Categories
ବିଶେଷ ଖବର ରାଜ୍ୟ ଖବର

ଅଭିଯୋଗ ପାଇଁ ପିଲାମାନେ ୨୦ କିମି ଚାଲିଚାଲି ଯିବା ଘଟଣା, ଜିଲ୍ଲାପାଳଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ୨୦ କିଲୋମିଟର ଚାଲିଚାଲି ଯାଇ ଜିଲ୍ଲା ଅଧିକାରୀଙ୍କୁ ଅଭିଯୋଗ କରିବା ଘଟଣାରେ ଲୋକାୟୁକ୍ତ, ଓଡିଶା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଘଟଣା ସଂପର୍କରେ ଚଳିତ ମାସ ସେପ୍ଚେମ୍ବର ୪ ତାରିଖରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଟାଇମ୍ସ ଅଫ ଇଣ୍ଡିଆ ଇଂରାଜୀ ଦୈନିକ ସମ୍ବାଦ ପତ୍ରରେ ଯଥାକ୍ରମେ ‘ଛାତ୍ରମାନେ ହଷ୍ଟେଲ ମେସ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ୨୦ କିଲୋମିଟର ଚାଲିଚାଲିଯିବା’ ଏବଂ ‘ଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଥିବା’ ସଂପର୍କରେ ପ୍ରକାଶ ପାଇଥିଲା ।

ଘଟଣା ଅନୁସାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରେ ଥିବା ମାରିଓ୍ୱାଡା ଆଶ୍ରମ ସ୍କୁଲର୨୦ରୁ ଅଧିକ ଅନ୍ତେବାସୀ ଛାତ୍ରାବାସ ଡେଇଁ ୨୦ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସେମାନଙ୍କୁ ଦିଆଯାଉଥିବା ଚାଉଳ ଛାତ୍ରାବାସରେ ଶିକ୍ଷକମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ଓ ଛାତ୍ରାବାସରେ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ କରିବାକୁ ଯାଇଥିଲେ ।

ଆଦିବାସୀ ଛାତ୍ରମାନେ ଛାତ୍ରାବାସରେ ଅନ୍ୟାୟ ଓ ଦୁର୍ନୀତିର ଶିକାର ହେଉଥିବାଜଣା ପଡୁଥିବା ଓ ଏହି ଅଭିଯୋଗର ସତ୍ୟାସତ୍ୟ ଆଧାରରେ ମାନ୍ୟବର ଲୋକାୟୁକ୍ତ ନିଜଆଡୁ ଘଟଣାର ଅନୁଧ୍ୟାନ କରି ଏ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ମାଲକାନଗିରି, ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି, ମାରିଓ୍ୱାଡା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନୋଟିସ ଜାରି କରି ପ୍ରକାଶିତ ସମ୍ବାଦର ନକଲ ସହ ରେଜିଷ୍ଚ୍ରି ପୋଷ୍ଟ ଯୋଗେ ଜଣାଇ ୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମର୍ମରେ ପ୍ରକାଶିତ ଉପରୋକ୍ତ ଉଭୟ ସମ୍ବାଦପତ୍ରର ସଂପାଦକମାନଙ୍କୁ( ଉଭୟ ଭୁବନେଶ୍ୱର ସଂସ୍କରଣ) ମଧ୍ୟ ଅବଗତ କରାଯାଇଛି । ଆଗାମୀ ୨୬ ଅକ୍ଟୋବର ୨୦୨୨ ରେ ଉତ୍ତର ନଥିକରଣ ଓ ପରବର୍ତ୍ତୀ ଆଦେଶ ନିମନ୍ତେ ଧାର‌୍ୟ୍ୟ କରାଯାଇଛି ।