ଅପରାଜିତାଙ୍କ ଆଡକୁ ଢଳିଲେଣି ସମୀର ମହାନ୍ତି !! ବଦଳିବାରେ ଲାଗିଛି ରାଜନୈତିକ ପାଣିପାଗ

Published: Aug 28, 2023, 12:34 pm IST
SamirMohanty

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ଯିବା ପରେ ଏବେ ପ୍ରାୟ ଅଲୋଡା ହୋଇପଡିଛନ୍ତି ନେତା ସମୀର ମହାନ୍ତି। ସେ ସଭାପତି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି କାର୍ଯ୍ୟକାରୀ କରୁଥିଲେ। ହେଲେ ସେହି ଧର୍ମେନ୍ଦ୍ର ତାଙ୍କର ସଭାପତି ପଦକୁ ଆଉ ରଖିପାରିଲେ ନାହିଁ। ଫଳରେ ସଭାପତି ପଦ ଯିବା ପରେ ବର୍ତ୍ତମାନ ସେ ଦଳରେ ଜଣେ ଗୁରତ୍ବହୀନ ନେତା ହୋଇପଡିଛନ୍ତି। ଏପରିକି ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ସେମିତି କିଛି ବଡ ପଦପଦବୀ ଦେଇ ଥଇଥାନ କରିପାରିଲେ ନାହିଁ।

ଏପରି ପରିସ୍ଥିତିରେ ବର୍ତ୍ତମାନ ସମୀର ମହାନ୍ତି ସାଂସଦ ଅପରାଜିତାଙ୍କୁ ସମର୍ଥନ ଦେବା କାମରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଦେଇଛନ୍ତି। କାରଣ ସେ ଅନୁଭବ କରିସାରିଲେଣି ଯେ, ବର୍ତ୍ତମାନ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଦବଦବା ବଢିବାରେ ଲାଗିଛି। ସେଥିପାଇଁ ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗସ୍ତବେଳେ ହୋଇଥିବା ଗଣ୍ଡଗୋଳକୁ ତୀବ୍ର ବିରୋଧ କରିଛନ୍ତି ସମୀର। ନିଜ ଟୁଇଟରରେ ସେ ଏହାକୁ ନିନ୍ଦା କରିବା ସହିତ ରାଜ୍ୟ ସରକାର ଜଣେ ସାଂସଦଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି।

ପୂର୍ବରୁ ସମୀର ମହାନ୍ତି କେବେ ବି ଅପରାଜିତାଙ୍କ ସପକ୍ଷରେ ବୟାନ ଦେବାର ପରିଲକ୍ଷିତ ହୋଇ ନାହିଁ। ସେ ଗୋଟାପଣ ଧର୍ମେନ୍ଦ୍ରଙ୍କର ଥିବାରୁ ଅପରାଜିତାଙ୍କୁ ହେୟଜ୍ଞାନ କରି ଆସୁଥିଲେ। ଏପରିକି ତାଙ୍କ ସଭାପତି ସମୟରେ ଦଳିୟ କର୍ମିଙ୍କୁ ଅପରାଜିତାଙ୍କ ସଭାରେ ସାମିଲ ହେବା ପାଇଁ ବାରଣ କରାଯାଉଥିଲା। ସେତିକି ନୁହେଁ ତାଙ୍କ ସଭାପତି ସମୟରେ ଅପରାଜିତାଙ୍କ ସଭାରେ କେହି ଯୋଗ ଦେଲେ ତାଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଉଥିଲା।

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଏକ ହାସ୍ୟସ୍ପଦ ଘଟଣା ମଧ୍ୟ ସମୀର ମହାନ୍ତିଙ୍କ ସଭାପତିତ୍ବ ବେଳେ ଘଟିଛି। ସେତେବେଳେ ଅପରାଜିତାଙ୍କ ସମର୍ଥକ ରଶ୍ମୀରଂଜନ ମହାପାତ୍ରଙ୍କୁ ହଟାଇ ଯତୀନ ମହାନ୍ତିଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇ ଥିଲା। ହେଲେ ଏଥିରେ ଅପରାଜିତା ଖଡ୍ଗ ହସ୍ତ ହୋଇ ଉପର ସ୍ତରରେ କଥା ହେଲେ। କିଛି ସମୟ ପରେ ସେହି ସମୀର ମହାନ୍ତିଙ୍କ ଦସ୍ତଖତରେ ପୁଣି ରଶ୍ମୀରଂଜନଙ୍କୁ ସଭାପତି କରାଗଲା ବୋଲି ଘୋଷଣା କରାଯାଇଥିଲା।

ତାଙ୍କ ସଭାପତିତ୍ବ ସମୟରେ ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ନ କରାଇବା। ଭୁବନେଶ୍ବରରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ସାଂସଦ ହିସାବରେ ନ ଡାକିବା ପ୍ରଭୃତି କାର୍ଯ୍ୟ କରାଯାଇଛି। ଏପରି ପରିସ୍ଥିତି ଦେଖି ଅପରାଜିତା ମଧ୍ୟ ସେତେବେଳେ ଦଳୀୟ କାର୍ଯ୍ୟକ୍ରମକୁ ଏଡାଇଯାଇ ନିଜ ଏନଜିଓ ବା ସଂସ୍ଥା ମାଧ୍ୟମରେ ସଭା ସମିତି ବା ବୈଠକ କରି ନିଜର ରାଜନୈତିକ ପତିୟାରା ଜାହିର କରୁଥିଲେ।

ହେଲେ ଏବେ ସମୟ ବଦଳି ଯାଇଛି। ସମୀର ମହାନ୍ତି ଭାବି ଥିଲେ ଯେ, ସେ ପୁଣି ସଭାପତି ହୋଇ ଏଥର ନିର୍ବାଚନକୁ ପରିଚାଳନା କରିଥାଆନ୍ତେ। ହେଲେ ତାହା ଆଉ ଧର୍ମେନ୍ଦ୍ରଙ୍କ ଦ୍ବାରା ହୋଇପାରିଲା ନାହିଁ। ଏପରିକି ସଭାପତି ପଦ ଯିବା ପରେ ମଧ୍ୟ ଦଳରେ ତାଙ୍କୁ ଆଉ କେହି ଗୁରୁତ୍ବ ମଧ୍ୟ ଦେଉ ନାହାଁନ୍ତି। ଫଳରେ ପରିସ୍ଥିତି ଦେଖି ସେ ଏବେ ଧିରେଧିରେ ଅପରାଜିତା ମୁହାଁ ହେବାରେ ଲାଗିଛନ୍ତି। ହେଲେ ଅପରାଜିତା ଷଡଙ୍ଗୀ ସମୀର ମହାନ୍ତିଙ୍କୁ କେତେ ଗୁରୁତ୍ବ ଦେବେ ତାହାର କୌଣସି ଆଭାସ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

Related posts