ରେସ ଯେଉଠି ଦୁର୍ବଳ ସେଠାରେ କଂଗ୍ରେସକୁ ଅନ୍ୟଦଳକୁ ମଧ୍ୟ ସମର୍ଥନ କରିବାକୁ ପଡ଼ିବ।

କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଦଳ ୩୭୦ଟି ଆସନରେ ପ୍ରାର୍ଥୀ ଦେବ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୧୭୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଯଦି ଏପରି ହୁଏ ତେବେ ଗତ ୫ଟି ଲୋକସଭା ନିର୍ବାଚନ ଅର୍ଥାତ୍ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ପ୍ରଥମ ଥର ପାଇଁ କଂଗ୍ରେସ ୪୦୦ରୁ କମ୍ ଆସନରେ ଲଢ଼ିବ।

ରାଜ୍ୟରେ ସରକାର ଚଳାଉଥିବା ଦଳମାନଙ୍କ ସହ ଆସନ ବୁଝାମଣା କଷ୍ଟକର

ବର୍ତ୍ତମାନ ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡୁରେ ଡିଏମକେ, ଦିଲ୍ଲୀ-ପଞ୍ଜାବରେ ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡରେ ଜେଏମଏମ ଏବଂ ୪ଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିଛି। ବିହାରରେ କଂଗ୍ରେସ-ଆରଜେଡି ଓ ଜେଡିୟୁ ମେଣ୍ଟ ସରକାରରେ ରହିଛି। ଝାଡ଼ଖଣ୍ଡ ଓ ତାମିଲନାଡୁରେ ମଧ୍ୟ କଂଗ୍ରେସ ସରକାରରେ ସାମିଲ ରହିଛି।

ଯେଉଁସବୁ ରାଜ୍ୟରେ ଆଞ୍ଚଳିକ ଦଳ ସରକାର ଚଳାଇଛନ୍ତି, ସେଠାରେ କଂଗ୍ରେସ ପାଇଁ ଆସନ ବଣ୍ଟନ କରିବା କଷ୍ଟକର ହେବ। ଏଭଳି ସ୍ଥିତିରେ କେଉଁ ରାଜ୍ୟରେ କିଏ ପରସ୍ପର ପାଇଁ କେତେ ଆସନ ଛାଡ଼ିବ ତାହା ଦେଖିବାକୁ ବାକି ରହିଲା। ରାଜ୍ୟମାନଙ୍କ କହିବା ଅନୁଯାୟୀ, ବୁଝନ୍ତୁ ମେଣ୍ଟ କ’ଣ ଅସୁବିଧାର ସମ୍ମୁଖୀନ ହେବ…

ୟୁପି: ସପା-କଂଗ୍ରେସ ଏବଂ ଏସପି-ବିଏସପି-ଆରଏଲଡି ମେଣ୍ଟ ବିଫଳ ହୋଇଛି

ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏକାଠି ହୋଇ ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଏହି ମେଣ୍ଟକୁ ମାତ୍ର ୫୪ଟି ଆସନ ମିଳିଥିଲା । କଂଗ୍ରେସ ୧୧୪ଟି ଆସନରେ ଲଢ଼ି ମାତ୍ର ୭ଟି ଆସନରେ ବିଜୟୀ ହୋଇଥିଲା। ସପା ୩୧୧ଟି ଆସନରେ ଲଢ଼ି ୪୭ଟି ଆସନରେ ବିଜୟୀ ହୋଇଥିଲା। ଏହି ପରାଜୟ ପରେ କଂଗ୍ରେସ ସପାଠାରୁ ନିଜକୁ ଦୂରେଇ ନେଇଥିଲା।

୨୦୨୨ ବିଧାନସଭା ନିର୍ବାଚନରେ ଏସପି ଓ ଆରଏଲଡି ମେଣ୍ଟ କରିଥିଲେ। ଏସପି ଆରଏଲଡିକୁ ୩୩ଟି ଆସନ ଦେଇଥିବାବେଳେ ଆରଏଲଡି ସେଥିରୁ ୮ଟିରେ ବିଜୟୀ ହୋଇଛି। ଏହାପରେ ଏହି ମେଣ୍ଟ ଭାଙ୍ଗିବା ନେଇ ଖବର ଆସିବାରେ ଲାଗିଛି। ଆରଏଲଡି ରାଜ୍ୟ ସଭାପତି ରାମାଶିଷ ରାୟ କହିଛନ୍ତି ଯେ କଂଗ୍ରେସ ବିନା ୟୁପିରେ କୌଣସି ମେଣ୍ଟ ସମ୍ଭବ ହେବ ନାହିଁ, କିନ୍ତୁ ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟ ସପକ୍ଷରେ ନାହିଁ।

