Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତକୁ ବିକଶିତ କରିବା ଆମର ଦାୟିତ୍ଵ: ବ୍ୟବସାୟୀମାନଙ୍କୁ ଅପିଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ, ବ୍ୟବସାୟୀମାନେ ଦେଶକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ (ବିକଶିତ ଭାରତ ୨୦୪୭) ସୁଦ୍ଧା ଦେଶକୁ ବିକଶିତ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବାରେ ବ୍ୟବସାୟ ଜଗତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତକୁ ଅଧିକ ଶକ୍ତିଶାଳୀ, ଉନ୍ନତ ତଥା ସାମାଜିକ ଉନ୍ନତି ପାଇଁ ବ୍ୟବସାୟ ସମ୍ପ୍ରଦାୟକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାବେଳେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିଶ୍ଚିତ ଯେ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ଆମେ ୧୦୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ହାସଲ କରିବୁ।

ମୁମ୍ବାଇରେ ଜେମ୍ସ ଆଣ୍ଡ ଜ୍ୱେଲରୀ ଏକ୍ସପୋର୍ଟ ପ୍ରମୋଶନ (GJEPC) କାର୍ଯ୍ୟକ୍ରମକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ,ଭାରତର ବିକାଶ ଆମ ସମସ୍ତଙ୍କର ଦାୟିତ୍ଵ ଅଟେ। ଆମକୁ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ। ମୁକେଶ ଅମ୍ବାନୀ ଜେମ୍ସ ଏବଂ ହୀରା ଶିଳ୍ପକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଏହି ଶିଳ୍ପ ଦେଶରେ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି। ଏହା ବ୍ୟତୀତ ରପ୍ତାନି ମଧ୍ୟ ୪୦ ବିଲିୟନ ଡଲାରରେ ପହଞ୍ଚିଛି।