Categories
ଆଜିର ଖବର

ମାସୁଦ୍‌ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷଣା ଘଟଣା : ଚୀନ ବିରୋଧରେ ଏକାଠି ହେଲେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌

ଜୈସ ଏ ମୁଜାହିଦ୍ଦିନି(ଜେଇଏମ୍‌) ର ମୁଖ୍ୟ ମାସୁଦ୍‌ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ବିପକ୍ଷରେ ଆମେରିକା ପଦକ୍ଷେପ ଗ୍ରହଣ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ନେଇ ଏକାଠି ହୋଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ। ଦୁଇ ସପ୍ତାହ ତଳେ ଚାଇନା ଏହାକୁ ବିରୋଧ କରିବା ପରେ ଶେଷରେ ଜାତିସଂଘର ପ୍ରମୁଖ ଦେଶ ଏକାଠି ହୋଇଛନ୍ତି। ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା ହେବା ସହ ବିଦେଶ ଗସ୍ତ, ସମସ୍ତ ସମ୍ପତ୍ତି ଜବତ କରିବା ସାଙ୍ଗକୁ କୂଟନୈତିକ ସ୍ତରରେ ଆଲୋଚନା ବ୍ୟାନ ପାଇଁ ପ୍ରସ୍ତାବ ରହିଛି। ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର। ଚଳିତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମାସୁଦ ଆଝାରର ପ୍ରମୁଖ ଭୂମିକା ଥିବା ପ୍ରମାଣ ମିଳିଛି। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବାବେଳେ କୂଟନୀତି ମାଧ୍ୟମରେ ଆଝାରକୁ ଆତଙ୍କବାଦୀ ଘୋଷଣା ପାଇଁ ଦାବି ହୋଇଛି। ଯାହାକୁ ଆମେରିକା, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି। ଆମେରିକାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମାସୁଦର ବିଦେଶ ଗସ୍ତ ଉପରେ ରୋକ ଲଗାଯିବ, ସମସ୍ତ ସମ୍ପତ୍ତି ଅଚଳ କରାଯିବ ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରି ନିଆଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ପୁଣି ମାସୁଦ୍‌ଙ୍କୁ ସୁରକ୍ଷା ଦେଲା ଚୀନ୍‌

ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦର (ଜେଇଏମ୍‌) ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ଚାଲିଥିବା ଉଦ୍ୟମ ଫସର ଫାଟିଛି। ଏଥିଯୋଗୁ ଭାରତକୁ ଶକ୍ତ ଝଟକା ଲାଗିଛି। ଫେବୃୟାରୀ ୧୪ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୪୯ ଯବାନ ଶହୀଦ ହୋଇଥିବା ଏହି ଆକ୍ରମଣ ପାଇଁ ଜେଇଏମ୍‌ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ  ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଆଝାରଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଭାରତ ପୁଣିଥରେ କୂଟନୈତିକ ଉଦ୍ୟମ କରିଥିଲା, ଯାହାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସହାୟତା ମିଳିଥିଲା। ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ପୂର୍ବରୁ ୩ ଥର ଉଦ୍ୟମ ହୋଇଥିବାବେଳେ ଚାଇନା ଯୋଗୁ ତାହା ଫସର ଫାଟିଯାଇଥିଲା। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି।  ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି। ଚୀନର ସୁରକ୍ଷା ଯୋଗୁ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇପାରିନାହିଁ।  ଏହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି।  ତେବେ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ସୁରକ୍ଷା ପରିଷଦ ସମସ୍ତ ଦେଶଙ୍କୁ ଧନ୍ୟବାଦ ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ପରେ ମାସୁଦ୍‌ଙ୍କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ନେଇ ଫେବୃଆରୀ ୨୭ ତାରିଖରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ପାରିତ ହେବାରେ ସହଯୋଗ କରିବାକୁ ଭାରତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ନିବେଦନ କରିବା ସତ୍ତ୍ୱେ ଚୀନ୍ ମାସୁଦ ଆଝାରକୁ ସୁରକ୍ଷା ଦେଇଛି।

Categories
ଆଜିର ଖବର

ମସୁଦ ପ୍ରସଙ୍ଗରେ ଚୀନର ପୁଣି ଦୋମୁହାଁ ନୀତି !

ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ସଦ୍ୟ ପ୍ରସ୍ତାବ ଆଣିବାପାଇଁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଚୀନ ପୁଣି ଥରେ ଦୋମୁହାଁ ନୀତି ଆପଣାଇଛି। ଆସନ୍ତା ୧୩ ତାରିଖରେ ଜାତିସଂଘ ସୁରକ୍ଷା କମିଟି ବୈଠକ ହେବା ପୂର୍ବରୁ ଚୀନ୍ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇ କହିଛି ଯେ, ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରି ପାରିବ। ପୂର୍ବରୁ ୩ ଥର ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ଏ ସଂକ୍ରାନ୍ତ ଭାରତ ଦ୍ବାରା ଆଗତ ପ୍ରୟାସକୁ ବିଫଳ କରିଦେଇଥିଲା। ତେବେ ଏଥର ମଧ୍ୟ ଚୀନ୍ ସେପରି କିଛି ସ୍ପଷ୍ଟ କରିନି। ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଥିଲେ ମଧ୍ୟ ଆଝାର ବାବଦରେ ଏହା ସମ୍ପୂର୍ଣ୍ଣ ନିରବ ରହିଥିଲା। ଏବେ ବିଶ୍ବ ସମୁଦାୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏକଘରିକିଆ କରି ରଖିଥିବା ବେଳେ ମସୁଦ୍ ବାବଦରେ ଚୀନର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Categories
ଆଜିର ଖବର

ମାସୁଦ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କର୍ଣ୍ଣାଟକର ହାବେରୀ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି, ବିଜେପି ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି । ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣାର ମାଷ୍ଟରମାଇଣ୍ଡ ଜୈସ-ଏ-ସଂଗଠନର ମୁଖ୍ୟ ମାସୁଦ ଆଜହରକୁ ପାକିସ୍ତାନରେ ଛାଡ଼ିଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍‌ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଭାରତ ଜେଲରେ ବନ୍ଦୀ ଥିବା ମାସୁଦ୍ ଅଜହରକୁ କିଏ ମୁକ୍ତ କଲା ? ଏବଂ ଶହୀଦ୍‌ ହୋଇଥିବା ଯବାନ୍‌ଙ୍କ ମୃତ୍ୟୁ ପାଇଁ ପରୋକ୍ଷରେ କିଏ ଦାୟୀ ବୋଲି ରାହୁଲ୍‌ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ମାସୁଦ୍‌କୁ ବିଜେପି ପାକିସ୍ତାନକୁ ଛାଡ଼ିଥିବାବେଳେ ଏବେ ଏହାକୁ ନେଇ ରାଜନୀତି କରୁଛି ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି ।

Categories
ଆଜିର ଖବର

ମସୁଦ ଅଜହାରକୁ ବିଶ୍ବ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ବିରୋଧ କରିବ ନାହିଁ ପାକିସ୍ତାନ

ପୁଲଓ୍ୱାମା ଆତଙ୍କବାଦୀ ହମଲା ପରେ ଅନ୍ତର୍ଜାତୀୟ ସ୍ତରରେ ବେଶ ବଦନାମ ହୋଇଛି ପାକିସ୍ତାନ। ଏକଘରିଆ ଭଳି ପରିସ୍ଥିତିର ସାମନା କରିଛି। ଏଭଳି ସ୍ଥିତିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖିଆ ମସୁଦ ଅଜହାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ଆଉ ବିରୋଧ କରିବ ନାହିଁ ପାକିସ୍ତାନ। ଏମିତି ଖବରକୁ ନେଇ ଏବେ ଚର୍ଚ୍ଚା। ଯଦି ଏଭଲି ହୁଏ, ତେବେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିବ। ଜୈଶ-ଏ-ମହମ୍ମଦ ସହ ପାକିସ୍ତାନରେ ଥିବା ଆଉ କିଛି ପ୍ରତିବନ୍ଧକ ସଂଗଠନ ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରନ୍ତି ପାକିସ୍ତାନ ସରକାର। ମସୁଦ ଅଜହାରକୁ ବିଶ୍ୱ ଆତଙ୍କୀ ଘୋଷଣା ପାଇଁ ଜାତିସଂଘରେ ପ୍ରସ୍ତାବ ଆଗତ କରିଛନ୍ତି ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ।