ସୁଧାଶ୍ରୀ ଦାଶ
ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି। ଶୀତ ବଢିବା ସହିତ ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ ଭଲ ସମୟ । କାରଣ ୮ ମାସ ର ତାତି ପରେ ସମସ୍ତେ ଥଣ୍ଡାକୁ ଅପେକ୍ଷା କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଶୀତକୁ ସମସ୍ତେ ଏଠି ମନଭରି ଉପଭୋଗ କରନ୍ତି।
ଦୁବାଇର ସବୁଠୁ ସୁନ୍ଦର ଶୀତ ଓ ଉପଭୋଗ ଭିତରେ ମୁଁ ଅନୁଭବ କଲି ଯେ ମୁଁ କିଛି ଗୋଟେ ମୋ ଭିତରୁ ହଜି ଯାଇଛି ଓ ଯାହାକୁ ମୋ ମନ ବହୁତ ବହୁତ ଖୋଜୁଛି । ତାହା ହେଉଛି ମାଁ ହାତ ତିଆରି ଘିଅ। ପ୍ରତିବର୍ଷ ଶୀତ ଆସିବା ପୂର୍ବରୁ ମାଁ ପ୍ରସ୍ତୁତ ହୋଇଯାନ୍ତି ଘିଅ ତିଆରି କରିବା ପାଇଁ। କୁହନ୍ତି ‘ଶୀତ ଦିନରେ ଗରମ ଭାତ ସାଙ୍ଗରେ ଘିଅ ପକାଇ ଖାଇଲେ ଦେହପାଇଁ ଭଲ।‘ ଆଉ ମୁଁ ମଧ୍ୟ ଘିଅ ଖାଇବାକୁ ଖୁବ ଭଲ ପାଏ। ଗରମ ଭାତ ଉପରେ ମାଁ ହାତ ତିଆରି ଘିଅ ପଡିଲେ, କାହିଁକି କେଜାଣି ସ୍ଵାଦ ଅଲଗା ହୋଇଯାଏ। ଆଉ ତାର ବାସ୍ନା ମନରେ ସୁଆଦ ଭରିଦିଏ। ଔଷଧ ଖାଇଲା ପରି ଆମେ ଘିଅ ଖାଇବାକୁ କେବେ ଭୁଲିନାହୁଁ।
ହେଲେ ପ୍ରବାସରେ ୧୦ ବର୍ଷ ରହିବା ପରେ ଏବେ ସେ ଘିଅର ଅଭ୍ୟାସ ଆଉ ନାହିଁ । ପାଖରେ ମାଁ ନାହାନ୍ତି ପଚାରିବାକୁ ଘିଅ ଟିକେ ଦେବି କି ବୋଲି। ଏବେ ବି ଗରମ ଭାତ ଖାଏ ହେଲେ ବିନା ଘିଅରେ। ପାଶୋରି ଦେଇଛି ସେହି ବାସ୍ନାକୁ। ଏବେ ଦିନେ ସୁପର ମାର୍କେଟକୁ ଗଲି ଘିଅ ପାଇଁ। ଦେଶୀ, ବିଦେଶୀ ଅନେକ ବ୍ରାଣ୍ଡର ଘିଅ ପାଇଲି। ପସନ୍ଦ ମୁତାବକ ଆଣିଲି ମଧ୍ୟ। ଝିଅକୁ କହିଲି, ‘ଥଣ୍ଡା ହେଉଛି, ପ୍ରତିଦିନ ଅଳ୍ପ ଘିଅ ଖାଇବା ଆରମ୍ଭ କର। ‘ ସେ ହଁ କହିଲା । ଆଜି ସେ ଭାତ ଖାଇଲାବେଳେ ଗୋଟେ ଚାମଚରେ ଘିଅ ଟିକେ ତ ଭାତ ଉପରେ ଢାଳିଦେଲି। କିନ୍ତୁ ସେ ବାସ୍ନା ପାଇଲିନି। ସେ ସୁଆଦ ବି ଆସିଲାନି। ମନ ଶାନ୍ତ ହେଲାନି। ନିଜେ ମଧ୍ୟ ଖାଇଲି । ସେ ସ୍ବାଦ ପାଇଲିନି। ବହୁତ ଭାବିଲି, କଣ ଫରକ ଏ ଘିଅ ଆଉ ସେ ଘିଅ ଭିତରେ? ବ୍ରାଣ୍ଡ ଆଉ ଦେଶୀ ଭିତରେ କଣ ବା ଫରକ ସତରେ!
ବହୁତ ସମୟ ଭାବିଲା ପରେ ଆପେ ଆପେ ବୁଝିଗଲି , ‘ ସେଥିରେ ମାଁ ର ସ୍ନେହ ଥିଲା” ଆଉ ବଜାର ଘିଅରେ କେବଳ ବଜାର ଇ ଥିଲା।