Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପିଏମ କେୟାର୍ସର ଅନୁଦାନରେ କିଣାଯିବ ଡିଆରଡିଓ ଦ୍ଵାରା ବିକଶିତ SpO2 ଅମ୍ଳଜାନ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ପିଏମ କେୟାର୍ସ ପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି। ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ।

ଏହା ଅନୁଭବ ଆଧାରିତ SpO2 ସ୍ତର ଉପରେ ଆଧାର କରି ରୋଗୀଙ୍କୁ ଯୋଗାଣ କରାଯାଉଥିବା ଅମ୍ଳଜାନକୁ ନିୟନ୍ତ୍ରଣ କରିଥାଏ । ଏହି ଅନୁମୋଦନରେ, ଏକ ଲକ୍ଷ ସାଧାରଣ ଏବଂ ୫୦ ହଜାର ସ୍ୱୟଂଚାଳିତ ଅକ୍ସିକେୟାର ପ୍ରଣାଳୀ ସହିତ ନନ-ରିବ୍ରେଦର ମାସ୍କ କ୍ରୟ କରାଯାଉଛି ।

ଅକ୍ସିକେୟାର ପ୍ରଣାଳୀ SpO2 ସ୍ତର ଉପରେ ଆଧାର କରି ସହାୟକ ଅମ୍ଳଜାନ ଯୋଗାଣ କରିଥାଏ ଏବଂ ବ୍ୟକ୍ତିଙ୍କୁ ହାଇପୋକ୍ସିଆ ବା ଅମ୍ଳଜାନ ସ୍ତର ହ୍ରାସ ଭଳି ସାଂଘାତିକ ଅବସ୍ଥାରୁ ରକ୍ଷା କରିଥାଏ । ଅତ୍ୟଧିକ ଉଚ୍ଚତା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ପାଇଁ ଡିଆରଡିଓର ବେଙ୍ଗାଲୁରୁସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟ୍ରୋ ମେଡିକାଲ ପରୀକ୍ଷାଗାର (ଡିଇବିଇଏଲ) ଦ୍ୱାରା ଏହି ପ୍ରଣାଳୀ ବିକଶିତ କରାଯାଇଥିଲା । କ୍ଷେତ୍ରୀୟ ପରିସ୍ଥିତିରେ କାର୍ୟ୍ୟ କରିବା ପାଇଁ ପ୍ରଣାଳୀକୁ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି ଏବଂ ବେଶ ସୁଦୃଢ଼। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ପ୍ରଭାବୀ ଢଙ୍ଗରେ ବ୍ୟବହୃତ ହୋଇପାରିବ ।

ଦୁଇ ପ୍ରକାରରେ ଏହି ସିଷ୍ଟମକୁ ବିକଶିତ କରାଯାଇଛି। ମୂଳ ସଂସ୍କରଣରେ ୧୦-ଲିଟର ଅମ୍ଳଜାନ ସିଲିଣ୍ଡର, ଏକ ପ୍ରେସର ରେଗୁଲେଟର ସହିତ ଫ୍ଲୋ କଣ୍ଟ୍ରୋଲର, ଏକ ହ୍ୟୁମିଡିଫାୟର ଏବଂ ନାଜାଲ କାନ୍ନୁଲା ରହିଛି । SpO2ର ସ୍ତରକୁ ଅନୁଧ୍ୟାନ କରି ଅମ୍ଳଜାନ ପ୍ରବାହ ସାଧାରଣ ଭାବେ ନିୟନ୍ତ୍ରିତ ହୋଇଥାଏ। ଦ୍ୱିତୀୟ ସଂସ୍କରଣରେ, ଅମ୍ଳଜାନ ସିଲିଣ୍ଡର ଇଲେକ୍ଟ୍ରୋନିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ପ୍ରସ୍ତୁତ ହୋଇଛି ଯାହା ଲୋ ପ୍ରେସର କଣ୍ଟ୍ରୋଲର ଏବଂ ଏକ SpO2 ପ୍ରୋବ୍ ଜରିଆରେ ସ୍ୱୟଂଚାଳିତ ଭାବେ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।

SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ ରୋଗୀର SpO2 ସ୍ତରକୁ ଅନୁଧ୍ୟାନ କରି ଅମ୍ଳଜାନର ଉପଯୋଗକୁ ଅନୁକୂଳ କରିଥାଏ ଏବଂ ପୋର୍ଟେବଲ୍ ଅମ୍ଳଜାନ ସିଲିଣ୍ଡରର ସହନଶକ୍ତିକୁ ପ୍ରଭାବୀ ଢଙ୍ଗରେ ବଢ଼ାଇଥାଏ। ସିଷ୍ଟମରୁ ଅମ୍ଳଜାନ ଯୋଗାଣ ପାଇଁ SpO2 ପରିମାଣର ସୀମା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। SpO2 ସ୍ତରକୁ ନିରନ୍ତର ଭାବେ ନଜର ରଖିବା ପାଇଁ ଏକ ଡିସ୍ପ୍ଲେ ପ୍ରଦାନ କରାଯାଇଛି । ବାରମ୍ବାର ଅକ୍ସିଜେନ ସ୍ତର ଯାଞ୍ଚ କରିବା ଏବଂ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିବାର ଆବଶ୍ୟକତାକୁ ହ୍ରାସ କରିବା ଫଳରେ ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ କାର୍ୟ୍ୟ ଭାର ଏବଂ ରୋଗୀଙ୍କ ନିକଟକୁ ଯିବାର ବିପଦକୁ କମାଇବ।

ସ୍ୱୟଂଚାଳିତ ପ୍ରଣାଳୀ ମଧ୍ୟ କମ୍ SpO2 ସ୍ତର ଏବଂ ପ୍ରୋବ ବିଚ୍ଛିନ୍ନତା ସହିତ ବିଭିନ୍ନ ବିଫଳତା ପରିସ୍ଥିତି ପାଇଁ ଉପଯୁକ୍ତ ଶବ୍ଦ ମାଧ୍ୟମରେ ଚେତାବନୀ ପ୍ରଦାନ କରିଥାଏ। ଅମ୍ଳଜାନର ଦକ୍ଷ ଉପଯୋଗ ପାଇଁ ଅକ୍ସିକେୟାର ପ୍ରଣାଳୀ ସହିତ ନନ୍-ରିବ୍ରେଦର ମାସ୍କଗୁଡ଼ିକ ସଂଯୁକ୍ତ ହୋଇଛି, ଫଳସ୍ୱରୂପ ଏହା ୩୦-୪୦% ଅମ୍ଳଜାନ ସଞ୍ଚୟରେ ସହଯୋଗ କରିଥାଏ । ପ୍ରତ୍ୟେକ ରୋଗୀଙ୍କ ପାଇଁ ନନ୍-ରିବ୍ରେଦର ମାସ୍କଗୁଡ଼ିକୁ ପରିବର୍ତ୍ତନ କରାଯିବା ଆବଶ୍ୟକ । ଏହି ଅକ୍ସିକେୟାର ପ୍ରଣାଳୀଗୁଡିକ ଘରେ, ସଙ୍ଗରୋଧ କେନ୍ଦ୍ରରେ, କୋଭିଡ ସେବା କେନ୍ଦ୍ରରେ ଏବଂ ହସ୍ପିଟାଲରେ ବ୍ୟବହାର କରାଯାଇପାରିବ ।

ଡିଆରଡିଓ ଏହି ଟେକ୍ନୋଲୋଜିକୁ ଭାରତର ଏକାଧିକ ଶିଳ୍ପକୁ ପ୍ରଦାନ କରିଛି ଯାହାଦ୍ଵାରା ଅଧିକ ପରିମାଣରେ ଏହି ଅକ୍ସିକେୟାର ପ୍ରଣାଳୀ ଉତ୍ପାଦନ କରାଯାଇପାରିବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ରୋରୋ ସେବା ମାଧ୍ୟମରେ ୩୨୯ ଟନ୍ ଅମ୍ଳଜାନ ପରିବହନ

ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିପାରିଛି। ବର୍ତ୍ତମାନର କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ଅମ୍ଳଜାନ ଯୋଗାଇବା ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ସାଇଡିଂରୁ ସମୁଦାୟ ୧୮୭ ଟନ୍ LMO ପରିବହନ ହୋଇସାରିଛି। ସେହିଭଳି ୧୦୫ ଟନ୍ LMO ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍, ବିଶାଖାପାଟନମ୍ ଏବଂ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ୩୧ ଟନ୍ LMO ପରିବହନ କରାଯାଇଛି। ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକୁ ଶୀଘ୍ର ଅମ୍ଳଜାନ ଆବଶ୍ୟକତା ରହିଥିବାବେଳେ ରାଜ୍ୟଗୁଡିକ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନର ଆବଶ୍ୟକତା କରୁଛନ୍ତି।

ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଅନୁରୋଧ ଗ୍ରହଣ କରି ଭାରତୀୟ ରେଳ ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ସବୁଜ କରିଡର ଯୋଗାଇ ଦିଆଯାଇଛି। ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ସମଗ୍ର ଦେଶରେ କୋଭିଡ -୧୯ ରୋଗୀଙ୍କ ପାଇଁ ମେଡିକାଲ ଗୁଡିକରେ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକର ଅନୁରୋଧକୁ ଭାରତୀୟ ରେଳ ସୁନିଶ୍ଚିତ କରି ଅମ୍ଳଜାନ ପରିବହନ କରୁଛି।

୧୦୫ ଟନ୍ LMO ପରିବହନ କରିଥିବା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ୭ ଟ୍ୟାଙ୍କରରେ ବିଶାଖାପାଟନମରୁ ଛାଡିଥିଲା। ପୂର୍ବତଟ ରେଳପଥରୁ ଦ୍ୱିତୀୟ ଅକ୍ସିଜେନ ଏକ୍ସପ୍ରେସ ହରିୟାଣା ପାଇଁ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୨ ଟନ୍ ଖଗଙ ପରିବହନ କରିଥିଲା। ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ତୃତୀୟ ଅମ୍ଳଜାନ ଏକ୍ସପ୍ରେସ ପାଞ୍ଚ ଟ୍ୟାଙ୍କରରେ ୬୩.୬ ଟନ୍ ଖଗଙ ପରିବହନ କରି ଭାରତୀୟ ରେଳବାଇର ରୋରୋ ସେବା ଦ୍ୱାରା ତେଲେଙ୍ଗାନା ଅଭିମୁଖେ ଯାତ୍ରା କଲା।

ସେହିଭଳି, ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୦.୬ ଟନ୍, ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରେ ୩୦.୮୬ ଟନ୍ ଏବଂ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଚାରି ଟ୍ୟାଙ୍କରେ ୬୦.୨୩ ଟନ୍ LMO ଯଥାକ୍ରମେ ଫରିଦାବାଦ, ଦିଲ୍ଲୀ କ୍ୟାଣ୍ଟ ଏବଂ ଝଘଇଏ କୁ ରୋରୋ ସେବା ମାଧ୍ୟମରେ ପଠାଯାଇଅଛି।

ବିଭିନ୍ନ ରାଜ୍ୟରୁ ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକରୁ LMO ପରିବହନ କରିବାପାଇଁ ଆସୁଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ଭାବରେ ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗକୁ ତ୍ୱରାନ୍ୱିତ ଏବଂ ହ୍ରାସ କରାଯାଇପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି।

Categories
ଜାତୀୟ ଖବର ବିଶେଷ ଖବର

ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।

ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା ୫ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।

ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି ୧୦,୦୦୦ ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।

ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି ୧୫୦୦ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର‌୍ୟ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।