Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟରେ ଜାନୁଆରୀ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢିଲା

ମୁମ୍ବାଇ : ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ର ଅବଧିକୁ ଜାନୁଆରୀ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ନୂଆ ବର୍ଷ ଥିବାରୁ ଘର ବାହାରେ ପାଳନ ନ କରି ଘରେ ରହି ପାଳନ କରିବାକୁ ସରକାର ଅପିଲ୍‌ କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।  ଜାରି ହୋଇଥିବା ଏହି ମାର୍ଗଦର୍ଶିକାରେ ନୂଆ ବର୍ଷର ସ୍ବାଗତ ପାଇଁ ମରିନ୍‌ ଡ୍ରାଇଭ୍‌, ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ, ଜୁହୁଠାରେ ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଦଶ ବର୍ଷରୁ ସାନ ପିଲା ଓ 60ବର୍ଷରୁ ଅଧିକ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାର୍ବଜନିକ ସ୍ଥାନରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର୍‌କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ନୂଆବର୍ଷ ଦିନ ହୋଟେଲ୍‌, ରେଷ୍ଟୁରାଣ୍ଟ, ପବସ୍‌ ଆଦି ରାତ୍ରି 11ଟା ପର୍ଯ୍ୟନ୍ତ ଖୋଲିବାକୁ ମଞ୍ଜୁରୀ ଦିଆଯାଇଛି । ରାତ୍ରି 11ଟା ପରେ ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବ । କରୋନାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୂର୍ବରୁ ରାତ୍ରି କର୍ଫ୍ୟୁ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିବ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଅବଧି ସେପ୍ଟେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ତେବେ ସେପ୍ଟେମ୍ବର 8ରୁ ରାଜ୍ୟରେ ମେଟ୍ରୋ ରେଳ ସେବା ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟରେ 7,11 ଓ 12 ତାରିଖରେ ସମ୍ପୂଣ୍ଣ ଲକଡାଉନ୍‌ ଜାରି ରହିବ ।  ଏନେଇ ରାଜ୍ୟ ସରକାର ସୋମବାର ଦିନ ଆଦେଶ ଜାରି କରିଛନ୍ତି । ପୂର୍ବବତ୍‌ ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ପ୍ରେକ୍ଷାଳୟ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ।ସେହିପରି ରାଜ୍ୟରେ ସ୍କୁଲ କଲେଜ ମଧ୍ୟ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି ।

ଅପରପକ୍ଷରେ, କଣ୍ଟେନମେଣ୍ଟ ଜୋନ ବାହାର ଅଞ୍ଚଳରେ ଓପନ୍‌ ଥିଏଟର ସେପ୍ଟେମ୍ବର 21 ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କଲା ଏହି ରାଜ୍ୟ

ମଣିପୁର : ମଣିପୁର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ରାଜ୍ୟରେ ଅଗଷ୍ଟ 15 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ରହିଥିଲା । ତେବେ ଆଜି ଏହି ଅବଧିକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ମଣିପୁରରେ ଏବେ 1825 କରୋନା ମାମଲା ରହିଛି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବାଙ୍କ ସଂଖ୍ୟା 2 ହଜାର 360 ରହିଛି ।ତେବେ ଏହି କରୋନା ଯୋଗୁଁ 13ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ 31 ଯାଏ ଲକଡାଉନ୍ ବଢାଇଲା ଏହି ରାଜ୍ୟ, କାହିଁକି ନେଲେ ଏପରି ନିଷ୍ପତ୍ତି ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଲକଡାଉନକୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଲଗାତର ଭାବରେ  କରୋନାର ପ୍ରକୋପ ବୃଦ୍ଧିକୁ   ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟରେ ଟ୍ରେନ୍ କିମ୍ବା ମେଟ୍ରୋ ସେବା ବନ୍ଦ ରହିବ। ଏହାସହ ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ ରଖାଯିବ। ଏପରିକି କାର୍ଯ୍ୟାଳୟରେ ସାମାଜିକ ଦୂରତା ସହ ଯେପରି କାମ ଚାଲୁଛି, ତାହା ଜାରି ରହିବ।

ସୂଚନୋଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15,173ରେ ପହଞ୍ଚିଛି। ରାଜ୍ୟରେ କୋରୋନ ଜନିତ ମୃତ୍ୟୁ ସଂଖ୍ୟା 591କୁ ବୃଦ୍ଧି ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମଇ 31 ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଅବଧିକୁ ବଢାଇଲେ ପଞ୍ଜାବ ସରକାର

ପଞ୍ଜାବ : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବ ସରକାର ଲକ୍‌ ଡାଉନ୍‌ର ଅବଧିକୁ ମେ 31 ପର୍ଯ୍ୟନ୍ତ ବଢାଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି ଯେ, ମେ 18ରୁ ଲକ୍ ଡାଉନ୍‌ -4ରେ କିଛି କଟକଣାକୁ କୋହଳ କରାଯିବ। ଏଥିପାଇଁ ଜନତାଙ୍କ ସମର୍ଥନ ଆବଶ୍ୟକ। ତେବେ ପଞ୍ଜାବ ସରକାର ରାଜ୍ୟରେ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ମେ 18ରେ ଜାରି ହେବାକୁ ଥିବା ଲକ୍‌ଡାଉନ୍‌ 4.0ରେ କିପରି କଟକଣା ରହିବ ସେ ନେଇ କେନ୍ଦ୍ର ସରକାର ସୂଚନା ଦେବେ। ତେବେ ପଞ୍ଜାବ ସରକାର ରାଜ୍ୟରେ କିଛି କଟକଣାକୁ କୋହଳ କରିବେ। କିନ୍ତୁ ଯେଉଁଠାରେ ଅଧିକ ମାତ୍ରାରେ କରୋନା ସମ୍ପର୍କିତ ମାମଲା ରହିଛି, ସେଠାରେ କଟକଣା ଜାରି ରହିବ। କରୋନା ସ୍ଥିତିକୁ ନେଇ ଜାରି ହେଉଥିବା ରେଡ୍‌ ଜୋନ୍‌, ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜନ ଜୋନ୍‌ ସପକ୍ଷରେ ପଞ୍ଜାବ ସରକାର ନଥିବାବେଳେ କଣ୍ଟେନମେଣ୍ଟ ଜୋନ ଓ ନନ୍‌ କଣ୍ଟେନମେଣ୍ଟ ଜୋନ୍‌ ପକ୍ଷରେ ରହିଛନ୍ତି।

ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଦେଶରେ ଆଉ ଦୁଇ ସପ୍ତାହ ପାଇଁ ଲକ୍‌ ଡାଉନ୍‌ ବଢାଇପାରନ୍ତି ବୋଲି ସୂଚନା ମିଳୁଛି। ଏହା ମେ 31 ପର୍ଯ୍ୟନ୍ତ ଚାଲି ରହିବ। କିନ୍ତୁ ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କ’ଣ କ’ଣ କୋହଳ ହେବ ଏହାକୁ ନେଇ ରବିବାର ଦିନ ସରକାରଙ୍କ ତରଫରୁ ଜାରି କରାଯାଇପାରେ। ଲକ୍‌ ଡାଉନ୍‌ 4କୁ ନେଇ କେନ୍ଦ୍ର ସରକାର ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରସ୍ତାବ ମାଗିଥିଲେ। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍‌ 4.0 ଜାରି କରାଯିବ ବୋଲି ସୂଚନା ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 29 ଯାଏଁ ଲକ୍‌ ଡାଉନକୁ ବୃଦ୍ଧି କଲେ ତେଲେଙ୍ଗାନା ସରକାର

ତେଲେଙ୍ଗାନା : ଦେଶରେ କରୋନା ସ୍ଥିତି ଜଟିଳ ରହିଛି । କରୋନା ମୁକାବିଲା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଜାରି ରହିଛି । ମେ 4 ତାରିଖରୁ ଆରମ୍ଭ ହୋଇ ଏହା ମେ 17 ପର୍ଯ୍ୟନ୍ତ ଜାରି ରହିବ । ଏହା ମଧ୍ୟରେ ତେଲେଙ୍ଗାନା ସରକାର ମେ 29 ଯାଏଁ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ରାଜ୍ୟରେ 1000ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ 29ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଏହି ପର୍ଯ୍ୟାୟରେ କିଛି କିଛି କଟକଣାକୁ କୋହଳ କରାଯାଇଛି । ଦେଶକୁ ତିନୋଟି ଜୋନ୍‌ରେ ଭାଗ କରାଯାଇଛି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଭାଗ କରାଯାଇ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି ।ସୂଚନାଯୋଗ୍ୟ ଦେଶରେ 46,711 ଜଣ ସଂକ୍ରମିତ ହୋଇଥିବାବେଳେ 1583ଜଣଙ୍କର ମୃତ୍ୟୁ ହୋଇଛି ।  (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପନ୍ଦର ଦିନ ପାଇଁ ଲକ୍‌ ଡାଉନ୍‌ର ଅବଧିକୁ ବଢାଇଲା ପାକିସ୍ତାନ

