ପନ୍ଦର ଦିନ ପାଇଁ ଲକ୍‌ ଡାଉନ୍‌ର ଅବଧିକୁ ବଢାଇଲା ପାକିସ୍ତାନ

Published: Apr 24, 2020, 11:11 pm IST

ପାକିସ୍ତାନ :  ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଭାରତ, ପାକିସ୍ତାନ ସମେତ ସାରା ଦୁନିଆରେ ପ୍ରଭାବ ବିସ୍ତାର କରିଛି । କରୋନା ଯୋଗୁଁ ପାକିସ୍ତାନରେ ସ୍ଥିତି ମଧ୍ୟ ବେଶ୍‌ ଜଟିଳ ରହିଛି । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 510ଜଣ ରହିଥିବାବେଳେ ମୃତକଙ୍କ ସଂଖ୍ୟା 240ରୁ ଉର୍ଦ୍ଧ୍ବ ରହିଛି ।

ଭାରତ ପରି ପାକିସ୍ତାନରେ ମଧ୍ୟ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ତେବେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ଇମ୍ରାନ ଖାନ୍‌ ଦେଶରେ ଲକ୍‌ ଡାଉନ୍‌କୁ 15 ଦିନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପାକିସ୍ତାନର ପ୍ଲାନିଂ ମିନିଷ୍ଟର୍‌ ଅସଦ୍‌ ଅମର୍‌ ଲକ୍ ଡାଉନ୍‌ ଅବଧିର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏବେ ପାକିସ୍ତାନରେ ମଇ 9 ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଜାରି ରହିବ।

ମନ୍ତ୍ରୀ ଅସଦ୍‌ କହିଛନ୍ତି ଯେ, ସରକାର ବିଚାର ବିମର୍ଶ କରି ଦେଶବ୍ୟାପୀ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ନିଷ୍ପତ୍ତି କରିଛନ୍ତି । ଦେଶରେ ସ୍ଥାନୀୟ ସ୍ତରରେ ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ବିଦେଶ ଯାତ୍ରା କାରଣରୁ ସଂକ୍ରମଣ ହେଉଥିବାବେଳେ ସ୍ଥାନୀୟ ସଂକ୍ରମଣ ମାତ୍ର 21 ପ୍ରତିଶତ ଥିଲା । ମାତ୍ର ଏବେ ଏହା 79 ପ୍ରତିଶତରେ ପହଞ୍ଚିଛି ।

ସେହିପରି ସାରା ବିଶ୍ବରେ କରୋନା ଜନିତ ସଂକ୍ରମଣ ମାମଲା 27 ଲକ୍ଷ ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 92 ହଜାର ପାର କରିଛି । (ଏଜେନ୍ସି)

Related posts