Categories
ବିଶେଷ ଖବର

ଦୁବାଇରେ ରାହୁଲ ଗାନ୍ଧୀ, ଜଣେ ଓଡିଆ ସାମ୍ବାଦିକର ବ୍ୟକ୍ତିଗତ ଅନୁଭବ

ସୁଧାଶ୍ରୀ ଦାଶ

କହିବା ଆଗରୁ ଦେଖିବା ଦରକାର।  ଗତ ୧୧ ତାରିଖରେ ଓଡ଼ିଶା ସମାଜ, ୟୁଏଇ  ପକ୍ଷରୁ ଦୁବାଇରେ ବାର୍ଷିକ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମୁଁ, ମୋ ପରିବାର ସହ  ଏଥିରେ ଯୋଗ ଦେଇଥିଲି । ଅନ୍ୟ ଓଡ଼ିଆ ପରିବାରଙ୍କ ସହ ଦିନଟି ଖୁବ୍‌ ହସ ଖୁସିରେ ବିତିଥିଲା । ପ୍ରବାସରେ ରହି ଓଡ଼ିଆମାନଙ୍କ ସହ ଦିନଟିଏ ବିତେଇବାକୁ କାହାକୁ ବା ଭଲ ନ ଲାଗିବ । ତେବେ ଅତ୍ୟଧିକ ଖେଳକୁଦ ଯୋଗୁଁ ଶରୀରର ଯନ୍ତ୍ରଣା ଆରମ୍ଭ ହେଉଥାଏ । ସନ୍ଧ୍ୟା ସୁଦ୍ଧା ମୁଁ ପୂରା ଥକି ସାରିଥାଏ । ଠିକ୍‌ ଏହି ସମୟରେ ମୋର ଜଣେ ପରିଚିତ ପାଖରେ ଆସି ଛିଡା ହେଲେ ଓ ପଚାରିଲେ ‘ତୁମେ ମୋ ସହ ଦୁବାଇ ଷ୍ଟାଡ଼ିୟମ୍‌ ଯିବାକୁ ଚାହିଁବ କି ?’ ମୁଁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିବାରୁ ହଠାତ୍‌ ମନା କରିପାରିଲି ନାହିଁ ।

ତେବେ ଷ୍ଟାଡିୟମ୍‌ ଯିବାର କାରଣ ପଚାରିବାରୁ ସେ କହିଲେ, ‘ରାହୁଲ୍‌ ଗାନ୍ଧୀ ଆଜି ଦୁବାଇବାସୀଙ୍କୁ ସମ୍ବୋଧିତ କରିବେ । ମନରେ ଉତ୍କଣ୍ଠା ଜାଗ୍ରତ ହେଲା । ତେବେ, ଉତ୍କଣ୍ଠା, ଭାଷଣରୁ ଅଧିକ ସେହି ପରିବେଶ ଦେଖିବା ପାଇଁ ଥିଲା । ଯିବ ଆଗରୁ ଜଣେ ମୋତେ କହିଲେ, ‘ତତେ ଆଉ କେହି ମିଳିଲେନି ଯେ ତୁ ରାହୁଲ୍‌ ଗାନ୍ଧୀକୁ ଶୁଣିବାକୁ ଯାଉଛୁ !’ ସେହି ସମୟରେ ମୋ ମନର ଉତ୍କଣ୍ଠାକୁ ବୁଝାଇବାର ସୁଯୋଗକୁ ମୁଁ ହାତଛଡ଼ା କଲି ନାହିଁ । ମୁଁ କହିଲି, ‘ଅନେକ ଠକ ଓ ଭଣ୍ଡ ନେତାଙ୍କୁ ଶୁଣିଛି । ଆଉ ଜଣଙ୍କୁ ଶୁଣିବାରେ ଅସୁବିଧା କଣ ?

