Categories
ବିଶେଷ ଖବର

ବିଧାୟକଙ୍କ ଇସ୍ତଫା, ଗଣତନ୍ତ୍ରର ହତ୍ୟା ଲାଗି ଅଭିନବ ଓ ଅବ୍ୟର୍ଥ ଉପାୟ

କେଦାର ମିଶ୍ର 

କର୍ଣ୍ଣାଟକରେ ଯେଉଁ ସରକାର ୨୩, ମଇ, ୨୦୧୮ ରେ ଶପଥ ଗ୍ରହଣ କଲା, ପ୍ରଥମ ଦିନରୁ ହିଁ ସେ ସରକାର ଭେଣ୍ଟିଲଟରରେ ରହି ଆସିଛି। ପ୍ରଥମ ଓ ଦ୍ଵିତୀୟ ବୃହତ୍ତମ ଦଳ ସେଠି ସରକାର ଗଠନର ସୁଯୋଗ ପାଇଲେ ନାହିଁ। କାରଣ ତୃତୀୟ ପକ୍ଷ ପାଖରେ ଥିବା ସଂଖ୍ୟା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ୨୨୫ ସଂଖ୍ୟା ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ଫଳାଫଳରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିଲା। ଏହାର ପରିଣତି ସ୍ୱରୂପ ମାତ୍ର ୩୭ ଆସନ ପାଇଥିବା ଧର୍ମ ନିରପେକ୍ଷ ଜନତା ଦଳର ନେତା ଏଚ.ଡି.କୁମାରସ୍ଵାମୀ କଂଗ୍ରେସର ୭୯ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ୭୯+୩୭=୧୧୬ ଆସନକୁ ନେଇ ସରକାର ଗଢିବାରେ କିଛି ଅସୁବିଧା ନଥିଲା। ହେଲେ ଅଳ୍ପ ବହୁମତର ସରକାରକୁ ଅସ୍ଥିର କରି ନିଜ ନିଜ କ୍ଷମତା ଦଖଲର ଷଡଯନ୍ତ୍ର ଏ ପ୍ରକାର ପୃଷ୍ଠଭୂମିରେ ପ୍ରଶସ୍ତ ହୋଇଯାଏ। ଯଦିଓ ଦଳ ବଦଳ ନିରୋଧ ଆଇନ ଅନୁସାରେ କୌଣସି ବିଧାୟକ ଅନ୍ୟ ଦଳକୁ ହ୍ଵିପ ଅବମାନନା କରି ଭୋଟ ଦେଇପାରିବେ ନାହିଁ, କିନ୍ତୁ ସେମାନେ ତ ଇସ୍ତଫା ଦେଇପାରିବେ।

ଏବେ ବିଭିନ୍ନ ବିଧାନସଭାରେ ନିଜର ପ୍ରତିଷ୍ଠା ଜାହିର କରିବାକୁ ବିଜେପି ଦଳ ବଦଳ ନିରୋଧ ଆଇନର ଏକ ଗଳା ବାଟ ବାହାର କରିଛି। କୋଟି କୋଟି ଟଙ୍କାର କାରବାର କରି ବିଧାୟକମାନଙ୍କୁ ଇସ୍ତଫା ଦେବାକୁ କୁହା ଯାଉଛି। ଗଣତନ୍ତ୍ରକୁ ହତ୍ୟା କରିବା ଲାଗି ଗୋଟେ ସମୟରେ କଂଗ୍ରେସ ଯେମିତି ସମ୍ବିଧାନର ଧାରା ୩୫୬ କୁ ଅପପ୍ରୟୋଗ କରି ଚାଲିଥିଲା, ଏବେ ବିଜେପି ଦଳ ବଦଳ ନିରୋଧ ଆଇନକୁ ସମାନ ଢଙ୍ଗରେ ବ୍ୟବହାର କରୁଛି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମ ବଙ୍ଗ  ଓ କର୍ଣ୍ଣାଟକରେ ବିଜେପିର ବିଧାୟକ କିଣା ଅଭିଯାନକୁ ଅମିତ ଶାହାଙ୍କ ନୂଆ ରଣନୀତି ବୋଲି ଏବେ କୁହା ଯାଉଛି। ଅରୁଣାଚଳ ପ୍ରଦେଶରେ ପୂରା କଂଗ୍ରେସ ସରକାରକୁ ରାତାରାତି ବିଜେପି ସରକାରରେ ବଦଳାଇ ଦିଆ ଯାଇଥିଲା। ଏହି ଅଗଣତାନ୍ତ୍ରିକ ଓ ଅମାନବୀୟ ପ୍ରକ୍ରିୟା ଯୋଗୁଁ ବେଚାରା ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିକୋ ପୁଲ ଆତ୍ମହତ୍ୟା କରିଥିଲେ।