ଏବେ ଏହି ତିନି ଦଳ INDIA ଆଲାଏନ୍ସରେ ଅଛନ୍ତି। ଗତ ଦୁଇଟି ନିର୍ବାଚନରେ ମେଣ୍ଟର ପରାଜୟରୁ ଏସପି ଶିକ୍ଷା ନେଇଛି। ଏବେ ୟୁପିରେ ଏସପି-ଆରଏଲଡି-କଂଗ୍ରେସ ଏବଂ ଅପନା ଦଳ (କାମେରାବାଦୀ)ର ମେଣ୍ଟ ହୋଇପାରେ। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ୧୦ରୁ ୨୦ଟି ଆସନ ଦାବି କରିପାରେ। ଅବଶିଷ୍ଟ ଆସନ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳର ପ୍ରାର୍ଥୀଙ୍କ ପାଇଁ ଛାଡ଼ି ଦିଆଯିବ।

ବିହାର: କଂଗ୍ରେସକୁ ଅଧିକ ଆସନ ମିଳିବା କଷ୍ଟକର

ବିହାରରେ ୪୦ଟି ଲୋକସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଜେଡିୟୁ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ମେଣ୍ଟ ୩୯ଟି ଆସନରେ ବିଜୟୀ ହୋଇଥିଲା। ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳସହ ମିଶି ବିହାରରେ ମହାମେଣ୍ଟ ସରକାର ଚଳାଇଛି। ମହାମେଣ୍ଟର ଆସନରେ ଜେଡିୟୁର ଭାଗ ପରେ ବିହାରରେ କଂଗ୍ରେସ ପାଇଁ ଅଧିକ ଆସନ ପାଇବା କଷ୍ଟକର ହୋଇପଡ଼ିବ।

ବିହାରରେ କଂଗ୍ରେସ ଗତଥର ୯ଟି ଆସନରେ ଲଢ଼ିଥିବାବେଳେ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇପାରିଥିଲା। ଏଥର କଂଗ୍ରେସ ନିଜ ଭାଗର ୨ରୁ ୩ଟି ଆସନ ଆରଜେଡି ଓ ଜେଡିୟୁକୁ ଦେଇପାରେ।

ଦିଲ୍ଲୀ ଓ ପଞ୍ଜାବ: ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତାରେ, ପ୍ରଥମ ଥର ପାଇଁ କଂଗ୍ରେସ ସହ ମେଣ୍ଟ

ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ସଂଖ୍ୟାଗରିଷ୍ଠତା ସରକାର ରହିଛି। ଦିଲ୍ଲୀର ୭ଟି ଲୋକସଭା ଆସନ ବୁଝାମଣା ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) କଂଗ୍ରେସ ସହ ଲଢ଼େଇ କରିପାରେ। ବିଜେପି ଏବେ ୭ଟି ଯାକ ଆସନ ହାତରେ ରଖିଛି।

୨୦୧୯ ନିର୍ବାଚନରେ ଦିଲ୍ଲୀରେ ବିଜେପିକୁ ପାଖାପାଖି ୫୭% ଭୋଟ୍ ମିଳିଥିଲା। କଂଗ୍ରେସକୁ ୨୨% ଓ ଆମ୍ ଆଦମୀ ପାର୍ଟିକୁ ୧୮% ଭୋଟ୍ ମିଳିଥିଲା। ପଞ୍ଜାବରେ ମଧ୍ୟ କଂଗ୍ରେସ ଆମ୍ ଆଦମୀ ପାର୍ଟିଠାରୁ ଆଗରେ ରହିଛି। ୨୦୧୯ ନିର୍ବାଚନରେ ଦଳ ୧୩ଟି ଆସନରୁ ୭ଟିରେ ବିଜୟୀ ହୋଇଥିଲା। ଆମ୍ ଆଦମୀ ପାର୍ଟିକୁ ଗୋଟିଏ ଆସନ ମିଳିଥିଲା। ଏଠାରେ କଂଗ୍ରେସ ୧୩ଟି ଆସନରୁ ୬ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହୋଇପାରେ।

ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପ୍ରଥମ ଥର ପାଇଁ INDIA ବାହାନାରେ ଏକାଠି ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମେଣ୍ଟର ଆବାହକ ପଦ ପାଇଁ ଦୌଡ଼ରେ ଅଛନ୍ତି। ସେ ଆରମ୍ଭରୁ କଂଗ୍ରେସର କଠୋର ବିରୋଧୀ ଥିଲେ। ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ କେଜ୍ରିୱାଲ ମେଣ୍ଟର ନାମ ୟୁପିଏ ରଖିବାରେ ସବୁଠାରୁ ଅଧିକ ଅସହମତି ପ୍ରକାଶ କରିଥିଲେ। ୨୦୧୧-୧୨ରେ ସେ ସରକାରୀ ଦୁର୍ନୀତି ବିରୋଧରେ ଇଣ୍ଡିଆ ଏଗେନଷ୍ଟ କରପସନ୍ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଓ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା।

