Categories
ଆଜିର ଖବର ରାଜ୍ୟ ଖବର

ଗଜପତି ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌

ଗଜପତି : ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। 20 ତାରିଖ ସକାଳ 5ରୁ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍‌ ଜାରି ରହିବ। ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା । ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସିରେ ମଧ୍ୟ ଲକ୍‌ଡାଉନ୍‌ ରହିବ । 8ଟି ବ୍ଲକର 11ଟି ପଞ୍ଚାୟତରେ ମଧ୍ୟ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସୂଚନା ରହିଛି ।

Categories
ବିଶେଷ ଖବର

ହୋ ଟିଭି ସାମ୍ବାଦିକମାନେ!! ଘରେ ଥିବା ସେଲେବ୍ରିଟିଙ୍କ କଥା ତ ରୋଜ କହୁଛ, ଘର ନଥିବା ଲୋକଙ୍କ କଥା କହିବ କେବେ??

କେଦାର ମିଶ୍ର

ଏବେ ଟେଲିଭିଜନ ଖୋଲିଲେ କରୋନା ଖବର ଛଡା କିଛି ନାଇଁ। ଅବଶ୍ୟ ଆଜିର ତାରିଖରେ ଖବର ବା ଆଉ କାହିଁ! ସେଇ କରୋନା ଇ ଆମକୁ ମାରି ସାରିଛି। ତେଣୁ କରୋନା ବ୍ୟତୀତ ଅଲଗା ଖବର ନ ରହିବା ସ୍ଵାଭାବିକ। ହେଲେ ଏ ସମୟରେ ସବୁଠୁ ଭୟଙ୍କର ଦୃଶ୍ୟ ହେଉଛି, ଘରେ ବସିଥିବା ସେଲେବ୍ରିଟିଙ୍କୁ ନେଇ ଆମ ଗଣମାଧ୍ୟମ, ବିଶେଷ କରି ନ୍ୟୁଜ ଚାନେଲମାନଙ୍କର ବିଶେଷ ଆଗ୍ରହ। ଭିଡିଓ କନଫରେଂସିଙ୍ଗ ଜରିଆରେ କେଉଁ ଟିଭି/ସିନେମା ତାରକା ଘର ଓଳାଉଛନ୍ତି, କିଏ ଗୀତ ଗାଉଛନ୍ତି, କିଏ ରୋଷେଇ କରୁଛନ୍ତି, ବଗିଚା କାମ କରୁଛନ୍ତି, ମାସ୍କ ତିଆରି କରୁଛନ୍ତି,  କିଏ ବା ନାଚୁଛନ୍ତି, ଏହାକୁ ଦେଖି ଦେଖି ଲାଗୁଛି, ସତେକି ସାଢେ ଚାରି କୋଟି ଓଡିଆଙ୍କର ଏମାନେ ବିଳାସୀ ପ୍ରତିନିଧି। ଏମାନେ ବଡ ଆନନ୍ଦରେ ନିଜ ଘରେ ଅଛନ୍ତି। ସୁରକ୍ଷିତ ଓ ସମ୍ପନ୍ନ ଅଛନ୍ତି। ହେଲେ ଏମାନେ ସବୁ କିଏ? ଏମାନଙ୍କ ସହିତ ଓଡିଶାର ଜନ ଜୀବନର କୌଣସି ସମ୍ପର୍କ ନାହିଁ।

