Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ୪.୦ : ଗୃହ ମନ୍ତ୍ରାଳୟ କଟକଣାକୁ ବଦଳାଇ ପାରିବେନି ରାଜ୍ୟ ସରକାର

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ ।

ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ନିଜ ନିଜର ରେଡ, ଅରେଞ୍ଜ ଓ ଗ୍ରୀନ ଜୋନଗୁଡିକର ଚିହ୍ନଟ ଓ ନିର୍ଦ୍ଧାରଣ କରିପାରିବେ । ଏହିସବୁ ଜୋନ ମଧ୍ୟରେ ଥିବା କଣ୍ଟେନମେଣ୍ଟ ଓ ବଫର ଜୋନର ଚିହ୍ନଟକରଣ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଇଲାକାର ବୈଷୟିକ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ଦ୍ଧାରଣ କିମ୍ବା ପୁନଃ ନିର୍ଦ୍ଧାରଣ ହେବ ।

କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବ । ସେସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତିତ ଅନ୍ୟ କିଛି ହେବ ନାହିଁ । ରାଜ୍ୟ ସରକାରମାନେ ଏସବୁ ଅଞ୍ଚଳରେ ମନଇଚ୍ଛା କୌଣସି କୋହଳ ପଦକ୍ଷେପ ନେଇପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରି ଦିଆଯାଇଛି । ଦେଶବ୍ୟାପୀ ଏହି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଓ ଏପଟସେପଟ କରିପାରିବେ ନାହିଁ । ଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ଓ ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ । (ପିଆଇବି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ : କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ ସମ୍ପୃକ୍ତ ପୋଲିସ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ପରିସରରେ ଏବଂ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ଏବଂ କ୍ବାରେଣ୍ଟାଇନରେ ଥିବା ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କିମ୍ବା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥାନରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଦେବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ରୋଗର ଲକ୍ଷଣ ଦେଖାଦେଲେ ସ୍କ୍ରିନିଂ ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌କୁ ନେଇ ନିୟମାବଳୀ ଜାରି କଲା ଗୃହ ବିଭାଗ: ଜାଣନ୍ତୁ କାହା ଉପରେ ରହିଛି କଟକଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍‌ଡାଉନ୍‌ର ନିୟମାବଳୀ ସମ୍ପର୍କିତ ଏକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ନିୟମାବଳୀକୁ ଟ୍ବିଟ୍‌ କରିବା ସହିତ ଦେଶବାସୀ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ସଂଖ୍ୟା ୪୦,୩/୨୦୨୦ରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିୟମ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ।
ନିୟମାବଳୀ :
୧. କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।
ସୁରକ୍ଷା ବଳ ଅଧିକାରୀ, ପ୍ରତିରକ୍ଷା କର୍ମୀ, ପେଟ୍ରୋଲିୟମ୍‌ ମନ୍ତ୍ରାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଶକ୍ତି ଓ ପରିବହନ ବିଭାଗ ଏବଂ ଜାତୀୟ ସୂଚନା କେନ୍ଦ୍ରକୁ ଏଥିରୁ ବାଦ ଦିଆଯାଇଛି।

୨. ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ରଖାଯିବ।
ଏହି ତାଲିକାରୁ ବାଦ ବିଭାଗ
କ. ପୋଲିସ୍‌, ହୋମ୍‌ମଗାର୍ଡ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନ ବିଭାଗ ଏବଂ ଜେଲ୍‌ ବିଭାଗ
ଖ. ଜିଲ୍ଲା ପରିଚାଳନା ଏବଂ ରାଜସ୍ବ ବିଭାଗ
ଗ. ବିଦ୍ୟୁତ୍‌, ଜଳ ଏବଂ ପରିମଳ ବିଭାଗ
ଘ. ନଗର ପାଳିକାର ଜଳ ଓ ପରିମଳ ବିଭାଗ

୩.ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ସମେତ ବିଭିନ୍ନ ପରୀକ୍ଷଣ କେନ୍ଦ୍ର, ଔଷଧ ଦୋକାନ, ନର୍ସିଂ ହୋମ୍‌ ଏବଂ ଆମ୍ବୁଲାନ୍ସ ସେବା ପୂର୍ବବତ ଜାରି ରହିବ। ଡାକ୍ତରଖାନା କର୍ମୀଙ୍କୁ ନେବା ଆଣିବା ପାଇଁ ଗାଡିକୁ ଅନୁମତି ପ୍ରଦାନ କରାଯିବ।
୪. ବିଭିନ୍ନ ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟାଳୟ ବନ୍ଦ ରଖାଯିବ।

ଏହି ତାଲିକାରୁ ବାଦ :
କ.ରାସନ ସାମଗ୍ରୀ ଦୋକାନ, କ୍ଷୀର, ମାଛ, ମାଂସ ଦୋକାନ ଖୋଲା ରହିବ। ସେହିପରି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋମ୍‌ ଡେଲିଭରୀର ବ୍ୟବସ୍ଥା କରାଯାଉଛି।
ଖ. ବିଭିନ୍ନ ବ୍ୟାଙ୍କ, ଜୀବନବୀମା କାର୍ଯ୍ୟାଳୟ ଓ ଏଟିଏମ୍‌
ଗ. ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ
ଘ. ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା
ଙ. ପାରା ମେଡିକାଲ୍‌ ସେବା
ଚ. ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍‌ ରିଟେଲ୍‌ ଷ୍ଟୋର୍‌
ଛ. ଶକ୍ତି ବିଭାଗ
ଜ. ଶୀତଳିକରଣ କେନ୍ଦ୍ର
ଝ . ଘରୋଇ ସୁରକ୍ଷା କାର୍ଯ୍ୟାଳୟ