ଏହି ଆନ୍ଦୋଳନ ଯୋଗୁଁ ଅରବିନ୍ଦ କେଜ୍ରିୱାଲ ଦଳ ଗଠନ କରିଥିଲେ ଏବଂ ସେବେଠାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ଯଦି ୟୁପିଏରେ ସାମିଲ ହୋଇଥାନ୍ତେ ତେବେ ତାଙ୍କ ଉପରେ ଆଙ୍ଗୁଠି ଉଠାଯାଇଥାନ୍ତା। ଏହାବ୍ୟତୀତ ବୈଠକରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର କରିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ। ତେବେ ଏନେଇ କୌଣସି ସହମତି ହୋଇପାରିନାହିଁ।

ପଶ୍ଚିମବଙ୍ଗ: ମମତା ଓ ବାମପନ୍ଥୀଙ୍କୁ ଏକାଠି କରିବା ଚ୍ୟାଲେଞ୍ଜ

ବିରୋଧୀ ମେଣ୍ଟ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପଶ୍ଚିମବଙ୍ଗରେ। ଏଠାରେ ୪୨ଟି ଲୋକସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଟିଏମସି ୨୨ଟି ଆସନରେ ବିଜୟୀ ହୋଇଛି। ବିଜେପି ୧୮ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିଛି।

ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ଓ ବାମପନ୍ଥୀ ଦଳର ମେଣ୍ଟ ରହିଛି। ଦୁହେଁ ଟିଏମସି ବିପକ୍ଷରେ ଲଢ଼ୁଛନ୍ତି। ନୂଆ ମେଣ୍ଟରେ ତିନି ଦଳ ଏକାଠି ଥିବାବେଳେ ନିର୍ବାଚନରେ ଏକାଠି ହୋଇପାରିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

ବୈଠକ ପରେ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସି ସହ ମେଣ୍ଟ ହେବ ନାହିଁ। ବାମପନ୍ଥୀ-କଂଗ୍ରେସ ବିଜେପି ଓ ଟିଏମସି ବିରୋଧରେ ଲଢ଼ିବେ। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଚେହେରା ରହିବ ନାହିଁ। ଗତ ସପ୍ତାହରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ପଶ୍ଚିମବଙ୍ଗରେ ଟିଏମସି ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଏକାଠି ଲଢ଼ିବେ।

ତେବେ ଏହି ବୈଠକରେ ସୋନିଆ ଗାନ୍ଧି ଓ ମମତା ବାନାର୍ଜୀ ଏକାଠି ବସିଥିଲେ। ଦୁଇ ବର୍ଷ ପରେ ସେମାନଙ୍କର ସାକ୍ଷାତ୍‍ ହୋଇଥିଲା। ଦୁହେଁ ଅଧଘଣ୍ଟା ଧରି କଥା ହୋଇଥିଲେ। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ମମତା ରାଗିଥିବା କୁହାଯାଉଛି।

ଚୌଧୁରୀ ମମତାଙ୍କୁ ଏକଛତ୍ରବାଦୀ ଏବଂ ତାଙ୍କ କର୍ମୀମାନଙ୍କୁ ଗୁଣ୍ଡା ବୋଲି କହିଥିଲେ। ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବା ପାଇଁ କଂଗ୍ରେସକୁ ମମତାଙ୍କ ଆବଶ୍ୟକତା ରହିଛି। ସେ କ୍ରମାଗତଭାବେ ନିଜ ରାଜ୍ୟରେ ବିଜେପିକୁ ବଡ଼ ବ୍ୟବଧାନରେ ପରାସ୍ତ କରୁଛନ୍ତି। ସେ ଜଣେ ଜାତୀୟ ସ୍ତରର ନେତ୍ରୀ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ମଧ୍ୟ।

ବିଜେପିକୁ ଟକ୍କର ଦେବାକୁ ପରବର୍ତ୍ତୀ ବୈଠକ ମହାରାଷ୍ଟ୍ର ଓ ତାମିଲନାଡୁରେ ବିରୋଧୀଙ୍କ ବୈଠକ ପରେ ତୁରନ୍ତ ଦିଲ୍ଲୀରେ ଏନଡିଏ ବୈଠକ ବସିଥିଲା। ଏଥିରେ ୩୮ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ବିଜେପି ବ୍ୟତୀତ ଏନଡିଏରେ ସାମିଲ ଥିବା ଦଳଗୁଡ଼ିକର ସଂସଦରେ ଉପସ୍ଥିତି ବହୁତ କମ୍ ରହିଛି। ଏହାର ୩୭ଟି ଦଳର ମାତ୍ର ୩୧ ଜଣ ସାଂସଦ ଅଛନ୍ତି। ନୂଆ ମେଣ୍ଟ ଗଠନ କରି ବିଜେପିକୁ ପ୍ରତିରକ୍ଷାତ୍ମକ କରିଛି ବୋଲି ବିରୋଧୀ ଅନୁଭବ କରୁଛନ୍ତି। ସେହି ଅନୁଯାୟୀ ଅଧିକ ପ୍ରସ୍ତୁତି ଚାଲିଛି।

ମେଣ୍ଟର ପରବର୍ତ୍ତୀ ବୈଠକ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। ନିକଟରେ ବିଜେପି ଏନସିପିକୁ ଭାଙ୍ଗିଦେଇଛି। ତେଣୁ ବିରୋଧୀଙ୍କ ଏକତା ଦେଖାଇବା ପାଇଁ ସେଠାରେ ଏକ ବୈଠକ ଅନୁଷ୍ଠିତ ହେବ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ବୈଠକ ଚେନ୍ନାଇରେ ଅନୁଷ୍ଠିତ ହେବ। ତାମିଲନାଡୁ ଦକ୍ଷିଣରେ ଏକ ବଡ଼ ରାଜ୍ୟ। ସିଏମ୍ ଷ୍ଟାଲିନ୍ ଏଠାରେ ଦୃଢ଼ ସ୍ଥିତିରେ ଅଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ତାମିଲନାଡ଼ୁର ଯେ କୌଣସି ଆସନରୁ ଠିଆ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ବିଜେପିକୁ ବାର୍ତ୍ତା ଦେବା ପାଇଁ ଏହି ରାଜ୍ୟକୁ ଚୟନ କରାଯାଇଛି। ତୃତୀୟ ବୈଠକ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ। ମମତା ବାନାର୍ଜୀ ପ୍ରଥମେ ବିଧାନସଭା ନିର୍ବାଚନରେ ଏବଂ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯେଉଁଭଳି ପରାସ୍ତ କରିଛନ୍ତି, ତାହାକୁ ବିରୋଧୀ ଏକ ମଡେଲଭାବେ ଦେଖୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ମେଣ୍ଟ ପାଇଁ ରାହୁଲ ଗାନ୍ଧି INDIA ନାମ ସୁପାରିସ କରିଥିଲେ। ଏହାକୁ ମମତା ବାନାର୍ଜୀ ଅନୁମୋଦନ କରିଛନ୍ତି। ରାହୁଲ ଗାନ୍ଧି ଓ ମମତାଙ୍କ ଏହି କେମେଷ୍ଟ୍ରି ମଧ୍ୟ ସାମ୍ବାଦିକ ସମ୍ମିଳନୀ ମଞ୍ଚରେ ଦେଖିବାକୁ ମିଳିଥିଲା। ସେମାନେ ପରାମର୍ଶ ଜାରି ରଖିଥିଲେ।

ବହୁ ଆଲୋଚନା ପରେ ବି ବିରୋଧୀ ମେଣ୍ଟର କିଏ ନେବ ତାହା ଜଣାପଡ଼ିନାହିଁ। ଭାରତ ଯୋଡୋ ଆଲାଏନ୍ସ ଉପରେ ଅଧିକାଂଶ ନେତା କହିଛନ୍ତି ଯେ ଏହା ଏକ ଏନଜିଓ ପରି ଲାଗୁଛି। ଏନଡିଏ ଅର୍ଥାତ୍ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଆଗରେ ସମସ୍ତଙ୍କ ନାମ ଫିକା ପଡ଼ିଥିବା ଜଣାପଡିଛି। ମମତା ବାନାର୍ଜୀ ରାହୁଲଙ୍କ ପ୍ରସ୍ତାବିତ ନାମକୁ ଅନୁମୋଦନ କରିଛନ୍ତି। ସୀତାରାମ ୟେଚୁରୀ ପ୍ରଥମେ ରାଜି ହୋଇନଥିଲେ, କିନ୍ତୁ ପରେ ରାଜି ହୋଇଥିଲେ। ଅନ୍ୟାନ୍ୟ ଦଳର ଅନେକ ନେତା ମଧ୍ୟ ଏହି ନାମରେ ସହମତ ହୋଇନଥିଲେ।

ମେଣ୍ଟର ନେତୃତ୍ୱ ନେବାକୁ ମନା କଲେ ସୋନିଆ, ରାହୁଲ ଓ ମମତା

ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ମେଣ୍ଟର ନେତୃତ୍ୱ ନାମକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଅରବିନ୍ଦ କେଜ୍ରିୱାଲ ଓ ନୀତୀଶ କୁମାରଙ୍କ ନାମ ସବୁଠୁ ଆଗରେ ଥିଲା। ମମତା ବାନାର୍ଜୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲେ ମଧ୍ୟ ମମତା ଏହାକୁ ଅସ୍ୱୀକାର କରିସାରିଛନ୍ତି। ସେ ଏବେ ପଶ୍ଚିମବଙ୍ଗ ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି।

