ଦିଲ୍ଲୀ ହିଂସାକାଣ୍ଡ ପାଇଁ ଗୃହ ମନ୍ତ୍ରାଳୟ ଓ ପୋଲିସ୍‌କୁ ନୋଟିସ୍‌ : ଏପ୍ରିଲ୍‌ 30ରେ ପରବର୍ତ୍ତୀ ଶୁଣାଣି

Published: Feb 28, 2020, 2:05 pm IST

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍‌କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍‌ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍‌ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି ଏନ୍‌ ପଟେଲ୍‌ ଏବଂ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଅଜୟ ଗୌତମ , ସଞ୍ଜୀବ କୁମାର ଏବଂ ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ ଏହି 3 ଯାଚିକା ଦାଖଲ କରାଯାଇଥିଲା । ପ୍ରଥମ ଯାଚିକାରେ ଦିଲ୍ଳୀ ପୋଲିସ୍‌ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଉଠାଯାଇଥିଲା । ଆକ୍ରମଣ ପଛରେ ରହିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଯାଚିକାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉନଥିବା ନେଇ ଉଲ୍ଲେଖ କରାଯାଇଥିଲା । ସାମାଜିକ କର୍ମୀ ହର୍ଷ ମନ୍ଦାର, ଆରଜେ ସାୟେମା ଏବଂ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଘୃଣାଭରା ଭାଷଣ ସତ୍ତ୍ବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ବିଜେପି ଲିଗାଲ୍‌ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିବା ତୃତୀୟ ଯାଚିକା ଉପରେ ଶୁଣାଣି କରାଯାଇଥିଲା । ସୋନିଆ, ରାହୁଲ , ପ୍ରିୟଙ୍କା ଗାନ୍ଧୀ, ଅସଦ୍ଦୁଦ୍ଦିନ ଓଓ୍ବେସୀ ଏବଂ ଓ୍ବାରିସ୍‌ ପଠାନ୍‌ ପ୍ରମୁଖ ଘୃଣାଭରା ଭାଷଣ ଦେଇଥିବା ନେଇ ଯାଚିକାରେ ଉଲ୍ଲେଖ କରାଯାଇଥିଲା । କୋର୍ଟଙ୍କ ପକ୍ଷରୁ ତିନି ଯାଚିକା ଉପରେ ଶୁଣାଣି କରାଯାଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ଏପ୍ରିଲ୍‌ 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । (ଏଜେନ୍ସି)

Related posts