Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନୀ ଚାନ୍ଦାର ତଥ୍ୟ ସାର୍ବଜନୀନ କଲା ନିର୍ବାଚନ ଆୟୋଗ, ୱେବସାଇଟରେ ପୋଷ୍ଟ ହେଲା ସୂଚନା

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା ସ୍ଥିତି’’ ନିଜ ୱେବସାଇଟ୍‌ରେ ଅପଲୋଡ୍‌ କରିଛନ୍ତି । ଏସବିଆଇ ଠାରୁ ମିଳିଥିବା ତଥ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ https://www.eci.gov.in/candidate-politicalparty ୟୁଆରଏଲ୍‌ରେ ଉପଲବ୍ଧ ରହିଛି।

୨୦୨୪ ଫେବ୍ରୁଆରି ୧୫, ମାର୍ଚ୍ଚ ୧୧ ଏବଂ ମାର୍ଚ୍ଚ ୧୮ ତାରିଖରେ (୨୦୧୭ର ଡବ୍ଲ୍ୟୁପିସି ନଂ-୮୮୦ ମାମଲାରେ) ଦିଆଯାଇଥିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆଜି ଅର୍ଥାତ୍ ୨୧ ମାର୍ଚ୍ଚ, ୨୦୨୪ରେ ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ନିର୍ବାଚନ ଆୟୋଗ (ଇସିଆଇ)କୁ ପ୍ରଦାନ କରିବା ପରେ ଏହାକୁ ସାର୍ବଜନୀନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ନିର୍ବାଚନ ବଣ୍ଡର ସମସ୍ତ ତଥ୍ୟ ଦେଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆଜି ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି। ଯାହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି ବୋଲି ଏସବିଆଇ କହିଛି। ଦାତା ଏବଂ ହିତାଧିକାରୀ ଦଳର ବଣ୍ଡ ନମ୍ବର ନିର୍ବାଚନ ଆୟୋଗ (ECI) କୁ ଦିଆଯାଇଛି। ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ବ୍ୟାଙ୍କ ବର୍ତ୍ତମାନ ଇବି କ୍ରେତାଙ୍କ ନାମ, ମୂଲ୍ୟବର୍ଗ ଏବଂ ଇବିର ଅନନ୍ୟ ନମ୍ବର, ଇବି ଦେୟ କରୁଥିବା ଦଳର ନାମ ଏବଂ ଦଳର ବ୍ୟାଙ୍କ ଖାତାର ଶେଷ ଚାରି ଅଙ୍କ ପ୍ରଦାନ କରିଛି। ଏହା କହିଛି ଯେ, ବର୍ତ୍ତମାନ ନିର୍ବାଚନ ବଣ୍ଡର ଅନ୍ୟ କୌଣସି ବିବରଣୀ ବ୍ୟାଙ୍କ ପାଖରେ ନାହିଁ।

ମାର୍ଚ୍ଚ ୧୮ ତାରିଖରେ, ସୁପ୍ରିମକୋର୍ଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ କହିଥିଲେ ଯେ, ଆପଣ ଏପର୍ଯ୍ୟନ୍ତ ଆପଣଙ୍କଠାରୁ ଚାହୁଁଥିବା ସୂଚନା ପ୍ରଦାନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଆମେ ଆପଣଙ୍କଠାରୁ ଯାହା ପଚାରିଛୁ ତାହା ପ୍ରଦାନ କରିବାକୁ ଆପଣ ବାଧ୍ୟ। ଆପଣଙ୍କୁ ପ୍ରତ୍ୟେକ ସୂଚନା ବିସ୍ତୃତ ଭାବରେ ଦେବାକୁ ପଡିବ। କୋର୍ଟ ଆହୁରି କହିଛନ୍ତି ଯେ, ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡ଼ିବ। ଏହା ବ୍ୟତୀତ ବଣ୍ଡ ସହ ଜଡିତ ପ୍ରତ୍ୟେକ ସୂଚନା ମଧ୍ୟ କୋର୍ଟକୁ ଦେବାକୁ ପଡିବ। ଏହାସହ କୋର୍ଟ କହିଛନ୍ତି ଯେ, ଏସବିଆଇ କୌଣସି ସୂଚନା ଲୁଚାଇ ନାହିଁ ବୋଲି ଏକ ଆଫିଡେଭିଟ୍ ଦେବା ଉଚିତ୍।

ସୁପ୍ରିମକୋର୍ଟଙ୍କ ଏହି କଠୋର ଆଭିମୁଖ୍ୟ ପରେ ଆଜି ଏସବିଆଇର ଭୋଟର ବଣ୍ଡ ସହ ଜଡିତ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଉପଲବ୍ଧ କରାଯାଇଛି। ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କୁ ଏହି ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଏହି ତଥ୍ୟ ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ନିର୍ବାଚନୀ ଚାନ୍ଦା ବିଷୟରେ ସୂଚନା ଦେଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆଜି ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ଚାନ୍ଦାର ସମ୍ପୂର୍ଣ୍ଣ ତଥ୍ୟ ପଠାଇଛି। ସୋମବାର ଦିନ ଏସବିଆଇକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି ଏବଂ ନିର୍ବାଚନୀ ଚାନ୍ଦା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାର ସମୟସୀମା ବୃଦ୍ଧି କରିବା ଆବେଦନକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଏସବିଆଇ ନିର୍ବାଚନ ଆୟୋଗକୁ ନିର୍ବାଚନୀ ଚାନ୍ଦା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଉଚିତ୍। ତଦନୁସାରେ, ଏସବିଆଇ ଆଜି ଅପରାହ୍ନ ୫.୩୦ ସୁଦ୍ଧା ନିର୍ବାଚନୀ ଚାନ୍ଦାର ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛି।

ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ରେ ଅପଡେଟ୍ ହେବ:

ସୁପ୍ରିମକୋର୍ଟରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଅଫିସିଆଲ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବର୍ତ୍ତମାନ ତଥ୍ୟ ଏସବିଆଇ ଦ୍ୱାରା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବା ପରେ ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ପ୍ରକାଶ କରିବାକୁ ପଡିବ।