Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ରସ୍ତୁତି, ମନ୍ତ୍ରୀ ଏଲ. ମୁରୁଗାନଙ୍କ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୋଆର ପାଣାଜି ସ୍ଥିତ ମହୋତ୍ସବ ଆୟୋଜନ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନରେ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଏସବୁ ସ୍ଥାନକୁ ଯଥାଶୀଘ୍ର ସମ୍ଭବ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଥିଲେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ମହାନିର୍ଦ୍ଦେଶକ ମନିଦୀପା ମୁଖାର୍ଜୀ, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାର, ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ, ଗୋଆ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସୁଭାଷ ଚନ୍ଦ୍ର, ଗୋଆ ମନୋରଞ୍ଜନ ସୋସାଇଟିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ବେତିକା ସାଚାନ ଏବଂ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଆଇଏଫଏଫଆଇ ଆୟୋଜନ ସ୍ଥଳରେ ଫିଲ୍ମ ବଜାର ଏବଂ ରାଜ୍ୟ ପାଭିଲିୟନ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ ସ୍ଥଳୀକୁ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ବୁଲି ଦେଖିଥିଲେ । କାର‌୍ୟ୍ୟକ୍ରମ ଆୟୋଜନ ସ୍ଥଳୀରେ ପ୍ରସ୍ତୁତି ବର୍ତ୍ତମାନ ବିଭିନ୍ନ ପର‌୍ୟ୍ୟାୟରେ ରହିଛି, ଏହାକୁ ଯଥାଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ଆଇଏଫଏଫଆଇର ୫୩ ତମ ସଂସ୍କରଣ ଆୟୋଜନ ଏବଂ ପରିଚାଳନାରେ ସମ୍ପୃକ୍ତ ବିଭିନ୍ନ ସଂଗଠନ ଓ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଥିଲେ ।

ଚଳଚ୍ଚିତ୍ର ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଆଇଏଫଏଫଆଇ ଆୟୋଜନକୁ ଏକ ନୂଆ ସ୍ତରକୁ ନେଇ ଯିବା ଲାଗି ଗୋଆର ମୂଳ ଭାବନା ଆନନ୍ଦ ଓ ମହୋତ୍ସବକୁ ଉପଯୋଗ କରିବା ଲାଗି ସେ ଆହ୍ବାନ କରିଥିଲେ ।
ଆଇଏଫଏଫଆଇର ୫୩ତମ ସଂସ୍କରଣରେ ପ୍ରତିନିଧି ଏବଂ ଚଳଚ୍ଚିତ୍ର କଳାକାରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ଗୁରୁତ୍ବାରୋପ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ । ଚଳଚ୍ଚିତ୍ର ମହୋତ୍ସବ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାରେ ପ୍ରତିନିଧିମାନଙ୍କୁ ସହାୟତା କରିବା ଲାଗି ୱେବସାଇଟ ଏବଂ ମୋବାଇଲ ଆପକୁ ପ୍ରସ୍ତୁତ ରଖିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ ।

ଆଇଏଫଏଫଆଇର ଚଳିତ ସଂସ୍କରଣରେ କେତେକ ନୂଆ ବୈଶିଷ୍ଟ୍ୟ ସମ୍ପର୍କରେ ଏନଏଫଡିସିର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପୂର୍ବ ସଂସ୍କରଣ ତୁଳନାରେ ଚଳିତ ସଂସ୍କରଣରେ ଅଧିକ ସଂଖ୍ୟକ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ତାରକାମାନେ ଅଂଶଗ୍ରହଣ କରିବେ । ସେ ଆହୁରି କହିଥିଲେ ଯେ ଚଳଚ୍ଚିତ୍ର ମହୋତ୍ସବ ପାଇଁ କାର‌୍ୟ୍ୟସୂଚୀ ଏବଂ ଯୋଜନା ପ୍ରସ୍ତୁତି ଠିକଣା ଭାବେ ଜାରି ରହିଛି । ଖୁବଶୀଘ୍ର ଏଥିରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ।

ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ ଉଭୟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଏବଂ ପ୍ରତିନିଧିମାନଙ୍କର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ । ଚଳଚ୍ଚିତ୍ର ମହୋତ୍ସବ ପାଇଁ ଆନନ୍ଦପୂର୍ଣ୍ଣ ପରିବେଶ ବଜାୟ ରଖି ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଥିଲେ।