Categories
ଆଜିର ଖବର ଜାତୀୟ ଖବର

ମେ‘ 3 ଯାଏଁ ବଢିଲା ଲକ୍‌ଡାଉନ୍‌ର ଅବଧି

ନୂଆଦିଲ୍ଲୀ :  ଦେଶରେ କରୋନା ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶରେ ଜାରି ରହିଥିବା କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ପ୍ରଧାନମନ୍ତ୍ରୀ ଆଜି ବଢାଇଛନ୍ତି । ମେ 3 ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କରୋନା ଲଢେଇ ପାଇଁ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଆଜି ଶେଷ ଦିନ ରହିଥିଲା । ପୂର୍ବରୁ ମାର୍ଚ୍ଚ 24 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା ।

ଆସନ୍ତାକାଲି ଦ୍ବିତୀୟ ଥର ଲକ୍‌ ଡାଉନ୍‌ ନେଇ ବିସ୍ତୃତ ଗାଇଡ୍‌ ଲାଇଜ ଜାରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗାଇଡ୍‌ ଲାଇନ ଜରିଆରେ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି କୋହଳ କରାଯିବ । ଅତ୍ୟାବଶ୍ୟକ ସେବା ଓ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି କିଛି କୋହଳ କରାଯିବ ।

ଦେଶରେ ଦ୍ବିତୀୟ ଥର ପାଇଁ ଜାରି କରାଯାଉଥିବା ଲକ୍‌ ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ କିଛି ବିଶେଷ ସୂଚନା ଜାରି କରିଛନ୍ତି

  • ଆସନ୍ତାକାଲି ଲକ୍‌ ଡାଉନ୍‌ ପାଇଁ ନୂତନ ଗାଇଡ୍‌ ଲାଇନ ଆସିବ
  • ପୂର୍ବରୁ ଲାଗିଥିବା ଲକ୍ ଡାଉନ ଠାରୁ ଏହି ଲକ୍‌ ଡାଉନ୍‌ ଆହୁରି ଶକ୍ତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
  • ଏପ୍ରିଲ୍‌ 20 ତାରିଖରେ କରୋନା କଟକଣାର ସମୀକ୍ଷା କରାଯିବ ।
  • ଏପ୍ରିଲ୍‌ 20 ତାରିଖ ପରଠାରୁ ଯେଉଁ ଅଞ୍ଚଳରେ କରୋନା ଜନିତ ନୂତନ ମାମଲା ଆସିବ ନାହିଁ,  ତାକୁ ସର୍ତ୍ତମୂଳକ କୋହଳ କରାଯିବ ।
  • ରାଜ୍ୟ, ଜିଲ୍ଲା ଓ ଥାନା ଭିତ୍ତିକ ଲକ୍‌ ଡାଉନ୍‌ ପାଳନର ସମୀକ୍ଷା କରାଯାଇ ମୂଲ୍ୟାଙ୍କନ କରାଯିବ ।
  • ନୂଆ ମାମଲା ଆସିଲେ ମେ’ ତିନି ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
  • ହଟସ୍ପଟ୍‌ ଚିହ୍ନିତ ସ୍ଥାନଗୁଡିକ ଉପରେ ଅଧିକ କଡା ନଜର ରଖାଯିବ ।
  • ଘରୁ ବାହାରିବା ନିୟମ ଆହୁରି କଡାକଡି କରାଯିବ ।

ଆଜି ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଜାରି ରହିଥିବା ଲକ୍‌ ଡାଉନ୍‌ ଓ ସୋସିଆଲ ଡିଷ୍ଟାନ୍ସିଂର ଫଳ ମିଳିଛି । ପୂର୍ବରୁ କରୋନାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନାରୁ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଆସିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ ଅବଧି ବୃଦ୍ଧି କଲା ତାମିଲନାଡୁ

ନୂଆଦିଲ୍ଲୀ: ଦେଶର ସପ୍ତମ ରାଜ୍ୟ ଭାବେ ତାମିଲନାଡୁ ଲକଡାଉନ ଅବଧିକୁ ଏପିଲ୍‌ 30 ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲକଡାଉନ ଅବଧିକୁ 30 ଏପ୍ରିଲ ଯାଏ ବୃଦ୍ଧି କରିଥିଲେ। ଏହାପରେ ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ମଧ୍ୟ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ 1075 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି ପାଇଛି ।

ଲକ୍‌ ଡାଉନ୍‌କୁ ନେଇ ଆସନ୍ତକାଲି ସକାଳ 10ଟା ସମୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ବୋଲି ସୂଚନା ରହିଛି ।

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ଓ ଲକ୍‌ ଡାଉନ୍‌କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ପ୍ରାୟ ସମେସ୍ତ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରିବାକୁ ନେଇ ପ୍ରସ୍ତାବ ରଖିଥିଲେ । (ଏଜେନ୍ସି)