ଗତଥର ମେଣ୍ଟ ଗଠନ ହେବା ପରେ ମମତା ବାନାର୍ଜୀ ଦିଲ୍ଲୀରେ ପହଞ୍ଚିଥିଲେ। ବିରୋଧୀ ଦଳ ନେତାଭାବେ ତାଙ୍କ ନାମ ପ୍ରାୟ ନିଶ୍ଚିତ ଥିଲା। ବାରମ୍ବାର ବିରୋଧୀଙ୍କ ବିଭାଜନ ପରେ ମମତା ନିଜକୁ ରାଜ୍ୟରେ ସୀମିତ ରଖିବାକୁ ଯୋଜନା କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଅନୁଯାୟୀ ୪ ଜଣଙ୍କୁ ସଂଯୋଜକ କରିବାକୁ ଆଲୋଚନା ହୋଇଥିଲା। ଏଥିରେ ସହମତି ହୋଇନଥିଲା। ଗୋଟିଏ ନାମ ପାଇଁ କେହି ପ୍ରସ୍ତୁତ ନ ଥିଲେ। ବୈଠକ ପରେ ୧୧ ଜଣିଆ ସମନ୍ୱୟ କମିଟି ଗଠନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହି କମିଟିର ମୁଖ୍ୟ କିଏ ହେବେ, ସେ ନେଇ ଆଲୋଚନା ହୋଇନାହିଁ। ୧୧ ଜଣ ସଦସ୍ୟଙ୍କ ନାମ ସର୍ବସମ୍ମତି କ୍ରମେ ହେବା ପାଇଁ ଏହାକୁ ପରବର୍ତ୍ତୀ ବୈଠକକୁ ଘୁଞ୍ଚାଇ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଲାଲୁ, ନୀତୀଶ, ଷ୍ଟାଲିନ୍ ଓ ସୋନିଆ ଉପସ୍ଥିତ ନ ଥିଲେ

ଏହି ସାମ୍ବାଦିକ ସମ୍ମିଳନୀରେ ଲାଲୁ ଯାଦବ, ନୀତୀଶ କୁମାର, ଏମକେ ଷ୍ଟାଲିନ ଓ ସୋନିଆ ଗାନ୍ଧୀ ଉପସ୍ଥିତ ନ ଥିଲେ। ସେମାନଙ୍କୁ ଶୀଘ୍ର ଯିବାକୁ କୁହାଯାଇଥିଲା। ବୈଠକରେ ସୋନିଆ ଗାନ୍ଧି ଅଧିକ ଶୁଣିଥିଲେ ଏବଂ କମ୍ କହିଥିଲେ। ଆସନ ବୁଝାମଣାରେ ଆମେ ଅନ୍ୟଦଳଗୁଡ଼ିକୁ ପୂର୍ଣ୍ଣ ସୁଯୋଗ ଦେବୁ। ଏପରିକି ମେଣ୍ଟର ନେତୃତ୍ୱ ନେବା ପାଇଁ ସେ ନିଜକୁ କିମ୍ବା ରାହୁଲ ଗାନ୍ଧିଙ୍କ ନାମ ମଧ୍ୟ ପ୍ରସ୍ତାବ ଦେଇନଥିଲେ। ସବୁ କିଛି ସହମତିରେ ହେବ ବୋଲି ସେ ଜିଦ୍ ଧରି ଚାଲିଥିଲେ। ତେବେ ଏହି ବୈଠକରେ ରାହୁଲ ଗାନ୍ଧି ବେଶ୍ ସକ୍ରିୟ ଥିଲେ।

କଂଗ୍ରେସ ମେଣ୍ଟରେ ନିଜକୁ ପଛରେ ପକାଇଛି, କିନ୍ତୁ ଏହା ସବୁଠାରୁ ଶକ୍ତିଶାଳୀ
ବର୍ତମାନ କଂଗ୍ରେସ ସାରା ଦେଶରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ସେ ଅନ୍ୟମାନଙ୍କୁ ମେଣ୍ଟରେ ନେତୃତ୍ୱ ଦେଉଛନ୍ତି। ଆଗକୁ ଯିବାମାତ୍ରେ ଛୋଟ ଦଳଗୁଡ଼ିକୁ ଏକାଠି ରଖିବା କଷ୍ଟକର ହେବ ବୋଲି କଂଗ୍ରେସ ଜାଣିଛି। ଯଦି ନିର୍ବାଚନରେ କଂଗ୍ରେସ ୧୦୦ରୁ ଅଧିକ ଆସନରେ ବିଜୟୀ ହୁଏ, ତା’ହେଲେ ସେ ନିଜେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ହୋଇଯିବ। ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ସୋନିଆ ଏହାର ସଭାପତି ହେବେ ଏବଂ ନୀତୀଶ ଏହାର ଆବାହକ ହେବେ।

ଦ୍ୱିତୀୟ କାରଣ ହେଉଛି ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବାରେ ଅସମର୍ଥ। ମାନହାନି ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହାଦ୍ୱାରା ସେ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ଯଦି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନ ମିଳେ ତେବେ ତାଙ୍କର ପରବର୍ତ୍ତୀ ନିର୍ବାଚନ ପ୍ରତିଦ୍ୱନ୍ଦୀତା ୨୦୩୪ ରେ ହେବ। ଏଭଳି ସ୍ଥିତିରେ ନେତୃତ୍ୱ ଦୃଷ୍ଟିରୁ ସଂସଦରେ ରାହୁଲଙ୍କ ଅନୁପସ୍ଥିତି ଠିକ୍ ହେବ ନାହିଁ।

ବିଜେପି ଓ ଅନ୍ୟାନ୍ୟ ଦଳ ମଧ୍ୟରେ ବଡ଼ ପାର୍ଥକ୍ୟ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ୩୦୩ଟି ଆସନରେ ବିଜୟୀ ହୋଇଥିଲା। ଏହା ସଂଖ୍ୟାଗରିଷ୍ଠତାଠାରୁ ୩୧ ଅଧିକ ଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଦଳ ୫୦% ରୁ ଅଧିକ ଭୋଟ ପାଇଥିଲେ ମଧ୍ୟ ଆସନ ସଂଖ୍ୟା ୨୮୨ ଥିଲା।

୨୦୧୯ରେ ଯେଉଁ ସବୁ ରାଜ୍ୟରେ କଂଗ୍ରେସ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ସେଠାରେ ବିଜେପି ଅଧିକାଂଶ ଆସନରେ ବିଜୟୀ ହୋଇଥିଲା। ଏମାନଙ୍କ ମଧ୍ୟରେ ଗୁଜରାଟରେ ୨୬, ରାଜସ୍ଥାନରେ ୨୩, ମଧ୍ୟପ୍ରଦେଶରେ ୨୫, କର୍ଣ୍ଣାଟକରେ ୨୨, ହରିୟାଣାରେ ୯, ଛତିଶଗଡ଼ରେ ୬, ଉତ୍ତରାଖଣ୍ଡରେ ୫ ଏବଂ ହିମାଚଳରେ ୪ ଜଣ ରହିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକରେ କଂଗ୍ରେସ ସରକାର ରହିଛି, ଯେଉଁଠି ବିଜେପିର ୨୫ ଜଣ ସାଂସଦ ଅଛନ୍ତି। ମହାରାଷ୍ଟ୍ରର ୪୮ଟି ଆସନରୁ ବିଜେପି ଓ ଶିବସେନା ମିଳିତ ଭାବେ ୪୧ଟି ଆସନରେ ବିଜୟୀ ହୋଇଛନ୍ତି। ଏବେ ଶିବସେନାର ଗୋଟିଏ ଗୋଷ୍ଠୀ ବିରୋଧୀ ଦଳରେ ଥିବାବେଳେ ଅନ୍ୟ ଗୋଷ୍ଠୀ ଏନଡିଏରେ ଅଛନ୍ତି। ଏନସିପି ଭାଙ୍ଗିବାଦ୍ୱାରା ବିଜେପିକୁ ମଧ୍ୟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖପ୍ପା ହେଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ପାଲଟା ଆକ୍ରମଣ କଲେ ଓଡିଶା ନେତା

ଭୁବନେଶ୍ବର: ନିର୍ବାଚନ ପାଖେଇଲାଣି, ହେଲେ ଓଡିଶା ବିଜେପି ଏ ପର୍ଯ୍ୟନ୍ତ ତାହାର ମଙ୍ଗ ସଳଖ କରିପାରି ନାହିଁ। ଯାହାକୁ ନେଇ କେବଳ ନେତା କାହିଁକି ତୃଣମୂଳ ସ୍ତରର କର୍ମିମାନେ ମଧ୍ୟ ଚିନ୍ତା ଗ୍ରସ୍ତ ହୋଇ ପଡିଲେଣି। ପାଗ ବାନ୍ଧୁବାନ୍ଧୁ ବେଳ ପଳାଇବା ପରି ପରିସ୍ଥିତି ସୃଷ୍ଟି ହେଲାଣି। ବିଜେଡି ଯେଉଁ ପ୍ରକାରର ପ୍ରଚାର ଆରମ୍ଭ କରିସାରିଲାଣି ସେଥିରେ ବିଜେପି ଯେ ପଛରେ ପଡିଛି ତାହା ନିଃସନ୍ଦେହ। କାରଣ ବିଜେଡିର ରଣନୀତିକୁ ସାମନା କରିପାରୁ ନାହିଁ ବିଜେପି।