ପାକିସ୍ତାନ :  ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଭାରତ, ପାକିସ୍ତାନ ସମେତ ସାରା ଦୁନିଆରେ ପ୍ରଭାବ ବିସ୍ତାର କରିଛି । କରୋନା ଯୋଗୁଁ ପାକିସ୍ତାନରେ ସ୍ଥିତି ମଧ୍ୟ ବେଶ୍‌ ଜଟିଳ ରହିଛି । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 510ଜଣ ରହିଥିବାବେଳେ ମୃତକଙ୍କ ସଂଖ୍ୟା 240ରୁ ଉର୍ଦ୍ଧ୍ବ ରହିଛି ।

ଭାରତ ପରି ପାକିସ୍ତାନରେ ମଧ୍ୟ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ତେବେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ଇମ୍ରାନ ଖାନ୍‌ ଦେଶରେ ଲକ୍‌ ଡାଉନ୍‌କୁ 15 ଦିନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପାକିସ୍ତାନର ପ୍ଲାନିଂ ମିନିଷ୍ଟର୍‌ ଅସଦ୍‌ ଅମର୍‌ ଲକ୍ ଡାଉନ୍‌ ଅବଧିର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏବେ ପାକିସ୍ତାନରେ ମଇ 9 ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଜାରି ରହିବ।

ମନ୍ତ୍ରୀ ଅସଦ୍‌ କହିଛନ୍ତି ଯେ, ସରକାର ବିଚାର ବିମର୍ଶ କରି ଦେଶବ୍ୟାପୀ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ନିଷ୍ପତ୍ତି କରିଛନ୍ତି । ଦେଶରେ ସ୍ଥାନୀୟ ସ୍ତରରେ ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ବିଦେଶ ଯାତ୍ରା କାରଣରୁ ସଂକ୍ରମଣ ହେଉଥିବାବେଳେ ସ୍ଥାନୀୟ ସଂକ୍ରମଣ ମାତ୍ର 21 ପ୍ରତିଶତ ଥିଲା । ମାତ୍ର ଏବେ ଏହା 79 ପ୍ରତିଶତରେ ପହଞ୍ଚିଛି ।

ସେହିପରି ସାରା ବିଶ୍ବରେ କରୋନା ଜନିତ ସଂକ୍ରମଣ ମାମଲା 27 ଲକ୍ଷ ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 92 ହଜାର ପାର କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମେ‘ 7 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କଲେ କେସିଆର୍‌

ତେଲେଙ୍ଗାନା : ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ମଇ 3 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବାବେଳେ ତେଲେଙ୍ଗାନା ସରକାର ଏବେ ଏହି ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ତେଲେଙ୍ଗାନା ସରକାର ମେ’ 7 ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି ।

କେସିଆର କହିଛନ୍ତି ଯେ, ତେଲେଙ୍ଗାନାରେ ଲକ୍ ଡାଉନ୍‌ ଅବଧିକୁ ମେ’ 7 ତାରିଖ ଯାଏଁ ଜାରି ରହିବ । ଏହା ମେ 8 ତାରିଖରେ ଶେଷ ହେବ । ବିଦେଶରୁ ଫେରିଥିବା 64 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ତେଲେଙ୍ଗାନା  ସରକାର ସୂଚନା ଦେଇଛନ୍ତି ।  ସେହିପରି ଦିଲ୍ଲୀ ନିମାଜୁଦ୍ଦିନ ସ୍ଥିତ ମରକଜରେ ସାମିଲ୍‌ ହୋଇଥିବା ଜମାତୀଙ୍କ ଯାତ୍ରା ଇତିହାସ ଉପରେ ଅନୁସନ୍ଧାନ ଚଲାଇଛନ୍ତି ।