୫. ବିଭିନ୍ନ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ର ବନ୍ଦ ରହିବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ରାଜ୍ୟ ସରକାରଙ୍କ ନିକଟରୁ ଅନୁମତି ନେଇ କାର୍ଯ୍ୟ କରିପାରିବେ।

୬. ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା ବନ୍ଦ ରଖାଯାଇଥିବା ବେଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ବିଭାଗକୁ ବାଦ ଦିଆଯାଇଛି।

୭. ସମସ୍ତ ହୋଟେଲ ଗୁଡିକୁ ବନ୍ଦ ରଖାଯିବ। ଯେଉଁ ହୋଟେଲ ବା ଲଜ୍‌ରେ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ଅଥବା ହସ୍ପିଟାଲରେ ପରିଣତ କରାଯାଇଛି ତାକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।

୮. ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଙ୍ଗ ସେଣ୍ଟରକୁ ବନ୍ଦ ରଖାଯିବ।

୯. ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖାଯିବ।

୧୦. ସମସ୍ତ ପ୍ରକାରର ସାମାଜିକ ,ରାଜନୈତିକ, ଧାର୍ମିକ କଟକଣା ଉପରେ ରୋକ୍‌ ଲଗାଯାଇଛି।

୧୧. ଶବଦାହ ସମୟରେ ୨୦ ରୁ ଅଧିକ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ।

୧୨. ଫେବୃୟାରୀ ୧୫ ପରେ ବିଦେଶରୁ ଆସିଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସମ୍ପର୍କ କରିବେ ଅନ୍ୟଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପାଇଁ ଗୃହ ମନ୍ତ୍ରାଳୟ ଓ ପୋଲିସ୍‌କୁ ନୋଟିସ୍‌ : ଏପ୍ରିଲ୍‌ 30ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍‌କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍‌ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍‌ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି ଏନ୍‌ ପଟେଲ୍‌ ଏବଂ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଅଜୟ ଗୌତମ , ସଞ୍ଜୀବ କୁମାର ଏବଂ ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ ଏହି 3 ଯାଚିକା ଦାଖଲ କରାଯାଇଥିଲା । ପ୍ରଥମ ଯାଚିକାରେ ଦିଲ୍ଳୀ ପୋଲିସ୍‌ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଉଠାଯାଇଥିଲା । ଆକ୍ରମଣ ପଛରେ ରହିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଯାଚିକାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉନଥିବା ନେଇ ଉଲ୍ଲେଖ କରାଯାଇଥିଲା । ସାମାଜିକ କର୍ମୀ ହର୍ଷ ମନ୍ଦାର, ଆରଜେ ସାୟେମା ଏବଂ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଘୃଣାଭରା ଭାଷଣ ସତ୍ତ୍ବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିବା ତୃତୀୟ ଯାଚିକା ଉପରେ ଶୁଣାଣି କରାଯାଇଥିଲା । ସୋନିଆ, ରାହୁଲ , ପ୍ରିୟଙ୍କା ଗାନ୍ଧୀ, ଅସଦ୍ଦୁଦ୍ଦିନ ଓଓ୍ବେସୀ ଏବଂ ଓ୍ବାରିସ୍‌ ପଠାନ୍‌ ପ୍ରମୁଖ ଘୃଣାଭରା ଭାଷଣ ଦେଇଥିବା ନେଇ ଯାଚିକାରେ ଉଲ୍ଲେଖ କରାଯାଇଥିଲା । କୋର୍ଟଙ୍କ ପକ୍ଷରୁ ତିନି ଯାଚିକା ଉପରେ ଶୁଣାଣି କରାଯାଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ଏପ୍ରିଲ୍‌ 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । (ଏଜେନ୍ସି)

Categories
ଆଜିର ଖବର

ଡାକ୍ତରଙ୍କ ଧର୍ମଘଟ ନେଇ ମମତାଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଗୃହ ମନ୍ତ୍ରାଳୟ ଏହି ଧର୍ମଘଟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ୍‌ ଜାରି କରିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍‌ ଜାରି କରିବା ସହିତ ଏହି ସମ୍ପର୍କିତ  ତୁରନ୍ତ ଏକ ରିପୋର୍ଟ ଦେବାକୁ ତଲବ କରିଛନ୍ତି। ଏହି ନୋଟିସ୍‌ରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି। ପଶ୍ଚିମବଙ୍ଗ ବ୍ୟତୀତ ଏହି ଧର୍ମଘଟରେ ଅନ୍ୟ ରାଜ୍ୟର ଡାକ୍ତରମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। କେନ୍ଦ୍ର ମମତାଙ୍କୁ ଏହାର କାରଣ ଦର୍ଶାଇବା ସହିତ ଧର୍ମଘଟକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ଉପରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ପୂର୍ବରୁ ମଧ୍ୟ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗରେ ହେଉଥିବା ଅଶାନ୍ତି ବାତାବରଣକୁ ନେଇ ନୋଟିସ୍‌ ପଠାଇଥିଲେ। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଦୁଇ ନବଜାତଙ୍କ ବିନା ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ଏବେବି ପଶ୍ଚିମବଙ୍ଗରେ ମମତା ସରକାର – ଡାକ୍ତରଙ୍କ ନିଜ ନିଜ ଜିଦ୍‌ରେ ଅଡ଼ି ରହିଛନ୍ତି।