ଲକ ଡାଉନ ପରେ ଟେଲିଭିଜନରେ ଆମେ ଦୁଇଟି ଖବର ଦେଖୁଛୁ। ପ୍ରଥମ ଖବରଟି ସରକାରଙ୍କ ସୂଚନା। ମହାମାରୀ ସମୟରେ ସରକାର କଣ କହୁଛନ୍ତି ଓ କରୁଛନ୍ତି, ତାକୁ ଦେଖାଇବାକୁ ଆମେ ବାଧ୍ୟ। ଦ୍ଵିତୀୟ ଖବର ଟି ହେଉଛି ଏଇ ସଙ୍ଗରୋଧ ଓ ଗୃହବାସ ସମୟରେ ଆମର ସେଲେବ୍ରିଟିମାନେ କଣ କରୁଛନ୍ତି। ଏହା ସହିତ ଆଉ ଗୋଟେ ଖବର ଅଛି, ଯେଉଁଥିରେ ଦେଶର ଗରିବ ଓ ସାଧାରଣ ଲୋକଙ୍କୁ ସର୍ବାଧିକ ଗାଳି ଦିଆ ଯାଉଛି। ଯେମିତି କି ପରିବା ହାଟରେ ଭିଡ କରୁଥିବା ଲୋକମାନେ ଟେଲିଭିଜନ ସାମ୍ବାଦିକଙ୍କ ଲାଗି ସବୁଠୁ ବଡ ଖଳନାୟକ। ତାରି ଭିତରେ ରାସ୍ତାରେ ଚାଲୁଥିବା ଦାଦନ ଶ୍ରମିକ ମଧ୍ୟ ଦେଶର ଶତ୍ରୁ ପାଲଟି ଯାଉଛି। ଘରେ ଯେ ନ ରହିଲା ତାକୁ କରୋନା ଭୂତାଣୁର ବାହକ ବୋଲି ଆମର ସାମ୍ବାଦିକମାନେ ଦୋଷ ଦେବାକୁ ଚେଷ୍ଟା କରୁଛନ୍ତି।

ହେଲେ ଏ ଦେଶରେ କରୋନା ଭୂତାଣୁର ବାହକ କିଏ? କରୋନ ଭୂତାଣୁର ବାହକ ଭାବରେ ଏ ଦେଶର ସବୁଠୁ ବଡ ଘରର ଲୋକମାନେ ଯେ ଦାୟୀ, ଏକଥା ହେଉଛି ସତ୍ୟ। ସେମାନଙ୍କ ଉପରେ ଆମର କିଛି କହିବାର ନାହିଁ। ହେଲେ ଯେଉଁ ଲୋକର ଘର ନାଇଁ, ଯେଉଁ ଲୋକର ଜୀବନ ଓ ଜୀବିକା ଆଜି ସଙ୍କଟରେ ତାକୁ ଅନବରତ ଗାଳି କରିବାକୁ ଆମକୁ ଲଜ୍ଜା ଲାଗୁନି କେମିତି? ପରିବା କିଣିବାକୁ ଆସିବା ଗୋଟେ ସଉକ ନୁହଁ, ଏହା ଆବଶ୍ୟକତା। ଆମ ଲୋକସଂଖ୍ୟା ତୁଳନାରେ ଆମର ହାଟ ବା ବଜାର କେତେ, ସେ ବିଷୟରେ କୌଣସି ତଥ୍ୟ ଆମ ପାଖରେ ଅଛି କି? ଗାଁ ମାନଙ୍କରେ ଯେଉଁ ଛୋଟ ଦୋକାନ ସବୁ ଥାଏ ସେମାନେ ସବୁବେଳେ ସହର ଉପରେ ଏବଂ ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ। ତେଣୁ ସ୍ଵାଭାବିକ ଭାବରେ ଲୋକେ ହାଟରେ ଭିଡ କରୁଛନ୍ତି। ୟୁରୋପ ଓ ଆମେରିକା ଭଳି ଦେଶରେ ଲକ ଡାଉନ ନିୟମ ଅପେକ୍ଷା ଆମର ଲକ ଡାଉନ ନିୟମ ଅଧିକ ଅମାନବୀୟ। କେଉଁଠି ନା କେଉଁଠି ଆମେ ସାଧାରଣ ମଣିଷ ଲାଗି ଜୀବନ ଜୀବିକାର ଆବଶ୍ୟକତା ପୂରଣ ନକରି, ତାକୁ ଘରେ ରହିବାକୁ ବାଧ୍ୟ କରିଛୁ।

ସିନେମା ବା ଟେଲିଭିଜନ ତାରକାଙ୍କ ଘରେ ରହିବାକୁ ବିଶେଷ ଖବର ବୋଲି ଭାବୁଥିବା ଟେଲି ସାମ୍ବାଦିକମାନେ କେବେ ଜାଣିବାକୁ ଚେଷ୍ଟା କଲେଣି, ସିନେମା ଶୁଟିଙ୍ଗ ବେଳେ ସ୍ପଟ ବୟ କାମ କରୁଥିବା ଲୋକ ଟି ଏବେ କେମିତି ଅଛି? ହଜାର ହଜାର କଳାକାର, ଶିଳ୍ପୀ, ଟେକନିସିଆନ ଆଜି କେମିତି ଅଛନ୍ତି। ଶୁଟିଙ୍ଗ ବନ୍ଦ ହେଲେ ସେମାନଙ୍କ ରୋଜଗାର ବନ୍ଦ। ମାସାଧିକ କାଳ ସେମାନେ କେମିତି ଚଳିବେ, ତାକୁ ନେଇ କେତେଟା ଖବର ଆମେ ଦେଖିଲୁଣି?