ସେହିପରି ତେଲେଙ୍ଗାନା ସରକାର ରାଜ୍ୟରେ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌କୁ ମଧ୍ୟ ବନ୍ଦ ରଖିଛନ୍ତି। ଅନ୍‌ ଲାଇନ୍‌ ଖାଦ୍ୟ ଯୋଗାଣା କାରୀ ସଂସ୍ଥା ଜୋମାଟୋ, ସ୍ବିଗିୀ ଓ ପିଜ୍ଜା ଡେଲିଭରୀ ଆଦିକୁ ପୂରାପୂରି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର କହିଛନ୍ତି ଯେ, ଯଦି ଆମେ ପିଜ୍ଜା ଖାଇବାନି, ତେବେ ମରି ଯିବା ନାହିଁ ।  ସେହିପରି ମେ’ 5 ତାରିଖରେ କ୍ୟାବିନେଟ୍‌ ମିଟିଂରେ ରାଜ୍ୟର ଅବସ୍ଥାକୁ ଦେଖି ବିମାନ ସେବା ଉପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି କେସିଆର୍‌ ।  ସେହିପରି ରାମଜାନ୍‌ ସମୟରେ ଲକ୍‌ ଡାଉନ୍‌ କଟକଣାରେ କିଛି କୋହଳ କରାଯିବ ନାହିଁ । ଏହା କଡା ରୂପେ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 885ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 18ରେ ପହଞ୍ଚିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ଡାଉନକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି।

ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହାହିଁ ଏକମାତ୍ର ବାଟ।

ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା କେସ୍‌ ଆସିଲା ତା’ପରଠାରୁ ଆଜି ପର୍ଯ୍ୟନ୍ତ ୪୪ଟି କେସ୍‌ ଆସିଛି। ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି।

ଏହି ସମୟ ମଧ୍ୟରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍‌ ୩୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଛି। ୯/୧୧ର ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳି ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି। ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ କରିନାହିଁ।

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହୋଇଛି। ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ବ ଦେଇ ଆମେ ନିଷ୍ପତ୍ତି ନେଇଛୁ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକ୍‌ ଡାଉନ୍‌ ସମୟସୀମା ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କଲୁ। ରାଜ୍ୟ କ୍ୟାବିନେଟ୍‌ ଆଜି ଲକ୍‌ ଡାଉନ୍‌ ସମୟ ସୀମା ଏପ୍ରିଲ୍‌ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରିଛି। ସେହିପରି ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇ ଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି।

ଏହି ଲକ୍‌ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍‌ଆରଇଜିଏସ୍‌ କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଏସବୁ କାମରେ ସାମାଜିକ ଦୂରତ୍ବକୁ କଡାକଡି ଭାବରେ ପାଳନ କରାଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍‌ ଡାଉନ୍‌ ସମୟରେ ଯେପରି ମାଲ୍‌ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ କୋଭିଡର ଟେଷ୍ଟିଂ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରାପିଡ ଟେଷ୍ଟିଂ ସୁବିଧା ବିକାଶ କରିବା ପାଇଁ ଆମେ ପଦକ୍ଷେପ ନେଇଛୁ।

ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷା କରି ଟେଲି ମେଡିସିନ୍‌ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ମୁଁ ଘୋଷଣା କରୁଛି ରାଜ୍ୟର ସବୁ ସ୍କୁଲ କଲେଜକୁ ଜୁନ୍‌ ୧୭ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ ଶତ୍ରୁ ଭାବରେ ଦେଖାଦେଇଛି। ଜୀବନଯାତ୍ରା ଆଉ ଆଗଭଳି ରହିନାହିଁ। ଆମେ ସମେସ୍ତ ଏହା ବୁଝିବା ଦରକାର ଏବଂ ସାହସର ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ କାମ ରହିବା ଦରକାର। ମହାପ୍ରଭୁଙ୍କ ଆର୍ଶୀବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତରୁ ଆମକୁ ଶୀଘ୍ର ମୁକୁଳାଇ ପାରିବ।