ତେବେ ମନ ଭିତରେ ଥିବା ସମସ୍ତ ଶଙ୍କା ଓ ଆଶଙ୍କା ଦୂରେଇଗଲା । ଯେତେବେଳେ ଆମ ଗାଡ଼ି ଷ୍ଟାଡିୟମ ଥୁ ୨ କିମି ଦୂରରୁ ଧୀମେଇ ଗଲା । ଲୋକ ପାଗଳଙ୍କ ପରି ଷ୍ଟାଡ଼ିୟମ୍‌ ଆକୁ ଧାଉଁଥା’ନ୍ତି । ରାସ୍ତକଡ଼ରେ କାର୍‌ ପାର୍କ କରି, ଛୋଟ ପିଲାଙ୍କ ହାତ ଧରି ଲୋକେ ଚାଲି ଚାଲି ଯିବାକୁ ପଛଉ ନଥା’ନ୍ତି । ମୁଁ ସେସବୁ ଦେଖିକି ଅବାକ୍‌ ହେଇଗଲି । ଯେତେ ଆଗକୁ ଯାଉଥାଏ । ଲୋକଙ୍କ ସେତେ ବେଶୀ ଭିଡ଼ ଦେଖୁଥାଏ । ହଜାର ହଜାର ସଂଖ୍ୟାରେ ଲୋକ ଯେମିତି ତାଙ୍କ ପ୍ରିୟ ନେତାଙ୍କୁ ଶୁଣିବାକୁ ଯାଉଥା’ନ୍ତି । ତେବେ ଆମ ଗାଡ଼ିରେ ଭିଭିଆଇପି ପାସ୍‌ ଥିବାରୁ ଆମେ ଶୀଘ୍ର ଷ୍ଟାଡ଼ିୟମ୍‌ରେ ପହଞ୍ଚିଗଲୁ ।

ଷ୍ଟାଡିୟମ୍‌ ପୂରା ସୈନ୍ୟ ଛାଉଣୀରେ ପରିଣତ ହୋଇସାରିଥିଲା । ଆଉ ଗାଡ଼ିରୁ ଓହ୍ଲେଇବା ମାତ୍ରେ ମୁଁ ଅବାକ୍‌ ହୋଇଯାଉଥିଲି । ଲୋକଙ୍କ ଉତ୍ସାହ ଓ ଆଶା ସ୍ପଷ୍ଟ ରୂପେ ବାରିହୋଇଯାଉଥିଲା । ମହିଳାମାନେ ଛୋଟ ଛୁଆଙ୍କୁ କୋଳରେ ଧରି ଷ୍ଟାଡ଼ିଅମ୍‌ ଭିତରକୁ ଯିବାର ଦୃଶ୍ୟ ମତେ ଅଭିଭୂତ କରୁଥିଲା । ମନ ଭିତରେ ଭାବୁଥିଲି, ଜଣେ ନେତାଙ୍କ ଉପରେ ଲୋକଙ୍କ ଏତେ ଭରସା ଥାଇପାରେ? ଷ୍ଟାଡ଼ିୟମ୍‌କୁ ପଶିଲା ମାତ୍ରେ ମୋ ଆଖି ଯେମିତି ଖୋଲା ରହିଗଲା । ୪୦,୦୦୦ ଲୋକଙ୍କ ସ୍ବର ମୋତେ ବଧିର କରୁଥିଲା । ମୁଁ ସତରେ ଅବାକ୍‌ ହୋଇ ସାରିଥିଲି । ମୁଁ ଖାଲି ମୁଣ୍ଡ ବୁଲେଇ ଚାରିଆଡ଼େ ଷ୍ଟାଡ଼ିୟମ୍‌କୁ ଦେଖୁଥିଲି । କିଛି କହିପାରୁ ନଥାଏ, ହେଲେ ବୁଝୁଥାଏ ଲୋକଙ୍କ ଆଶା ଓ ସ୍ବପ୍ନକୁ ।

ଜଣେ ନେତାଙ୍କୁ ଶୁଣିବା ପାଇଁ ୪୦,୦୦୦ ଭାରତୀୟ ଆଜି ଏକାଠି । ଚାରିଆଡ଼େ କେବଳ ତ୍ରିରଙ୍ଗା ପତକା । ଗର୍ବ ଅନୁଭବ କଲି ଜାତୀୟ ପତାକାକୁ ଦେଖି । ସଂଗେ ସଂଗେ ମୋବାଇଲ୍‌ କାଢି କିଛିଟା ଫଟୋ ନେଲି । ମୋ ପାଇଁ ଏହା ଥିଲା ପ୍ରଥମ ଅନୁଭୂତି । କିଛି ସମୟର ଅପେକ୍ଷା ପରେ ରାହୁଲ୍‌ ଗାନ୍ଧି ଷ୍ଟେଜ୍‌ ଉପରକୁ ଆସିଥିଲେ । ପୂରା ଷ୍ଟାଡ଼ିୟମ୍‌ ଯେମିତି ଉଠୁଥାଏ ପଡୁଥାଏ । ମୁଁ ସେସବୁ ଭିତରେ ହଜିଯାଇଥାଏ । ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣ  କରିବା ପାଇଁ ଶହ ଶହ ପୋଲିସ୍‌ । ପ୍ରାୟ ଅଧଘଣ୍ଟାର ଭାଷଣ ଓ ପ୍ରତିଶୃତି ପରେ ରାହୁଲ୍‌ ଗାନ୍ଧି ଚାଲିଯାଇଥିଲେ କିନ୍ତୁ ଲୋକଙ୍କୁ ଷ୍ଟାଡିୟମରୁ ବାହାରିବାକୁ ୪ ଘଣ୍ଟା ଲାଗିଥିଲା । ଅନେକ ଥର ଶୁଣିଛି, ଏ ନେତା ଭଲ, ସେ ନେତା ଖରାପ । ଏ ସରକାର ଦୁର୍ନୀତିଗ୍ରସ୍ତ, ସେ ସରକାର ଭଲ । ଏଇ ନେତାଙ୍କ ଭାଷଣରେ ଦମ୍‌ । ସେ ନେତାଙ୍କ ଭାଷଣ ଫମ୍ପା । ତେବେ ସେଦିନର ଦୃଶ୍ୟ ଦେଖି ମନେହେଲା ‘କହିବା ଆଗରୁ ଦେଖିବା ଦରକାର ।’ ନେତାଙ୍କ ଉପରେ ଲୋକ ଆସ୍ଥା କମି ଥାଇପାରେ କିନ୍ତୁ ମରି ନାହିଁ ।

 

Categories
ବିଶେଷ ଖବର ମତାମତ

ପ୍ରବାସୀ ଓଡିଆର ମନକଥା; ଦୁବାଇ ରେ ହଜି ଯାଇଥିବା ମା’ର ହାତ ତିଆରି ଘିଅର ମହକ

ସୁଧାଶ୍ରୀ ଦାଶ

ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି।  ଶୀତ ବଢିବା ସହିତ  ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ ଭଲ ସମୟ । କାରଣ ୮ ମାସ ର ତାତି ପରେ ସମସ୍ତେ ଥଣ୍ଡାକୁ ଅପେକ୍ଷା କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଶୀତକୁ ସମସ୍ତେ ଏଠି ମନଭରି ଉପଭୋଗ କରନ୍ତି।

