Categories
ଆଜିର ଖବର ଜାତୀୟ ଖବର

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ : ବିଜେପି-କଂଗ୍ରେସର ମହିଳା ନେତ୍ରୀ ରହିଥିଲେ ସାମିଲ୍‌

ରାଜସ୍ଥାନ : ଉତ୍ତରପ୍ରଦେଶର ହାଥରସ୍‌ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନରେ ଚାଲିଥିବା ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି । ଏହି ଘଟଣାରେ ବିଜେପି ଓ କଂଗ୍ରେସ ନେତ୍ରୀ ମିଳିତ ଭାବରେ ସାମିଲ୍‌ ହୋଇଥିବାର ଅଭିଯୋଗ ରହିଛି । ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିବା ପରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ନେତ୍ରୀ ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇ ଏପରି କଦର୍ଯ୍ୟ କାର୍ଯ୍ୟ କରାଉଥିଲେ । ଏଥିରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଉ ଥିବାର ଅଭିଯୋଗ ହୋଇଛି। ଏହି ନାବାଳିକା ଜଣଙ୍କୁ ଅନେକ ଲୋକ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଉପଭୋଗ କରିବା ପାଇଁ ଦଳର ନେତାମାନଙ୍କ ପାଖକୁ ପଠାଉଥିଲେ ଏହି ନେତ୍ରୀ। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ଜଣେ ଜିଲ୍ଲା ସଭାନେତ୍ରୀ ଏବଂ କଂଗ୍ରେସ ସେବା ଦଳର ଜିଲ୍ଲା ସଭାନେତ୍ରୀ ଜଡ଼ିତ ଥିଲେ। ଚଢ଼ାଉ ପରେ କଂଗ୍ରେସ ନେତ୍ରୀ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ବିଜେପି ନେତ୍ରୀଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ବିଜେପି ନେତ୍ରୀଙ୍କ ସହିତ ଏହି ଘଟଣାରେ କଲେକ୍ଟର, ଇଲେକ୍ଟ୍ରିସିଆନ୍‌ ମଧ୍ୟ ଏହି ଘଟଣାରେ ସାମିଲ୍‌ ରହିଥିବାର ସୂଚନା ରହିଛି ।

ପୀଡ଼ିତା ନାବାଳିକାଙ୍କ କହିବାନୁସାରେ ବିଜେପି ଓ କଂଗ୍ରେସର ଏହି ଦୁଇ ନେତା ଜିଲ୍ଲାସ୍ତରରେ ରାଜ୍ୟର ଅନ୍ୟ ବଡ ବଡ ନେତାଙ୍କ ସହ ମିଶି ଏକ ବଡଧରଣର ରାକେଟ୍‌ ଚଲାଉଛନ୍ତି । ଏହା ଜରିଆରେଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଯୁବତୀ ଚାଲାଣ କରାଯାଉଛି । ବିଜେପିର ମହିଳା ନେତ୍ରୀ ଜଣକ କିଛି ଦିନ ପୂର୍ବେ ନିଜ ସୋସିଆଲ ଆକାଉଣ୍ଟରେ ରାଜନୀତିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକେ ସାମମିଲ୍‌ ରହିଥିବାର ଉଲ୍ଲେଖ କରିଥିଲେ । ଏପରିକି ସମୟ ଆସିଲେ ସେମାନଙ୍କ ନାମ ପ୍ରକାଶ  କରିବେ ବୋଲି ଉଲ୍ଲେଖ କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ ପୋଲିସ୍‌ ଜାରି ରଖିଛି । (ଏଜେନ୍ସି)

Categories
ଆଜିର ଖବର

ଆଜି ବିଜେପିର ବିଧାୟକ ଦଳ ବୈଠକ : ବିରୋଧୀ ଦଳ ନେତା ଚୟନ ନେଇ ନିଷ୍ପତ୍ତି

ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା କିଏ ହେବ ସେନେଇ ସ୍ଥିର କରାଯିବ। ରାଜ୍ୟ ବିଧାନସଭାରେ ଗତ ନିର୍ବାଚନରେ ବିଜେପି ୨୩ଟି ଆସନ ହାତେଇଥିଲା। ଦଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେପିର ଜଣେ ବିଧାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବେ। ଏନେଇ ଆଜି ଦଳର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ ଯୋଗ ଦେବେ । ବୈଠକରେ ଆହୁରି ମଧ୍ୟ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗରେ ଦଳ ରାଜ୍ୟ ସରକାରଙ୍କୁ ଘେରିବ ସେନେଇ ଆଲୋଚନ। ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର

ତିନି ରାଜ୍ୟର ନିର୍ବାଚନ ନେଇ ବିଭିନ୍ନ ରାଜ୍ୟ ମୁଖ୍ୟଙ୍କ ସହିତ ଅମିତ ଶାହାଙ୍କ ବୈଠକ

ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ମୁଖ୍ୟମାନଙ୍କ ସହ ବୈଠକ କରୁଛନ୍ତି। ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦୀଲିପ ଘୋଷ, ବିନୟ ସହଶ୍ରବୁଧେ, ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଗତ ୯ତାରିଖରେ ଅମିତ ଶାହା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ। ଏହି ରାଜ୍ୟମାନଙ୍କରେ ଏକ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନୂତନ ସରକାରରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶାହା ଲଗାତାର ଭାବେ ବୈଠକ ଡାକୁଛନ୍ତି। ଇଦ୍ ଦିନ ମଧ୍ୟ ସେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହା ବ୍ୟତୀତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବାବଦରେ ପଚାରି ବୁଝିଥିଲେ। ଯେଉଁଥିରେ ଆତଙ୍କବାଦ ଏବଂ ନକ୍ସଲ ସମସ୍ୟା ଉପରେ ଚର୍ଚ୍ଚା ହୋଇଥିଲା। ମାତ୍ର ଆସନ୍ତା ଡିସେମ୍ବର ଯାଏଁ ଶାହା ଏହି ପଦ ସମ୍ଭାଳିବା ନେଇ ଆଲୋଚନା ଚାଲିଛି।

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ୍‌ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର ୯୫ଟି ଆସନ ଉପରେ ମତଦାନ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟର ସମସ୍ତ ୨୬ଟି ଆସନ, କେରଳର ସମସ୍ତ ୨୦ଟି ଆସନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୧୪ଟି ଆସନ, ଉତ୍ତରପ୍ରଦେଶର ୧୦ଟି ଆସନ, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି ଆସନ,  ବିହାର ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ ଆସନ, ଆସାମରେ ୪ଟି, ଗୋଆରେ ଦୁଇଟି, ଜମ୍ମୁକାଶ୍ମୀର, ତ୍ରିପୁରା, ଦାଦ୍ରା ନଗର ହାବେଳୀ, ଡାମନ୍‌ ଏବଂ ଡିୟୁରେ ଗୋଟିଏ ଲେଖାଏଁ ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ତେବେ ତୃତୀୟ ପର୍ଯ୍ୟାୟରେ ୧୧୬ଟି ଆସନରେ ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଗୁଜୁରାଟରୁ ଗାନ୍ଧିନଗର, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି କେରଳର ଓ୍ବାୟନାଡରୁ, ସପା ନେତା ମୁଲାୟମ୍‌ ସିଂହ ଯାଦବ ଉତ୍ତରପ୍ରଦେଶ ମୈନପୁରୀରୁ, ଜୟାପ୍ରଦା ଓ ଆଜମ୍‌ ଖାନ୍‌ ୟୁପିରୁ ରାମପୁରରୁ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ୧୧୬ଟି ଆସନରୁ ପାଖାପାଖି ୧୬୨୨ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ୨୦୧୪ରେ  ତୃତୀୟ ପର୍ଯ୍ୟାୟରେ ୬୮.୪୩%  ମତଦାନ ହୋଇଥିଲା। ଓଡ଼ିଶାର ୬ଟି ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହି ଆସନ ଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। ଏହା ସହିତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାରେ ଦୁଇ ପ୍ରମୁଖ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହେବ। ୭ଟି ପର୍ଯ୍ୟାୟ ବିଶିଷ୍ଟ ମତଦାନରେ ଅନ୍ତିମ ପର୍ଯ୍ୟାୟ ମେ ୧୯ ତାରିଖରେ ଅନୁଷ୍ଠିତ ହେବ ଏବଂ ଭୋଟ୍‌ଗଣତି ମେ ୨୩ ତାରିଖରେ କରାଯିବ।

Categories
ବିଶେଷ ଖବର

ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !

କେଦାର ମିଶ୍ର

ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ?

ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ !

ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର ଜିଲ୍ଲାର ଟାଣୁଆ ନେତା ହୋଇ ରହିନାହାନ୍ତି।୨୦୧୪ ରେ  ବିଜୁ ଜନତା ଦଳର ଟିକଟ ନ ପାଇବା ପରଠୁ ସେ ଏକ ପ୍ରକାର କୋଣଠେସା ହୋଇ ପଡି ରହିଥିଲେ। ଗତକାଲି ସେ ବିଜେପିରେ ଯୋଗଦେବାକୁ ଆସିନଥିଲେ, ସେ ଯେ ରାଜନୀତିରେ ଅଛନ୍ତି ଏକଥା ଲୋକ ଜାଣି ବି ନଥାନ୍ତେ। ଲୋକସ୍ମୃତିରେ ନଥିବା ନେତାମାନେ ନିର୍ବାଚନ ସମୟରେ ହଠାତ ଆସି ଆବିର୍ଭାବ ହୁଅନ୍ତି ଓ ନିର୍ବାଚନ ପରେ ପୁଣି ମିଳେଇ ଯାଆନ୍ତି।  ମୋହନ ଜେନା ଏବେ ଆପାତତଃ ସେଇ ପରିଚୟରେ ରହିବେ।

ଇତିମଧ୍ୟରେ ଓଡିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଜେଡ଼ିରୁ ବିଜେପିକୁ ଓ ବିଜେପିରୁ ବିଜେଡ଼ିକୁ ପ୍ରତିଦିନ ନେତାଙ୍କର ଯିବା ଆସିବା ଚାଲିଛି। ଯିଏ ଏଠୁ ଟିକଟ ପାଉନି ସେଠିକି ଯାଉଛି ଓ ଯେ ସେଠୁ ନିରାଶ ହେଉଛି, ଏଠି ତାକୁ ଆଶାର କିରଣ ଦେଖାଯାଉଛି। ସେଇ କ୍ରମରେ ଆଜି ଭଦ୍ରଖରୁ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ। ଅବଶ୍ୟ ଅର୍ଜୁନ ବାବୁଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସେ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳ ଦେଇ ଆସି ସାରିଥିଲେ। ୧୯୭୧ ଓ ୧୯୮୦ ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ଯାଇଥିଲେ। ତେବେ ସର୍ବାଧିକ ପାଞ୍ଚ ଥର ସେ ବିଜେଡି ଟିକଟରେ  ଲୋକସଭାକୁ ଯାଇଛନ୍ତି। ବିଜେଡି କୋଟାରେ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ରାଜନୀତିରେ ସଦାକାଳେ ସେ ଚିରକାଳ ବାମନ ହୋଇ ରହିଯାଇଛନ୍ତି। ୫୦ ବର୍ଷର ଦୀର୍ଘ ରାଜନୈତିକ ଯାତ୍ରା, ୮ ଥର ଲୋକସଭା ସଦସ୍ୟ, ଦୁଇ ଥର ବିଧାନସଭା ସଦସ୍ୟ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ତା ପରେ ବି ଓଡିଶା ରାଜନୀତିରେ ଅର୍ଜୁନ ଚରଣ ସେଠି ସେମିତି ଏକ ପ୍ରଭାବଶାଳୀ ଚରିତ୍ର ନୁହନ୍ତି।

ସେ ଯାହା ବି ହେଉ, ତାଙ୍କର ବିଜେଡି ଛାଡିବା କିନ୍ତୁ ବ୍ୟକ୍ତିଗତ ଭାବ ପ୍ରବଣତାର କଥା। ସେ ବିଜେଡି ଛାଡିଲେ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ଯୋଗାଡ କରି ନପାରି। ସେ ଟିକଟ ଖଣ୍ଡକ ବିଜେପିରୁ ହୁଏତ ତାଙ୍କୁ ମିଳିପାରେ। ତେଣୁ ଅର୍ଜୁନ ବାବୁଙ୍କୁ ଜଣେ ପୁତ୍ର ବତ୍ସଳ ପିତା ଭାବରେ ଆମେ ଦେଖିପାରିବା। ବିଜେପିରେ ତାଙ୍କ ପୁଅର ଥଇଥାନ କରିବାକୁ ସେ ଯାଇଛନ୍ତି। ହେଲେ ମୋହନ ଜେନା ବିଜେପିକୁ ଯିବାର କାରଣ ଆଦୌ ସମ୍ମାନଜନକ ନୁହେଁ।

ମୋହନ ଜେନା ନିଜକୁ ଜଣେ କମ୍ୟୁନିଷ୍ଟ ନେତା ବୋଲି ଦୀର୍ଘଦିନ ଧରି ଦାବି କରି ଆସିଛନ୍ତି। ଅଶି ଦଶକରେ ଏସୟୁସିଆଇ ର ଛାତ୍ର ସଂଗଠନ ଡିଏସଓ ର ଜଣେ ଅଗ୍ନୀବର୍ଷୀ ନେତା ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା। ପରେ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ବିଜେଡିରେ ଯୋଗଦେଇ ଦୁଇଥର ଲୋକସଭାକୁ ଗଲେ। ପରିଶେଷରେ ଯେତେବେଳେ ସେ ଏଯାଏ ସମାଲୋଚନା କରିଆସୁଥିବା ଏକ ଫାସିଷ୍ଟ ଦଳର ଟୋପି ପିନ୍ଧିଲେ ତାପରେ ମଧ୍ୟ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ତାଙ୍କ ଗେରୁଆ ଗାମୁଛାକୁ ଆମ୍ବେଦକରଙ୍କ ପାଠ, ବୋଧେ ଆମ ସମୟର ସବୁଠୁ ବଡ ଛଳନା। ନିଜ ରାଜନୈତିକ ଅଭିଳାଷ ଲାଗି ଆପଣ କିଛି ବି ଟୋପି ପିନ୍ଧନ୍ତୁ, କିନ୍ତୁ ସେଥିରେ ବିଚାର ଓ ଆଦର୍ଶକୁ ଲଜ୍ଜିତ କରନ୍ତୁ ନାଇଁ।

ଅର୍ଜୁନ ଚରଣ ସେଠି ସେ ଦୃଷ୍ଟିରୁ ସଚ୍ଚୋଟ। ସେ ଖୋଲାଖୋଲି କହିଲେ ପୁଅ ଟିକଟ ଲାଗି ସେ ବିଜେପିକୁ ଆସିଛନ୍ତି। ଅନ୍ତତଃ ମୋହନ ଜେନାଙ୍କ ପରି ଛଳନା କରି ନାହାନ୍ତି। ମିଛରେ ଦଳିତ କାର୍ଡ ଖେଳିବାକୁ ଚାହିଁ ନାହାନ୍ତି। କ୍ଷମତାରେ ଥିଲାବେଳେ ମୋହନ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯେତେବେଳେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଲା ସେତେବେଳେ ସେ ଏହାର ନିନ୍ଦା କରିବାକୁ ମଧ୍ୟ ସାହସ ପାଇନଥିଲେ। ଅଥଚ ସେ ଆଜି ଦଳିତ ପ୍ରସଙ୍ଗ ଉଠାଇ ବିଜେପିରେ ମିଶୁଛନ୍ତି। ଛଳନା ର ବି ଗୋଟେ ସୀମା ଥାଏ।

ତେବେ ଅନ୍ତିମ ପ୍ରଶ୍ନ ଟି ହେଉଛି ଦଳ ଛାଡୁଥିବା ଲୋକେ ଅନ୍ତିମ ମୁହୂର୍ତ୍ତରେ ନୂଆ ଦଳକୁ ଗଲେ କିଛି ଲାଭ ପାଇବେ କି ? ଏହାର ସିଧା ଉତ୍ତର ହେଉଛି ଏମାନେ ଏ କୂଳର ହେବେନି କି ସେ କୂଳର ମଧ୍ୟ ହେବେନି !

 

( ଫଟାଫଟ ଖବର ପଢିବା ପାଇଁ ମୋବାଇଲ  ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ୍ କରନ୍ତୁ  Sankhipta ଆପ୍ । ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର… )