ଏ ଦେଶରେ କୋଟି କୋଟି ଲୋକ ଅଛନ୍ତି, ଯେଉଁ ମାନଙ୍କର ଘର ବୋଲି କିଛି ନାଇଁ। ସେମାନଙ୍କୁ ନେଇ ଖବର କାହିଁ? ପୋଲିସ ଠାରୁ ମାଡ ଖାଇ ପରିବା ବିକିବାକୁ ଯାଇ ପାରିନଥିବା ପରିବାବାଲା ପାଖରେ ଆମର ବୁମ ପହଞ୍ଚୁ ନାହିଁ କାହିଁକି? ଲକ ଡାଉନ ସମୟରେ ବନ୍ଦ ହୋଇଯାଇଥିବା କାରଖାନାର ଶ୍ରମିକ  ଓ ଦୋକାନ ଗୁଡିକର କର୍ମଚାରୀମାନେ କେମିତି ଅଛନ୍ତି, ତାକୁ ନେଇ କେତୋଟି ଖବର ଆମେ ପ୍ରସ୍ତୁତ କଲେଣି?

ସିନେ ତାରକା ଓ କ୍ରୀଡାବିତ , ଆଧ୍ୟାତ୍ମିକ ଗୁରୁ ଓ ସରକାରୀ ଅଧିକାରୀ, ଗୋଟେ ସଙ୍କଟ ସମୟର ସେଲେବ୍ରିଟି ନୁହନ୍ତି। ଆଜିର ସଙ୍କଟରେ ସବୁଠୁ ବଡ ନାୟକ ବା ନାୟିକା ହେଉଛନ୍ତି ଏ ଦେଶର ସାଧାରଣ ଲୋକ। ନିଜର ଜୀବିକା ବିପନ୍ନ ହୋଇଥିବା ସତ୍ତ୍ୱେ ସେମାନେ ନିଜ କୁଡିଆରେ ବନ୍ଦ ହୋଇ ରହିଛନ୍ତି, କାରଣ ଏହି ମହାମାରୀ ବ୍ୟାପକ ନ ହେଉ। ସେମାନଙ୍କ ବିଷୟରେ ଆଜି ଯଦି ଆମେ ଖବର ଦେଇ ପାରିବା ନାହିଁ, ତାହେଲେ ସାମ୍ବାଦିକ ହେବାର କୌଣସି ମୂଲ୍ୟ ନାହିଁ। ସରକାରୀ ଦରମାରେ ଓ ଆର୍ଥିକ ସୁରକ୍ଷା ଭିତରେ ରହି ଦେଶପ୍ରେମୀ ବୋଲାଇବା ସହଜ, ହେଲେ ବିନା ଆର୍ଥିକ ସୁରକ୍ଷାରେ ଯେଉଁମାନେ ଏ ଦେଶ ପାଇଁ ଆଜି ସବୁଠୁ ବେଶୀ ତ୍ୟାଗ କରୁଛନ୍ତି, ସେମାନଙ୍କ କଥା ଆମେ ଅଧିକରୁ ଅଧିକ କହିପାରିବା କି?

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ରୁ ବାଦ୍‌ ପଡ଼ିଲା ମତ୍ସ୍ୟ ଚାଷ

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ କଟକଣାରୁ ବାଦ୍‌ ପଡ଼ିଲେ ମତ୍ସ୍ୟ ଚାଷ ଓ ଚାଷୀ । ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ ଲାଇନ୍‌ ଅନୁସାରେ ଏବେ ମତ୍ସ୍ୟ ଚାଷକୁ ଲକ୍‌ ଡାଉନ୍‌ରୁ ବାଦ ଦିଆଯାଇଛି। ମତ୍ସ୍ୟ ଶିଳ୍ପ ସହ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।(ଏଜେନ୍ସି)