Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୃହ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ, କାସୀମ ଗୁଜରକୁ ଆତଙ୍କବାଦୀ ଘୋଷଣା

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ (MHA) ୧୯୬୭ ମସିହାରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଥିବା ଲଶ୍କର-ଏ-ତୋଇବା ସଦସ୍ୟ ମହମ୍ମଦ କାସୀମ ଗୁଜ୍ଜରକୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛି। ଏହା କୁହାଯାଇଛି ଯେ, ମୋଦୀ ସରକାର ଅନେକ ଆତଙ୍କବାଦୀ ଆକ୍ରମଣର କୁଖ୍ୟାତ ମାଷ୍ଟରମାଇଣ୍ଡ ମହମ୍ମଦ କାସୀମ ଗୁଜ୍ଜରକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲଶ୍କର-ଏ-ତୋଇବା (ଲେଟି) ସଦସ୍ୟ ମହମ୍ମଦ କାସୀମ ଗୁଜ୍ଜର ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକଙ୍କୁ ହତ୍ୟା କରିଛନ୍ତି। ତାଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ସେ ଭାରତ ବିରୋଧରେ ଯୁଦ୍ଧ ଯୋଜନାରେ ଜଡିତ ଅଛନ୍ତି। ଏହି ପୋଷ୍ଟରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ଦେଶର ଏକତା ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କୁ କଠୋର ଜବାବ ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର

ଭାରତ ଓ ମିଆଁମାର ମଧ୍ୟରେ ଥିବା ଅବାଧ ଗମନାଗମନ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ: ମିଆଁମାର ସହିତ ଭାରତର ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍ଏମ୍ଆର୍) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିରୁ ତତ୍କାଳ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉଭୟ ଦେଶର ନାଗରିକଙ୍କ ମୁକ୍ତ ଓ ଅବାଧ ଗମନାଗମନ ବ୍ୟବସ୍ଥା ତତ୍କାଳ ବନ୍ଦ ହେବ। ଏହି ନିଷ୍ପତ୍ତି ଫଳରେ ମିଆଁମାର ସୀମାକୁ ଲାଗିଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଜନସଂଖ୍ୟାର ସ୍ଥିତି ବଜାୟ ରହିବ ଓ ମିଆଁମାର ନାଗରିକମାନେ ଏସବୁ ରାଜ୍ୟକୁ ଅବାଧରେ ପ୍ରବେଶ କରି ନିଜର ଉପସ୍ଥିତି ବଢାଇ ପାରିବେ ନାହିଁ। ସେହି ଅଞ୍ଚଳର ଆଭ୍ୟନ୍ତରୀଣ ନିରାପତ୍ତା, ସୀମାନ୍ତ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏକ ଏକ୍ସ ବାର୍ତ୍ତାରେ କହିଛନ୍ତି ଯେ ଦେଶର ସୀମାନ୍ତକୁ ନିରାପଦ ଓ ସୁରକ୍ଷିତ ରଖିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ସେ ଦୃଷ୍ଟିରୁ ସୀମାକୁ ସୁରକ୍ଷିତ ରଖିବା ସହ ଉତ୍ତର-ପୂର୍ବାଞ୍ଚଳର ଜନସଂଖ୍ୟା ଜନିତ ସ୍ଥିତିକୁ ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ନିମନ୍ତେ ଦୁଇ ଦେଶ ମଧ୍ୟରେ ନାଗରିକଙ୍କ ଅବାଧ ଗମନାଗମନ ବ୍ୟବସ୍ଥାକୁ ତତ୍କାଳ ବନ୍ଦ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି। ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତି (ଏଫ୍ଏମ୍ଆର୍)କୁ ସ୍ଥାୟୀଭାବେ ବାତିଲ କରିବାକୁ ସମୟ ଲାଗିବ । ବୈଦେଶିକ ମନ୍ତ୍ରଣାଳୟ ଏହି ବାତିଲ ପ୍ରକ୍ରିୟା ଆରମ୍ଭ କରିଛି।

