Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ଶିଶୁମୃତ୍ୟୁ ଘଟଣାକୁ ନେଇ ରାଜନୀତି ନକରିବାକୁ ଗେହଲଟଙ୍କ ନିବେଦନ

ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ କହିବା ପରେ ଗେହଲଟ୍‌ ଏହି ମନ୍ତବ୍ୟ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ଗେହଲଟ୍‌ ଦୁଇଟି ଅନୁରୋଧ କରିଛନ୍ତି । ଘଟଣାର ରାଜନୀତି କରଣ ବନ୍ଦ କରିବା ସହିତ କେନ୍ଦ୍ରୀୟ ଡାକ୍ତରୀ ଟିମ୍‌ ପଠାଇ ଘଟଣାର ଅନୁଧ୍ୟାନ ପାଇଁ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ବିଜେପିର ଏକ ଦଳ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ବିଜେପିକୁ ସମାଲୋଚନା କରିଛନ୍ତି । ସିଏଏ ଆନ୍ଦୋଳନ ଉପରୁ ସାଧାରଣ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ପକ୍ଷରୁ ଏପରି ଲୋକଦେଖାଣିଆ କାମ କରାଯାଉଛି ବୋଲି ଶର୍ମା ଅଭିଯୋଗ କରିଛନ୍ତି । ସେହିପରି ରାଜସ୍ଥାନ କଂଗ୍ରେସ ଦାୟିତ୍ବରେ ରହିଥିବା ଅବିନାଶ ପାଣ୍ଡେଙ୍କୁ ଆଲୋଚନା ପାଇଁ ସୋନିଆ ଗାନ୍ଧୀ ଆମନ୍ତ୍ରଣ କରିଛନ୍ତି । (ଏଜେନ୍ସୀ)