Categories
ଆଜିର ଖବର

ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂକୁ ଆସିଥିଲି : ମେରୀକମ୍‌

୬ ଥର ବିଶ୍ଵ ଚାମ୍ପିୟନ୍‌ ତଥା ଅଲମ୍ପିକ୍ସ ପଦକ ବିଜେତା ଭାରତୀୟ ବକ୍ସର ଏମ୍‌ସି ମେରୀ କମ୍ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲ୍ଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି। ଗୋଆ ଫେଷ୍ଟ ୨୦୧୯ରେ ଅଂଶଗ୍ରହଣ କରିବା ଅବସରରେ ମେରୀ କମ୍‌ କହିଛନ୍ତି, ଟିଭିରେ ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂ ପାଇଁ ପ୍ରେରଣା ପାଇଥିଲି। ମହମ୍ମଦ ଅଲ୍ଲୀଙ୍କୁ ଦେଖି ମୁଁ ସର୍ବଦା ନିଜକୁ କୁହେ, ‘ଯଦି ଜଣେ ପୁରୁଷ କରିପାରୁଛି ତେବେ ମୁଁ ମଧ୍ୟ କରିପାରିବି’ ଏହା ହିଁ ମୋ ପାଇଁ ପ୍ରେରଣାର ଉତ୍ସ ଏବଂ ଏହାଦ୍ବାରା ମୁଁ ସର୍ବଦା ଆଗକୁ ବଢିବାର ପ୍ରେରଣା ପାଇଛି। କେବଳ ବକ୍ସରଙ୍କଠାରୁ ନୁହେଁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ହଲିଉଡ୍‌ ଅଭିନେତା ଜ୍ୟାକି ଚାନ୍‌ ମଧ୍ୟ ମୋର ଆଦର୍ଶ ବୋଲି କହିଛନ୍ତି ମେରୀକମ୍‌। ଭାରତରେ ଖେଳାଳିଙ୍କ ପାଇଁ ବର୍ତ୍ତମାନ ସବୁପ୍ରକାର ସୁବିଧା ରହିଛି ମାତ୍ର ଆମେ ଚାମ୍ପିୟନ୍‌ ଖେଳାଳି ସୃଷ୍ଟି କରିବାରେ ସକ୍ଷମ ହେଉନାହୁଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ ମେରୀକମ୍‌। ସେ କହିଥିଲେ, ଏଥିପାଇଁ ସରକାର କିମ୍ବା ଫେଡେରେସନ୍‌କୁ ଦୋଷ ଦେବା ଆଦୌ ଗ୍ରହଣୀୟ ନୁହେଁ। ଯୁବ ଖେଳାଳିଙ୍କ ନିକଟରେ ଶିଖିବାର ଆଗ୍ରହ ନଥିବାକୁ ପରୋକ୍ଷରେ ଦୋଷାରୋପ କରି ମେରୀ କହିଥିଲେ, କୌଣସି ବି ଯୁବ ଖେଳାଳି ନିଜର ବୈଷୟିକ ତ୍ରୁଟି ଅଥବା ଖେଳିବାର ଶୈଳୀକୁ ନେଇ କେବେବି ମୋତେ ପରାମର୍ଶ ମାଗି ନାହାନ୍ତି। ଟୋକିଓ ଅଲମ୍ପିକ୍ସରେ ପଦକ ଜିତିବା ପାଇଁ ୧୦୦ ରୁ ୧୨୦ ପ୍ରତିଶତ ପରିଶ୍ରମ କରୁଛି ବୋଲି କହିଛନ୍ତି ଏହି ୩୬ ବର୍ଷୀୟ ଖେଳାଳି।