ସରକାର ହାତେଇବାର ପ୍ରକ୍ରିୟାରେ ଯେ କୌଣସି ସ୍ତରକୁ ଖସି ପାରିବାର କଂଗ୍ରେସୀ ଅବଗୁଣ ଏବେ ବିଜେପି ପାଖକୁ ଆସିଛି। ବିଜେପି ଓ ଏହାର ନେତା ଯେଦୁୟୂରାପ୍ପାଙ୍କୁ ଯେମିତି ହେଲେ କ୍ଷମତା ଦରକାର। ସମାନ୍ତରାଳରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମେୟା ମଧ୍ୟ ଅଶାନ୍ତ ଗ୍ରହ ପରି କ୍ଷମତା ଦଖଲର ଅପେକ୍ଷାରେ  ରହିଛନ୍ତି। ତାଙ୍କୁ ମଧ୍ୟ ଜେନ ତେନ ପ୍ରକାରେଣ କ୍ଷମତା ଦରକାର। ତେଣୁ ଯେଦୁୟୂରାପ୍ପା, ସିଦ୍ଧାରାମେୟା ଓ କୁମାରସ୍ଵାମୀଙ୍କ କ୍ଷମତା ଯୁଦ୍ଧରେ ଗଣତନ୍ତ୍ର ସେଠି ବିଚ ବଜାରରେ ଧର୍ଷିତ ହେଉଛି।

ଯେ କୌଣସି ଆଇନକୁ ଭାଙ୍ଗି ତାରି ଭିତରୁ ଗଳା ବାଟ ବାହାର କରିବାରେ ଆମର ରାଜନେତାମାନେ ବେଶ ସିଦ୍ଧହସ୍ତ। ଦଳ ବଦଳ ନିରୋଧ ଆଇନକୁ ନିରସ୍ତ କରିବାକୁ ଯାଇ ଇସ୍ତଫା ମାଧ୍ୟମରେ ଯେଉଁ ବିଧାୟକମାନେ ଖେଳ ଖେଳୁଛନ୍ତି, ସେମାନେ ସିଧା ସଳଖ ଅପରାଧୀ। ଗୋଟେ ଦଳର ପ୍ରତିନିଧି ଭାବରେ ଓ ସେହି ଦଳର ନିର୍ବାଚନୀ ସଙ୍କେତରେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କୌଣସି ସାଂସଦ ବା ବିଧାୟକ ଉଦ୍ଦେଶ୍ୟମୂଳକ ଭାବରେ ଇସ୍ତଫା ଦେଇ ନପାରିବାର ବ୍ୟବସ୍ଥା ଏବେ ଆସିବା ନିହାତି ଜରୁରୀ। ତେବେ ଏ ବ୍ୟବସ୍ଥା କରିବା କିଏ? ବିଧାନସଭା ଭାଙ୍ଗିବା ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରି କ୍ଷମତା ଦଖଲକୁ ନିଜର ଅଧିକାର ବୋଲି ବିଜେପି ଧରି ନେଇଛି। ତେଣୁ ସଂସଦୀୟ ଓ ନିର୍ବାଚନୀ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ବିଜେପି ସରକାର ଚାହିଁବ ନାହିଁ। ଆଇନ ନ ବଦଳିଲେ, ସେ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମଧ୍ୟ କିଛି କରିପାରିବେ ନାହିଁ।

କର୍ଣ୍ଣାଟକରେ ଆଜିର ସ୍ଥିତି ଅତ୍ୟନ୍ତ ଜଟିଳ। ସରକାର ଭାଙ୍ଗିବା ବା ଗଢିବାର ଚୂଡାନ୍ତ ନିଷ୍ପତ୍ତି କେବଳ ବିଧାନସଭା ନେଇ ପାରିବ। ତେଣୁ ଆଇନ ଦୃଷ୍ଟିରୁ ଏବେ କୁମାରସ୍ଵାମୀଙ୍କୁ ବହୁମତ ପ୍ରମାଣ ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେବେ। ଇସ୍ତଫା ଦେଇଥିବା ବିଧାୟକମାନେ ଯଦିଓ ନିଜର ସଭ୍ୟପଦ ହରାଇବେ, ତେବେ ତତ ପରବର୍ତ୍ତୀ ସରକାରରେ ସେମାନେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଅବଶ୍ୟ ଏଥି ପାଇଁ ସେମାନଙ୍କୁ ପୁଣିଥରେ ନିର୍ବାଚନ ଜିତିବାକୁ ପଡିବ କିମ୍ବା କର୍ଣ୍ଣାଟକ ବିଧାନ ପରିଷଦକୁ ଆସିବାକୁ ପଡିବ। ନୂଆ ସରକାରରେ ଯେଉଁମାନେ ମନ୍ତ୍ରୀ ହେବେନାହିଁ, ସେମାନେ ଯଦି ଇସ୍ତଫା ଦିଅନ୍ତି, ତେବେ ସ୍ଥିତି ଆହୁରି ଗମ୍ଭୀର ହେବାକୁ ବାଧ୍ୟ।

ଏ ପ୍ରକାର ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କର ପ୍ରଥମ ଦାୟିତ୍ଵ ହେଉଛି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା। ସେକଥା ଆଶା କରି କିଛି ଲାଭ ନାହିଁ। ଗଣତନ୍ତ୍ରର ହତ୍ୟା ଲାଗି ବିଧାୟକମାନେ ଘୋଡା ହୋଇ ବଜାରରେ ବିକ୍ରି ହେଉଥିବାର ଦୃଶ୍ୟ ଦେଖିଲେ ଆମକୁ ଲଜ୍ଜା ଲାଗୁଛି। ହେଲେ ରାଜନୀତିରେ ଲଜ୍ଜା ବା ସରମର ବିଶେଷ କିଛି ଭୂମିକା ଆଉ ନାହିଁ।