ଭୋପାଳ : ଓଡ଼ିଶା ପରି ଭୋପାଳରେ ମଧ୍ୟ ସପ୍ତାହକୁ ଦୁଇ ଦିନ ବଜାର ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗୋଟିଏ ଦିନରେ ସର୍ବାଧିକ 85ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏହା ପରେ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନରୋତ୍ତମ ମିଶ୍ର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଶନିବାର ଏବଂ ରବିବାର ସହରର ବଜାର ବନ୍ଦ ରହିବ । ଯାହା ଦ୍ବାରା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ ।
ଭୋପାଳରେ ପାଞ୍ଚ ଦିନ ମାର୍କେଟ୍ ଖୋଲା ରହିବାକୁ ନିଷ୍ପତ୍ତି ହୋଇଥିବାବେଳେ ସପ୍ତାହର ଦୁଇ ଦିନ ଏବେ ଦୋକାନ ବଜାର ବନ୍ଦ ରହିବ । ଯଦିଓ ମଧ୍ୟପ୍ରଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଭୋପାଳରେ ମାମଲା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଭୋପାଳରେ ମୋଟ୍ 2012 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 66 ଜଣଙ୍କ ମୃତ୍ୟୁ ହୋଇଛି । 1403 ଜଣ ସୁସ୍ଥ ହୋଇଥିବାବେଳେ 543 ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।
ସୂଚନାଯୋଗ୍ୟ, ଅନ୍ଲକ୍ 1,0ରେ ଓଡ଼ିଶା ସରକାର ରାଜ୍ୟର 11ଟି ସହରରେ ସପ୍ତାହକୁ ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଯାହା ଦ୍ବାରା ଅଧିକ ସଂକ୍ରମିତ ମାମଲା ରହିଥିବା ଅଞ୍ଚଳଗୁଡିକରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ସଟ୍ଡାଉନ୍ ପାଳନ କରାଯାଉଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । (ଏଜେନ୍ସି)