ଏହି ବ୍ୟବସ୍ଥା ରଦ୍ଦ ହେବା ଫଳରେ ମ୍ୟାଁମାରରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ସେଠାକାର ନାଗରିକ ଆଉ ଅବାଧ ପ୍ରବେଶର ସୁଯୋଗ ପାଇବେ ନାହିଁ କିମ୍ବା ସେ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସଂଖ୍ୟାର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ମ୍ୟାଁମାରରୁ ଅନେକ ନାଗରିକ ଉତ୍ତର ପୂର୍ବାଞ୍ଚଳକୁ ପଶି ଆସି ସେଠାରେ ବିଭିନ୍ନ ପ୍ରକାର ଅସ୍ଥିରତା ସୃଷ୍ଟି କରିବାରୁ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ, ଅନଲକ 3.0 ରେ ଜାରୀ ହେଲା 10ଟି ଗାଇଡ ଲାଇନ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଅନଲକ 3.0 ଜାରି କରିଛନ୍ତି। ଏଥିରେ ସ୍କଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହେଲେ ଏହି ସମୟରେ ଜିମ୍, ଯୋଗ କେନ୍ଦ୍ର ଖୋଲା ଯାଇପାରିବ। ରାତ୍ରୀରେ ଲୋକମାନେ ଯିବା ଆସିବା କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅନ ଲକ 3.0 ରେ କେନ୍ଦ୍ର ସରକାର 10ଟି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।

ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-3ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନୂତନ ମାର୍ଗଦର୍ଶିକାର କେତେକ ମୌଳିକ ନିୟମଗୁଡିକ ହେଲା –

•    ରାତ୍ରୀକାଳୀନ ଯାତାୟାତ ଓ କର୍ଫ୍ୟୁକୁ ହଟାଇ ଦିଆଯାଇଛି

•    ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳାଗୁଡିକୁ ଆସନ୍ତା ମାସ 5 ତାରିଖଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ ଦିଆଯାଇଛି। ତେବେ ଏସଂକ୍ରାନ୍ତରେ ଏସଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇ ସାମାଜିକ ଦୂରତ୍ଵକୁ ସୁନିଶ୍ଚିତ କରାଯିବ

•    ସ୍ଵାଧୀନତା ଦିବସ ସମାରୋହ ସାମାଜିକ ଦୂରତ୍ଵ ସହ ପାଳନ କରିବାକୁ ଅନୁମତି ଦିଆଯିବ। ଉଦାହରଣ ସ୍ୱରୂପ ସମାରୋହ ପାଳନ ସମୟରେ ମାସ୍କ ବ୍ୟବହାର କରିବାକୁ ପଡିବ। ଏସଂକ୍ରାନ୍ତରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ 21 ତାରିଖ ଦିନ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ପଡିବ।

•    ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ବିସ୍ତୃତ ଆଲୋଚନା ପରେ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟରଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

•    ବନ୍ଦେ ଭାରତ ମିଶନ ଅଧୀନରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରାକୁ ଅନୁମତି ଦିଆଯାଇଛି।

•    ସମସ୍ତ କାର୍ଯ୍ୟକଳାପ ନିମ୍ନରେ ଦର୍ଶାଯାଇଥିବା ବିଷୟ ବ୍ୟତୀତ ଆବଦ୍ଧାଞ୍ଚଳ ବାହାରେ ଅନୁମତି ପ୍ରଦାନ କରାଯିବ
*    ମେଟ୍ରୋ ରେଳ
*    ସିନେମା ହଲ, ସନ୍ତରଣାଗାର, ପ୍ରମୋଦ ଉଦ୍ୟାନ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ଇତ୍ୟାଦି
*    ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶୈକ୍ଷିକ, ସାଂସ୍କୃତିକ, ଧର୍ମସଭା ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ବ୍ୟବସ୍ଥା
ଏସବୁ ନିମନ୍ତେ ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥା ଦେଖି କରାଯିବ।

•    ଆବଦ୍ଧାଞ୍ଚଳଗୁଡିକରେ ଲକଡାଉନ ନିୟମାବଳୀଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ କଡାକଡି ପାଳନ କରାଯିବ। କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଦ୍ଧାଞ୍ଚଳଗୁଡିକୁ ଗୃହ ମନ୍ତ୍ରଣାଳୟର ନିୟମାନୁସାରେ ପୃଥକ ରଖିବେ। କେବଳ ଜରୁରୀକାଳୀନ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କୌଣସିକୁ ଅନୁମତି ଦିଆଯିବ ନାହିଁ।

•    ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆବଦ୍ଧାଞ୍ଚଳ ସମ୍ପର୍କିତ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ ୱେବସାଇଟରେ ସ୍ଥାନିତ କରାଯିବ। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ଅବଗତ ରହିବେ।

•    ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଦ୍ଧାଞ୍ଚଳଗୁଡିକର କାର୍ଯ୍ୟକଳାପକୁ କଡାକଡି ଭାବେ ତଦାରଖ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିୟମାବଳୀଗୁଡିକୁ ତଦାରଖ କରାଯିବ।

•  ରାଜ୍ୟଗୁଡିକ ଆବଦ୍ଧାଞ୍ଚଳଗୁଡିକର ବାହାରେ କାର୍ଯ୍ୟକଳାପଗୁଡିକ ଉପରେ ନିଷ୍ପତ୍ତି ନେବେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପରିସ୍ଥିତିର ସମୀକ୍ଷା କରି ଆବଦ୍ଧାଞ୍ଚଳ ବାହାରେ କେଉଁ ବିଷୟରେ ଅନୁମତି ଦିଆଯିବ ବା ନ ଦିଆଯିବ ତାହା ସ୍ଥିର କରିବେ।

ତେବେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ମଧ୍ୟରେ ଜନସାଧାରଣ ଜିନିଷପତ୍ର ନେବା ଆଣିବାରେ କୌଣସି ବାଧା ରହିବ ନାହିଁ। ଏପ୍ରକାରର ଚଳାଚଳ ନିମନ୍ତେ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ପଡିବ ନାହିଁ।

କୋଭିଡ-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ-

କୋଭିଡ-19 ପରିଚାଳନା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହେବ। ଦୋକାନଗୁଡିକ ଗ୍ରାହକମାନଙ୍କ ମଧ୍ୟରେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବେ। ଜାତୀୟ ନିୟମାବଳୀ ପାଳନ ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କଡାକଡି ଭାବେ ତଦାରଖ କରିବେ।

କେତେକ ବ୍ୟକ୍ତିଙ୍କ ପାଇଁ ବିଶେଷ ସୁରକ୍ଷା-
65 ବର୍ଷରୁ ଉର୍ଦ୍ଧ୍ଵ ଏବଂ ବିଭିନ୍ନ ଜଟିଳ ବ୍ୟାଧି ଓ ସମସ୍ୟା ଭୋଗ କରୁଥିବା ଲୋକ, ଗର୍ଭବତୀ ମହିଳା, 10 ବର୍ଷରୁ କମ ଶିଶୁମାନଙ୍କୁ କେତେକ ବିଶେଷ ପରିସ୍ଥିତି ବ୍ୟତୀତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆରୋଗ୍ୟ ସେତୁର ବ୍ୟବହାର –
ଆରୋଗ୍ୟ ସେତୁ ମୋବାଇଲ ଆପ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ତବଲିଗି ଜମାତ ମାମଲା : 2550 ବିଦେଶୀଙ୍କ ଭାରତ ପ୍ରବେଶ ଉପରେ 10 ବର୍ଷର କଟକଣା

ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ 2550 ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା 10 ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଜାରି କରିଛି ଗୃହ ମନ୍ତ୍ରାଳୟ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ ନୂତନ 12ଟି ଚାର୍ଜସିଟ୍‌ ଦାଖଲ କରାଯିବା ପରେ ସୋମ ବାର ଦିନ 541 ବିଦେଶୀ ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ 2083 ଜଣ ବିଦେଶୀଙ୍କ ଉପରେ କଟକଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 13 ତାରିଖରେ ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍‌ରେ ଏହି ତବଲିଗି ମକରଜ ଅନୁଷ୍ଠିତ ହୋଇଥିଲା । (ଏଜେନ୍ସି)

Categories
ବିଶେଷ ଖବର

ଜାରି ହେଲା ଲକ୍‌ଡାଉନ୍‌ ୪.୦ର ଗାଇଡଲାଇନ୍‌: ସହମତିରେ ଆରମ୍ଭ ହୋଇପାରିବ ବସ୍‌ ସେବା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଯାଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ କରୋନା ହଟ୍‌ସ୍ପଟ ଗୁଡିକରେ ପୂର୍ବବତ ନିୟମ କଡାକଡି ରହିବ। ଏହି ସମୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି। ସେହିଭଳି ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ବସ୍‌ ସେବା ଚାଲୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହା ରାଜ୍ୟର ଇଚ୍ଛାଧୀନ ବ୍ୟାପାର ରହିବ ବୋଲି ସ୍ପଷ୍ଟ କରାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଘରକୁ ପାର୍ସଲ୍‌ ଏବଂ ହୋମ୍‌ ଡେଲିଭରୀ ଜାରି ରହିବ।

ଏହି ସମୟରେ ସମସ୍ତ ସ୍କୁଲ୍‌, କଲେଜ୍‌, ଜିମ୍‌, ସ୍ବିମିଂପୁଲ୍‌, ସପିଂ ମଲ୍‌ ଏବଂ ସିନେମା ହଲ୍‌କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଧାର୍ମିକ ଏବଂ ରାଜନୈତିକ ଏକତ୍ରୀକରଣକୁ ବନ୍ଦ ରଖାଯାଇଛି। ରେଡ୍‌, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍ ସହିତ ଆହୁରି ଦୁଇଟି ନୂତନ ଜୋନ୍‌ ଯୋଗ କରାଯାଇଛି।ବଫର୍‌ ଏବଂ କଣ୍ଟେନମେଣ୍ଟ ଜୋନ୍‌ ନାମକ ଦୁଇଟି ନୂତନ ଜୋନ୍‌ ଜାରି କରାଯାଇଥିବା ବେଳେ ଜୋନ୍‌ ‌ ନିର୍ଦ୍ଧାରଣ ଦାୟିତ୍ବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ଷ୍ଟାଡିୟମ୍‌କୁ ଖୋଲାଯିବ ମାତ୍ର ଦର୍ଶକଙ୍କୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ। ଦୋକାନ ଗୁଡିକରେ ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ନିୟମ କରାଯିବ ଏବଂ ଦୋକାନରେ 5 ଜଣରୁ ଅଧିକ ଗ୍ରାହକ ଛିଡା ହୋଇପାରିବେ ନାହିଁ। (ଏଜେନ୍ସି)

Categories
ଆଜିର ଖବର

ଗ୍ରାମାଞ୍ଚଳରେ କୋହଳ ହେଲା ଲକଡାଉନ କଟକଣା ଗୃହ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି

  • 7 ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଅଣବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସମବାୟ ସମିତି, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବୃକ୍ଷରୋପଣ ଆଦି କେତେକ କ୍ଷେତ୍ର ଲକଡାଉନ କଟକଣାରୁ ମୁକ୍ତ
  • ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, ଲକଡାଉନ ସମୟରେ ଦେଶବ୍ୟାପୀ ଲାଗୁ ହୋଇଥିବା ବିଭିନ୍ନ ପ୍ରକାର କଟକଣାକୁ ସରକାର କେତେକ କ୍ଷେତ୍ରରେ କୋହଳ ଓ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବୃକ୍ଷରୋପଣ କାର୍ଯ୍ୟ, ଅଣ ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସେବା ସମବାୟ ସମିତି ଓ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ନେଇ ଯେଉଁ କଟକଣା ଥିଲା ତାହା ପ୍ରତ୍ୟାହୃତ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସଂଶୋଧିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ କୁହଯାଇଛି।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଓ ଅନ୍ୟାନ୍ୟ ବନବାସୀ କାଠକୁ ଛାଡି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତତସଂକ୍ରାନ୍ତ କାର୍ଯ୍ୟ କରିପାରିବେ। ବାଉଁଶ, ନଡିଆ, ଗୁଆ, କୋକୋ ଓ ମସଲା ଜାତୀୟ ଚାଷ କାମ ଏବଂ ଏହାର ଅମଳ ଉପରେ କଟକଣା ରହିବ ନାହିଁ । ସେମାନେ ଏସବୁ ସାମଗ୍ରୀର ସଂଗ୍ରହ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ପରିବହନ ଓ ବିପଣନ ଏଣିକି ଅନାୟାସରେ କରିପାରିବେ।

ସେହିଭଳି ଗୃହ ଅର୍ଥଲଗାଣକାରରୀ କମ୍ପାନୀ, ମାଇକ୍ରୋ ଫାଇନାନ୍ସ ଏବଂ ଅନ୍ୟାନ୍ୟ ଅଣ ବ୍ୟାଙ୍କିଂ କମ୍ପାନୀମାନେ ନିଜର ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଏଣିକି କାମ କରିବାର ସୁଯୋଗ ପାଇବେ । ଗ୍ରାମାଞ୍ଚଳରେ ଋଣ ଯୋଗାଣକାରୀ ସମବାୟ ସମିତି, ଗ୍ରାମାଞ୍ଚଳରେ କ୍ଷେତ୍ରୀୟ ନିର୍ମାଣ କାର୍ଯ୍ୟ ଯଥା ଜଳଯୋଗାଣ, ପରିଚ୍ଛନ୍ନତା କାର୍ଯ୍ୟ, ବିଜୁଳି ଲାଇନ ଟଣା ଓ ଟ୍ରାନ୍ସଫର୍ମର ସ୍ଥାପନ, କେବଲ ଓ ଟେଲିକମ ଅପ୍ଟିକାଲ ଫାଇବର ବିଛାଇବା ଆଦି ଲକଡାଉନ କଟକଣାରୁ ମୁକ୍ତ ହୋଇଛି ।

Categories
ବିଶେଷ ଖବର

ନାଗରିକ ହେବାକୁ ହେଲେ ଆଉ କେତେ ପ୍ରମାଣପତ୍ର ଦରକାର ହୋ ସରକାର !!

କେଦାର ମିଶ୍ର

ଗୋଟେ ସମୟରେ ଟି.ଏନ.ଶେଷାନ ସାହେବ ଆସି କହିଲେ, କେବଳ ଭୋଟର ତାଲିକାରେ ନାଁ ରହିଲେ ତମେ ନାଗରିକ ହେବା ଯଥେଷ୍ଟ ନୁହେଁ। ତମକୁ ଗୋଟେ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ। ଆମେ ବାଧ୍ୟ ନାଗରିକ ମାନେ ଧାଡି ବାନ୍ଧି ଫୋଟୋ ଉଠାଇଲୁ। ଆମକୁ ଗୋଟେ ଗୋଟେ ପରିଚୟପତ୍ର ଦିଆଗଲା। ଆମେ ଭାବିଲୁ, ଏଣିକି ଆମର ଦୁଃଖ ଗଲା। ଆମର ଫୋଟୋ ସଂଲଗ୍ନ ପରିଚୟପତ୍ର ଦେଖି ଆଉ କେହି ଆମକୁ ପାକିସ୍ତାନୀ କି ବାଂଲାଦେଶୀ ବୋଲି କହିପାରିବେ ନାହିଁ। ତାର କିଛି ବର୍ଷ ପରେ ନନ୍ଦନ ନିଲେକ୍କେନୀ ନାମକ ଜଣେ କରିତକର୍ମା ବ୍ୟବସାୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବୁଝାଇଦେଲେ, ଆଜ୍ଞା, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ। ଏ ଦେଶରେ ଜନ୍ମ ହେଉଥିବା ଛୁଆଠୁ ମରିବାକୁ ଯାଉଥିବା ବୁଧ ପର୍ୟନ୍ତ, ସମସ୍ତଙ୍କର ଆଙ୍ଗୁଠି ଚିହ୍ନ, ଆଖିଡୋଳା ତଥା ଆହୁରି ଅନେକ ବ୍ୟକ୍ତିଗତ ତଥ୍ୟ ସରକାରଙ୍କ ପାଖରେ ରହିବା ଦରକାର। ସେଠୁ ଆରମ୍ଭ ହେଲା ଆଧାରକାର୍ଡ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଜଣେ ବଡ ନେତା ଆମକୁ କହିଲେ, ଆଧାର କାର୍ଡ ଗୋଟେ ଶୋଷଣକାରୀ ବ୍ୟବସ୍ଥା। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଠୁଳ କରିବା ସରକାରଙ୍କ କାମ ନୁହେଁ। ହେଲେ ସେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହବା ପରେ ଆମକୁ ବାଧ୍ୟ କଲେ ଆଧାର କାର୍ଡକୁ ବ୍ୟାଙ୍କ ଓ ଟେଲିଫୋନ ସହ ସଂଯୋଗ କରିବା ପାଇଁ। ସବୁ ନାଗରିକ ପୁଣି ଧାଡିରେ ଠିଆ ହେଲେ। ନିଜକୁ ଏକ ଏକ ନମ୍ବରରେ ରୂପାନ୍ତରିତ କଲେ।

ତାରି ଭିତରେ ପୁଣି କୁହାଗଲା, କେୱାଇସି ବା ନୋ ୟୋର କଷ୍ଟମର ବ୍ୟବସ୍ଥାରେ, ବ୍ୟାଙ୍କରେ ଧାଡି ବାନ୍ଧି ଠିଆ ହୁଅ।ରନ୍ଧନ ଗ୍ୟାସ ଦୋକାନ ଆଗରେ ଠିଆ ହୁଅ। ଆୟକର କମିଶନଙ୍କ ଆଗରେ ଠିଆ ହୁଅ। ସବୁଠୁ ଶେଷରେ କୁହାଗଲା, ତମ ପାଖରେ ଯାହା ପଇସା ଅଛି, ସବୁକିଛି କେବଳ ରଦ୍ଦି କାଗଜ, ଏବେ ନୂଆ ଟଙ୍କା ନେଇ ଜାତୀୟତାର ପ୍ରମାଣ ଦିଅ। ଏତେ  ସବୁ ଭିତରେ ଆମେ କେହି କେହି ପାସପୋର୍ଟ ବି ତିଆରି କରିଛୁ। ଏତେ ସବୁ ସତ୍ତ୍ୱେ ପୁଣି ଆଜି କୁହାଯାଉଛି, ନା- ସେସବୁ ଚଳିବ ନାହିଁ, ଏବେ ତମର ନାଗରିକତାକୁ ନେଇ ଆଉ ଥରେ ପ୍ରମାଣ ଦେଖାଅ। ବେଚାରା ବାଧ୍ୟ ଏବେ କରିବ କଣ?