ଏପରି ପରିସ୍ଥିତିରେ ନିକଟରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୁଆଡେ ବଂଶଲ ନେତାମାନଙ୍କ ଉପରେ ଗରଗର ହୋଇଛନ୍ତି। ମୁଖ୍ୟତଃ ମୋଦି ସରକାରଙ୍କ ନଅ ବର୍ଷର ସଫଳତାକୁ ଗାଁ ଗାଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ହେଲେ ତାହା କାହିଁକି ଧୂମଧାମରେ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ବଂଶଲ।

ସେତିକି ନୁହେଁ ବର୍ତ୍ତମାନ କେଉଁ କେଉଁ ଜିଲ୍ଲାରେ ଏହି ମହାସମାବେଶ ହୋଇଛି ତାହାର ହିସାବ ମଧ୍ୟ ମାଗିଥିଲେ। ହେଲେ ଓଡିଶା ବିଜେପି ନେତାମାନଙ୍କ ପାଟିରୁ କିଛି କଥା ବାହାରି ନ ଥିଲା। ବଂଶଲ ଯେପରି ରାଗ ତମତମ ହେଲେ ସେଥିରେ କେହି କିଛି କହିପାରିଲେ ନାହିଁ। ସେ କହିଥିଲେ ଯେ, କେବଳ ଜେ ପି ନଡ୍ଡା ଆସିଥିବା ବେଳେ ସମାବେଶ ହୋଇଥିଲା। ଏହାପରେ ସେମିତି କିଛି ସମାବେଶ କାହିଁକି ହେଲା ନାହିଁ ବୋଲି ଏହି ବୈଠକରେ ସେ ପ୍ରଶ୍ନ କରିଥିଲେ।

ବଂଶଲ ଟିକିଏ ଶାନ୍ତ ପଡିବା ପରେ ଓଡିଶା ନେତା ଦେଇଥିଲେ ପାଲଟା ଜବାବ। ସେମାନେ ପ୍ରଶ୍ନ ଉଠାଇଥିଲେ ଯେ, ଓଡିଶାକୁ ନଡ୍ଡାଙ୍କ ସହିତ ମୋଦି, ରାଜନାଥ ସିଂ, ଅମିତ ସାହା ଆସିବାର ଥିଲା, ସେମାନେ କାହିଁକି ଆସିଲେ ନାହିଁ। ଏପରି ପ୍ରଶ୍ନ ଶୁଣି ଅଡୁଆରେ ପଡିଯାଇଥିଲେ ବଂଶଲ। କଥାକୁ ବୁଲାଇବା ପାଇଁ ସେ କହିଥିଲେ ଯେ, ସେମାନେ ଆସିଲେ କେବଳ ସମାବେଶ ହେବ ନ ହେଲେ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସେମାନେ କଣ ସବୁବେଳେ ଓଡିଶା ଆସିପାରିବେ ବୋଲି ନେତାଙ୍କୁ ବୁଝାଇଥିଲେ ବଂଶଲ।

ଏ କଥା ଶୁଣି ଆଉ କିଛି ନେତା କହିଥିଲେ ଯେ, ଆମେ ଆମ ନିର୍ବାଚନ ମଣ୍ଡଳୀରେ ମହାସମାବେଶ କରିବାର କ୍ଷମତା ଆମ ପାଖରେ ଅଛି। ହେଲେ ତାହାର ଖର୍ଚ୍ଚ ଆମକୁ କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ କେଉଁଠି କିଏ ଟିକେଟ ପାଇବ ତାହା ଜଣାପଡି ନାହିଁ। ଏପରି କ୍ଷେତ୍ରରେ ଜଣେ କାହିଁକି ତା ପକେଟରୁ ପଇସା ଖର୍ଚ୍ଚ କରିବ ବୋଲି ବଂଶଲକୁ ପ୍ରଶ୍ନ ପଚାରିଥିଲେ। ଯାହାର ସଠିକ ଉତ୍ତର ନ ଦେଇ ବଂଶଲ କଥାଟିକୁ ବୁଲେଇ ଦେଇଥିଲେ।

