Categories
ଆଜିର ଖବର ରାଜ୍ୟ ଖବର

16 ପ୍ରବାସୀ ଶ୍ରମିକଙ୍କ ପାଇଁ ଗାଡି ଓ ଖାଦ୍ୟର ବ୍ୟବସ୍ଥା କଲେ ଫାଣ୍ଡି ଅଧିକାରୀ

ବବ୍‌ଲୁ ସାହୁ
କଳାହାଣ୍ଡି : ଲକ୍‌ଡାଉନ୍‌ କାରଣରୁ ନିଜର ଜୀବନ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ଶ୍ରମିକ । ଅନେକ ଶ୍ରମିକ ଖାଲିପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କୁ ଫେରାଇ ଆଣିବାର ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ଏପରି ଏକ ସମୟରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କ ସହାୟତା କରିଛନ୍ତି କେସିଙ୍ଗାର ଜନୈକ ପୋଲିସ୍‌ ଅଧିକାରୀ ।

ନିକଟରେ କର୍ଲାମୁଣ୍ଡା ବ୍ଲକ୍‌ର 16 ଜଣ ପ୍ରବାସୀ ଓଡିଆ ବ୍ୟକ୍ତିଗତ ଖର୍ଚ୍ଚରେ ମହାରାଷ୍ଟ୍ରର ଗୋରେଗାଓଁରୁ ଓଡିଶା ଫେରିଥିଲେ । ତେବେ ବସ୍‌ଟିକୁ ଟିଟିଲାଗଡ ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଥିଲା । ଟିଟିଲାଗଡରୁ ଓହ୍ଲାଇବା ପରେ ଶ୍ରମିକ ମାନେ ଚାଲିଚାଲି ଯାଉଥିଲେ । ଟିଟିଲାଗଡ ପୋଲିସ୍‌ ପକ୍ଷରୁ କୌଣସି ସହାୟତା କରାଯାଇନଥିବା ବେଳେ କେସିଙ୍ଗାର ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଏହି ପ୍ରବାସୀ ଶ୍ରମିକଙ୍କ ସହାୟତା କରିଥିଲ । ଶ୍ରୀ ପଣ୍ଡା ତୁରନ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହିତ ଏକ ଗାଡିର ବ୍ୟବସ୍ଥା କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିଲେ । ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ଅଧିକାରୀଙ୍କ ଏହି କାମକୁ ବେଶ୍‌ ପ୍ରଶଂସା କରାଯାଉଛି ।