ତାରି ଭିତରେ ପୁଣି ଧର୍ମ ପଶିଛି। ଏବେ ନାଗରିକ ହେବାକୁ ହେଲେ ଧର୍ମର ପ୍ରମାଣ ଏକ ପ୍ରାଥମିକ ଆବଶ୍ୟକତା ହେଲାଣି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଲେଣି, କେୱାଇସି ଫର୍ମରେ ଧର୍ମ କଥା ଉଲ୍ଲେଖ କର। ଭାରତ ମାଟିରେ ଜନ୍ମ ନେଇଥିବା ଓ ଆଇନକୁ ମାନି ଚାଲିବାର ପରିଣତି ହେଉଛି, ଏ ଦେଶର ସରକାରମାନଙ୍କ ଆଗରେ ନିଜକୁ ଗୁଲାମ କରି ରଖିବା। ଯେଉଁ ମାନେ ଆମ ଭୋଟ ପାଇ ସରକାର ଗଢିଲେ, ସେମାନେ ଆମକୁ ପରୀକ୍ଷାଗାରର ମୂଷା କି ବେଙ୍ଗ ବୋଲି ଭାବିଲେ। ନିଜ ନିଜର ରାଜନୈତିକ ରୁଟି ସେକିବାକୁ ଓ ନିଜର ଏକ ସୁରକ୍ଷିତ ଭୋଟ ବ୍ୟାଙ୍କ ତିଆରି କରିବାକୁ ଏବେ ନାଗରିକଙ୍କୁ ନେତାମାନେ ନିଜ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି।

ହଠାତ ଭାରତରେ ନାଗରିକତା ଏକ ବଡ ପ୍ରସଙ୍ଗ ପାଲଟିଗଲା କେମିତି? ଆଜି ହଠାତ ସାରା ଦେଶର ଜନ ସାଧାରଣ ନିଜକୁ ଭାରତର ବାସିନ୍ଦା ବୋଲି ପ୍ରମାଣିତ କରିବେ କାହିଁକି? ଭୋଟର ପରିଚୟପତ୍ର, ପାସପୋର୍ଟ, ଆଧାର କାର୍ଡ, କିଛି ବି ଆଗକୁ ନାଗରିକ ପରିଚୟପତ୍ର ଭାବେ ବିବେଚିତ ହେବନାହିଁ। ଆପଣଙ୍କୁ ଅମିତ ଶାହଙ୍କ ନୂଆ ନାଗରିକତା ରେଜିଷ୍ଟରରେ ନାମ ଲେଖାଇବାକୁ ପଡିବ।

ଯଦି ଆପଣ ଭୂମିହୀନ, ଅପାଠୁଆ, ଯାଯାବର କିମ୍ବା ନାସ୍ତିକ ତାହେଲେ, ଆପଣ ଭାରତର ନାଗରିକ ହେବାର ସୁଯୋଗରୁ ବଞ୍ଚିତ ହୋଇ ପାରନ୍ତି। ଏବେ ଅମିତ ଶାହଙ୍କ ଭକ୍ତମାନେ କହୁଛନ୍ତି, ଆପଣ ଯଦି ନାଗରିକ ପ୍ରମାଣ ଦେବାକୁ ଡରୁଛନ୍ତି କାହିଁକି? ଆମର ପ୍ରଶ୍ନ, ମୋର ନାଗରିକତା ବିଷୟରେ ପ୍ରମାଣପତ୍ର ଦେବାକୁ ଆପଣ କିଏ? ଯିଏ ଏ ମାଟିରେ ଜନ୍ମ ନେଇଛି, ପୁରୁଷ ପୁରୁଷ ଧରି ଏ ମାଟିକୁ ଭଲ ପାଇଛି, ତାକୁ ବାରମ୍ବାର ଧାଡିରେ ଠିଆ କରାଇ ପ୍ରମାଣ ମାଗିବାକୁ ସରକାରର ନୈତିକ ଅଧିକାର ରହିଛି କି?

ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ଵାଧୀନ ନାଗରିକ ସରକାରଙ୍କର ପ୍ରଜା ନୁହେଁ। ଯଦି ନାଗରିକର ମର୍ୟାଦା ସହିତ ସରକାର ବାରମ୍ବାର ଖେଳ ଖେଳିବେ ତାହେଲେ, ନାଗରିକ ପ୍ରତିବାଦ କରିବାକୁ ବାଧ୍ୟ ହେବ ଓ ଆଜି ତାହା ହିଁ ଘଟୁଛି।