Categories
ଅପରାଧ ଆଜିର ଖବର ଜାତୀୟ ଖବର

ମଦ ପାଇଁ ମା’ର ମୁଣ୍ଡ କାଟିଲା ପୁଅ

ତେଲେଙ୍ଗାନା : ମଦ ନିଶାରେ ମଣିଷ ଅମଣିଷ ପାଲଟି ଯାଉଛି । ନିଶା ପାଇଁ ମଣିଷ ପଶୁ ପାଲଟି ଯାଉଛି । ଏହିପରି ଏକ ଘଟଣା ତେଲେଙ୍ଗାନାରୁ ସାମ୍ନାକୁ ଆସିଛି । ମଦ ପାଇଁ ଜଣେ ପୁଅ ନିଜ ଜନ୍ମିତ ମା’ର ମୁଣ୍ଡ କାଟି ଦେଇଥିବାର ସୂଚନା ରହିଛି । କ୍ରୂରତା ସୀମା ପାର କରୁଥିବା ଏହି ଘଟଣା ତେଲେଙ୍ଗାନାଠାରେ ଘଟିଥିବାର ସୂଚନା ରହିଛି ।  ମଦ ପାଇଁ ମା’କୁ ପଇସା ମାଗିଥିଲା ପୁଅ । ମା’ ପଇସା ନ ଦେବାରୁ ପୁଅଟି ଅସୁର ରୂପ ଧାରଣ କରି ମା’ର ବେକ କାଟି ଦେଇଥିବାବେଳେ ମା’ର ମୁଣ୍ଡକୁ ନେଇ ଫେରାର ହୋଇଯାଇଥିଲା ।

ପୋଲିସ୍‌ ସୂଚନା ଅନୁସାରେ ମୃତକା ଜଣକ 65 ବର୍ଷୀୟ ହୋଇଥିବାବେଳେ ତେଲେଙ୍ଗାନାର ନାଗରକୁର୍ନଲ୍‌ ଜିଲ୍ଲାର ଏକ ଗ୍ରାମରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । 45 ବର୍ଷୀୟଅଭିଯୁକ୍ତ ଜଣକୁ ଏକ ଟ୍ୟାଙ୍କି ନିକଟରୁ ପୋଲିସ୍‌ ଧରିଥିବାବେଳେ  କଟାମୁଣ୍ଡ ମଧ୍ୟ ଉଦ୍ଧାର କରିଛି । ଅଭିଯୁକ୍ତଙ୍କ ବଡ ଭାଇଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ : ନିଶାରେ ଘରେ ନିଆଁ ଲଗାଇ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ : ମଦ କାରଣରରୁ ଅନେକ ସ୍ଥାନରେ ସାମାଜିକ ବିଶୃଙ୍ଖଳା ଦେଖା ଦେଉଛି ତ କେଉଁଠି ପାରିବାରିକ ଝଗଡା । ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଢାଖୋଲରେ । ରେଢାଖୋଲର ଲୁହାପଙ୍କ ଗ୍ରାମରେ ଏକ ଅଭବାନୀୟ ଘଟଣା ଘଟିଛି । ମଦ ନିଶାରେ ଚୁର ପୁଅ ନିଜ ଘରେ ନିଆଁ ଲଗାଇ କେଉଁ ଆଡେ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ ।

ଶନିବାର ସନ୍ଧ୍ୟାରେ ଗ୍ରାମର ବଲ୍ଲଭ ପ୍ରଧାନଙ୍କ ପୁଅ ବନ୍ଧୁଆ ପ୍ରଧାନ (୩୩) ଅତ୍ୟଧିକ ମଦ୍ୟପାନ କରି ବାପା ମାଙ୍କୁ ଗାଳି ଗୁଲଜ ଦେବା ସହ , ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଛି । ଘରେ ନିଆଁ ଲାଗିବା ପରେ ସୌଭାଗ୍ୟ ବଶତଃ ବାପା ମା ଘର ଭିତରୁ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ପୁଅର ଏପରି କାର୍ଯ୍ୟରେ ବାପା ମା ଭୟଭୀତ ହୋଇଯାଇଥିଲେ । ମଦୁଆ ପୁଅକୁ କିଛି ବି କହିବାକୁ ସାହାସ ବାନ୍ଧି ପାରି ନ ଥିଲେ । ରେଢାଖୋଲରୁ ଦମକଳ ଗାଡି ଯାଇ ନିଆଁକୁ ଆୟତ କରିଥିଲା । ବହୁ ଜିନିଷ ପତ୍ର ନିଆଁରେ ଜଳିପୋଡି ନଷ୍ଟ ହୋଇଯାଇଥିଲା । ବାପା ବଲ୍ଲଭ ପ୍ରଧାନ ପୁଅ ନାଁରେ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ରେଢାଖୋଲ ଥାନାଧିକାରୀ ସୂତ୍ରରୁ ପ୍ରକାଶ । କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୁରଣ ଦେବାକୁ ଦାବି ହେଉଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମଦର ହୋମ୍‌ ଡେଲିଭରୀ ଆରମ୍ଭ : ଜାଣନ୍ତୁ କେଉଁ ସହରରରେ ସେବା ଆରମ୍ଭ କଲା ସ୍ବିଗି

ରାଞ୍ଚି : ଏଣିକି ମଦରେ ହେବ ହୋମ୍‌ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍‌ ଡେଲିଭରୀ ଆରମ୍ଭ କରିଛି ଫୁଡ୍‌ ଡେଲିଭରୀ ଆପ୍‌ ସ୍ବିଗି । ବୁଧବାର ଠାରୁ ଝାରଖଣ୍ଡରେ ଏହି ସେବାର ଆରମ୍ଭ କରାଯାଇଛି । ଏହି ସେବା ପାଇଁ ଅତିରିକ୍ତ ଭାବରେ 25 ପ୍ରତିଶତ ଟିକସ ଆଦାୟ କରାଯାଉଥିବା ଜଣାପଡିଛି । କେବଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ସେବା ଆରମ୍ଭ କରାଯାଇଛି । ଝାରଖଣ୍ଡ ସରକାରଙ୍କ ପକ୍ଷରୁ ସ୍ବିଗି ଏନେଇ ଆବଶ୍ୟକୀୟ ଅନୁମତି ହାସଲ କରିନେଇଛି । ରାଜ୍ୟର ଅନ୍ୟ ପ୍ରମୁଖ ସହର ଗୁଡିକରେ ଏହି ସେବାକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସ୍ବିଗିର ଉପସଭାପତି ଅନୁଜ ରାଠୀ ପ୍ରକାଶ କରିଛନ୍ତି । ସ୍ବିଗି ଆପ୍‌କୁ ଅପ୍‌ଡେଟ୍‌ କରାଇବା ଦ୍ବାରା ଏହି ସେବାର ଲାଭ ଉଠାଯାଇପାରିବ ବୋଲି ସ୍ବିଗି ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି : ମଦର ହେବ ହୋମ୍‌ ଡେଲିଭରୀ

ନୂଆଦିଲ୍ଲୀ : ଏଣିକି ମଦର ହେବ ହୋମ୍‌ ଡେଲିଭରୀ । ଶୁକ୍ରବାର ସୁପ୍ରିମକୋର୍ଟ ଏହି ଘୋଷଣା କରିଛନ୍ତି । ମଦ ଦୋକାନ ଖୋଲାଯିବା ପରଠାରୁ ଅହେତୁକ ଭିଡ କାରଣରୁ ସମସ୍ତ ରାଜ୍ୟ ସରକାର ହୋମ୍‌ ଡେଲିଭରୀ ବ୍ୟବସ୍ଥା ଆପଣେଇବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନରେ ସାମାଜିକ ଦୂରତ୍ବର ପାଳନ ହେଉନଥିବାରୁ ସର୍ବୋଚ୍ଚ କୋର୍ଟ ଏହି ଘୋଷଣା କରିଛନ୍ତି । ତେବେ ଏନେଇ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି କରିନାହାନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍‌ ଅଶୋକ ଭୂଷଣ ଏହି ମାମଲାର ବିଚାର କରିବା ସହିତ ରାଜ୍ୟ ମାନେ ହୋମ୍‌ ଡେଲିଭରୀ ସମ୍ପର୍କରେ ବିଚାର କରିବା ଉଚିତ୍‌ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ମେ 4 ତାରିଖରୁ ମଦ ଦୋକାନ ଖୋଲିବାର ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ସରକାରୀ ଗୋଦାମରୁ ଗାଏବ ହୋଇଛି 86 ଲକ୍ଷ ଟଙ୍କାର ମଦ

କର୍ଣ୍ଣାଲ : ଲକ୍‌ଡାଉନ୍‌ ସମୟରେ ହରିୟାଣା ସରକାରଙ୍କ ଏକ ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ୍‌ ହୋଇଯାଇଛି । ହରିୟାଣାର ପାନିପତ ସହରରେ ଅବସ୍ଥିତ ଏହି ଗୋଦାମରୁ 86 ଲକ୍ଷ ଟଙ୍କାର ମଦ ଗାଏବ ହୋଇଯାଇଛି । ତେବେ ଏହି ଘଟଣା ପରେ ଏହି ଗୋଦାମରେ ରହିଥିବା ବଳକା ମଦକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । 2016ରୁ ଏହି ଗୋଦାମଟିକୁ ସିଲ୍‌ କରାଯାଇଥିବା ବେଳେ ଏହା ମଧ୍ୟରୁ ମଦ କିପରି ଗାଏବ ହେଲା ସେ ନେଇ ପ୍ରଶ୍ନ ଉଠିଛି । ହରିୟାଣାର ସୋନିପତ୍‌ ସହରରୁ ମଦ ଜବତ ହେବା ପରେ ସ୍ଥାନୀୟ ଅଧିକାରୀ ରାଜେଶ ରୋହିଲ୍ଲାଙ୍କ ଅନୁସନ୍ଧାନ ପରେ ଏହି ଘଟଣା ସମ୍ମୁଖକୁ ଆସିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭିଡ ନିୟନ୍ତ୍ରଣ ପାଇଁ ମଦ ମୂଲ୍ୟ 50 ପ୍ରତିଶତ ବଢାଇଲା ଏହି ରାଜ୍ୟ

ଅମରାବତୀ : ଗତକାଲି ଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ମଦ କିଣିବା ପାଇଁ ଲୋକଙ୍କର ଅହେତୁକ ଭିଡ ପରିଲକ୍ଷିତ ହେଉଛି । ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେବା ସହିତ ସାମାଜିକ ଦୂରତ୍ବକୁ ମଧ୍ୟ ଅବମାନନା କରୁଛନ୍ତି । ଏହାକୁ ଦୂର କରିବା ପାଇଁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଦ ଉପରେ 70 ପ୍ରତିଶତର ସ୍ବତନ୍ତ୍ର କରୋନା ଫି ଲଗାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ରାଜ୍ୟ ଭାବରେ ସମାନ ପଦକ୍ଷେପ ଗ୍ରହଣ କରିଛି । ଆନ୍ଧ୍ରପ୍ରଦେଶ ସରକାର ମଦ ମୂଲ୍ୟକୁ ପ୍ରାୟ ଦୁଇ ଗୁଣ କରି ଦେଇଛନ୍ତି । ଗତକାଲି ସରକାରଙ୍କ ପକ୍ଷରୁ ଏହାକୁ 25 ପ୍ରତିଶତ ବଢାଯାଇଥିଲା । ମାତ୍ର ଭିଡ ଅତ୍ୟଧିକ ହେବାରୁ ମଙ୍ଗଳବାର ଦିନ ଏହାକୁ 25ରୁ 50 ପ୍ରତିଶତକୁ ବଢାଇ ଦିଆଯାଇଛି । ଆନ୍ଧ୍ର ପ୍ରଦେଶରେ ଦିନ 12ଟାରୁ ଅପରାହ୍ନ 7ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପରେ ରାତିଅଧିଆ ଚୋରାମଦ ଚାଲାଣ

ଋଞ୍ଜିତ ପଣ୍ଡା
କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମଦ ବିକିବାକୁ ମନା କରିବାରୁ ମହିଳାଙ୍କୁ ଗୁଳିକରି ହତ୍ୟା

ରାଞ୍ଚି : ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ ବିକିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ବୁଧବାର ଝାଡଖଣ୍ଡର ଗୁମ୍‌ଲା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କେବଳ ଜରୁରୀ କାଳୀନ ଆବଶ୍ୟକୀୟ ସାମଗ୍ରୀର ବିକ୍ରୟକୁ ଅନୁମତି ପ୍ରଦାନ କରାଯାଇଛି । ଗୁମ୍‌ଲା ଜିଲ୍ଲାର ସୁରସାଙ୍ଗ ଜିଲ୍ଲାର ସରୋ ଦେବୀଙ୍କୁ ହତ୍ୟା କରାଯାଇଛି । ସରୋ ଦେବୀ ଦେଶୀ ମଦ ବିକ୍ରୟ କରନ୍ତି । ବୁଧବାର ଦୁଇ ଜଣ ଅଜଣା ବ୍ୟକ୍ତି ମଦ ମାଗିଥିବା ବେଳେ ସରୋ ଦେବୀ ବିକ୍ରି ପାଇଁ ମନା କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତି ସରୋ ଦେବୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଶବକୁ ଜବତ କରିବା ସହିତ ଅପରାଧୀଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି କରିଛି । (ଏଜେନ୍ସି)