ତେବେ ବଂଶଲ ବିଧାନ ସଭା ଅପେକ୍ଷା ଲୋକସଭା ଉପରେ ଜୋର ଦେବା ପାଇଁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ନିର୍ବାଚନରେ ଲୋକସଭା ଆସନ ଉପରେ ବିଶେଷ ଦୃଷ୍ଟି ରଖ ବୋଲି ସେ କହିଥିଲେ। ଏଥର ଯେପରି କୋଡିଏଟି ଆସନରେ ବିଜେପି ଜିତିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ହେଲେ ବିଧାନସଭା ଆସନ ଛାଡି ଦେଇ ଲୋକସଭା ଆସନ ଜିତିବା କିପରି ଚିନ୍ତା କରାଯିବ ବୋଲି ଓଡିଶା ନେତାମାନେ ପ୍ରଶ୍ନ କରିଥିଲେ। ତେବେ ସୁନୀଲ ବଂଶଲ ନେତାଙ୍କ ଏ କଥାରେ ବା ପ୍ରଶ୍ନରେ ଅସନ୍ତୁଷ୍ଠ ହୋଇ ଦିଲ୍ଲୀ ଚାଲିଯାଇଥିଲେ।

ଏହାପରେ ବର୍ତ୍ତମାନ ବିଜେପି ନେତାମାନଙ୍କର ଭାଳେଣି ପଡିଯାଇଛି। କାରଣ ସୁନୀଲ ବଂଶଲଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, କେନ୍ଦ୍ର ବିଜେପି କେବଳ ଲୋକସଭା ଆସନକୁ ଗୁରୁତ୍ବ ଦେଉଛି। ବିଧାନସଭା ଆସନ ତାଙ୍କ ପାଇଁ କୌଣସି ଗୁରୁତ୍ବ ବହନ କରୁ ନାହିଁ। ଫଳରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ନେତାଙ୍କର ବର୍ତ୍ତମାନ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଲୋକସଭା ପ୍ରାର୍ଥୀ ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!! ଖୋଜା ଚାଲିଛି ଜିତିବା ପରି ଆସନ

ନୂଆଦିଲ୍ଲୀ: ଓଡିଶାରୁ ଏଥର ଲୋକସଭା ନିର୍ବାଚନ ଲଢେଇ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି ସେମାନେ ସବୁ ଲୋକସଭା ଜିତି ଆସିବାକୁ କୁହାଯାଇଛି। ଏହି ନିଷ୍ପତି କୁଆଡେ ଆରଏସଏସ ନେଇଛି ବୋଲି ଜଣାପଡିଛି।

ଫଳରେ ଅଶ୍ବିନୀଙ୍କ ପରି ଯେତେ ରାଜ୍ୟସଭା ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ନଚେତ ୨୦୨୪ ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦଳ ତରଫରୁ କୁଆଡେ ରୋକଠୋକ ଜଣାଇ ଦିଆଯାଇଛି। ଫଳରେ ଅଶ୍ବିନୀଙ୍କ ପରି ପ୍ରାୟ ୨୮ ଜଣ ରାଜ୍ୟସଭା ସଦସ୍ୟ ଏଥର ନିର୍ବାଚନ ଲଢିବାକୁ ବାଧ୍ୟ।

ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପିୟୁସ ଗୋଏଲ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିଆ, ଅଶ୍ବିନୀ ବୈଷ୍ଣବ, ହରଦୀପ ପୁରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ। ଏମାନଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀ ଥିବା ବେଳେ ୧୮ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏପରି ଅଘୋଷିତ ନିର୍ଦ୍ଦେଶନାମା ଜାରୀ ପରେ ଏହି ସୁବିଧାବାଦୀ ନେତାଙ୍କ ମୁଣ୍ଡବଥା ଆରମ୍ଭ ହୋଇଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଉଭୟ ଓଡିଶାରୁ ଲୋକସଭା ପାଇଁ ଲଢେଇ କରିବେ। ତେବେ ପୂର୍ବରୁ ଧର୍ମେନ୍ଦ୍ର ଓଡିଶାରୁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇସାରିଛି। ସେ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଛିଡା ହେବେ ବୋଲି ସେଠାରେ ଏବେଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଅଡୁଆ ହେବ ନାହିଁ। ହେଲେ ଅଶ୍ବିନୀ ବୈଷ୍ଣବ ଯଦି ଛିଡା ହେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସେ ଓଡିଶା ଲୋକ ନୁହଁନ୍ତି। ହେଲେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଥିଲେ। ତେଣୁ ତାଙ୍କ ପାଇଁ କେଉଁ ସ୍ଥାନଟି ଜିତିବା ପାଇଁ ସୁବିଧା ହେବ ସେ ନେଇ ଦଳ ତରଫରୁ ଆସନ ଖୋଜା ଚାଲିଛି। ଏ ନେଇ କେନ୍ଦ୍ରକୁ ଜଣାଇବା ପାଇଁ କୁଆଡେ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଛି।