Categories
ଜାତୀୟ ଖବର ବିଶେଷ ଖବର

ପୁଣି ମୁକୁଟ ପିନ୍ଧିବେ ଯୁବରାଜ୍‌ !

ନୂଆଦିଲ୍ଲୀ: ପୁଣି ଥରେ ରାହୁଲ୍‌ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବେ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ବିପୁଳ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ୍‌। ଏହାପରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ ୨୦୨୧ ମସିହାରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳ ନିଜ ନେତୃତ୍ବ ପରିବର୍ତ୍ତନ କରୁଛି। ପୁଣି ଥରେ ରାହୁଲ୍‌ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବେ ବୋଲି ସୂଚନା ମିଳୁଛି।

ଆଜି କଂଗ୍ରେସର ବିଦ୍ରୋହୀ ନେତାଙ୍କ ସହ ବୈଠକ ପରେ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ରୂପେ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ନିର୍ବାଚନ ରାହୁଲ୍‌ଙ୍କ ନେତୃତ୍ବରେ ଲଢିବା ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୧୦ ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି ୯୯ ପ୍ରତିଶତ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ମୁଖପାତ୍ର ରଣଦୀପ ସୁର୍ଜେୱାଲା ପ୍ରକାଶ କରିଛନ୍ତି। ସେହିପରି ଏହି ବୈଠକରେ ରାହୁଲ୍‌ କହିଛନ୍ତି ଯେ, ଦଳ ତରଫରୁ ତାଙ୍କୁ ଯେଉଁ ଦାୟିତ୍ବ ମିଳିବ, ତାହାକୁ ସେ ପୂରା ନିଷ୍ଠା ସହକାରେ ନିଭାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାହୁଲ୍‌ଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଗାନ୍ଧି ପରିବାର ବାଦ୍‌ ଅନ୍ୟ କେହି ଅଧ୍ୟକ୍ଷ ହେବା ନେଇ ଦାବି ଜୋର୍‌ ଧରିଥିଲା। ଏନେଇ ସୋନିଆ ଗାନ୍ଧିଙ୍କ ନିକଟକୁ ମଧ୍ୟ ପତ୍ର ଦେଇଥିଲେ କଂଗ୍ରେସର ବହୁ ତୁଙ୍ଗ ନେତୃବୃନ୍ଦ। ତେବେ ଆଜିର ବୈଠକରେ ମଧ୍ୟ ବିଦ୍ରୋହୀ ନେତାମାନେ ମଧ୍ୟ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ହେବା ପାଇଁ ଦାବି କରିଛନ୍ତି। ରାହୁଲ୍‌ଙ୍କୁ ଅଧ୍ୟକ୍ଷ ହେବା ନେଇ ଦଳ ଅଧିକ ଚିନ୍ତନ କରିବ ବୋଲି ସୂଚନା ରହିଥିବାବେଳେ ରାହୁଲ୍‌ ପୁନଶ୍ଚ ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ କଂଗ୍ରେସ ଦଳରେ ନୂତନ ଅଧ୍ୟକ୍ଷ ରୂପେ ରାହୁଲ୍‌ ଅଭିଷିକ୍ତ ହେବେ ନା ଆଉ କେହି, ତାହା ଦେଖିବାକୁ ବାକି ରହିଲା।