Categories
ଆଜିର ଖବର ଜାତୀୟ ଖବର

ଗୋଆର ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ସମାଯୋଜନ ପ୍ରବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୋଆ ରାଜ୍ୟ ବିଧାନସଭା କ୍ଷେତ୍ର ବିଲ୍‌, ୨୦୨୪ରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ସମାଯୋଜନ ପ୍ରବର୍ତ୍ତନ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବକୁ ସଂସଦରେ କେନ୍ଦ୍ର ଆଇନ ଏବଂ ବିଧି ମନ୍ତ୍ରଣାଳୟ ପକ୍ଷରୁ ପ୍ରବର୍ତ୍ତନ କରାଯାଇଥିଲା।

ଗୋଆ ରାଜ୍ୟରେ ତଫସିଲଭୁକ୍ତ ଜନଜାତି ବର୍ଗର ନାଗରିକମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ, ଏଭଳି ଏକ ଆଇନ ପ୍ରବର୍ତ୍ତନ ଆବଶ୍ୟକ ବୋଲି ଅନୁଭୂତ ହୋଇଥିଲା ଏବଂ ଏହି ଆଇନ ପ୍ରବର୍ତ୍ତନ ହେଲେ ଭାରତର ନିର୍ବାଚନ ଆୟୋଗ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ଆଇନ, ୨୦୦୮ରେ ସଂଶୋଧନ ଘଟାଇ ତତ୍ ସଂକ୍ରାନ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସଶକ୍ତ ହୋଇପାରିବେ ଏବଂ ଗୋଆ ରାଜ୍ୟରେ ବିଧାନସଭା କ୍ଷେତ୍ରରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କ ପାଇଁ  ଆସନ ପୁନର୍ଗଠନ ନିମନ୍ତେ ଆବଶ୍ୟକ ପ୍ରାବଧାନ କରାଯାଇ ପାରିବ ।

ଏହି ପ୍ରସ୍ତାବିତ ବିଲ୍‌ର ପ୍ରମୁଖ ବୈଶିଷ୍ଟମାନ ନିମ୍ନରେ ପ୍ରଦାନ କରାଗଲା:-

(୧)୨୦୦୧ ମସିହାର ଜନଗଣନା ରିପୋର୍ଟ ଆଧାରରେ ତଫସିଲଭୁକ୍ତ ଜନଜାତି ଜନସଂଖ୍ୟା ମାତ୍ରାଘୋଷଣାକୁ ଆଧାର କରି  ଗୋଆ ରାଜ୍ୟରେ ତଫସିଲଭୁକ୍ତ ଜନଜାତିଙ୍କ ସଂଖ୍ୟାକୁ ଆକଳନ ଓ ସୁନିଶ୍ଚିତ କରିବା ନିମନ୍ତେ ଏହା ଜନଗଣନା ଆୟୋଗଙ୍କୁ ସକ୍ଷମ କରିବ । ଏହାର ଆଧାରରେ ଜନଗଣନା ଆୟୋଗ ଭାରତ ସରକାରଙ୍କ ରାଜପତ୍ରରେ ଆକଳିତ ଓ ନିରୂପିତ ତଥ୍ୟ ପ୍ରକାଶ ଆଧାରରେ ବିଭିନ୍ନ ଜନସଂଖ୍ୟାକୁ ବିଜ୍ଞପିତ କରିବେ ଏବଂ ଏହା ପରେ ସେହି ଜନସଂଖ୍ୟାକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ ଏବଂ ତତ୍‌ପୂର୍ବରୁ ପ୍ରକାଶିତ ସମସ୍ତ ପରିସଂଖ୍ୟାନ ଉପରେ ଏହା ରହିବ । ଏହି ଆଧାରରେ ସମ୍ବିଧାନର ଧାରା ୩୩୨ରେ ଥିବା ପ୍ରାବଧାନ ଅନୁସାରେ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ଅନୁପାତିକ ପ୍ରତିିନିଧିତ୍ୱ ପ୍ରଦାନ କରାଯିବ;

(୨) ଏହା ନିର୍ବାଚନ ଆୟୋଗଙ୍କୁ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ଆଦେଶନାମା, ୨୦୦୮ରେ ଆବଶ୍ୟକ ସଂଶୋଧନ ନିମନ୍ତେ କ୍ଷମତା ପ୍ରଦାନ କରିବ ଯାହାକି ଗୋଆ ବିଧାନସଭାରେ ତଫସିଲଭୁକ୍ତ ଜନଜାତି ବର୍ଗଙ୍କୁ ଉପଯୁକ୍ତ ଭାବେ ପ୍ରତିନିଧିତ୍ୱ ପ୍ରଦାନ କରିବା ନିମନ୍ତେ ବିଧାନସଭା କ୍ଷେତ୍ରକୁ ପୁନଃସମାଯୋଜନ କରିବାରେ ସହାୟକ ହେବ;

(୩) ନିର୍ବାଚନ ଆଳୟାଗ ତଫସିଲଭୁକ୍ତ ଜନଜାତି ବର୍ଗର ନାଗରିକଙ୍କ ସଂଶୋଧିତ ସଂଖ୍ୟକୁ ବିଚାରକୁ ନେବେ ଏବଂ ଭାରତ ସମ୍ବିଧାନର ଧାରା ୧୭୦ ଏବଂ ୩୩୨ରେ ଥିବା ପ୍ରାବଧାନ ଏବଂ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାଣ ଆଇନ, ୨୦୦୨ର ଧାରା ୮ ଅନୁସାରେ  ବିଧାନସଭା କ୍ଷେତ୍ରର ପୁନଃନିର୍ଦ୍ଧାରଣ କରିବେ;

(୪) ବିଧାନସଭା କ୍ଷେତ୍ରର ପୁନଃନିର୍ଦ୍ଧାଣ ନିମନ୍ତେ ଭାରତର ନିର୍ବାଚନ ଆୟୋଗ ନିଜର ବିଧି ଅନୁସାରେ ସେହି କାର୍ଯ୍ୟ ସଂପାଦନ କରିବେ ଏବଂ ତାଙ୍କର କେତେକ ଦେୱାନୀ ଅଦାଲତ କ୍ଷମତା ରହିବ;

(୫) ଏହା ମଧ୍ୟ ଭାରତର ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ଜନିତ ସଂଶୋଧନକୁ ରାଜପତ୍ରରେ ପ୍ରକାଶ କରିବା ଏବଂ ଏହା କେଉଁ ଦିନଠାରୁ ବଳବତ୍ତର ହେବ ସେଥି ନିମନ୍ତେ କ୍ଷମତା ପ୍ରଦାନ କରିବ;

(୬) ପ୍ରସ୍ତାବିତ ବିଲ୍ ଉଲ୍ଲିଖିତ ପୁନଃନିର୍ଦ୍ଧାରଣ ଆଦେଶନାମାରେ ଥିବା ତ୍ରୁଟିରେ ଆବଶ୍ୟକ ସଂଶୋଧନ କରିବା ସକାଶେ ଭାରତର ନିର୍ବାଚନ ଆୟୋଗଙ୍କୁ କ୍ଷମତା ପ୍ରଦାନ କରିବ ।