ଦୁବାଇର ସବୁଠୁ ସୁନ୍ଦର ଶୀତ ଓ ଉପଭୋଗ ଭିତରେ ମୁଁ ଅନୁଭବ କଲି ଯେ ମୁଁ କିଛି ଗୋଟେ ମୋ ଭିତରୁ ହଜି ଯାଇଛି ଓ ଯାହାକୁ ମୋ ମନ ବହୁତ ବହୁତ ଖୋଜୁଛି । ତାହା ହେଉଛି ମାଁ ହାତ ତିଆରି ଘିଅ। ପ୍ରତିବର୍ଷ ଶୀତ ଆସିବା ପୂର୍ବରୁ ମାଁ ପ୍ରସ୍ତୁତ ହୋଇଯାନ୍ତି ଘିଅ ତିଆରି କରିବା ପାଇଁ। କୁହନ୍ତି ଶୀତ ଦିନରେ ଗରମ ଭାତ ସାଙ୍ଗରେ ଘିଅ ପକାଇ ଖାଇଲେ  ଦେହପାଇଁ ଭଲ। ଆଉ ମୁଁ ମଧ୍ୟ ଘିଅ ଖାଇବାକୁ ଖୁବ ଭଲ ପାଏ। ଗରମ ଭାତ ଉପରେ ମାଁ ହାତ ତିଆରି ଘିଅ ପଡିଲେ, କାହିଁକି କେଜାଣି ସ୍ଵାଦ ଅଲଗା ହୋଇଯାଏ। ଆଉ ତାର  ବାସ୍ନା ମନରେ ସୁଆଦ ଭରିଦିଏ। ଔଷଧ ଖାଇଲା ପରି ଆମେ ଘିଅ ଖାଇବାକୁ କେବେ ଭୁଲିନାହୁଁ।

ହେଲେ ପ୍ରବାସରେ ୧୦ ବର୍ଷ ରହିବା ପରେ ଏବେ ସେ ଘିଅର ଅଭ୍ୟାସ ଆଉ ନାହିଁ । ପାଖରେ ମାଁ ନାହାନ୍ତି ପଚାରିବାକୁ ଘିଅ ଟିକେ ଦେବି କି ବୋଲି।  ଏବେ ବି ଗରମ ଭାତ ଖାଏ ହେଲେ ବିନା ଘିଅରେ। ପାଶୋରି ଦେଇଛି ସେହି ବାସ୍ନାକୁ। ଏବେ ଦିନେ ସୁପର ମାର୍କେଟକୁ ଗଲି ଘିଅ ପାଇଁ। ଦେଶୀ, ବିଦେଶୀ ଅନେକ ବ୍ରାଣ୍ଡର ଘିଅ ପାଇଲି। ପସନ୍ଦ ମୁତାବକ ଆଣିଲି ମଧ୍ୟ। ଝିଅକୁ କହିଲି, ଥଣ୍ଡା ହେଉଛି, ପ୍ରତିଦିନ ଅଳ୍ପ ଘିଅ ଖାଇବା ଆରମ୍ଭ କର।  ସେ ହଁ କହିଲା । ଆଜି ସେ ଭାତ ଖାଇଲାବେଳେ ଗୋଟେ ଚାମଚରେ ଘିଅ ଟିକେ ତ ଭାତ ଉପରେ ଢାଳିଦେଲି। କିନ୍ତୁ ସେ ବାସ୍ନା ପାଇଲିନି। ସେ ସୁଆଦ ବି ଆସିଲାନି। ମନ ଶାନ୍ତ ହେଲାନି। ନିଜେ ମଧ୍ୟ ଖାଇଲି । ସେ ସ୍ବାଦ ପାଇଲିନି। ବହୁତ ଭାବିଲି, କଣ ଫରକ ଏ ଘିଅ ଆଉ ସେ ଘିଅ ଭିତରେ? ବ୍ରାଣ୍ଡ ଆଉ ଦେଶୀ ଭିତରେ କଣ ବା ଫରକ ସତରେ!   

ବହୁତ ସମୟ ଭାବିଲା ପରେ ଆପେ ଆପେ ବୁଝିଗଲି ,  ସେଥିରେ ମାଁ ର ସ୍ନେହ ଥିଲା” ଆଉ ବଜାର ଘିଅରେ କେବଳ ବଜାର ଇ ଥିଲା।