Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ, ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ପ୍ରଥମ ଦିବସରେ ଆଜି ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମବେତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ଦୁଇଟି ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ପାଳନ ହେଉଥିବା ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତା ଦୁଇଟିର ପ୍ରସଙ୍ଗ ଥିଲା ‘ମିଲେଟ: ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ’।ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଟିରେ ପୂର୍ବରୁ ଅନୁଷ୍ଠିତ ‘ଜିଲ୍ଲାସ୍ତରୀୟ ସୁରଭି’ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରଫେସର ଅମରେଶ ଖୁଣ୍ଟିଆ (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ), ଡ. ସୁସ୍ମିତା ବେହେରା (ଆସୋସିଏଟ୍‌ ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ଓ ଶ୍ରୀ ବିଷ୍ଣୁଚରଣ ସୁତାର (ଯୁଗ୍ମ ନିର୍ଦ୍ଦେଶକ, ଓସେପା) ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଲେଟର ପୁଷ୍ଟି ନିରାପତ୍ତା ନେଇ ଅଧିକ ସଚେତନତା ସୃଷ୍ଟି କରିବା ଥିଲା ଏପରି ପ୍ରତିଯୋଗିତାର ଆଭିମୁଖ୍ୟ।

ବିଚାରକବୃନ୍ଦ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ ପାଳନର ପୃଷ୍ଠଭୂମି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପ୍ରତିଯୋଗୀମାନଙ୍କୁ ଅବଗତ କରାଇଥିବାବେଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ପୁଷ୍ଟିଶସ୍ୟର ଗୁରୁତ୍ୱ ଓ ବ୍ୟବହାର ନେଇ ସଚେତନ ହୋଇଥିଲେ। ଆମର ଦୈନନ୍ଦିନ ଖାଦ୍ୟ ସଂସ୍କୃତିରେ ପୁଷ୍ଟିଶସ୍ୟକୁ ନିଶ୍ଚିତ ଅନ୍ତର୍ଭୁକ୍ତ କରିବା ନେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଇଥିଲା।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ମିଲେଟ ମିଶନର ଦୀର୍ଘ ମିଆଦି ରଣନୀତି ନିମନ୍ତେ ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର: ଓଡ଼ିଶା ମିଲେଟ୍‌ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ମିଲେଟସ୍‌ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ସଂପର୍କରେ ଆଜି ଏକ ବୈଠକ ଓଡ଼ିଶା ସରକାରଙ୍କ ଇନ୍‌ଷ୍ଟିଚୁ୍ୟସନାଲ୍‌ କାପାସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍‌ ମିଶନର ଅଧିକାରୀମାନେ ଯୋଗଦେଇଥିଲେ।
ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟସ୍‌ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ ଓ ଏ ପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଉପଭୋକ୍ତା ସ୍ତରରେ ମିଲେଟସର୍‌ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି କରିବା ଓ ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା କୃଷକମାନେ ପାରମ୍ପରିକ ବାଣିଜି୍ୟକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍‌ ଚାଷ ପ୍ରତି ପ୍ରୋତ୍ସାହିତ ହେବେ।

ଏଥି ପାଇଁ ବିଭାଗ ପକ୍ଷରୁ ମିଲେଟସ୍‌ ଚାଷୀ ଏବଂ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସଂପର୍କରେ ଡ. ପାଢ଼ୀ ଉଲ୍ଲେଖ କରିଥିଲେ।

ଓଡ଼ିଶା ମିଲେଟସ୍‌ର ୪ଟି ପାରମ୍ପରିକ ଭୂପ୍ରଜାତିର ବିହନ ଜାରି କରିବାରେ କୃତିତ୍ୱ ହାସଲ କରିବାରେ ଭାରତବର୍ଷରେ ପ୍ରଥମ ରାଜ୍ୟ ବୋଲି ଡ. ପାଢ଼ୀ କହିଥିଲେ। ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମିଲେଟସ୍‌ ମିଶନ ସର୍ବଦା ଅଂଶୀଦାରଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ କହିଥିଲେ। ଏଥି ସହିତ ଡ. ପାଢ଼ୀ ମିଲେଟସ୍‌ ସଂପର୍କରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ।

ବୈଠକରେ ଶ୍ରୀ ବାଗ୍‌ଚୀ ଓଡ଼ିଶା ମିଲେଟସ୍‌ ମିଶନର ଉଲ୍ଲେଖନୀୟ ସଫଳତା ନେଇ ପ୍ରଶଂସା କରିଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘମିଆଦି ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏଥି ସହିତ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ନମନୀୟତା ରଖିବା ପାଇଁ ସେ ପରାମର୍ଶ ଦେଇ କହିଲେ ଯେପରି କୌଣସି ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ସମୟୋଚିତ ପରିବର୍ତ୍ତନ କରାଯାଇପାରିବ।

ସେ ପୁଣି କହିଲେ ଯେ କୃଷି-ପର୍ଯ୍ୟଟନ ପରି ଅଭିନବ ପ୍ରଣାଳୀ, ମିଲେଟସ୍‌ ସହ ଜଡ଼ିତ ଆନନ୍ଦଦାୟକ ଦିଗ ଉପରେ ଧ୍ୟାନଦେବା ଏବଂ ମିଲେଟସ୍‌ ଆମ୍ବାସଡର ଭାବରେ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଅନ୍ୟ ସେଲିବ୍ରେଟିମାନଙ୍କୁ ଜଡ଼ିତ କରି ଆଗାମୀ ବର୍ଷରେ ଓଡ଼ିଶା ମିଲେଟସ୍‌ ମିଶନର ସଫଳ ରୂପାୟନ କରାଯାଇପାରିବ।

ଏଥି ସହିତ ତୃଣମୂଳ ସ୍ତରରେ ୟୁଟୁ୍ୟବ୍‌ରମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଏବଂ ତୃଣମୂଳ ପର୍ଯ୍ୟାୟର ସଂଗଠନ ଏବଂ ମିଲେଟ ଆମ୍ବାସଡରମାନଙ୍କୁ ଉପଯୋଗ କରି ସମାଜର ବୃହତ୍ତର ଅଂଶରେ ମିଲେଟସ୍‌କୁ ଲୋକପି୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ଏହିସବୁ ରଣନୀତିଗୁଡ଼ିକୁ ଆପଣାଇ ଓଡ଼ିଶାକୁ ଭାରତ ତଥା ବିଦେଶରେ ଏକ ଆଦର୍ଶ ମଡେଲ ଭାବରେ ଉପସ୍ଥାପନ କରିବା ପାଇଁ ଶ୍ରୀ ବାଗ୍‌ଚୀ କହିଥିଲେ।

ଓଡ଼ିଶା ମିଲେଟସ୍‌ ମିଶନ ଏବଂ ଆନ୍ତର୍ଜାତିକ ମିଲେଟସ୍‌ ସମ୍ମିଳନୀ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ଶ୍ରୀ ବାଗଚୀଙ୍କ ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୈଠକରେ ଓଡ଼ିଶା ମିଲେଟସ୍‌ ମିଶନର ଯୁଗ୍ମ ନିର୍ଦ୍ଦେଶକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।