Categories
ଆଜିର ଖବର ଜାତୀୟ ଖବର

ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ନେଇ ପ୍ରଶ୍ନ ଉଠାଇଲେ ଏମ୍‌ଏନ୍‌ଏସ୍‌

ମୁମ୍ବାଇ: ଆଜି ସାରା ଦେଶ 71ତମ ଗଣତନ୍ତ୍ର ଦିବସକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛି । ଗଣତନ୍ତ୍ର ଦିବସ ଅବସରରେ ଗତକାଲି ରାତିରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ଥର 7ଟି ପଦ୍ମ ବିଭୂଷଣ ସହ 16ଟି ପଦ୍ମବିଭୂଷଣ ଓ 118ଟି ପଦ୍ମଶ୍ରୀ ସମ୍ମାନର ଘୋଷଣା କରାଯାଇଛି । ଚଳିତଥର ଲୋକପ୍ରିୟ ଗାୟକ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ତେବେ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ।

ଶନିବାର ଦିନ ଏକ ଟୁଇଟ୍‌ କରି ଏମ୍‌ଏନ୍‌ଏସ୍‌ର ସିନେମା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ ଅମୟ ଖୋପକର ଟୁଇଟ୍‌ କରି କହିଛନ୍ତି ଯେ, ଅଦନାନ ମୂଳ ଭାରତୀୟ ନୁହଁନ୍ତି । ତାଙ୍କୁ ଏହି ପୁରସ୍କାର ଦିଆଯିବା ଉଚିତ୍‌ ନୁହେଁ ।  ତାଙ୍କ ଠାରୁ ଏହି ପୁରସ୍କାର ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଅଦନାନ ସାମୀଙ୍କୁ 2016 ମସିହା ଜାନୁଆରୀ 1 ତାରିଖରେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇଥିଲା । 2015 ମସିହା ମେ 26 ତାରିଖରେ ପାକିସ୍ତାନୀ ପାସପୋର୍ଟର ଅବଧି ଶେଷ ହେବା ପରେ ପାକିସ୍ତାନ ତରଫରୁ ଏହାକୁ ନବୀକୃତ କରାଯାଇନଥିଲା । ଏହାପରେ ମାନବୀୟ ଆଧାରରେ ଭାରତୀୟ ନାଗରିକତ୍ବ ପାଇଁ ଅଦନାନ ଅନୁରୋଧ କରିଥିଲେ । ଭାରତ ସରକାର ଏହାକୁ ଗ୍ରହଣ କରିଥିଲେ । ଅଦନାନ ସାମୀ ପ୍ରଥମଥର ପାଇଁ ଏକ ବର୍ଷ ପାଇଁ 2001 ମାର୍ଚ୍ଚ 13ରେ ଭାରତକୁ ଆସିଥିଲେ ।

ସୂଚନାଯୋଗ୍ୟ ଯେ,  ଚଳିତ ଜାନୁଆରୀ 23 ତାରିଖରେ ମହାରାଷ୍ଟ୍ର ନବନିର୍ମାଣ ସେନା ଦଳର ଅଧ୍ୟକ୍ଷ ରାଜ ଠାକ୍‌ରେ ଗୋରେଗାଓଁଠାରେ ଆୟୋଜିତ ଏକ ଉତ୍ସବରେ ହିନ୍ଦୁତ୍ବ ଆଧାରରେ ନିଜ ଦଳକୁ ଆଗକୁ ବଢାଇବା ନେଇ ସଂକେତ ଦେଇଥିଲେ । ନିକଟରେ ବାଲ୍‌ଠାକ୍‌ରେଙ୍କ ଜନ୍ମଦିବସ ଅବସରରେ ନିଜ ଦଳୀୟ ପତାକାର ମଧ୍ୟ ପରିବର୍ତ୍ତନ କରିଛନ୍ତି । (ଏଜେନ୍ସି)