ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଳଷ୍ଟେଶନ ନିକଟରେ ଥିବା ଏକ ଫୁଟ୍ ଓଭରବ୍ରିଜ ଭୁଶୁଡ଼ି ପଡ଼ିବାରୁ ୨ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଏବଂ ଏନ୍ଡିଆର୍ଏଫ୍ ଟିମ୍ ସାମିଲ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍ ରେଲୱେ ଷ୍ଟେସନ୍ରୁ ଟାଇମ୍ସ ଅଫ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଥିବା ବିଟି ଲେନ୍କୁ ଏହି ଫୁଟ୍ ଓଭରବ୍ରିଜ୍ ସଂଯୋଗ କରୁଥିଲା। ବ୍ରିଜ୍ଟି ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା। ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ିବା ପରେ ରେଲୱେ ଓ ବିଏମ୍ସି ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
