Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବନ୍ୟା କ୍ଷତିଗସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବୀ କଲା ପିସିସି କିଶାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ଖରିଫ ଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା
ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି । ଫଳରେ ଚାଷୀ ବିପନ୍ନ ଓ ଦୁସ୍ଥିତିରେ ଥିବା ବେଳେ ସରକାର ଅଦ୍ୟାବଧି ନିରବଦ୍ରଷ୍ଟା ।

ଏବେ ଚାଷୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ଓ ସହାୟତା ଘୋଷଣା କରିବା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ନ ହୋଇ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ଏକାନ୍ତ ଜରୁରୀ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ଚେତେବନୀ ଦେଇଛନ୍ତି ।

ଯେଉଁ ଅଞ୍ଚଳରେ ଚାଷୀ ଫସଲ ବୀମାଭୁକ୍ତ କରିଛନ୍ତି ଏବଂ ଚାଷର ଏକମାସ ମଧ୍ୟରେ ସେମାନଙ୍କର ଫସଲ (ତଳି) ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କମ୍ପାନୀ ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତ୍ତାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ଇନଚାର୍ଜ ବିଭୁତି ମିଶ୍ର, ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ଭଗବାନ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।