Categories
ଆଜିର ଖବର ରାଜ୍ୟ ଖବର

ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପୂର୍ବରୁ ବ୍ରାହ୍ମଣ ନିଯୋଗର ଅସନ୍ତୋଷ, ବିଳମ୍ବ ହୋଇପାରେ ଜାଗର ନିତି

ଭୁବନେଶ୍ବର, ଆଉ ଦୁଇଦିନ ପରେ ହେବ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ। ଏ ନେଇ ଆଜି ମନ୍ଦିର ପ୍ରଶାସନ ତରଫରୁ ବସିଥିଲା ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ରାହ୍ମଣ ନିଯୋଗ। ସେମାନେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଯେ, ବର୍ତ୍ତମାନ ଯିଏ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି ତାଙ୍କର ବଦଳି ହୋଇଯାଇଛି। ବଦଳି ହେବା ପରେ ତାଙ୍କୁ ପୁଣି କାହିଁକି ଦାୟିତ୍ବ ଦିଆଯାଇଛି ବୋଲି ବୈଠକରେ ନିଯୋଗ ପ୍ରଶ୍ନ କରିଥିଲେ। ତୁରନ୍ତ ତାଙ୍କୁ ହଟାଯାଇ ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ନିଯୋଗ ଦାବୀ କରିଛି।

ଏହାକୁ ନେଇ ପ୍ରସ୍ତୁତି ବୈଠକରେ ଥିବା ଉଚ୍ଚ ଅଧିକାରୀମାନେ ବ୍ରାହ୍ମଣ ନିଯୋଗଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ସେମାନେ ଏହି ଦାବୀକୁ ନେଇ ଅଡି ବସିଥିଲେ। ଫଳରେ ଚଳିତ ମହାଶିବରାତ୍ରୀ ସେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ବ୍ରାହ୍ମଣ ନିଯୋଗର ଦାବୀକୁ ପୂରଣ ନ କରାଯାଏ ତେବେ ସେମାନେ ଅସହଯୋଗ କରିବାର ସମ୍ଭାବନା ଦେଖାଦେଇଛି। ବୈଠକରେ ଉପସ୍ଥିତି ଥିବା ଖୋର୍ଦ୍ଧା ଜିଲ୍ଲାପାଳ, ବିଏମସି କମିଶନର, ପୋଲିସ କମିଶନର ବ୍ରାହ୍ମଣ ନିଯୋଗର ଦାବୀ ପୂରଣ ପାଇଁ ଚେଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇଥିବାର ଜଣାପଡିଛି।