ଗ୍ରାମାଞ୍ଚଳରେ କୋହଳ ହେଲା ଲକଡାଉନ କଟକଣା ଗୃହ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି

Published: Apr 18, 2020, 6:20 am IST
  • 7 ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଅଣବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସମବାୟ ସମିତି, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବୃକ୍ଷରୋପଣ ଆଦି କେତେକ କ୍ଷେତ୍ର ଲକଡାଉନ କଟକଣାରୁ ମୁକ୍ତ
  • ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, ଲକଡାଉନ ସମୟରେ ଦେଶବ୍ୟାପୀ ଲାଗୁ ହୋଇଥିବା ବିଭିନ୍ନ ପ୍ରକାର କଟକଣାକୁ ସରକାର କେତେକ କ୍ଷେତ୍ରରେ କୋହଳ ଓ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବୃକ୍ଷରୋପଣ କାର୍ଯ୍ୟ, ଅଣ ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସେବା ସମବାୟ ସମିତି ଓ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ନେଇ ଯେଉଁ କଟକଣା ଥିଲା ତାହା ପ୍ରତ୍ୟାହୃତ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସଂଶୋଧିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ କୁହଯାଇଛି।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଓ ଅନ୍ୟାନ୍ୟ ବନବାସୀ କାଠକୁ ଛାଡି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତତସଂକ୍ରାନ୍ତ କାର୍ଯ୍ୟ କରିପାରିବେ। ବାଉଁଶ, ନଡିଆ, ଗୁଆ, କୋକୋ ଓ ମସଲା ଜାତୀୟ ଚାଷ କାମ ଏବଂ ଏହାର ଅମଳ ଉପରେ କଟକଣା ରହିବ ନାହିଁ । ସେମାନେ ଏସବୁ ସାମଗ୍ରୀର ସଂଗ୍ରହ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ପରିବହନ ଓ ବିପଣନ ଏଣିକି ଅନାୟାସରେ କରିପାରିବେ।

ସେହିଭଳି ଗୃହ ଅର୍ଥଲଗାଣକାରରୀ କମ୍ପାନୀ, ମାଇକ୍ରୋ ଫାଇନାନ୍ସ ଏବଂ ଅନ୍ୟାନ୍ୟ ଅଣ ବ୍ୟାଙ୍କିଂ କମ୍ପାନୀମାନେ ନିଜର ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଏଣିକି କାମ କରିବାର ସୁଯୋଗ ପାଇବେ । ଗ୍ରାମାଞ୍ଚଳରେ ଋଣ ଯୋଗାଣକାରୀ ସମବାୟ ସମିତି, ଗ୍ରାମାଞ୍ଚଳରେ କ୍ଷେତ୍ରୀୟ ନିର୍ମାଣ କାର୍ଯ୍ୟ ଯଥା ଜଳଯୋଗାଣ, ପରିଚ୍ଛନ୍ନତା କାର୍ଯ୍ୟ, ବିଜୁଳି ଲାଇନ ଟଣା ଓ ଟ୍ରାନ୍ସଫର୍ମର ସ୍ଥାପନ, କେବଲ ଓ ଟେଲିକମ ଅପ୍ଟିକାଲ ଫାଇବର ବିଛାଇବା ଆଦି ଲକଡାଉନ କଟକଣାରୁ ମୁକ୍ତ ହୋଇଛି ।

Related posts