Categories
ଆଜିର ଖବର ଜାତୀୟ ଖବର

ବଢିପାରେ ଲକ୍‌ ଡାଉନ୍‌ ! ସର୍ବଦଳୀୟ ବୈଠକରେ ଏନେଇ ମୋଦି ଦେଲେ ସଂକେତ

ନୂଆଦିଲ୍ଲୀ : କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ର ଅବଧି ବଢିପାରେ ବୋଲି ସୂଚନା ରହିଛି । ବିଭିନ୍ନ ଦଳର ନେତାଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସୂଚନା  ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିବାର କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏବେ ଲକ୍‌ ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।  ମାର୍ଚ୍ଚ 24 ତାରିଖରୁ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ର ଅବଧି ଏପ୍ରିଲ୍‌ 14 ତାରିଖରେ ସରିବାର ଥିଲା ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଥିଲେ ଯେ କରୋନା ସହ ଏହା ଏକ ଲମ୍ବା ଲଢେଇ ଅଟେ । ସମସ୍ତଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ଅଟେ । ଦେଶରେ ସ୍ଥିତି ଏବେ ସାମାଜିକ ଆପାତକାଳର ସହ ସମାନ ଅଟେ । ଏଥିପାଇଁ କିଛି ନିଷ୍ପତ୍ତି ନେବା ପୂର୍ବରୁ ଆମେ ନିରନ୍ତର ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

କରୋନା ଭାଇରସ୍‌ ଓ ଲକ୍‌ ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜନୈତିକ ଦଳର ଦଳୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।  ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ବିଜେପି, କଂଗ୍ରେସ, ଡିଏମ୍‌କେ, ଏଆଇଏଡିଏମ୍‌କେ, ଟିଆରଏସ୍‌, ସିପିଆଇଏମ୍‌, ଟିଏମ୍‌ସି, ଶିବସେନା, ଏନ୍‌ସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସ୍‌ସିପି, ବିଏସ୍‌ପି, ଓ୍ବାଇଏସଆର୍‌ କଂଗ୍ରେସ ଓ ବିଜେଡିର ନେତାମାନାଙ୍କ ସହ ଆଲୋଚନା କରିଥିଲେ ।

ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଏହି ଭାଇରସର ପ୍ରସାରକୁ ରୋକିବା ପାଇଁ ଲକ୍‌ ଡାଉନ୍‌ ନିୟର୍ମକୁ ବିସ୍ତାର କରିବା ପାଇଁ ପ୍ରସ୍ତାବ ଦେଇଥିବାର କହିଥିଲେ ମୋଦି । 80 ପ୍ରତିଶ ରାଜନୈତିକ ଦଳ ଏହି ଲକ୍‌ ଡାଉନ୍‌ ବଢାଇବା ସପକ୍ଷରେ ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ମିଶି ଏନେଇ  ଆଲୋଚନା କରିବା ପରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧିରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା 11 ତାରିଖରେ ନିଆଯିବ। ଶନିବାର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ର ସୀମା ବଢାଇବା ନେଇ ସରକାରଙ୍କ ପାଖରେ ଏଭଳି କିଛି ପ୍ରସ୍ତାବ ନାହିଁ 

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ସାରା ଦେଶରେ 21ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏବେ ଲୋକଙ୍କ ମନରେ ଏହି ଲକ୍‌ ଡାଉନ୍‌କୁ ଆହୁରି ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠିଛି। ତେବେ କ୍ୟାବିନେଟ୍‌ ସଚିବ ରାଜୀବ ଗାଓ୍ବା। ଏହି ଲକ୍‌ ଡାଉନକୁ ବୃଦ୍ଧି କରାଯିବା ନେଇ କିଛି ଯୋଜନା କରାଯାଇନାହିଁ ବୋଲି କହିଛନ୍ତି।

ରାଜୀବ ଗାଓ୍ବା କହିଛନ୍ତି ଯେ, କେନ୍ଦ୍ର ସରକାରରେ ପାଖରେ ଏମିତି କୌଣସି ଯୋଜନା ନାହିଁ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ଲକ୍‌ ଡାଉନ୍‌ ବୃଦ୍ଧି କରାଯିବା ନେଇ ଆକଳନ କରାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏହାର ଉତ୍ତରରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ କହିଛନ୍ତି ଯେ, ଦେଶରେ ଲକ୍‌ ଡାଉନ୍‌ ବର୍ଦ୍ଧିତ କରିବାକୁ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା କରାଯାଇନାହିଁ।

ଦେଶରେ କରୋନା ଭାଇରସ୍‌ ସହ ମୁକାବିଲା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କୁ ଘରୁ ବାହାରକୁ  ବାରଣ କରାଯାଇଛି। ସେହିପରି ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ୟୁନିଟି ସଂକ୍ରମଣ ରୋକିବା ପାଇଁ ସରକାର ଏଭଳି କଡା ପଦକ୍ଷେପ ନେଇଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତକଙ୍କ ସଂଖ୍ୟା 31ରେ ପହଞ୍ଚିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1140ରେ ପହଞ୍ଚିଛି। (ଏଜେନ୍ସି)