Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ୍‌ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର ୯୫ଟି ଆସନ ଉପରେ ମତଦାନ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟର ସମସ୍ତ ୨୬ଟି ଆସନ, କେରଳର ସମସ୍ତ ୨୦ଟି ଆସନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୧୪ଟି ଆସନ, ଉତ୍ତରପ୍ରଦେଶର ୧୦ଟି ଆସନ, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି ଆସନ,  ବିହାର ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ ଆସନ, ଆସାମରେ ୪ଟି, ଗୋଆରେ ଦୁଇଟି, ଜମ୍ମୁକାଶ୍ମୀର, ତ୍ରିପୁରା, ଦାଦ୍ରା ନଗର ହାବେଳୀ, ଡାମନ୍‌ ଏବଂ ଡିୟୁରେ ଗୋଟିଏ ଲେଖାଏଁ ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ତେବେ ତୃତୀୟ ପର୍ଯ୍ୟାୟରେ ୧୧୬ଟି ଆସନରେ ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଗୁଜୁରାଟରୁ ଗାନ୍ଧିନଗର, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି କେରଳର ଓ୍ବାୟନାଡରୁ, ସପା ନେତା ମୁଲାୟମ୍‌ ସିଂହ ଯାଦବ ଉତ୍ତରପ୍ରଦେଶ ମୈନପୁରୀରୁ, ଜୟାପ୍ରଦା ଓ ଆଜମ୍‌ ଖାନ୍‌ ୟୁପିରୁ ରାମପୁରରୁ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ୧୧୬ଟି ଆସନରୁ ପାଖାପାଖି ୧୬୨୨ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୪ରେ  ତୃତୀୟ ପର୍ଯ୍ୟାୟରେ ୬୮.୪୩%  ମତଦାନ ହୋଇଥିଲା। ଓଡ଼ିଶାର ୬ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହି ଆସନ ଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। ଏହା ସହିତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାରେ ଦୁଇ ପ୍ରମୁଖ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହେବ। ୭ଟି ପର୍ଯ୍ୟାୟ ବିଶିଷ୍ଟ ମତଦାନରେ ଅନ୍ତିମ ପର୍ଯ୍ୟାୟ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ଏବଂ ଭୋଟ୍‌ଗଣତି ମେ ୨୩ ତାରିଖରେ କରାଯିବ।

Categories
ଆଜିର ଖବର

ଆଜି ଓଡିଶାର ହେଭିଓ୍ବେଟ୍‌ ନେତାଙ୍କ ନାମାଙ୍କନ

୪ଟି ପର୍ଯ୍ୟାୟରେ ଓଡିଶାରେ ହେବାକୁ ନିର୍ବାଚନ ପାଇଁ  ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଭରିବା ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଦଳର ହେଭିୱେଟ୍ ନେତା ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ପୂର୍ବରୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ ବୈଜୟନ୍ତ। ଏହାପେର ଏକ ବିଶାଳ ଶୋଭାଯାତ୍ରାରେ ତିନିମୁହାଣି ଛକରୁ ଆସି ଜିଲ୍ଲାପାଳ ଅଫିସରେ ପହଁଚି ନାମାଙ୍କନ ଦାଖଲ କରିବେ। ସେହିପରି ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ଜଗତସିଂପୁର ଜିଲ୍ଲାରେ ବିଜେପି ନେତା ଦାମ ରାଉତ ନିଜର ପ୍ରାର୍ଥୀପତ୍ର ଭରିବେ। ଭଣ୍ଡାରୀପୋଖରୀ ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ତାଙ୍କ ସହ ରାଜନଗର ଏବଂ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଓ ଧରଣୀଧର ନାୟକ ମଧ୍ୟ ନିଜନିଜର ପ୍ରାର୍ଥୀପତ୍ର ଭରିବେ। ଏହା ବ୍ୟତୀତ ବିଜେଡି ନେତା ପ୍ରତାପ କେଶରୀ ଦେବ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଜଗତସିଂହପୁରରୁ ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ଆଜି ନିଜର ନାମାଙ୍କନ ଦାଖଲ କରିବେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )