Categories
ବିଶେଷ ଖବର ସଂସ୍କୃତି

ବାଲୁକା କଳାରେ ବିଶ୍ବବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ, ପୁରୀ ବେଳା ଭୂମିରେ ନିର୍ମାଣ କଲେ ୧୨ ଫୁଟ ଉଚ୍ଚତାର ବାଲୁକାକଳା

ସମୀକ୍ଷା ବ୍ୟୁରୋ

ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳା ଭୂମିରେ ୨୦୧୯କୁ ନିଜର ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି। ପୁରୀସ୍ଥିତ ମାନସ ସାହୁ ବାଲୁକା କଳା ପାର୍କରେ ସେ ନିର୍ମାଣ କରିଛନ୍ତି  ନୂଆ ବର୍ଷର ଏକ ଭିନ୍ନ କଳାକୃତି। ଏଥିରେ ମାନସ ବିଶ୍ବବାସୀଙ୍କୁ ଶାନ୍ତି ଓ ଭଲପାଇବାର ବାର୍ତ୍ତା ଦେଇଛନ୍ତି। ସେଥିପାଇଁ ସେ ବିଷୟ ରଖିଛନ୍ତି ” ବିଶ୍ବ ସଂହତି “। ଏହି ସ୍ଥାପତ୍ୟରେ ସେ ବିଶ୍ବର ଭିନ୍ ଭିନ୍ନ ପ୍ରସିଦ୍ଧ ସ୍ଥାପତ୍ୟକୁ ସ୍ଥାନିତ କରିଛନ୍ତି। ଏଥିରେ ରହିଛି ଇଟାଲୀର ବକ୍ର ସ୍ତମ୍ଭ, ଲଣ୍ଡନର ବିଗ୍ ବେନ୍, ପ୍ୟାରିସର ଇଫେଲ ଟାୱାର, ରୋମର କୋଲୋସିୟମ, ମସ୍କୋର ସ୍ୟାଣ୍ଡ ଭ୍ୟାଲି କ୍ୟାଥଡ୍ରାଲ ଏବଂ ଭାରତର ତାଜମହଲ ପ୍ରଭୁତି। ଏହି ଭିନ୍ନ ସ୍ଥାପତ୍ୟ ଦେଶ ଦେଶ ମଧ୍ୟରେ ଭାତୃତ୍ୟ ଏବଂ ଭଲପାଇବାର ନିଦର୍ଶନ ଭାବେ ପରିଚିତ ହେବ ବୋଲି ମାନସ କହିଛନ୍ତି। ବିଶ୍ବର ସମସ୍ତ ଦେଶରେ ରହିଛି ଧର୍ମର ଭିନ୍ନତା, ଜାତିର ଭିନ୍ନତା। ତଥାପି ସମସ୍ତେ କିପରି ଏକ ତାହା ଏହି କଳା ମାଧ୍ୟମରେ ପରିପ୍ରକାଶ କରାଯାଇଛି। ଗୋଟିଏ ଫୁଲମାଳରେ ସମସ୍ତେ ଗୁନ୍ଥି ହୋଇ ରହିଛନ୍ତି , ତାହା ହିଁ ଏହି ସ୍ଥାପତ୍ୟରେ ପରିପ୍ରକାଶ ହୋଇଛି। ପ୍ରାୟ ୧୨ ଫୁଟ ଉଚ୍ଚତା ଏବଂ ୧୫ ଫୁଟ ଓସାର ବିଶିଷ୍ଠ ଏହି ବାଲୁକା ସ୍ଥାପତ୍ୟ ନିର୍ମାଣ କରିବାକୁ ମାନସଙ୍କୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା। ଏଥିରେ ମାନସଙ୍କ ଛାତ୍ରଛାତ୍ରୀ ମଧ୍ୟ ସାହାଯ୍ୟ କରିଥିଲେ। ନୂଆବର୍ଷରେ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ବାଲୁକା କଳା ବେଶ୍ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।